Unknown

 

 

 

 

 

 

 

 

 

 

 

ମାଂସର କୋଣାର୍କ

ସୁରେନ୍ଦ୍ର ମହାନ୍ତି

 

ପ୍ରସଙ୍ଗ କ୍ରମେ

 

ପ୍ରାୟ ଦୁଇଶହ କ୍ଷୁଦ୍ରଗଳ୍ପ, ଅତୀତର ଚାଳିଶବର୍ଷ ମଧ୍ୟରେ ଲେଖିସାରିବା ପରେ, ମୋତେ ବା ମୋ ଗଳ୍ପକୁ ବୁଝାଇବା ପାଇଁ ଆଜି ‘ପ୍ରସଙ୍ଗକ୍ରମେ’ର ଅବତରଣା କରିବା ମୋ ଦୃଷ୍ଟିରେ ଅନ୍ତତଃ ଅପ୍ରାସଙ୍ଗିକ । ତଥାପି ଅନ୍ୟଦୃଷ୍ଟିରୁ ବିଚାର କଲେ ଏହା ସେପରି ଅପ୍ରାସଙ୍ଗିକ ମନେ ହେବନାହିଁ । ଯେଉଁମାନେ ଉତ୍କଳୀୟ ମନ୍ଦିର ସ୍ଥାପତ୍ୟର କିଛି କିଛି ଆଲୋଚନା କରିଛନ୍ତି ସେମାନେ ଜାଣିଥିବେ...ପ୍ରତ୍ୟେକ ମନ୍ଦିର ବାହାରେ କୀର୍ତ୍ତିମୁଖ ଖୋଦିତ ହୋଇଥାଏ । ଏହି ‘କୀର୍ତ୍ତିମୁଖ ହେଉଛି ମନ୍ଦିରରେ ପ୍ରତିଷ୍ଠିତ ଦେବତାଙ୍କ ଏକ ସଂକ୍ଷିପ୍ତ ପ୍ରତିରୂପ । ‘କୀର୍ତ୍ତିମୁଖ’ ଦେଖିଲେଇ ମନ୍ଦିରର ସ୍ୱରୂପ–ଶୈବ, ଶାକ୍ତ ବା ବୈଷ୍ଣବ ଜଣାପଡ଼ିଯାଏ । ଏହି ଗଳ୍ପ ସଂକଳନର ‘କୀର୍ତ୍ତିମୁଖ’ ରୂପେ କେବଳ ଏଠାରେ ‘ପ୍ରସଙ୍ଗକ୍ରମେ’ର ଅବତାରଣା । ଏଥିରେ ସନ୍ନିବିଷ୍ଟ ଗଳ୍ପଗୁଡ଼ିକ ବିଗତ ସପ୍ତମ ଦଶକରେ ରଚିତ ଗଳ୍ପଗୁଡ଼ିକ ମଧ୍ୟରୁ କେତୋଟି । ଏସବୁ “ଆସନ୍ତାକାଲି”, ‘‘ସମାବେଶ”, “ନବରବି” ଓ “ମାନସ” ପ୍ରଭୃତି ବିଭିନ୍ନ ପତ୍ରିକାମାନଙ୍କରେ ପ୍ରକାଶିତ ହୋଇଥିଲା । ଏହି ଅବକାଶରେ ସେହି ପତ୍ରିକାମାନଙ୍କର ସମ୍ପାଦକମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଅଛି । ସମାଜତାତ୍ତ୍ୱିକ ଦୃଷ୍ଟିରୁ ଚଳିତ ଶତାବ୍ଦୀର ସପ୍ତମ ଦଶକ ଏକ ଭୟଙ୍କର ଯୁଗସଂକ୍ରାନ୍ତିର କାଳ–ଯାହାର ଆରମ୍ଭ ହୋଇଥିଲା ପଞ୍ଚମ ଦଶକର ଶେଷଭାଗରୁ । ସପ୍ତମ ଦଶକରେ ଅର୍ଥ ହିଁ ହୋଇଗଲା ଜୀବନର ପରମାର୍ଥ । ରାଜନୀତି ହେଲା ସୌଦାଗରି.... ବୈଶ୍ୟବୃତ୍ତି । ଦଳେ ଅର୍ଥପୁଷ୍ଟ ମୁଷ୍ଟିମେୟ ବୈଶ୍ୟ ଓ ଦଳେ ଅର୍ଥଲୋଭୀ ଶୂଦ୍ର ଏକାଠି ମିଶିଲେ..... ଚାଲିଲା ରାଜନୀତି । ସ୍ଵାଭାବିକ ଭାବରେ ଏହାର ପ୍ରତିକ୍ରିୟା ଜନଜୀବନ ଓ ମୂଲ୍ୟବୋଧରେ “ଯଦ୍‍ଯଦାଚରିତ ଶ୍ରେଷ୍ଠ” ନ୍ୟାୟରେ ପ୍ରତିଫଳିତ ହେବାକୁ ଲାଗିଲା । ‘ମାଂସର କୋଣାର୍କ’ରେ ସେହି ଅଶ୍ଳୀଳ ଚିତ୍ରବିକାଳି ତେଣୁ ଯଥାର୍ଥରେ କହିଛି…‘‘ଆଜିର ସମଗ୍ର ଜୀବନ ଯେତେବେଳେ ଅଶ୍ଳୀଳ....ମୋତେ ଅଶ୍ଳୀଳ ବୋଲି ଆକ୍ଷେପ କରିବାର ଯଥାର୍ଥତା କେଉଁଠି ?” ବସ୍ତୁତଃ ଏଥିରେ ସନ୍ନିବେଶିତ ଗଳ୍ପଗୁଡ଼ିକ ସେଇ ଭୟଙ୍କର ସପ୍ତ ଦଶକର ବିଭିନ୍ନ ଆଭିମୁଖ୍ୟର, ଗୋଟିଏ ଗୋଟିଏ ପ୍ରତିଲିପି ମାତ୍ର ।

 

ମୁଁ କଳ୍ପନାପ୍ରିୟ ନୁହେଁ–ଖାଣ୍ଟି ସୁନାରେ କିଛି ଖାଦ ନ ମିଶାଇଲେ ଯେପରି ଅଳଙ୍କାର ତିଆରି ହୋଇପାରେ ନାହିଁ । ସେହିପରି ପ୍ରତ୍ୟେକ ଗଳ୍ପ ବା ଉପନ୍ୟାସରେ କଳ୍ପନାର ଖାଦ ତ ନିଶ୍ଚୟ ମିଶିବ । କିନ୍ତୁ ମୋର ପ୍ରାୟ ଅଧିକାଂଶ ଗଳ୍ପ ନିଜେ ଅଙ୍ଗେ ନିଭା ଅନୁଭୂତି । ଯାହା ମୋର ଚେତନାକୁ ସ୍ପର୍ଶ ନ କରିଛି, ଯାହା ମୋର ସୃଷ୍ଟି ପ୍ରବଣତାକୁ ଧକ୍‍କା ନ ଦେଇଛି, ଯାହା ମୋର ଅନ୍ତରପୁରୁଷ କଣ୍ଠରେ ମର୍ମେ ମର୍ମେ ଉଚ୍ଚାରିତ ନ ହୋଇଛି ମୁଁ ତାହାକୁ କଦାପି ଲେଖିନାହିଁ କିମ୍ବା ଲେଖି ସମୟ ନଷ୍ଟ କରିନାହିଁ । ତେଣୁ ମୋର ସବୁ ରଚନାରେ ସୁସ୍ପଷ୍ଟ ଥାଏ ଏକ ନିଃସଙ୍କୋଚ ବକ୍ତବ୍ୟ । ମୋର ଗଳ୍ପଗୁଡ଼ିକରେ ତେଣୁ ଘଟଣା ଅପେକ୍ଷା ଚରିତ୍ର ଓ ବକ୍ତବ୍ୟ ହିଁ ପ୍ରଧାନ । ଏଥିରେ ସନ୍ନିବେସିତ ଗଳ୍ପଗୁଡ଼ିକ ମୋର ସେଇ ପ୍ରବୃତ୍ତି ବା ଅଭିମୁଖ୍ୟରୁ ବାଦ ପଡ଼ିନାହିଁ । ତେଣୁ ଏହି ଗଳ୍ପଗୁଡ଼ିକର ପ୍ରୁଫ୍ ଦେଖିଲାବେଳେ ମୋତେ ଲାଗୁଛି ଏସବୁ ଯେପରି ମୋର ଆତ୍ମଚରିତର ଗୋଟିଏ ଗୋଟିଏ ଅଧ୍ୟାୟ । ‘ମାଂସର କୋଣାର୍କ’ର ସେହି ଲୋକ ସହିତ ମୋର ପରିଚୟ ହୋଇଛି–ଯେ ମୋତେ କହିଥିଲା–“ହାମକୁ ଭି ତୋ ରୋଟି ଖାନା ହୈ–” । ‘ସେଇ ଲୋକଟା’ ଗଳ୍ପରେ... ମିଃ ଚାୱାଲା ଦିନେ ଯେଉଁ ଅନୁଭୂତି ବର୍ଣ୍ଣନା କରୁଥିଲେ ତାହାର ଫଳଶ୍ରୁତି ହେଉଛି– ‘ସେଇ ଲୋକଟା’ ଗଳ୍ପ । ତାଙ୍କ ବର୍ଣ୍ଣନାର ପଞ୍ଜର ଉପରେ ଅବଶ୍ୟ କଳ୍ପନାର ପୁଟ, ଚରିତ୍ରଚିତ୍ରଣର ପ୍ରଲେପ । ‘ଗୋଟିଏ ଆତ୍ମହତ୍ୟାର କାହାଣୀ’ ଗଳ୍ପରେ ମିଃ ଆଞ୍ଜନେପ୍‍ପାଙ୍କୁ ମୁଁ ଦେଖିଥିଲି, ‘ଲଳିତା ମହଲ’ ହୋଟେଲରେ.... ଆଉ ‘ପ୍ରତିନାୟକ’ ଗଳ୍ପର ସଦା ମହାନ୍ତି ଯିଏକି ଏକଦା ଥିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଶବନ୍ଧୁ ସଦାନନ୍ଦ ମହାନ୍ତି...ତାଙ୍କୁ ତ ସମସ୍ତେ ସବୁଦିନେ ସବୁବେଳେ ଦେଖୁଛନ୍ତି । ସିଏ ବିଚରା ନିର୍ବାଚନ–ଜୁଆ ଖେଳର ପଶାଦାନ । ‘ପ୍ରତୀକ୍ଷା’ ଗଳ୍ପଟି ଆଜିର ବିପର୍ଯ୍ୟୟ ବିଡ଼ମ୍ବିତ କାଳର ପ୍ରତିଛବି । କେହି କାହାରିକୁ କୌଣସି ଉତ୍ତର ଦେବା ଅବସ୍ଥାରେ ଆଜି ନାହାନ୍ତି । ସମସ୍ତଙ୍କ ମନରେ କିନ୍ତୁ ଶତ ଶତ ଉତ୍ପୀଡ଼କ ପ୍ରଶ୍ନବାଚକ । ମାତ୍ର ସେସବୁର ଉତ୍ତର ଦେବ କିଏ ? ‘ପ୍ରତୀକ୍ଷା’ ଗଳ୍ପଟି ସେଇ ଯନ୍ତ୍ରଣାର ଅନ୍ତଃସ୍ଵର । ‘ମୃତ୍ୟୁ : ଗେଷ୍ଟ୍ରୋଏଣ୍ଟ୍ରାୟିଟିସ୍’ ଗଳ୍ପର କେଳୁଚରଣ, ଆଜି ମଧ୍ୟ ମାଫି ପଡ଼ିକାର୍ଡ଼ ପାଇବା ପାଇଁ କେଉଁ ବି: ଡ଼ି: ଓ ଅଫିସଦ୍ଵାରରେ ବସିଥିବ । ତାକୁ ମୁଁ ଦେଖିଛି । କଇଁମୂଳ ଓ ସୁନ୍‍ସୁନି ଶାଗ ଯୋଡ଼ରେ ପଶି ତୋଳିବା ମଧ୍ୟ ଦେଖିଛି । ପିତାଳୁ କିପରି ଲାଗେ ସିଝାଇ ନିଜେ ଖାଇଛି । ଏପରିକି ‘ପଲାଶପୁର ଓ ପୋର୍ସିଲେନ’ ମଧ୍ୟ ନିହାତି କାଳ୍ପନିକ ନୁହେଁ । ଆଉ ‘ଏଇ ଗଣତନ୍ତ୍ର’.... ଏ ତ ସାଂପ୍ରତିକ ନିର୍ବାଚନୀ ରାଜନୀତିର ପ୍ରତ୍ୟକ୍ଷ ଅଭିଜ୍ଞତା । ତାକୁ କେବଳ ମୁଁ ବାକ୍‍ରୂପ ଦେଇଛି ମାତ୍ର । ‘ବୃତ୍ତ : କେନ୍ଦ୍ରହୀନ’ ଓ ‘ପ୍ରତିଧ୍ୱନି’ ଗଳ୍ପ ଦୁଇଟି ଏମରଜେନ୍‍ସି ବା ଅନୁଶାସନ ପର୍ବ ବେଳର ଲେଖା । ଇତିହାସକୁ ଲୁଚାଇବା ସମ୍ଭବ ନୁହେଁ...ଯେତେ ଅପ୍ରୀତିକର ହେଲେ ହେଁ ଇତିହାସ, ଇତିହାସ ହୋଇ ହିଁ ରହିବ । ତାହାକୁ ଲୋକଚକ୍ଷୁରୁ ଲୁଚାଇ ରଖିବାର ଅପଚେଷ୍ଟା ମୁଁ କରିନାହିଁ ।

 

କାହାର ମନୋରଞ୍ଜନ ପାଇଁ ମୁଁ କେବେ ଲେଖିନାହିଁ ବା ଲେଖିବି ନାହିଁ । ମୋର ଅନ୍ତରର ଜ୍ଵାଳା ଯଦି ପାଠକ-ପାଠିକାମାନଙ୍କର ଚେତନାକୁ ସ୍ପର୍ଶ କରିପାରେ, ତାହାହେଲେ ମୋର ସବୁ ଶ୍ରମ ସାର୍ଥକ ହେବ ।

 

ଶିବାନୀ, କଟକ–୮

 

ନେତ୍ରୋତ୍ସବ,୧୯୮୧

ସୁରେନ୍ଦ୍ର ମହାନ୍ତି

☆☆☆

 

ଗଳ୍ପ ସୂଚୀ

 

୧.

ମାଂସର କୋଣାର୍କ

୨.

ସେଇ ଲୋକଟା

୩.

ଗୋଟିଏ ଆତ୍ମହତ୍ୟାର କାହାଣୀ

୪.

ପ୍ରତିନାୟକ

୫.

ପ୍ରତୀକ୍ଷା

୬.

ଅସାଧାରଣ

୭.

ମୃତ୍ୟୁ : ଗେଷ୍ଟ୍ରୋଏଣ୍ଟ୍ରାୟିଟିସ୍

୮.

ପଲାଶପୁର ଓ ପୋର୍ସିଲେନ୍

୯.

ଏଇ ଗଣତନ୍ତ୍ର :

୧୦.

ବୃତ୍ତ: କେନ୍ଦ୍ର ହୀନ

୧୧.

ପ୍ରତିଧ୍ୱନି

☆☆☆

 

ମାଂସର କୋଣାର୍କ

 

କାଲି ବୋଧହୁଏ କିଛି ଗୋଟିଏ ପର୍ବ–କୌଣସି ମହାପୁରୁଷ, ଅବତାର ନୋହିଲେ କୌଣସି ଠାକୁରଙ୍କ ଦିନ । ମୋର ଷଷ୍ଠେନ୍ଦ୍ରିୟ ବଳରେ ମୁଁ ଠିକ୍ ବୁଝି ପାରୁଛି । କିନ୍ତୁ କି ପର୍ବ ? କେଉଁ ମହାପୁରୁଷଙ୍କ ଜନ୍ମଦିନ ? କେଉଁ ଅବତାରଙ୍କ ଜୟନ୍ତୀ ? ଦୁତ୍ ! ପର୍ବ ପର୍ବ ଜୟନ୍ତୀ ସାଙ୍ଗରେ ମୋର ବା କି ସମ୍ପର୍କ ? ‘ବ୍ଲୁ–ଫକ୍ସ’ ମଦଦୋକାନ ସାମନାରେ ଲମ୍ବା କ୍ୟୁ ଦେଖିଲେଇ ମୁଁ ଠିକ୍‍ ବୁଝିପାରେ, କାଲି କିଛି ଗୋଟାଏ ପର୍ବ, ନୋହିଲେ ଠାକୁରଙ୍କ ଦିନ । ଡ୍ରାଇ–ଡେ ଗୁଡ଼ାକ ତ ଆଙ୍ଗୁଠି ଅଗରେ । ଆଜି ଯାହା ହେଉ ପଛେ–କାଲି ଆଚାରନିଷ୍ଠ, ସଚ୍ଚରିତ୍ର ହୋଇ ଚଳିବା ପାଇଁ ପଡ଼ିବ । ଅପରଦିନକୁ କୋଉ ନର୍ଦ୍ଦମା ଧାରରେ ପଡ଼ିଲେ ଆପତ୍ତି ନାହିଁ, ସ୍ଖଳନ ଘଟିଲେ କ୍ଷତି ନାହିଁ । ଏଇସବୁ ସାମୟିକ ଆଚାର ଶୁଦ୍ଧି, ଡ୍ରାଇ–ଡେ, ଭାରତୀୟ ଆତ୍ମ–ପ୍ରବଞ୍ଚନା, ବୌଦ୍ଧିକ ଶଠତାର ପ୍ରତୀକ–କାଲି ଗୋଟାଏ ଫାଲତୁ ଡ୍ରାଇ–ଡେ ନିଶ୍ଚୟ । ମଦ ଦୋକାନ ସବୁ ବନ୍ଦ ରହିବ । ଆଜି ସେଥିପାଇଁ ଲମ୍ବା କ୍ୟୁ ‘ବ୍ଲୁ–ଫକ୍ସ’  ସାମନାରେ । ଆଜି ଅନ୍ତତଃ ସଂଗ୍ରହ କରିବା ପାଇଁ ପଡ଼ିବ କାଲି ପାଇଁ କୋଟା ସମୂଳସୁଧରେ, ପ୍ରତିଶୋଧପରାୟଣ ପରି ।

 

କାହାର ଗରମ ନିଃଶ୍ଵାସ ଦଂଶନ କରୁଛି ମୋର ବେକମୁଣ୍ଡା ? ପଛକୁ ଫେରି ଚାହିଁ ଦେଖିଲି, କ୍ୟୁ ଆହୁରି ଲମ୍ବିଗଲାଣି, ଫୁଟ୍‍ପାଥ ଦାଢ଼ ପର୍ଯ୍ୟନ୍ତ । ମୋର ପଛରେ ଠିଆ ହୋଇଛନ୍ତି, ଏଇ ଗୁଳୁଗୁଳିରେ ଥ୍ରୀ–ପିସ୍ ସୁଟ ପିନ୍ଧା ଜଣେ ପ୍ରୌଢ଼–ମୁହଁଟା ଠିକ୍‍ ଦେଖାଯାଉ ନାହିଁ । ମୁଣ୍ଡରେ ଫେଲ୍‍ଟଟା ନୁଆଇଁ ଦେଇଛନ୍ତି କପାଳ ଉପରକୁ; ପେରୀ ମାସନ୍ ଡିଟେକ୍‍ଟିଭ୍ ଉପନ୍ୟାସର ଏକ ଚରିତ୍ର ପରି । ସେ ବୋଧହୁଏ ଚାହାନ୍ତି ନାହିଁ ଅନ୍ୟମାନଙ୍କ ଆଖିରେ ଧରା ପଡ଼ିବା ପାଇଁ । ସେ ବୋଧହୁଏ କୌଣସି ପ୍ରହିବିସନ୍‍–କ୍ଲବର ପ୍ରେସିଡେଣ୍ଟ, ନୋହିଲେ କର୍ମକର୍ତ୍ତା: ନୋହିଲେ ଗୋବିଚାରୀ ଭଦ୍ରଲୋକ; ଘରେ ପିଅନ୍ତି ଗଙ୍ଗାଜଳ । ଏବେ ଗୋଟିଏ ରମ୍‍ କି ହୁଇସ୍କି ବୋତଲ ଧରି ଯିବେ କୌଣସି ବନ୍ଧୁଙ୍କ ପାର୍ଟିକୁ ।

 

ସନ୍ଧ୍ୟା ସାତଟାରେ ଦୋକାନ ବନ୍ଦ । ଭଦ୍ରଲୋକ ଅସହିଷ୍ଣୁ ହୋଇ ଉଠିଲେଣି । ସେଥିପାଇଁ ଘନଘନ ଉଷ୍ଣଶ୍ଵାସ । ଆଃ–ମୋ ବେକମୁଣ୍ଡା ଜଳିଯାଉଛି–ଯେପରି ଲୁ ମାଡ଼ରେ ।

 

ଆମରି ଦାରିଦ୍ର୍ୟ, ଆମର ବେକାରି ସମସ୍ୟାର ସମାଧାନ ନ ହେଉ ପଛେ । କର୍ତ୍ତାମାନଙ୍କର ସଂକଳ୍ପ କିନ୍ତୁ ଆମକୁ ଚରିତ୍ରବାନ୍‍ ନ କରି ଛାଡ଼ିବେ ନାହିଁ, ସେଥିପାଇଁ ନିଶା ନିବାରଣ–ଡ୍ରାଇ–ଡେ । ଲେନିନ ମଧ୍ୟ ବିପ୍ଳବ ପରେ ଋଷିଆରେ ଆରମ୍ଭ କରିଥିଲେ ମଦ୍ୟ ନିଷେଧ, ଭଦ୍‍କା ବନ୍ଦ । କିନ୍ତୁ ପ୍ରଲିଟରିଆନ୍ ଡିକଟେଟରସିପ୍‍କୁ ବୃଦ୍ଧାଙ୍ଗୁଷ୍ଠି ଦେଖାଇ, ଫୁଣି ଫେରି ଆସିଲା ଭଦ୍‍କା । ବିଜୟ ନିର୍ଘାତ୍‍ ସିନିକ୍‍ । କଥା ପଡ଼ିଲେ ସେ କହେ, ଆମ ଦେଶର ନେତାମାନେ ଡ୍ରିଙ୍କ୍ କରନ୍ତି ବାଥରୁମରେ, ଡ୍ରଇଙ୍ଗରୁମରେ, ନାମ ନିଅନ୍ତି ବାବା ଅଥବା ମାତାମାନଙ୍କର । ଡ୍ରାଇ–ଡେର ବ୍ୟବସ୍ଥା ତ ମଦର କାଟ୍‍ତି ବଢ଼ାଇବା ପାଇଁ । ଚାରିଦିନର ମାଲ ଏକାଦିନେ ବିକ୍ରି ହୋଇଗଲେ ବ୍ୟବସାୟୀର ଲାଭ ଆଉ ନୀତିବାଗୀଶମାନଙ୍କର ଜୟଜୟକାର । ଏଇ ଠିକ୍‍ ଛାଡ଼ଖାଇ ଦିନ ସାରା କାର୍ତ୍ତିକ ମାସର ମାଛ ବିକ୍ରି ହୋଇଯିବା ପରି । ‘ବ୍ଲୁ–ଫକ୍ସ’ବାଲାମାନେ ସେଥିପାଇଁ ତ ଡ୍ରାଇ–ଡେର ବଡ଼ ସମର୍ଥକ । ସାରା କାର୍ତ୍ତିକ ମାସଟା ହବିଷ କରିବା ପରେ, ବୁଢ଼ୀ ମା’ ଅନେଇ ବସିଥାଏ ଛାଡ଼ଖାଇ କେବେ ? ରାମାନନ୍ଦୀ ଚିତା ତଳେ ତା’ର ଦୁଇ ବିଷଣ୍ଣ ଆଖିରେ ଆମିଷର କ୍ଷୁଧା । ସକାଳୁ ସକାଳୁ ମୋତେ ଉଠାଇ କହେ–“ତୁ ଯିବା ବେଳକୁ ପଡ଼ିଥିବ ଦଣ୍ଡିକିରୀ ନୋହିଲେ ଛୋଟ ପୋହଳା । ଜଲଦି ଜଲଦି ନ ଗଲେ ମାର୍କେଟରୁ ବଡ଼ମାଛ ସବୁ କିଏ କୁଆଡ଼େ ବୋହି ନେଇଯିବେ-।” ମାସଟାଯାକର ହବିଷ ପରେ ଆଜି ମୀନକୁଳ ସଂହାର କରିବା ପାଇଁ ପଡ଼ିବ-। ଡ୍ରାଇ–ଡେ ସେହିପରି ଏକ ହବିଷ । ନେତାଙ୍କୁ ଥରେ ଏକ ସାମ୍ବାଦିକ ସମ୍ମିଳନୀରେ ପଚାରିଥିଲି, “ଜାଣନ୍ତି ଆପଣ, ହୁଇସ୍କି ଅପେକ୍ଷା ରାଜନୈତିକ କ୍ଷମତା ଅହଂକାର ମଣିଷକୁ ବେଶି ମାତାଲ କରେ-? ତା’ର ପଶୁ ପ୍ରବୃତ୍ତିକୁ ଆହୁରି ଉଗ୍ର କରେ ?” ନେତା ଏକ ପ୍ୟୁରିଟାନ୍ । ସେ ଠଉରେଇ ନେଲେ ମୁଁ ତାଙ୍କ ମଦ ନିଷେଧ ଯୋଜନାକୁ ପରିହାସ କରୁଛି । ସେ ଚିତ୍କାର କଲେ– ‘‘ତମରି ପରି ବିଦେଶୀ ସଂସ୍କାରରେ ବର୍ଦ୍ଧିତ ଲୋକମାନେ ଆମର ଏଇ ପୁଣ୍ୟଭୂମିର ସମାଜ ଆଉ ସଂସ୍କୃତିକୁ ଧ୍ୱଂସ କରିଛନ୍ତି ।’’ ମୁଁ ଉତ୍ତର ଦେଲି– “ଇଏ ମୋ ପ୍ରଶ୍ନର ଉତ୍ତର ହେଲାନାହିଁ । ହୁଇସ୍କିରେ ନିଶା, ଆଲକହଲ୍ ଥାର୍ଟି ପରସେଣ୍ଟ ଲଣ୍ଡନ ପ୍ରୁଫ୍‍ । ରାଜନୈତିକ କ୍ଷମତାରେ ନିଶା ସେଣ୍ଟ୍ ପରସେଣ୍ଟ୍ । ତା’ ନ ହେଲେ ବିଷୁଦ୍ଧ ପାଣି ପିଇ ଲୋକେ ଏପରି ପ୍ରମତ୍ତ ହୁଅନ୍ତେ କିପରି ? ଆଉ ସେ ସଂସ୍କୃତି କଥା ଯଦି କହୁଛନ୍ତି, ତା’ହେଲେ ସୋମରସ ଟୋପେ ଟୋପେ ନ ପଡ଼ିଲେ, ଆର୍ଯ୍ୟଋଷିମାନେ କୁଆଡ଼େ ଆଖି ଫିଟାଉ ନ ଥିଲେ ।” ନେତା ବିସ୍ଫୋରଣ କଲେ... “ତୁମେ ମୋ’ ପ୍ରେସ୍‍ କନ୍‍ଫରେନ୍‍ସ ଛାଡ଼ି ଚାଲିଯାଇପାର । ଏପରି ବେଆଦବା ବରଦାସ୍ତ କରିବା ଲୋକ ମୁଁ ଅନ୍ତତଃ ନୁହେଁ ।’ –ଷ୍ଟୋରୀଟା ଦେଇଥିଲି ସମ୍ପାଦକଙ୍କୁ । ତା’ ଉପରେ ଗୋଟିଏ ନାଲି ଛକି ପକାଇ ସେ ଷ୍ଟୋରୀଟାକୁ ଫେରାଇ ଦେଇଥିଲେ ମୋ ଡେସ୍କକୁ...The story is killed ଯେଉଁ ଆତ୍ମପ୍ରତାରଣା ଉପରେ ରାଷ୍ଟ୍ର, ସମାଜ ପ୍ରତିଷ୍ଠିତ, ଖବରକାଗଜ ତ ସେଇ ଆତ୍ମପ୍ରତାରଣାର ପ୍ରଚାରଯନ୍ତ୍ର । ସମ୍ବାଦପତ୍ରର ସ୍ଵାଧୀନତା ‘ଡ୍ରାଇ–ଡେ’ ପରି ଆଉ ଏକ ମୁଖ-ରୋଚକ ବୋଲି ।

 

ଖଣ୍ଡେ ସିଗାରେଟରେ ନିଆଁ ଧରାଇ ଆଗକୁ ଚାହିଁ ଗଣି ଦେଖିଲି, କାଉଣ୍ଟର ପର୍ଯ୍ୟନ୍ତ ମୋ ଆଗରେ ଠିଆ ହୋଇଛନ୍ତି ଆଉରି ପନ୍ଦର ଜଣ– ପ୍ରତ୍ୟେକଙ୍କ ପାଇଁ ଅନ୍ୟୁନ ତିନି ମିନିଟ୍‍ ଆବଶ୍ୟକ ହେଲେ, ମୋ ପାଳି ପଡ଼ିବ ୪୫ ମିନିଟ୍‍ପରେ । ବଡ଼ କ୍ଳାନ୍ତ ଲାଗେ, ଏଇପରି ଅସହାୟ ଭାବରେ କ୍ୟୁ’ରେ ଧାଡ଼ି ଦେବା ପାଇଁ । ତା’ ଉପରେ ପୁଣି, ପଛରେ ପେରୀ ମାସନ୍‍ ଡେଟେକ୍ଟିଭ ଉପନ୍ୟାସର କୌଣସି ଚରିତ୍ର ପରି, ମୁଣ୍ଡରେ ଫେଲଟ୍‍ ଟୋପି ପିନ୍ଧା ସେଇ ଭଦ୍ରଲୋକଙ୍କର ଉତ୍ତପ୍ତ ନିଃଶ୍ଵାସ, ବେକମୂଳେ ନିଆଁ ଝାସ ପରି ଲାଗୁଛି ।

 

ଏଇପରି ଅସ୍ଵସ୍ତିପୂର୍ଣ୍ଣ ମୁହୂର୍ତ୍ତରେ ମୋ ନାକତଳେ, କେତେପଟ ତାସ୍‍ ପରି କିଏ ଜଣେ ଖୋଲି ଧରିଲା କେତେଖଣ୍ଡ ରଙ୍ଗବେରଙ୍ଗ କାଗଜ । “ଲଟେରି ଟିକେଟ୍‍ ମୋଲିୟେ ସା’ବ୍ ।’ ପଅର ଦିନ ଡ୍ର । ଏଇ ଲାଷ୍ଟ୍‍ ଚାନ୍ସ ନସୀବରେ ଥିଲେ, ଗୋଟିଏ ଟଙ୍କା ଦେଇ ଲକ୍ଷେରୁ ଦଶ ଲକ୍ଷ ଆପଣ ପାଇଯିବା ଅସମ୍ଭବ ନୁହେଁ । ଦିଲ୍ଲୀ ଲଟେରି, ୟୁ.ପି. ଲଟେରି, ପଞ୍ଜାବ ଲଟେରି, ହରିଆନା ଲଟେରି ସବୁ ଲଟେରି କିଣିପାରନ୍ତି ଆପଣ । ତା’ହେଲେ ଆପଣଙ୍କ ନସୀବକୁ ଲଟେରି କୋଉଠି ନା କୋଉଠି ତ ନିଶ୍ଚୟ ବାଜିବ ।”

 

ଏତେବେଳକେ ଲୋକଟାକୁ ଚାହିଁ ଦେଖିଲି । ପିନ୍ଧିଛି କାନଭାସ୍‍ ପରି ଡେନିମ୍ କନାର ଖଣ୍ଡେ ବେଲ୍‍ବଟମ୍‍, ଆଉ ଗୋଟାଏ ଫିକା କଳାରଙ୍ଗର ଟି-ସାର୍ଟ, ପାଦରେ ହଳେ ଶସ୍ତା ବାଟା ଚପଲ । ମହାନଗରୀର ଲକ୍ଷ ଲକ୍ଷ ବେକାତଙ୍କ ମଧ୍ୟରୁ ସେ ମଧ୍ୟ ଆଉ ଜଣେ । ଏମ୍ପ୍ଲୟମେଣ୍ଟ୍‍ ଏକ୍ସଚେଞ୍ଜ୍‍ ଆଗରେ ଏଇ ଚେହେରାର ଅନେକ ଯୁବକ ଦେଖିବାକୁ ମିଳିବେ । ବିଶେଷତ୍ଵ ନାହିଁ । କିନ୍ତୁ ତାର ମୁହଁରେ କ୍ଷୁଧାର ଅନେକ ଦନ୍ତ ନଖାଘାତ, ସେ ସବୁ ଗଭୀର ରେଖାପରି ଆମ୍ପୁଡ଼ି ହୋଇଯାଇଛି । ଦୁଇ ଆଖିରେ କିପରି ଗୋଟାଏ ହତାଶାର ପାଂଶୁଳତା । ଏପରି ମୁହଁ ମନରେ ରେଖାପାତ କରେ । ସହଜରେ ଭୁଲିଯିବା ସମ୍ଭବ ନୁହେଁ । ମୋ ପିଠିରେ ଗୋଟାଏ ମୃଦୁ ଧକ୍କାଦେଇ ପେରୀ ମାସନର ଚରିତ୍ର ପରି ଫିସ୍ ଫିସ୍ କଣ୍ଠରେ କହିଲେ.... “ମୁଭ୍‍ଅନ୍ ।’’

 

ମୋ ଆଗରେ ଧାଡ଼ି ପତଳା ପଡ଼ିଆସୁଥିଲା । ମୁଁ ଆଗକୁ ଗୋଟାଏ ଲମ୍ବା ପାହୁଲ ପକାଇଲି ।...ସେ ଲୋକଟା କିନ୍ତୁ ନଛୋଡ଼ବନ୍ଧା । ସମସ୍ତଙ୍କ ସାଙ୍ଗରେ ମାଛିପରି ଲାଗି ଲାଗି, ଶେଷକୁ ମୋତେ ପାଇଛି । ଏତେ ସହଜରେ ଛାଡ଼ିଦେବ କିପରି ? ମୋର ଗୋ–ବିଚାରୀ ଚେହେରାରେ ସେ ନିଶ୍ଚୟ ଲକ୍ଷ୍ୟ କରିଥିଲା, ଜଣେ ସମ୍ଭାବିତ ଗ୍ରାହକ । ମୋ ଚେହେରାରେ ଏପରି କ’ଣ ଅଛି କେଜାଣି, ସମସ୍ତେ ଆରମ୍ଭରୁ ମୋତେ ଧରିନିଅନ୍ତି ଗୋ-ବିଚାରୀ ବୋଲି । ମୁଁ ଯେପରି ସମସ୍ତଙ୍କ ହାତ ପାଆନ୍ତାରେ ସରଳ, ସାଦାସିଧା ଭଦ୍ରଲୋକଟିଏ । କିନ୍ତୁ ମୋ’ ଭିତରେ ଭୂମିକମ୍ପର ସ୍ପନ୍ଦନ କେତେଜଣ ଅନୁଭବ କରନ୍ତି ? ସବୁ ଚେଷ୍ଟାସତ୍ତ୍ୱେ ମୁଖାଟା ଅବଶ୍ୟ ବେଳେ ବେଳେ ଖସିପଡ଼େ । ସେତେବେଳେ ସେପରି ସହଜବିଶ୍ଵାସୀ ଲୋକମାନଙ୍କର ଚେତା ପଶେ–ବିଛା ମନ୍ତ୍ର ନ ଜାଣି ସାପ ଗାତରେ ହାତ ପୂରାଇଛନ୍ତି ସେମାନେ । ମୁଁ ଚିତ୍କାର କଲି ବିରକ୍ତିରେ “ଡୋଣ୍ଟ ପେଷ୍ଟର ମି” । (ଓଡ଼ିଆ ଭାଷାରେ ରାଗିବା ସମ୍ଭବ ନୁହେଁ, ଅନ୍ତତଃ ଏପରି ରାଗିବା ।) ମୁଁ ତୁମର ଜୁଆଡ଼ି ସଭ୍ୟତାରେ ବିଶ୍ଵାସ କରେ ନାହିଁ । ଟଙ୍କାକର ଟିକେଟରେ ଦଶଲକ୍ଷ ଟଙ୍କା ଲାଭ ? ଜୁଆଚୋରି ଆଉ କାହାକୁ କହନ୍ତି ? ତମେ କ’ଣ କରିବ ? ତମର ସମାଜ ସଭ୍ୟତାର ଭିତ୍ତି ତ ଆଜି ଏଇଆ ଲଟେରି ଟିକେଟ୍ ।”

 

ଆଉରି ପାଦେ ଆଗକୁ ଘୁଞ୍ଚିଗଲି ।

 

ସେ କିନ୍ତୁ ନଛୋଡ଼ବନ୍ଧା । ସେ କହିଲା “ରାଜନୀତି”ଠାରୁ ଫିଲିମ୍‍, ସାହିତ୍ୟଠାରୁ ଯୋଗ, ପ୍ରାଣାୟମ–କୋଉଥିରେ ଆଜି ଜୁଆଚୋରି ନାହିଁ ? ଅର୍ଥାତ୍‍ ବିନା ସାଧନାରେ ସିଦ୍ଧି ପାଇଁ ପ୍ରୟାସ !’

 

ଲୋକଟାର ବିଷଣ୍ଣ ଆଖି ଦୁଇଟା ଭିତରକୁ ଚାହିଁଲି । କଥାବାର୍ତ୍ତାରେ ତ କିତାବୀ ଢଙ୍ଗ । କଣ୍ଠସ୍ଵର ମୋର କୋମଳ ପଡ଼ିଆସିଲା । ମୁଁ କହିଲି... “ନୀତି ଦୃଷ୍ଟିରୁ ମୁଁ ଲଟେରି ଆଉ ଇନ୍ସୁରାନ୍ସର ବିରୋଧୀ । ବାହୁବଳରେ, ବୁଦ୍ଧି ବଳରେ ଅର୍ଥ ଉପାର୍ଜନ କରିବା ପାଇଁ ପଡ଼ିବ–ସେ ଲଟେରି ଗୁଳାରେ ନୁହେଁ । ଆଉ ଜୀବନର ଯଦି କୌଣସି ମୂଲ୍ୟ ଥାଏ ତା ହେଲେ ସମାଜ ହିଁ ହେବ ତା’ର ରକ୍ଷକ । ଇନ୍ସୁରାନ୍ସରେ ମହୁମାଛି ପରି ନିଜେ ମହୁ ସଞ୍ଚୟ କରି କରି ଶେଷକୁ ମୁଁ ବଞ୍ଚିତ ହେବାକୁ ଘୃଣା କରେ ।”

 

....“ନୀତିରେ ମଧ୍ୟ ମୁଁ କମ୍ ବିଶ୍ଵାସ କରୁ ନଥିଲି । ଏଇ ମୋର ଏମ୍ପ୍ଲୟମେଣ୍ଟ୍‍ ଏକ୍ସଚେଞ୍ଜ୍‍ କାର୍ଡ଼ । ଦୁଇବର୍ଷ ହେଲା ରିନିଉ କରି କରି ଚାଲିଛି । ଯୋଗାଡ଼ କରିଦେଇପାରିବ ମୋ’ପାଇଁ ? ମା’ର ଗୁଲି ହୁଇସ୍କି ରମ୍ ଜିନ୍‍କୁ–ଖାଲି ରୋଟି ଆଉ ଶାକ୍ ।”

 

ଏମ୍ପ୍ଲୟମେଣ୍ଟ୍‍ କାର୍ଡ଼ରେ ଦେଖିଲି ଲୋକଟା ବିଦ୍ଵାନ୍ ନ ହେଉ ପଛେ ବିଦ୍ୟାଧାରୀ–ବି.ଏ. ଡିଗ୍ରୀ ଅଛି, ହେଉନା ପଛେ ଗୋଟାଏ ଶସ୍ତା ୟୁନିଭର୍ସିଟିର ।

 

ମୁଁ କହିଲି... “କେଉଠି ଗୋଟିଏ ଭଦ୍ରଭାବରେ ଚଳିପାରିବା ଭଳି ଚାକିରି ଯୋଗାଡ଼ ନ କରି, ଅନ୍ତତଃ ଖବରକାଗଜ ହକିଙ୍ଗ୍‍ ନ କରି, ଏ ଜୁଆଆଡ଼ାରେ ମାତିଛି କାହିଁକି ? ତୁମକୁ ଶହେ ଏକ ଥର ପାଇଁ କହିଦେଉଛି, ମୁଁ ଜଣେ ମ୍ୟାନ୍‍ ଅଫ୍‍ ପ୍ରିନ୍ସିପଲ୍‍, ଆଉ ମୋ ମତରେ ଲଟେରି ଏକ ଜୁଆ ଯେଉଁମାନେ ଲଟେରି ଟିକେଟ ବିକନ୍ତି, ସେମାନେ ରିଆକ୍ସନାରୀ ମଣିଷଗୁଡ଼ାଙ୍କୁ କରିଦେଉଛନ୍ତି ଭାଗ୍ୟବାଦୀ, ମେହେନତ୍‍ ନକରି ଫଳ ପାଇବାର ବିଶ୍ଵାସୀ ।”

 

ସେ ଉତ୍ତର ଦେଲା... “ଏମିତି ଅନେକ ଲେକ୍‍ଚରବାଜୀ ଶୁଣିଛି । ଗୋଟାଏ ଟିକେଟ ବିକ୍ରି କଲେ ପଚିଶ ପଇସା କମିଶନ୍‍ । ତା’ ଉପରେ ଅଛି, ଯଦି ଭାଗ୍ୟକୁ ମୁଁ ବିକ୍ରି କରିଥିବା ଲଟେରି ଡ୍ରରେ ଉଠେ । କିଣନ୍ତୁ ନା ଦୁଇ ତିନିଟା ଲଟେରି । କ’ଣ ବା ଆପଣଙ୍କର ଖର୍ଚ୍ଚ ହୋଇଯିବ ଏପରି-?”

 

କୌଣସି ଉତ୍ତର ନ ଦେଇ ଏଥର ପୂରାପୂରି ଲୋକଟାକୁ ଉପେକ୍ଷା କରି ମୁଁ କାଉଣ୍ଟର ପାଖକୁ ମାଡ଼ିଆସିଲି । ଗୋଟାଏ ହୁଇସ୍କି ବୋତଲ କାଖତଳେ ଜାକି ମୁଁ ଗଣିଦେଲି ଆଠ ଖଣ୍ଡ ଦଶ ଟଙ୍କିଆ ନୋଟ୍‍ ।

 

ଆଠ ଖଣ୍ଡ ନୂଆ ଦଶ ଟଙ୍କିଆ ନୋଟ ମୁଁ ଫିଙ୍ଗିଦେଉଥିଲି କାଉଣ୍ଟର ଉପରକୁ, ଲୋକଟା କ୍ଷୁଧିତ ଆଖିରେ ଚାହିଁ ଦେଖୁଥିଲା । ମୁଁ କାଉଣ୍ଟର ପାଖରୁ ବୋତଲଟା ଧରି ଚାଲିଆସିଲାବେଳେ, ସେ ସ୍ଵଗତୋକ୍ତି କରିବାପରେ ମୋତେ ଶୁଣାଇ ଶୁଣାଇ କହିଲା “ହାମକୁ ଭି ତ ରୋଟି ଖାନା ହାୟ-।”

 

ମୁଁ ଯେମିତି ତା’ ମୁହଁରୁ ରୁଟି ଛଡ଼ାଇ ନେଇଛି । ହଁ ଛଡ଼ାଇ ନେଇନାହିଁ ତ ଆଉ କଣ ? କିନ୍ତୁ କିପରି ? ଖଣ୍ଡେ ସିଗାରେଟ ଦିଆସିଲି ଉପରେ ପିଟି ପିଟି, ସେଇ ପ୍ରଶ୍ନର ଉତ୍ତର ଚିନ୍ତା କରୁଥିଲି ।

 

ଅଶୀ ଟଙ୍କାର ଲଟେରି ଟିକେଟ କିଣିଥିଲେ ସେ କମିଶନ୍‍ ପାଇଥାନ୍ତା କୋଡ଼ିଏ ଟଙ୍କା, ଆଉ ମୋ ଭାଗ୍ୟରେ ଯଦି.....

 

ଟ୍ୟାକ୍ସି କେହି ଗୋଟାଏ ସୁଦ୍ଧା ଅଟକୁ ନାହାନ୍ତି । ସନ୍ଧ୍ୟାବେଳେ ଟ୍ୟାକ୍ସିବାଲାଙ୍କ ମିଜାଜଟା ଥାଏ ଏହିପରି । ଷ୍ଟାଣ୍ଡ ପର୍ଯ୍ୟନ୍ତ ଚାଲିଚାଲି ଯିବାପାଇଁ ପ୍ରବୃତ୍ତି ନାହିଁ । ଲଟେରି ଟିକେଟ ବିକାଳିର ସେଇ କଥାପଦକ “ହାମ୍‍କୁ ଭି ତ ରୋଟି ଖାନାହୈ ... ମୋ ଭିତରେ ସବୁ ଓଲଟପାଲଟ କରିଦେଇଯାଇଛି । ଥାପରର ବାର୍ଥ ଡେ ପାର୍ଟିରେ ମୁଁ ପିଉଥିବି ହୁଇସ୍କି, ଆଉ ଏ ଲୋକଟା ଲଟେରି ଟିକେଟ୍‍ ବଣ୍ଡଲ୍‍ ଧରି ରାସ୍ତାରେ ବୁଲୁଥିବ । ଏ ଦୁଇଟି ଦୃଶ୍ୟ ମଧ୍ୟରେ ମୁଁ ସମୀକରଣ କରିପାରୁ ନଥିଲି । ନାଃ– ଥାପରର ବାର୍ଥ ଡେ ପାର୍ଟିକୁ ଯିବିନାହିଁ । କାଲି କଫି ହାଉସରେ ଯେକୌଣସି ଗୋଟାଏ କୈଫିୟତ ଦେଇଦେଲେ ଚଳିବ । ସର୍ଦ୍ଦି, ଫ୍ଲୁ–ଜଣେ ବନ୍ଧୁର ଆକ୍ସିଡ଼େଣ୍ଟ । ତା’ ଛଡ଼ା ମୁଁ କାଖତଳେ ଜାକି ଯାଉଛି, ଶସ୍ତା, ଡିପ୍ଲୋମାଟ୍‍ ହୁଇସ୍କି–କିନ୍ତୁ ଥାପରର ଡ୍ରଇଂରୁମରେ କଳା କଳା ଆଖିମେଲି ଚାହିଁରହିଥିବେ ଧାଡ଼ି ଧାଡ଼ି ବ୍ଲାକ୍‍ଡଗ୍‍, ଜନି ୱାକର୍‍, ବ୍ଲାକ୍‍ ଆଣ୍ଡ ହ୍ଵାଇଟ୍ ବୋତଲ । ତା’ ଭିତରେ ଗୋଟାଏ ଚିଭାସରିଗାଲ ଥିବା ମଧ୍ୟ ଅସମ୍ଭବ ନୁହେଁ । ବିଦେଶୀ ଏମ୍ବାସୀମାନଙ୍କ ସହିତ ଥାପରର ଯେପରି ଚୋରା କାରବାର, ସେଥିରେ ଏସବୁ ବସ୍ତୁ ଦୁର୍ଲ୍ଲଭ ନୁହେଁ । ତା’ରି ଭିତରେ ମୁଁ ଯେତେବେଳେ ଧନୀ ପରିବାରରେ ଜଣେ ଦରିଦ୍ର ଆତ୍ମୀୟ ପରି ଏଇ ଡିପ୍ଲୋମାଟ ହୁଇସ୍କି ବୋତଲଟାକୁ ରଖିବି, ତା’ର ପାଣିଚିଆ ଚେହେରା କ’ଣ ଖାପ ଖାଇବ, ବ୍ଲାକ୍‍-ଡଗ୍‍, ଜନିୱାକର୍‍ମାନଙ୍କର ବର୍ଣ୍ଣାଭିଜାତ୍ୟ ସହିତ ? କେତେ ପେଗ୍‍ ଶସ୍ତା ‘ଡିପ୍ଲୋମାର୍ଟ’ ବଦଳରେ ମୁଁ ହୁଏତ ସାଫ୍‍ କରିଦେବି ଗୋଟାଏ ସ୍କଚ୍‍ । ଇଏ କ’ଣ ସେଇ ଜୁଆ ନୁହେଁ, ଯାହା ବିରୁଦ୍ଧରେ ମୁଁ ଏତେକ୍ଷଣ ସେ ବିଚାରାକୁ ଶୁଣାଉଥିଲି ସରମନ୍‍ ? ...ନାଁ ଥାପର୍‍ ପାର୍ଟିକୁ ଯିବିନାହିଁ । –“କାଲି ହଠାତ୍‍ ଫ୍ଲୁଟା ଧରିପକାଇଲା ଭାଇ ।”

 

ତା’ହେଲେ କ’ଣ କରିବି, ବର୍ତ୍ତମାନ ଏଇ ନିଃସଙ୍ଗ ସନ୍ତସନ୍ତିଆ ସନ୍ଧ୍ୟା ଆଉ ହୁଏସ୍କି ବୋତଲକୁ ନେଇ ? ଆକାଶରେ ତାରାଗୁଡ଼ାକ ସୁଦ୍ଧା ଦିଶୁଛନ୍ତି ନିଃସଙ୍ଗ । ଅରଣ୍ୟର ନିଃସଙ୍ଗ ନିର୍ଜନତାରେ ଅଛି ପ୍ରଶାନ୍ତ, କିନ୍ତୁ ମହାନଗରୀର ନିଃସଙ୍ଗତାରେ ଏ କି ଦଂଶନ ? କି ଜ୍ଵାଳା ? ଚାରିଆଡ଼େ କେବଳ ଗୁଡ଼ାଏ ଅଶରୀରୀ ଛାୟାମୂର୍ତ୍ତି ।

 

ସେ ଲୋକଟା ତଥାପି ଠିଆ ହୋଇଥିଲା, ଫୁଟ୍‍ପାଥ କଡ଼ରେ–ଯେପରି ତା’ର ଗତି ଓ ଗନ୍ତବ୍ୟ ଉଭୟ ଅନିଶ୍ଚିତ । ଆଜି କେତେ ଟଙ୍କାର ଲଟେରି ବିକିଛି କେଜାଣି ? ସେଥିରେ ତାର ‘ରୋଟି ଶାକ୍‍’ ଚଳିବ ତ ?

 

ମୁଁ ପଛକୁ ଯାଇ ତା’ କାନ୍ଧ ଉପରେ ହାତ ରଖିବା ମାତ୍ରେ ସେ ଚମକି ପଡ଼ିଲା । କଣ୍ଠରେ ତା’ର ବିସ୍ଫୋରଣ–“ତୁମ ପୁଲିସ କା ଆଦମି ହାୟ ?”

 

“ଆରେ ନାଇ ୟାର୍‍, ପୋଲିସ ଆଉ ମୁଁ ଜାତଶତ୍ରୁ ।”

 

“ତା’ହେଲେ ?”

 

ତା’ହେଲେର ଉତ୍ତର ତ ଦେଇହେବ ନାହିଁ ତାକୁ । ଫ୍ଲାଟ୍‍ର ପାରାଭାଡ଼ି ଭିତରକୁ ଫେରିଯିବା ମୋତେ ଲାଗୁଥିଲା, ଏମର୍ଜେନସୀ ବେଳର ସେଲ୍‍କୁ ଫେରିଯିବା ପରି ଏଇ ତ ସେଲ୍‍ ବନ୍ଦ ହେବାବେଳ ।

 

“ତମର ଯଦି ଆପତ୍ତି ନ ଥାଏ–ଆସନା ପାଖରେ ମୋର ଫ୍ଲାଟ୍‍ । ଏଇ ହୁଇସ୍କି ବୋତଲଟା….’’ ତା’ର ପ୍ରୟୋଜନ ହୁଇସ୍କି । ମୋର ପ୍ରୟୋଜନ ସାନ୍ନିଧ୍ୟ ହେଉନା ପଛେ ଲଟେରି ବିକାଳିର ।

 

“କିନ୍ତୁ ତୁମେ ପୁଲିସବାଲା ନୁହେଁ ତ ? ଏଇ ଦେଖ ତା’ହେଲେ...” ପକେଟରୁ ଗୋଟାଏ ଛୁରା କାଢ଼ି ଦେଖାଇଲା ସେ । ମୁଁ ବାଧ୍ୟବାଧକତାରେ ହସିବା ପରି ହସିହସି କହିଲି.. “ଆରେ ନା ନା ପୁଲିସ ଆଉ ମୁଁ ଜାତଶତ୍ରୁ ।” ସିଏ ମୋ ପଛେ ପଛେ ଆସିଲା । ଏଇ ମୌକାରେ ଯଦି କିଛି ଲଟେରି ଟିକେଟ୍‍ ବିକ୍ରି କରିପାରେ ସେ । ତା’ ନ ହେଲେ... ଛିଣ୍ଡା ଆଟାଚିଟାକୁ ସେ କାଖତଳେ ଜାକି ଧରିଲା ।

 

ସିଡ଼ି ଅନ୍ଧାର । ଦ୍ଵିତୀୟ ମହଲାରେ ରାଓର ଫ୍ଲାଟରୁ ବାଜୁଥିଲା ରେକର୍ଡ଼–ପ୍ଲେୟାରରେ ଋଷିଆନ ବ୍ୟାଲେ ମ୍ୟୁଜିକ୍‍–ବଡ଼ କରୁଣ; ଷ୍ଟେପିଜର ଆତ୍ମାର ବିଳାପ ମୁଁ ଶୁଣିପାରେ ଏଇ ବ୍ୟାଲେ ମ୍ୟୁଜିକ୍‍, ରାଓକୁ ଏତେ ଭଲଲାଗେ କାହିଁକି ବ୍ୟାଲେ ମ୍ୟୁଜିକ୍‍, ଇଏ ବୋଧହୁଏ “ଷ୍ଟୋନ୍‍–ଫ୍ଲାୱାର”ର ବ୍ୟାଲେର ରେକର୍ଡ଼ । ସେଦିନ ସକାଳେ ରାଓ, ସେଇ ରେକର୍ଡ଼ ଥାକେ ଧରି ମୋ’ ଫ୍ଲାଟକୁ ଆସିଥିଲା–ମୁଁ ଯଦି କିଣିବାକୁ ଚାହେଁ, ସେସବୁ ସେ ବିକ୍ରି କରିଦେବ ନାମମାତ୍ର ମୂଲ୍ୟରେ । ରାଓ ଆଡ଼ପାଗଳ । ବେଳେବେଳେ ପାଗଳାମି ତା’ର ବାହାରେ । ମୁଁ ତାକୁ ଫେରେଇଦେଇ କହିଲି... “ମୋର ଭାଇ ଷ୍ଟିରିଓ ନାହିଁ, ରେକର୍ଡ଼ ନେଇ କ’ଣ କରିବି ?” ସିଏ କହିଲା... “ୟୁ ଆର୍‍ ଏ ପିଗ୍‍ । ପାଣି ଦାମରେ ମୋର ଅଫର୍‍ ନେଲୁ ନାହିଁ ।’’ ଏବେ ହୁଏତ ରାଓର ଆଡ଼ପାଗଳାମି ବାହାରିଛି । ଫ୍ଲାଟ୍‍ ଅନ୍ଧାର କରି, ସେ ବଜାଉଛି ବ୍ୟାଲେ ମ୍ୟୁଜିକ୍‍, ଲୋ–ଭଲ୍ୟୁମରେ ।

 

ମୋ ଫ୍ଲାଟ୍‍ର ସୁଇଚ୍‍ ଅନ୍‍ କରିବା ମାତ୍ରେ, ସେ ଲୋକଟା ଚାରିଆଡ଼କୁ ଚାହିଁ ପଚାରିଲା.... “ତା’ହେଲେ ତମେ ବାଚିଲର୍‍ ? ତଥାପି ଭବିଷ୍ୟତରେ ତ ବିବାହ କରିପାର । ଲଟେରିଟାଏ କିଣିଥିଲେ ଅନେକ କାମରେ ଆସନ୍ତା ।” ତା’ର ଶେତା ଆଖି ଦୁଇଟା କି ସମ୍ଭାବନାରେ ପୁଣି ଉଜ୍ଜ୍ୱଳ ହୋଇଉଠିଲା କେଜାଣି ? ମୁଁ କିନ୍ତୁ ମ୍ୟାନ୍‍ ଅଫ୍‍ ପ୍ରିନ୍ସିପଲ୍‍ । ଯେତେ ଯାହା ହେଲେ ବି ଲଟେରି ଟିକେଟ କିଣିବି ନାହିଁ । ମୁଁ କହିଲି... “ଫ୍ରିଜ୍‍ ନାହିଁ, ସୋଡ଼ା ନାହିଁ, ଅଛି ବାଥରୁମ୍‍ ଟାପ୍‍ ପାଣି । ସେଥିରେ ତମର ଚଳିବ ତ ?”

 

...“ରାସ୍ତା ଟାପ୍‍ ଅପେକ୍ଷା ତମ ବାଥରୁମ୍‍ ଟାପ୍‍ର ପାଣି ନିଶ୍ଚୟ ଅଧିକ ନିର୍ମଳ ।”–କଣ୍ଠସ୍ଵର ତା’ର ବିଦ୍ରୂପ ।

 

ଦୁଇଟା ଗ୍ଲାସ, ଗୋଟାଏ ଜଗ୍‍ ପାଣି ଆଉ ହୁଇସ୍କି ବୋତଲଟା ରଖିଲି ଆଣି ଗୋଟାଏ ଗୋଡ଼ଭଙ୍ଗା, ଏକଦା ସୁଦିନରେ ବ୍ୟବହୃତ ହୋଇଥିବା ସେଣ୍ଟରପିସ୍‍ ଉପରେ ।

 

ତିନିଟା ପେଗ୍‍ ଟାଣିବା ପରେ, ସେ ଲୋକଟାର ଆଖି ପଡ଼ିଲା କାନ୍ଥରେ ଝୁଲୁଥିବା, ତାକତଲାଲ୍‍–ଟେକ୍ସଟାଇଲ୍‍–ଗ୍ରୁପର ଗୋଟାଏ ଲଙ୍ଗୁଳି ଝିଅର କ୍ୟାଲେଣ୍ଡର ଛବି ଉପରେ । ସକାଳେ ଉଠିବା ମାତ୍ରେଇ ମୋର ଆଖି ପଡ଼େ ସେଇ କ୍ୟାଲେଣ୍ଡର ଉପରେ । ମୁଁ ମନେମନେ ତା’ର ଭାଇଟାଲ୍‍ ଷ୍ଟାଟିସ୍‍ଟିକ୍ସର ଗୋଟାଏ କଳନା କରେ, ତଳୁ ବେଡ଼୍‍–ଟି ଆସିବା ପର୍ଯ୍ୟନ୍ତ ।

 

ତା’ର ଆଖିଦୁଇଟା ହଠାତ୍‍ ଦପଦପ କରି ଉଠିଲା ରଡ଼ନିଆଁ ପରି । ସେ କହିଲା.... “ମାରଗୋଲି ଲଟେରି ଟିକେଟ୍ । ତମପାଇଁ ମୋ ପାଖରେ ଆଉରି ବଢ଼ିଆ ମାଲ୍ ଅଛି । ମୁଁ ଜାଣେ ତମେ ପୁଣି ବାଚିଲର୍ ।

 

ମୁଁ ଆସ୍ତି ନାସ୍ତି କରିବା ପୂର୍ବରୁ ସେ ତା’ର ଛିଣ୍ଡା ଫୋଲିଓ ବ୍ୟାଗ୍ ଭିତରୁ କାଢ଼ି ଆଣିଲା କେତେଖଣ୍ଡ ପର୍ଣ୍ଣୋଗ୍ରାଫିକ୍ ଯୌନସଙ୍ଗମର ଫଟୋଗ୍ରାଫ୍ ।

 

ଭାବିଲି, ବୋଧହୁଏ ଅଧୁନା ଆନ୍ତର୍ଜାତିକ–ପ୍ରସିଦ୍ଧି ଲାଭ କରିଥିବା, ନେତାପୁତ୍ରଙ୍କର ଯୌନଲୀଳାର ଫଟୋଗ୍ରାଫ୍ “...ଏଥିରୁ କ’ଣ ନାଁ କିଛି ।”

 

ନାଁ–ଏ ତ ନେତା–ପୁତ୍ରଙ୍କର ଫଟୋ ନୁହେଁ । ଘୃଣାରେ ମୋର ଦେହ ଶୀତେଇ ଉଠିଲା-। ତଳେ ଚିତ୍ ହୋଇ ଶୋଇଥିବା ଉଲଗ୍ନ ଲୋକଟା ଯେ ସ୍ଵୟଂ ଏଇ ଲୋକ । ଏପରି ନିର୍ଲଜ୍ଜ ଅକୁଣ୍ଠିତ ଭାବରେ ସେ ନିଜର ଦେହକୁ ବିକ୍ରି କରିପାରୁଛି କିପରି ?

 

ନିଜକୁ ସଂଯତ କରି ପଚାରିଲି... “ଏ ସ୍ତ୍ରୀ ଲୋକଟା କିଏ । ନିଶ୍ଚୟ କୌଣସି ଶସ୍ତା କଲ୍‍ଗାର୍ଲ, ନୋହିଲେ ସେଇପରି କିଛି ।”

 

ନିର୍ଲିପ୍ତ କଣ୍ଠରେ ସେ ଉତ୍ତର ଦେଲା.... “ସିଏ ମୋର ସ୍ତ୍ରୀ ।”

 

“ଶେଷକୁ ଏଇ ଧନ୍ଦା ଧରିଲ ?”

 

“ଇଏ ତ ମନ୍ଦ ଧନ୍ଦା ନୁହେଁ । ତୁମର ରାଜନୀତି, ବ୍ୟବସାୟ, ସାହିତ୍ୟ ସବୁ ତ ଆଜି ଚାଲିଛି ଏଇ ଧନ୍ଦାରେ । ନେତାଙ୍କ ପୁଅଙ୍କ କଥା ନ କହିବା ଭଲ । ତାକତ୍‍ଲାଲ ଟେକସ୍‍ଟାଇଲ୍ ଗ୍ରୁପର ବିଜ୍ଞାପନ ପାଇଁ ପ୍ରୟୋଜନ ଏଇପରି ଲଙ୍ଗଳା ଛବି । ଆଉ ସାହିତ୍ୟ କହିଲେ ତ ଆଜି ଏଇପରି ଲଙ୍ଗୁଳିମାନଙ୍କୁ ନେଇ ଲେଖା ‘ଗରମ୍ କାହାନିୟାଁ ।’ ଏମାନେ ସମସ୍ତେ ଯଦି ଭଦ୍ର ହୋଇପାରିଲେ; ମୁଁ ଅଶ୍ଳୀଳ ହେବି କାହିଁକି ? ଅଶ୍ଳୀଳତାଇ ଆଜିର ସମାଜର ଭିତ୍ତି ।”

 

ସେ ଲୋକଟାର ମୁହଁକୁ ଚାହିଁପାରିଲି ନାହିଁ । ସିଏ ଯେପରି ମୋ ମୁହଁ ଉପରେ ଲଗାଇଯାଉଥିଲା, ଗୋଟାକ ପରେ ଗୋଟାଏ ଚଟକଣା । ମୋର ମୁହଁ ଜଳିଉଠୁଥିଲା ।

 

ସେ କହିଲା... “ଏଥିରେ ମଧ୍ୟ ଆଉ ଜଣେ ପାର୍ଟନର୍ ଅଛି । ସିଏ ମୋର ବନ୍ଧୁ । ଫଟୋଗ୍ରାଫର୍ । ଫଟୋରେ ତାର ଅଂଶ ସିକ୍ସଟି ପରସେଣ୍ଟ୍, ଆମର ଫର୍ଟି ।”–ଅଧା ଗ୍ଲାସଟାକୁ ସେ ଏକା ଢୋକରେ ଶେଷ କରିଦେଲା । ‘‘କିନ୍ତୁ ତାର ଫର୍ଟି ହେବା ଉଚିତ । ତମର ସିକ୍ସଟି ।” ମୁଁ ଗ୍ଲାସରୁ ଟିକିଏ ଢୋକି ନେଇ ମନ୍ତବ୍ୟ ଦେଲି... “କିନ୍ତୁ କ୍ୟାମେରା ଆଗରେ ଦୁଇଟା ପଶୁ ପରି ଏପରି ଗଡ଼ିବା ପାଇଁ ତୁମକୁ ଲଜ୍ୟା ଲାଗେ ନାହିଁ ?”

 

“କିନ୍ତୁ ସିଏ ଫଟୋ ନ ଉଠାଇଲେ ଆମେ ରାସ୍ତା ଉପରେ ଏମିତି ଗଡ଼ାଗଡ଼ି ହେଉଥିଲେ ବି ଆମକୁ ପଚାରିବ କିଏ ? ରିସ୍କ ତ ତାରି ବେଶୀ । ନିଅନ୍ତୁ ନାଁ ଦୁଇ ତିନିଟା ପିସ୍...ଭିନ୍ନ ଭିନ୍ନ ପୋଜରେ । ତକିଆ ତଳେ ରଖିବେ । ଖଣ୍ଡେ ପିସ୍ ଦଶ ଟଙ୍କା । ଆପଣଙ୍କ ପାଖରେ ତିରିଶି ଚାଳିଶି ଟଙ୍କାର ବା କି ଦାମ୍ ଅଛି ? ଏଇତ ଅଶୀ ଟଙ୍କା ଦେଇ ଗୋଟାଏ ହୁଇସ୍କି ବୋତଲ କିଣି ଆଣିଲେ । ଆସି ଶେଷ ହେବା ଉପରେ ।”

 

“କିନ୍ତୁ”...ମୋ ଭିତରର ମ୍ୟାନ୍‍ ଅଫ୍‍ ପ୍ରିନ୍ସିପଲ୍‍  ଜଣକ କଣ ପ୍ରତିବାଦ କରିବା ପାଇଁ ଯେପରି ଚଞ୍ଚଳ ହୋଇ ଉଠୁଥିଲା ।

 

ସେ କହିଲା... “କିନ୍ତୁ ଆଉ କଣ ? ଆଜିର ମାଂସଳ ସମାଜରେ ଦୁଇଟା ଜିନିଷର ଚାହିଦା ବେଶୀ, ସେକ୍ସ ଆଉ ସହଜ ଟଙ୍କା । ଦୁଇଟାଯାକ ମୁଁ ଧରି ବୁଲୁଛି ମୋର ଫୋଲିଓ ବ୍ୟାଗରେ । ନେବେ ଯଦି ନିଅନ୍ତୁ କେତେଟା ପିସ୍ । ମୋର କିନ୍ତୁ ଆଉ ସମୟ ନଷ୍ଟ କରିବାକୁ ବେଳନାହିଁ । ଫଟୋଗ୍ରାଫର୍ ବନ୍ଧୁ ଆସିଯିବଣି, ଫଟୋ ଉଠାଇବା ପାଇଁ ।”

 

ତିନିଖଣ୍ଡ ଦଶଟଙ୍କିଆ ନୋଟ୍ ଘୃଣାରେ ଫିଙ୍ଗିଦେଲି ଲୋକଟା ଉପରକୁ । ସେ ଫିଙ୍ଗିଦେଲା ତିନିଖଣ୍ଡ ଫଟୋଗ୍ରାଫ୍‍.... “ତମକୁ ଭଲ ନ ଲାଗିଲେ ଆଉ କାହାକୁ ଦେଇଦବ । ମୋର ଆଉ କେତେଜଣ ଗରାଖ ବଢ଼ିଯାଇ ପାରିବେ ତ ।”

 

ଫଟୋଗୁଡ଼ାକୁ ଛୁଇଁଲାବେଳେ, ମୋତେ ଲାଗୁଥିଲା ଯେପରି ସବୁ ଯୌନପିପାସା ହରାଇ ମୁଁ ହଠାତ୍ ନପୁଂସକ ହୋଇଉଠିଛି ।

 

ଶିଡ଼ିରେ ଓହ୍ଲାଇଲାବେଳେ ତା’ ପାଦର ବାଟା ଚଟିର ଶିଥିଳ ଶବ୍ଦ ଶୁଭୁଥିଲା । ବାକି ସବୁ ନୀରବ । ରାଓର ରେକର୍ଡ଼–ପ୍ଲେୟାରରେ, ବ୍ୟାଲେ ମ୍ୟୁଜିକ୍‍ର ଝଙ୍କାର ଚୂଡ଼ାନ୍ତକୁ ଉଠିବା ପରେ, ହଠାତ୍ ମୂର୍ଚ୍ଛିତ ହୋଇପଡ଼ିଥିଲା ।

 

ସେଇ ଲୋକଟା

 

“ଗୁଡ଼୍ ମର୍ଣ୍ଣିଙ୍ଗ୍ ସାର୍”... ସୁପ୍ରଭାତ ଜଣାଇବାର ଭଙ୍ଗୀରେ ତା’ର ଗୋଟାଏ ମାର୍ଜିତ ବୈଦଗ୍ଧ ।

 

ମିଷ୍ଟର୍ ଚାଉଲା ପ୍ରତ୍ୟହ ସକାଳ ଦଶଟା ବେଳେ, କୋଠି ସାମନାରେ ପାର୍କ କରିଥିବା, ସଦ୍ୟଧୌତ ଗୋଟାଏ ଇମ୍ପୋଟେର୍ଡ଼ ଫୋର୍ଡ଼–ଫାଲ୍‍କନ୍ ଗାଡ଼ି ଭିତରକୁ ଉଠିବାବେଳେ ଗତ କେତେଦିନ ହେବ, ଏଇ ଅପରିଚିତ ଲୋକଟିର ସସ୍ମିତ ସୁପ୍ରଭାତ ଗ୍ରହଣ କରି ଆସୁଛନ୍ତି; ମାତ୍ର ତା’ର ପରିଚୟ କିମ୍ବା ବୃତ୍ତାନ୍ତ ଜିଜ୍ଞାସା କରିବା ପାଇଁ, ଏ ପର୍ଯ୍ୟନ୍ତ କେବେ କୌତୂହଳୀ ହୋଇପାରି ନାହାନ୍ତି ।

 

କ୍ରାନ୍ତିମାର୍ଗରୁ ବାଙ୍କିଯାଇଛି–ଇଜ୍ଜତ୍‍ନଗର କଲୋନିକୁ ରାସ୍ତା, ଦୁଇକଡ଼େ ନବ୍ୟ-ଉଚ୍ଚବିତ୍ତ ଓ ଉଚ୍ଚ-ମଧ୍ୟବିତ୍ତମାନଙ୍କର ସମ୍ଭ୍ରାନ୍ତ ବସତି । ଇଜ୍ଜତ୍‍ନଗର ବସ୍‍ଷ୍ଟପ୍‍ଠାରୁ ପ୍ରାୟ ପଚାଶ ଗଜ ଛଡ଼ାରେ ମିଷ୍ଟର୍‍ ଚାଉଲାଙ୍କ କୋଠି–ସିମେଣ୍ଟ, ରଙ୍ଗୀନ ଟାଇଲ ଆଉ କାଚରେ ତିଆରି ଖଣ୍ଡେ ଚିତ୍ରପଟ... ମିଷ୍ଟର ଚାଉଲାଙ୍କ ରୁଚି ଅଛି । ଫାଟକ ଉପରକୁ ନଇଁପଡ଼ିଛି ମହାନଗରୀର ଛବିଳା ଅଭିସାରିକାମାନଙ୍କ ପରି ଗୋଟାଏ ପୁଷ୍ପିତ କୃଷ୍ଣଚୂଡ଼ା । ସେଇ କୃଷ୍ଣଚୂଡ଼ା ଛାଇରେ ପ୍ରତିଦିନ ସକାଳ ଦଶଟାବେଳେ ପାର୍କ କରି ରହିଥାଏ ମିଷ୍ଟର୍‍ ଚାଉଲାଙ୍କ ଇମ୍ପୋର୍ଟେଡ଼୍‍ ଫାଲ୍‍କନ୍ ଆଉ ଫାଟକ ବାହାରେ ସେଇ ଅପରିଚିତ ଯୁବକ–ଯାହାର ସସ୍ମିତ ଅଭିନନ୍ଦନ, ମିଷ୍ଟର୍‍ ଚାଉଲାଙ୍କ ଅକାରଣରେ ଭାରିମନକୁ ମୁହୂର୍ତ୍ତକ ପାଇଁ ହାଲୁକା କରିଦିଏ ।

 

ଦିନେ ଦିନେ ପଚାରିବା ପାଇଁ ଇଚ୍ଛାହୁଏ–କ’ଣ ଚାହେଁ ସେଇ ଲୋକଟା ? କିପରି ସେ ସାହାଯ୍ୟ କରିପାରିବେ ତାକୁ ? କିନ୍ତୁ ପର ମୁହୂର୍ତ୍ତରେ ଆଶଙ୍କା ହୁଏ; ସେ ହଠାତ୍ କେଜାଣି ମାଗିବ ହୁଏତ ଚାନ୍ଦା, ନୋହିଲେ ଚାକିରି ପାଇଁ ସୁପାରିସ୍‍ ।

 

ଷ୍ଟିଅରିଙ୍ଗ୍ ଉପରେ ହାତ ରାଖି, ମିଷ୍ଟର୍‍ ଚାଉଲାଙ୍କ ମୁହଁର ରେଖାସବୁ କଠୋର ହୋଇଉଠେ । ପୋର୍ଚ୍ଚରେ ଠିଆହୋଇ ମିସେସ୍ ଚାଉଲା ଗତରାତିର ନାଇଟ୍ ଗାଉନ ପିନ୍ଧି, ନୃତ୍ୟର ଛନ୍ଦରେ ଗୋଟାଏ ବର୍ତ୍ତୁଳ ବାହୁ ଉପରକୁ ଉଠାଇ ବିଦାୟ ଦିଅନ୍ତି ଟା...ଟା–ଗାଡ଼ି ଷ୍ଟାର୍ଟଦେଇ ଆଖି ପିଛୁଡ଼ାକେ ମିଷ୍ଟର୍‍ ଚାଉଲା ମିଶିଯାନ୍ତି କ୍ରାନ୍ତିମାର୍ଗର ଟ୍ରାଫିକ୍ ଭିତରେ । ଆଉ ସେଇ ଲୋକଟା ଊର୍ଦ୍ଧ୍ୱଶ୍ଵାସ ହୋଇ ଧାଏଁ ଇଜ୍ଜତ୍‍–ନଗର ବସ୍‍ଷ୍ଟପ୍‍ ପାଖକୁ; ନମ୍ବର ୬–ଏ ବସରେ ବାଦୁଡ଼ି ପରି, ଦୀର୍ଘ ପାଞ୍ଚ ମାଇଲ ରାସ୍ତା ଝୁଲିଝୁଲି ତାର କର୍ମସ୍ଥଳ–ଲିଟନ୍ ରୋଡ଼ରେ ଗୋଟାଏ ଡିପାର୍ଟମେଣ୍ଟାଲ ଷ୍ଟୋର ପର୍ଯ୍ୟନ୍ତ ଯିବାପାଇଁ । ପଛରେ ପୋଡ଼ା ପେଟ୍ରୋଲ ଧୂଆଁର ଗୋଟାଏ ନେଳି କୁଣ୍ଡଳୀ ଉଡ଼ାଇ, ମିଷ୍ଟର୍‍ ଚାଉଲାଙ୍କ ଫୋର୍ଡ଼ ଫାଲ୍‍କନ୍ କ୍ରମେ ଅଦୃଶ୍ୟ ହୋଇଯିବା ପରେ, ସେଇ ଲୋକଟା ଆକାଶକୁ ଆକ୍ରମଣ କରିବାପରି ଗୋଟାଏ ବଦ୍ଧମୁଷ୍ଟି ଉପରକୁ ଉଠାଇ ବିସ୍ଫୋରଣ କରିଉଠେ “ବ୍ଲଡ଼ି ବାଷ୍ଟାର୍ଡ଼ ! ବାଷ୍ଟାର୍ଡ଼ ।”

 

ମିସେସ୍ ଚାଉଲା ସେ ପର୍ଯ୍ୟନ୍ତ ଠିଆହୋଇ ରହିଥାନ୍ତି ପୋର୍ଚ୍ଚତଳେ ଉଦାସ ଶୂନ୍ୟଦୃଷ୍ଟିରେ ବାହାରର ରାସ୍ତା ଆଉ ରୌଦ୍ରଦୀପ୍ତ ସକାଳଆଡ଼େ ଚାହିଁ । ନାଇଟ୍ ଗାଉନ ତଳେ ମିସେସ୍ ଚାଉଲା ଉଲ୍ଲଙ୍ଗିନୀ ନିଶ୍ଚୟ ! ସେଇ ଲୋକଟା ପଛକୁ ଅନାଇଁ ଆଉଥରେ ମିସେସ୍ ଚାଉଲାଙ୍କୁ ପୋର୍ଚ୍ଚ ତଳେ ଦେଖିବା ପାଇଁ ଚେଷ୍ଟା କରେ । ମିସେସ୍ ଚାଉଲା ପ୍ରୌଢ଼ା–ତଥାପି ପ୍ରସାଧନ ପରିପାଟୀରେ ତାଙ୍କର ବୟସ ଦଶବର୍ଷ ପଛାଇ ଯାଇଛି ନିଶ୍ଚୟ । ମିଷ୍ଟର୍‍ ଚାଉଲାଙ୍କୁ ଟା....ଟା... କରି ବିଦାୟ ଦେବାବେଳେ ତାଙ୍କ ବାହୁର ବର୍ତ୍ତୁଳ ଭଙ୍ଗୀ ସେଇ ଲୋକଟାକୁ ମୁହୂର୍ତ୍ତକ ପାଇଁ ଯେପରି ସମ୍ମୋହିତ କରିଦିଏ ।

 

କିନ୍ତୁ ପରମୁହୂର୍ତ୍ତରେ ତାର ମନଟା ହୋଇଉଠେ ବିଷାକ୍ତ । ଆଖି ଆଗରେ ଭାସିଉଠେ ନିଜ ସ୍ତ୍ରୀ କୁଙ୍କୁମର ଦାରିଦ୍ର୍ୟ–ମଳିନ ମୂର୍ତ୍ତି । ନାଇଟ୍‍ଗାଉନ୍ ତଳେ ମିସେସ୍ ଚାଉଲା ଉଲ୍ଲଙ୍ଗିନୀ, କିନ୍ତୁ ଶାଢ଼ିରେ ନିଜକୁ ଯେତେ ଢାଙ୍କିଲେ ସୁଦ୍ଧା, କୁଙ୍କୁମ ଲଜ୍ଜା ନିବାରଣ କରିପାରେ ନାହିଁ । ସେ ଅନେକଥର କୁଙ୍କୁମକୁ ଅନୁରୋଧ କରିଛି; ମିସେସ୍ ଚାଉଲାଙ୍କ ପରି ଟା....ଟା... କହି, ପ୍ରତିଦିନ ସକାଳେ ତାକୁ ବିଦାୟ ଦେବାପାଇଁ । ମାତ୍ର ସକାଳେ କାମକୁ ବାହାରିବାବେଳେ କୁଙ୍କୁମ ତା’ ହାତରେ କୌଣସି ଦିନ ଧରାଇଦେଇଛି ରେସନ୍–ଥଳୀ ତ ଆଉ କେଉଁଦିନ ବାଢ଼ି ବସିଛି, ସଂସାର ବିରୁଦ୍ଧରେ ଯେତେକ ଅଭିଯୋଗ କିନ୍ତୁ ସତ କହିଲେ କ୍ରିସେଣ୍ଟ ରୋଡ଼ରେ ଗୋଟାଏ ବଙ୍ଗଳା ପଛରେ, ସେଇ ବଖୁରିଆ ସରଭାଣ୍ଟ୍‍ସ୍ କ୍ଵାର୍ଟର ଭଡ଼ାଘରେ ପୋର୍ଚ୍ଚ କାହିଁ ? ଯେଉଁଠାରେ କୁଙ୍କୁମ ଠିଆହୋଇ ତାକୁ ବିଦାୟ ଦିଅନ୍ତା ଟା ଟା.... କହି ?

 

ନମ୍ବର ୬–ଏ ବସ୍ ଆସିଗଲା । ଫୁଟବୋର୍ଡ଼ ଉପରକୁ ସେ ଲମ୍ପଦେଇ ଉଠିଲା, ବୁଡ଼ିଗଲା ଲୋକ ନଈସୁଅରେ କୁଟାଖିଏ ଧରିବା ପରି ।

 

ଆଜି ମଧ୍ୟ ସେଇ ଲୋକଟା ସେଇପରି ଅପେକ୍ଷା କରି ଠିଆହୋଇଥିଲା, ମିଷ୍ଟର୍‍ ଚାଉଲାଙ୍କ ଫୋର୍ଡ଼ ଫାଲ୍‍କନ୍ ଗାଡ଼ି ପାଖରେ । ଲୋକଟା ମୋଟର ଚୋର ବା ଡକାୟତ ନୁହେଁ ନିଶ୍ଚୟ । ଚେହେରାରେ ତା’ର ଶିକ୍ଷା ଆଉ ସୁରୁଚିର ସ୍ଵାକ୍ଷର । ପିନ୍ଧିଛି ଗୋଟାଏ ଚିପା ନେଳୀ ଟେରିକଟ୍ ପ୍ୟାଣ୍ଟ ଆଉ ହଳଦିଆ ରଙ୍ଗର ହାୱାଇ । ମୁଣ୍ଡବାଳ ଆଉ ଗାଲମୁଚ୍ଛାକଲି ବିଟନିକୀ ଛନ୍ଦରେ ବିନ୍ୟସ୍ତ । ଅର୍ଥନୀତିରେ ନ ହେଉ ପଛେ, ଟେରେଲୀନ, ଟେରୀକଟ୍ ପୋଷାକ, ବେଲ୍‍ବଟମ୍ ଆଉ ବିଟନିକୀ ଛନ୍ଦର କେଶବିନ୍ୟାସ ପ୍ରସାଦରେ, ଏଇ ମହାନଗରୀରେ ସାମ୍ୟବାଦ ସୁପ୍ରତିଷ୍ଠିତ ନିଶ୍ଚୟ । ଲକ୍ଷପତିକୁ ସର୍ବହରାଠାରୁ ବାଛିବାର ଉପାୟ ନାହିଁ ।

 

ମିଷ୍ଟର ଚାଉଲା ଗାଡ଼ି ଭିତରକୁ ଉଠିବାବେଳେ, ଆଜିମଧ୍ୟ ସେ ଅଭିବାଦନ ଜଣାଇଲା–“ଗୁଡ଼୍ ମର୍ଣ୍ଣିଙ୍ଗ୍ ସାର ।”

 

ଅନ୍ୟ ଦିନମାନଙ୍କରେ ମିଷ୍ଟର ଚାଉଲା ଗାଡ଼ି ଷ୍ଟାର୍ଟ ଦିଅନ୍ତି, ସେଇ ଲୋକଟାକୁ ଦେଖି ନ ଦେଖିବା ପରି ନୀରବ ଉପେକ୍ଷାରେ । ମୋଟର ଚୋର ଯେ ହୋଇନଥିବ, ସେଥିରେ ପୁଣି କି ନିଶ୍ଚିତତା ଅଛି ? ମହାନଗରୀର ଦସ୍ୟୁମାନେ ଏଇପରି ଭଦ୍ରବେଶୀ ।

 

ଆଜି କିନ୍ତୁ ଉଲ୍ଲସିତ ଭଙ୍ଗୀରେ ମିଷ୍ଟର୍‍ ଚାଉଲା ପ୍ରତ୍ୟୁତ୍ତର ଦେଲେ.... “ମର୍ଣ୍ଣିଙ୍ଗ୍” ।

 

ତା’ପରେ ନିତାନ୍ତ ଅପ୍ରତ୍ୟାଶିତ ଭାବରେ ସହାନୁଭୂତିପୂର୍ଣ୍ଣ କଣ୍ଠରେ ପଚାରିଲେ.... “କ’ଣ ଦରକାର ? ମୁଁ ତୁମ ପାଇଁ କ’ଣ କରିପାରେ ? ହ୍ଵାଟ୍ କ୍ୟାନ୍ ଆଇ ଡୁ ଫର ୟୁ”

 

ସେଇ ଲୋକଟା ସ୍ମିତହସି ଉତ୍ତର ଦେଲା.... “ଆପଣଙ୍କୁ ଅଶେଷ ଧନ୍ୟବାଦ ସାର୍ । ଆପଣଙ୍କ ଆଶୀର୍ବାଦରୁ ଗୋଟିଏ ଛୋଟିଆ ମୋଟିଆ ଚାକିରି ଅଛି । ରହେ ଏଇ ଇଜ୍ଜତ୍ ନଗରଠାରୁ ଅଳ୍ପଦୂରରେ କ୍ଳିଫୋର୍ଡ଼ ଲେନରେ ଗୋଟିଏ ଭଡ଼ାଘରେ ।”

 

“କିନ୍ତୁ ସବୁଦିନେ ଠିକ୍ ଏତିକିବେଳେ ମୋ’ ଗାଡ଼ି ପାଖରେ ତୁମେ ଠିଆହୋଇ ରହ କାହିଁକି ?” –ମିଷ୍ଟର୍‍ ଚାଉଲା ପଚାରିଲେ ବିସ୍ମିତ କଣ୍ଠରେ !

 

ସେ ଉତ୍ତର ଦେଲା...“ଏଇବାଟେ ସବୁଦିନେ ବସଷ୍ଟାଣ୍ଡକୁ ଯିବାବେଳେ, ମୁଁ ଏଠାରେ ଦଣ୍ଡେ ଠିଆ ହୋଇଯାଏ ସାର୍, ଆପଣଙ୍କ ଫୁଲ ବଗିଚାର ବାହାର ଦେଖିବା ପାଇଁ । ଆପଣଙ୍କ ବଗିଚାର ଗୋଲାପ, କ୍ରିସାନ୍ ଥୋମାମ, ଡାଲିଆ, ବାରସିସସ୍, ଅଷ୍ଟର ସବୁ ଯେ କୌଣସି ପ୍ରଦର୍ଶନୀର ପ୍ରଧାନ ଆକର୍ଷଣ ହୋଇପାରେ ।”

 

ସେଇ ଲୋକଟା ଗୋଟାଏ ଗୋଲାପରୁ ଅନ୍ୟ ଗୋଲାପ ବାରିପାରିବ ନାହିଁ; ତଥାପି ମୁଖସ୍ଥ କରି ରଖିଛି, ଅନେକ ବିଦେଶୀ ଫୁଲର ନାମ !

 

ମିଷ୍ଟର୍‍ ଚାଉଲା ଉଦ୍ୟାନପ୍ରିୟ । ଉଦ୍ୟାନ କର୍ମ ତାଙ୍କର କେବଳ ଅବସର ବିନୋଦନର ଉପାୟ ନୁହେଁ । ତାହା ମଧ୍ୟ ତାଙ୍କର ଏକ ମାନସିକ ବିଳାସ । ନିଜ କୀର୍ତ୍ତିର ପ୍ରଶଂସାରେ ମିଷ୍ଟର୍‍ ଚାଉଲା ପ୍ରସନ୍ନକଣ୍ଠରେ କହିଲେ–“ବାଃ । ତୁମର ରୁଚିଜ୍ଞାନ ଦେଖୁଛି ବେଶ୍ ଉନ୍ନତ । କେଉଁଠି କାମ କର ତୁମେ ? କେଉଁଆଡ଼େ ? କେତେଦୂର ?”

 

ଆଃ ! ଏତେଦିନେ ଗୋଟାଏ ଶିକାର ଧରାପଡ଼ିଛି ଜାଲରେ ! ସେ ଲୋକଟାର ଆଖି ଦୁଇଟା ଉଜ୍ଜ୍ୱଳ ହୋଇଉଠିଲା, ଆସନ୍ନ ସଫଳତାର ସମ୍ଭାବନାରେ !

 

ସେଇ ଲୋକଟା ଜାଣେ, ମିଷ୍ଟର ଚାଉଲାଙ୍କ ଦପ୍ତର, ଲୀଟନ ରୋଡ଼ ମୋଡ଼ରେ–ଗୋଟାଏ ସୌଦାଗରୀ ପ୍ରତିଷ୍ଠାନର ଏକମାତ୍ର ବ୍ୟବସାୟ; କିନ୍ତୁ ବାହାରେ ଏକ କମ୍ପାନୀର ସାଇନ୍ ବୋର୍ଡ଼ । ଅନେକ ଦିନୁ ସେ ସଂଗ୍ରହ କରି ରଖିଛି ସେ ତଥ୍ୟ । ଛାତ୍ରାବସ୍ଥାରେ–ଜୀବନର ସେଇ ଉଜ୍ଜ୍ୱଳ ପ୍ରଭାତରେ ସରସ୍ଵତୀଙ୍କ ବରପୁତ୍ରମାନଙ୍କ ସମ୍ପର୍କରେ ନାନା ତଥ୍ୟ ସେ ସଂଗ୍ରହ କରି ରଖୁଥିଲା, ଏକନିଷ୍ଠ ଅଧ୍ୟବସାୟରେ ! ଏବେ କିନ୍ତୁ ମିଷ୍ଟର୍‍ ଚାଉଲାଙ୍କ ପରି ଲକ୍ଷ୍ମୀଙ୍କ ବରପୁତ୍ରମାନଙ୍କ ସମ୍ପର୍କରେ ସବୁ ତଥ୍ୟ ଏଇପରି ସଂଗ୍ରହ କରି ରଖିବା ତା’ର ଅଭ୍ୟାସ । ତା’ର ଡାଇରୀର ପୃଷ୍ଠା ଓଲଟାଇଲେ ସେଥିରେ ମିଳିବ, ମିଷ୍ଟର ଚାଉଲାଙ୍କ ପରି ଆଉରି ଅନେକଙ୍କର ଠିକଣା, ଆଉ ଟେଲିଫୋନ୍ ନମ୍ବର ।

 

ତା’ ନିଜର କର୍ମକ୍ଷେତ୍ର ମଧ୍ୟ ଲୀଟନ ରୋଡ଼ଠାରୁ ଅଳ୍ପଦୂରରେ । ଗୋଟାଏ ଡିପାର୍ଟମେଣ୍ଟାଲ ଷ୍ଟୋର ସେଲ୍‍ସମ୍ୟାନ । ସେ କିନ୍ତୁ ଆଖିପିଛୁଡ଼ା ନ ପକାଇ, ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା... “ନିକଲ୍‍ସନ୍ସ କ୍ଲବରେ ମୁଁ ରିସେପ୍‍ସନିଷ୍ଟ ସାର୍ । ୟୁନିଭର୍ସିଟିରେ ଦୁଇ ଦୁଇଟା ଡିଗ୍ରୀ ହାସଲ କରି ସୁଦ୍ଧା ଏଇ ତ ଅବସ୍ଥା ।”

 

ମିଷ୍ଟର୍‍ ଚାଉଲା କହିଲେ.... “ନିକଲ୍‍ସନ୍ସ ରୋଡ଼ ଡିଫେନ୍ସ କ୍ଲବ ସେଇ ମୋଡ଼ ଉପରେ ତ । ସେଇଠାରୁ ଲୀଟନ ରୋଡ଼ ଆରମ୍ଭ । ତୁମେ ବସରେ ସବୁଦିନେ ବାଦୁଡ଼ିପରି ନ ଝୁଲି ଏଣିକି ମୋ’ ସଙ୍ଗରେ ଆସିପାର । ରାସ୍ତା ତ ଏକା । ଆ...ଏଇ ସହରରେ ଟ୍ରାଫିକ ଆଉ ଟ୍ରାନ୍ସପୋର୍ଟର ଯାହା ଅବସ୍ଥା । ରେଚେଡ୍ ।”

 

କୁର୍ଣ୍ଣୀସ କରିବା ପରି ଭଙ୍ଗୀରେ ମୁଣ୍ଡ ନୁଆଇଁ ସେଇ ଲୋକଟା କୃତଜ୍ଞତା ଗଦଗଦ କଣ୍ଠରେ କହିଲା, “ଆପଣଙ୍କୁ ଅଶେଷ ଧନ୍ୟବାଦ ସାର୍ ।”

 

ଗାଡ଼ିରେ ଷ୍ଟାର୍ଟ ଦେଇ ସ୍ଵଗତୋକ୍ତି କରିବାପରି କଣ୍ଠରେ ମିଷ୍ଟର୍‍ ଚାଉଲା କହିଲେ....“ହାଃ- ୟୁନିଭର୍ସିଟି ଡିଗ୍ରୀ । ଦାରିଦ୍ର୍ୟ ଆଉ ବେକାରିର ପାସପୋର୍ଟ ବାଇ ଦ ୱେ, ତୁମର ନାଁ ଟା ଏପର୍ଯ୍ୟନ୍ତ ଜାଣିପାରିଲି ନାହିଁ ତ !”

 

ପଛ ସିଟରେ କୁସନ୍ ମୋଡ଼ା ଗଦି ଉପରେ ଆରାମରେ ଦେହଢାଳି ସେ ଉତ୍ତର ଦେଲା “ମୋ ନାଁ ଟା ହେଲା, ମୋହନ ରାକେଶ୍ । ୟୁନିଭର୍ସିଟି ଡିଗ୍ରୀ ଯେ ଦାରିଦ୍ର୍ୟ ଆଉ ବେକାରିର ପାସପୋର୍ଟ, ସେଥିରେ ସନ୍ଦେହ ନାହିଁ ସାର । ଆପଣ ଠିକ୍ କହୁଛନ୍ତି ।”

 

ୟୁନିଭର୍ସିଟି ଡିଗ୍ରୀ ନିଜଳା ମିଥ୍ୟା–ଯେପରି ମିଥ୍ୟା ସେ ନିକଲ୍‍ସନ୍ସ ରୋଡ଼ ଡିଫେନ୍ସ କ୍ଲବର ରିସେପ୍‍ସନିଷ୍ଟ । କିନ୍ତୁ ମିଷ୍ଟର୍‍ ଚାଉଲାଙ୍କ ପରି ଜଣେ ଭଦ୍ରଲୋକଙ୍କୁ ଏସବୁ ମିଥ୍ୟା କହିବାର କି ପ୍ରୟୋଜନ ଥିଲା ? ନିରୀହ ମିଥ୍ୟା ଆଉ କପଟତା ବିନିମୟରେ ସେ ଯଦି ନଂ୬–ଏ ବସରେ ବାଦୁଡ଼ି ଝୁଲାର ଯନ୍ତ୍ରଣାଦାୟକ ଟ୍ରାଫିକରୁ ରକ୍ଷା ପାଇପାରେ ; ତା’ହେଲେ ଏତକ ନିରୀହ ମିଥ୍ୟା କହିବାରେ କ୍ଷତି କ’ଣ । ମିଥ୍ୟା, କପଟତା, କ୍ରୂରତା ଆଉ ବିଶ୍ଵାସଭଙ୍ଗ ତ ଏଇ ମହାନଗରୀର ଭିତ୍ତି-

 

ରାସ୍ତାରେ ଚଉମୁହାଣିର ଗୋଟାଏ ଟ୍ରାଫିକ୍ ସିଗ୍‍ନାଲ୍ ପାଖରେ ରାସ୍ତାର ଦୁଇ ବିପରୀତଆଡ଼ୁ ଅନେକଗୁଡ଼ାଏ କାର୍‍, ବସ୍, ସ୍କୁଟର ଅଟକି ରହିଥିଲା, ସମ୍ଭବତଃ କୌଣସି ଭି.ଭି.ଆଇ.ପିଙ୍କ ଗାଡ଼ିକୁ ପାସ୍‍ ଦେବା ପାଇଁ ।

 

ମିଷ୍ଟର ଚାଉଲା ଅସହିଷ୍ଣୁ କଣ୍ଠରେ ବିସ୍ଫୋରଣ କରିଉଠିଲେ “ଆଃ ଏଇ ଯେତେ ସବୁ ଭି. ଆଇ. ପି ନୁଇସାନ୍ସ ।”

 

ମୋହନ ପଛ ସିଟ୍‍ରୁ ଟିପ୍ପଣୀ କଲା.... “ଭି. ଆଇ. ପି ପରିବର୍ତ୍ତେ ସେମାନଙ୍କୁ ଭି.ପି.ପି. କହିବା ଆଉରି ଯଥାର୍ଥ ହୁଅନ୍ତା ସାର ! ଏମାନେ ପ୍ରତ୍ୟେକେ ଆମ ପାଇଁ ଗୋଟିଏ ଗୋଟିଏ ଭାଲ୍ୟୁ ପେୟେବଲ୍ ପାର୍ସଲ୍ ।”

 

ମିଷ୍ଟର୍‍ ଚାଉଲା ଅଟ୍ଟହାସ୍ୟ କରିଉଠିଲେ.... “କିନ୍ତୁ ପାର୍ସଲ୍ ଭିତରେ ଭାଲ୍ୟୁ ଥିଲେ ତ-?”

 

ମୋହନ ଉତ୍ତର ଦେଲା... “ଆପଣ ଯାହା କହିଛନ୍ତି ସାର୍ ।”

 

ଭି. ଭି. ଆଇ. ପିଙ୍କ ପତାକାଶୋଭିତ ମୋଟର କାରାଭାନ୍ ଅତିକ୍ରମ କରିଯିବାପରେ, ପୁଣି ଜଳିଉଠିଲା ଗ୍ରୀନ୍ ସିଗ୍‍ନାଲ୍‍ । ଅସହିଷ୍ଣୁ ବେଗରେ ହର୍ଣ୍ଣ ଚିପି ଚିପି ମିଷ୍ଟର୍‍ ଚାଉଲା ଗାଡ଼ି ଚଳାଇ ନେଲେ ସେଇ ଟ୍ରାଫିକର ଘୂର୍ଣ୍ଣୀ ଭିତରେ !

 

ଟ୍ରାଫିକ୍ ପୁଣି ପାତଳ ପଡ଼ିବା ପରେ ମିଷ୍ଟର ଚାଉଲା କହିଲେ... “ବୁଝିଛ ୟଙ୍ଗ୍‍ମ୍ୟାନ୍, ମୋର ସେପରି କୌଣସି ୟୁନିଭର୍ସିଟୀ ଡିଗ୍ରୀ ନାହିଁ । ଆଜିକୁ ପଚିଶ ବର୍ଷ ତଳେ ଏଇ ସହରର ଫୁଟପାଥ୍ ଥିଲା ଏକମାତ୍ର ୟୁନିଭର୍ସିଟୀ !”

 

ନିଜର ଜୀବନସ୍ମୃତି ପ୍ରକାଶ କରିବା ପାଇଁ ମିଷ୍ଟର ଚାଉଲା ଆଜି ପାଖରେ ପାଇଥିଲେ ଯେପରି ଜଣେ ବଶମ୍ବଦ ଶ୍ରୋତା । ମିଷ୍ଟର ଚାଉଲା କହି ଚାଲିଲେ–“ପାର୍ଟିସନ୍ ପରେ ମୁଁ ଯେଉଁଦିନ ଏଇ ସହରକୁ ଆସେ ରିଫ୍ୟୁଜି ପରି, ସେଦିନ ରାସ୍ତାରେ ଖବରକାଗଜ ହକର୍‍ ହେବା ବ୍ୟତୀତ ମୋର ଅନ୍ୟ ଯୋଗ୍ୟତା ନଥିଲା ।”

 

“ଆପଣଙ୍କ ଆତ୍ମଚରିତ ପ୍ରତ୍ୟେକ ୟୁନିଭର୍ସିଟୀରେ ପାଠ୍ୟପୁସ୍ତକ ହେବା ଆବଶ୍ୟକ”–ମୋହନ ଟିପ୍ପଣୀ ଦେଲା ।

 

ମିଷ୍ଟର୍‍ ଚାଉଲା ପ୍ରୋତ୍ସାହିତ କଣ୍ଠରେ କହି ଚାଲିଲେ–“ସେତେବେଳେ ଏଇ ସହର ଥିଲା ଏକ ବିରାଟ ବ୍ଲାକ୍‍ ମାର୍କେଟ । ଖବରକାଗଜ ହକରଙ୍କର ଉପାର୍ଜନରେ ମୁଁ ମଧ୍ୟ ଆରମ୍ଭ କରିଦେଲେ ବ୍ଲାକ୍ ମାର୍କେଟିଙ୍ଗ୍ । ଆଜି ଏଇ ବିରାଟ ସହର ତ ସେଇ କଳା ଟଙ୍କାରେ ତିଆରି ।”

 

ମୋହନ ଉତ୍ତର ଦେଲା... “ମୋର ଜନ୍ମ ସ୍ଵାଧୀନତାର ଅନେକ ପରେ ସାର୍ । ଆଜି କିନ୍ତୁ ବ୍ଲାକ୍‍ ଚଳାଇବା ଅପେକ୍ଷା ଆଡ଼ଲ୍‍ଟରେସନ୍ ଆଉରି ଲାଭପ୍ରଦ । ମାର୍ଜିନ୍‍ ଅଫ୍‍ ପ୍ରଫିଟ୍‍ ସେଥିରେ ଏଇ ଧରନ୍ତୁ ଥ୍ରି ହଣ୍ଡ୍ରେଡ଼୍‍ ପରସେଣ୍ଟ୍‍ ।”

 

ବ୍ଲାକ୍‍ମନି ଆଉ ବ୍ଲାକ୍‍ମାର୍କେଟିଙ୍ଗରେ ପରିପୃଷ୍ଟ ମିଷ୍ଟର୍‍ ଚାଉଲା ଏବେ ଜଣେ ସୌଖୀନ ରାଜନୀତିଜ୍ଞ । ସେ କହିଲେ.... “ଏସବୁ ଭ୍ରଷ୍ଟାଚାର ବିରୁଦ୍ଧରେ ଲୋକେ ବିଦ୍ରୋହ କରୁନାହାନ୍ତି କାହିଁକି ? ଆଃ...ହେଲା କ’ଣ ଏଇ ଦେଶଟାର ?”

 

ମୋହନ ଉତ୍ତର ଦେଲା... “ଆପଣଙ୍କ ପରି ଦେଶଭକ୍ତମାନେ ସେଥିରେ ନେତୃତ୍ଵ ନେବେ କ’ଣ ଏଇ ପେଶାଦାର ପଲିଟିସିଆନମାନେ ? ସେମାନେ ପ୍ରତ୍ୟେକେ ତ ଏଇ ବ୍ଲାକ୍ ମନିର ସୃଷ୍ଟି ।”

 

ମୋହନର କଥାରେ ଥିଲା ଯେପରି ମିଷ୍ଟର୍‍ ଚାଉଲାଙ୍କ ପଛରେ ପ୍ରଚ୍ଛନ୍ନ ପରିହାସ । ସେ କ୍ଷିପ୍ତକଣ୍ଠରେ କହିଲେ–“ନନସେନ୍ସ । ତୁମେ ବିଦ୍ରୋହ କରିବା ପାଇଁ ଚାହିଁଲେ, ସେଥିପାଇଁ ମୁଁ ଚାନ୍ଦା ଦେଇପାରେ ! କିନ୍ତୁ ମୁଁ ନିଜେ ବିଦ୍ରୋହ କରିବାକୁ ଯିବି କୋଉ ଦୁଃଖରେ ?”

 

ନିକଲ୍‍ସନ୍ସ ରୋଡ଼ ଉପରେ ଡିଫେନ୍ସ–କ୍ଲବ ପାଖ ହୋଇ ଆସିଥିଲା । ଏଇଠାରୁ ଓହ୍ଲାଇ ଯିବାଇ ନିରାପଦ । ମୋହନ କହିଲା.... “ଡିଫେନ୍ସ କ୍ଲବ୍‍ ପାଖରେ ଯଦି ଦୟାକରି ଗାଡ଼ି ଅଟକାନ୍ତେ ସାର୍ ।”

 

ମିଷ୍ଟର୍‍ ଚାଉଲା ବ୍ରେକ୍ କଷି କହିଲେ... “ନିଶ୍ଚୟ । ନିଶ୍ଚୟ । କଥାବାର୍ତ୍ତା ଭିତରେ ମୁଁ ଭୁଲିଯାଇଥିଲି ତୁମର ଡିଫେନ୍ସ କ୍ଲବ ।”

 

ମିଷ୍ଟର୍‍ ଚାଉଲାଙ୍କ ଗାଡ଼ି ଟ୍ରାଫିକ୍ ସ୍ରୋତରେ ଅଦୃଶ୍ୟ ହେବା ପର୍ଯ୍ୟନ୍ତ ମୋହନ ସେଇଠାରେ ଠିଆହୋଇ ରହିଲା । ଲୀଟନ ରୋଡ଼ ଶେଷରେ ସେଇ ଡିପାର୍ଟମେଣ୍ଟାଲ ଷ୍ଟୋର ସେଠାରୁ ଦଶମିଟର ରାସ୍ତା । ଅକ୍ଳେଶରେ ସେତକ ସେ ଚାଲିଯାଇ ପାରିବ ।

 

ଦିନେ କିନ୍ତୁ ମୋହନର ହଠାତ୍ ଦେଖା ନ ଥିଲା । ପ୍ରତ୍ୟହ ଅଫିସ ବାହାରିଲାବେଳେ ମୋହନର “ଗୁଡ଼୍‍ ମର୍ଣ୍ଣିଙ୍ଗ ସାର୍” ସମ୍ଭାଷଣରେ ମିଷ୍ଟର୍‍ ଚାଉଲା ଏତେଦିନ ଏପରି ଅଭ୍ୟସ୍ତ ହୋଇପଡ଼ିଥିଲେ ଯେ, ସେଦିନ ମୋହନର ଅନୁପସ୍ଥିତି ତାଙ୍କୁ ଅତ୍ୟନ୍ତ ଅସ୍ଵସ୍ତିକର ଲାଗୁଥିଲା । ମୋହନ ଅସୁସ୍ଥ ନା କଣ ? ମିଷ୍ଟର୍‍ ଚାଉଲା ଭାବୁଥିଲେ ଥରେ ଯାଇଁ ମୋହନର ଖବର ନେବାପାଇଁ । ମାତ୍ର ଏଇ ପାଖରେ, କେଉଁଠି କେଉଁ ଲେନରେ ମୋହନ ରହେ, ସେ ଠିକଣା ମିଷ୍ଟର ଚାଉଲା ଇତିମଧ୍ୟରେ ଭୁଲିସାରିଥିଲେ ।

 

ଜୀବନର ସବୁ କୋଳାହଳମୁଖର ସଫଳତା ମଧ୍ୟରେ ମିଷ୍ଟର୍‍ ଚାଉଲା ଭୟ କରନ୍ତି ନିଜର ନିଃସଙ୍ଗତା ।

 

ଏକଦା ମିସେସ୍ ଚାଉଲା ପ୍ରତ୍ୟହ ମୋଟର ଡ୍ରାଇଭ୍ କରି ଆସୁଥିଲେ, ମିଷ୍ଟର୍‍ ଚାଉଲାଙ୍କୁ ତାଙ୍କ ଦପ୍ତରରେ ଛାଡ଼ି, ଅଫିସ ଶେଷରେ ପୁଣି ଫେରାଇ ଆଣିବା ପାଇଁ । ଏବେ କିନ୍ତୁ ତାଙ୍କ ଖରାବେଳଟା କଟେ କାର୍ଡ଼–ପାର୍ଟି ଆଉ ଅପରାହ୍ନଟା କଫି–ପାର୍ଟିରେ । ବିବାହ ପରର ପ୍ରଥମ ଉଦ୍‍-ବେଳନରେ ଭଟ୍ଟା ପଡ଼ିଲାଣି । ସେ ଏବେ କେବଳ ଆସିଥାନ୍ତି ପୋର୍ଟିକୋ ପର୍ଯ୍ୟନ୍ତ ଅଫିସ ବାହାରିଲାବେଳେ ମିଷ୍ଟର୍‍ ଚାଉଲାଙ୍କୁ ଟା...ଟା, କହି ବିଦାୟ ଦେବାପାଇଁ ।

 

ମହାନଗରୀର ସବୁ କୋଳାହଳ ଭିତରେ ମିଷ୍ଟର୍‍ ଚାଉଲା ଭାବନ୍ତି, ଚାରିଆଡ଼େ ଘେରି ଏ କି ନିଃସଙ୍ଗତା କି ନିର୍ଜନତା । ଟ୍ରାଫିକ୍ ସିଗ୍‍ନାଲ ପାଖରେ ଅଟକି ପଡ଼ିବାବେଳେ ଫୁଟ୍‍ପାଥର ଜନସ୍ରୋତ ଆଡ଼େ ଚାହିଁ, ମିଷ୍ଟର୍‍ ଚାଉଲା ଭାବନ୍ତି, ଏମାନେ ମଣିଷ ନା ପିମ୍ପୁଡ଼ି ? ବସରେ ଜାକିଜୁକି ହୋଇ ବାଦୁଡ଼ି ପରି ଝୁଲିଯାଉଥିବା ସେଇ ମଣିଷମାନେ ପାସେଞ୍ଜର ନା ବସ୍ତା ? ମହାନଗରୀର ମହାସାଗର ମଧ୍ୟରେ ସେମାନେ ପ୍ରତ୍ୟେକେ ଯେପରି ଗୋଟିଏ ଗୋଟିଏ ଭାସମାନ ନିର୍ଜନ ଦ୍ୱୀପ । ସେ ନିଜେ ମଧ୍ୟ ସେଇପରି ।

 

ସେଇ ନିର୍ଜନ ଦ୍ୱୀପରେ ଆକସ୍ମିକ ଭାବରେ ମିଳିଥିଲା, ମୋହନ ରାକେଶର ସାକ୍ଷାତ୍‍ ଆଉ ସାହଚର୍ଯ୍ୟ । ମାତ୍ର ମୋହନ ସେଦିନ ନିଖୋଜ । ତା’ ପରଦିନ ମଧ୍ୟ । ମୋହନ ହଠାତ୍ ଅସୁସ୍ଥ ହୋଇପଡ଼ିଲା ନା କଣ ? ଥରେ ଅନୁସନ୍ଧାନ କଲେ କିପରି ହୁଅନ୍ତା ? କିନ୍ତୁ ତାର ଠିକଣାଟା ମନେ ନାହିଁ ମିଷ୍ଟର୍‍ ଚାଉଲାଙ୍କର ।

 

ଦୁଇଦିନ ପରେ ପୁଣି ଯଥାସ୍ଥାନରେ ଓ ଯଥାସମୟରେ ମୋହନ ରାକେଶର ଆବିର୍ଭାବ-

 

“ହଲ୍ଲୋ ମୋହନ ।”

 

“ଗୁଡ଼୍ ମର୍ଣ୍ଣିଙ୍ଗ୍ ସାର୍ ।”

 

“ଗତ ଦୁଇଦିନ ଧରି ତୁମର ଦେଖା ନଥିଲା ଯେ । ଦେହ ଖରାପ ନଥିଲା ନିଶ୍ଚୟ... ମିଷ୍ଟର୍‍ ଚାଉଲାଙ୍କ କଣ୍ଠରେ ଉଦବେଗ ।

 

ପଛ ସିଟର ଦରଜା ଖୋଲି ମୋହନ ଗାଡ଼ି ଭିତରେ ବସିପଡ଼ିଲା... ମିଷ୍ଟର୍‍ ଚାଉଲା ଯେପରି ତା’ର ଡ୍ରାଇଭର ; ଆଉ ଏଇ ଫୋର୍ଡ଼ ଫାଲ୍‍କନ୍ ଗାଡ଼ିଟା ତା’ର ନିଜର ।

 

ଷ୍ଟିଅରିଙ୍ଗ ଉପରେ ହାତରଖି ଅପଲକ ଦୃଷ୍ଟିରେ ମିଷ୍ଟର ଚାଉଲା ଚାହିଁ ରହିଥିଲେ ସାମନା ରାସ୍ତା ଉପରକୁ । ମୋହନ ପଛ ସିଟରେ ବସି ଭବିପାରୁନଥିଲା କିପରି ସେ ଆରମ୍ଭ କରିବ ମିଷ୍ଟର୍‍ ଚାଉଲାଙ୍କ ପ୍ରଶ୍ନର ଉତ୍ତର । କୁଙ୍କୁମ ସହିତ ଗୋଟାଏ ସାରାରାତି ତାକୁ ଯେପରି ପୋଲିସ ଲକ୍‍ଅପ୍ ଭିତରେ କଟାଇବାକୁ ପଡ଼ିଥିଲା ସେ କଥା କ’ଣ କେବେ କହିହୁଏ ମିଷ୍ଟର ଚାଉଲାଙ୍କୁ ? ଅସୁସ୍ଥ ଥିଲା ବୋଲି କହିବାର ମଧ୍ୟ ଉପାୟ ନାହିଁ । କାରଣ ଚେହେରାରେ ପରିପୂର୍ଣ୍ଣ ନିଟୋଳ ସ୍ଵାସ୍ଥ୍ୟର ଚିହ୍ନ ।

 

ଅପ୍ରତିଭ କଣ୍ଠରେ ମୋହନ ଉତ୍ତର ଦେଲା–“ଅପରଦିନ ଥିଲା ଆମର ମାରେଜ ଆନିଭରସାରୀ ।”

 

“ଓ ଭେରୀଗୁଡ଼୍ । କଂଗ୍ରାଚୁଲେନ୍ସ । ପିକ୍‍ନିକରେ ଯାଇଥିଲା ନିଶ୍ଚୟ । ଓଖଲା ? ହଲଖାସ୍ ? କୁତବ.... ଆଃ । ଆଜିକାଲି ଏଇ ଫରେନ୍ ଟୁରିଷ୍ଟ ଆଉ ଦଳ ଦଳ ହିପ୍‍ପୀ, କେଉଁଠି କ’ଣ ଆଉ ରଖିଛନ୍ତି ନିରୋଳା ପିକ୍‍ନିକ୍ ସ୍ପଟ୍ ?” ମିଷ୍ଟର୍‍ ଚାଉଲାଙ୍କ କଣ୍ଠରେ କ୍ଷମାହୀନ ବିରକ୍ତି ।

 

ଆକସ୍ମିକ ଭାବରେ ଥରକ ପାଇଁ ସତ୍ୟ କହିଥିଲା ମୋହନ । ପ୍ରକୃତରେ ଅପରଦିନ ଥିଲା ତା’ର ବିବାହର ତୃତୀୟ ବାର୍ଷିକୀ । ପିକ୍‍ନିକ୍ ପାଇଁ ଥିଲା ମଧ୍ୟ ଅନେକ ଦିନର ଏକ ବହୁ ପରିକଳ୍ପିତ ଯୋଜନା । କିନ୍ତୁ ବନ୍ଧୁବାନ୍ଧବଙ୍କୁ ସଙ୍ଗରେ ଧରି ପିକ୍‍ନିକରେ ଯିବାପାଇଁ ମୋହନର ସମ୍ବଳ ନଥିଲା । ସେଦିନ ତା’ର ସେଇ ଭଡ଼ାଘରକୁ ଆସିଥିଲେ ମୋହନର କେତେଜଣ ବନ୍ଧୁ ଆଉ ସେମାନଙ୍କର ସ୍ତ୍ରୀ । ଛୋଲେ ବଟେରା ଆଉ ଚା’ ମଧ୍ୟରେ ସମାପ୍ତ ହୋଇଥିଲା ବିବାହ–ବାର୍ଷିକୀର ବନ୍ଧୁ ମିଳନ ।

 

କୁଙ୍କୁମ ସେଦିନ କିନ୍ତୁ ନିଜକୁ ସଜାଇଥିଲା, ତିନିବର୍ଷ ତଳର ସେଇ ନବବଧୂ ପରି । କୁଙ୍କୁମର ବାସକସଜ୍ଜା ମଧ୍ୟରେ ଥିଲା ଯେପରି ମଧୁଯାମିନୀର ଗାଢ଼ ଆଶ୍ଳେଷ ପାଇଁ ଆକୁଳ ଆହ୍ଵାନ । ମୋହନର ପୌରୁଷ, ସେ ଆହ୍ୱାନକୁ  ପ୍ରତ୍ୟାଖ୍ୟାନ କରିପାରନ୍ତା କିପରି ? କିନ୍ତୁ ବାରଫୁଟରେ ଚଉଦଫୁଟ, ସେଇ ବଖୁରିକିଆ କୋଠରି ଭିତରେ ସେଥିପାଇଁ ଅବକାଶ ନ ଥାନ୍ତା । ସେଦିନ ମଧ୍ୟ ନଥିଲା । କୁଙ୍କୁମ ଆଉ ମୋହନ ବ୍ୟତୀତ, ତା’ରି ଭିତରେ ମଧ୍ୟ ରହନ୍ତି, କାଟାରାକ୍ଟରେ ଦୃଷ୍ଟିହୀନା ମୋହନର ବୁଢ଼ୀ ମା, ଆଉ ତା’ର ବୟସ୍କା ଭଉଣୀ ରାଧା । ସେଥିପାଇଁ ସେମାନଙ୍କ ଦାମ୍ପତ୍ୟ ମଳିନ ପ୍ରକ୍ରିୟା କେବେ କେବେ ସମାହିତ ହୋଇଥାଏ ଟାଲକାଟୋରା ପାର୍କର କୌଣସି ଗୋଟାଏ ଅନ୍ଧକାର କୋଣରେ । ନୋହିଲେ କେଉଁ ପରିତ୍ୟକ୍ତ କବରସ୍ତାନ୍ କିମ୍ବା ମକ୍‍ବରାରେ । ସେପରି ରାତିରେ ସେମାନେ କହିଥାନ୍ତି–ଯାଉଛନ୍ତି କୌଣସି ବନ୍ଧୁଘରକୁ ନିମନ୍ତ୍ରଣ ରକ୍ଷାକରି । ସିନେମା ଯିବାର ଅଜୁହାତ ଦେବାପାଇଁ ଉପାୟ ନ ଥାଏ । ତା’ହେଲେ ବୁଢ଼ୀ ମା’ କଫମିଶା ଗଳାରେ ସଙ୍ଗେ ସଙ୍ଗେ ଅଳି କରିବସିବ; ରାଧାଟାକୁ ମଧ୍ୟ ସଙ୍ଗରେ ଥରେ ନେଇଗଲେ ହୁଅନ୍ତା ନାହିଁ ? ସିନେମା ଦେଖିବା ପାଇଁ ରାଧାର ସଉକ ପୁଣି ପ୍ରଚଣ୍ଡ । ଆଃ ସିନେମା ଦେଖିବା ପାଇଁ ଯଦି ଏତେ ସଉକ, ତା’ହେଲେ ଏଠି ଏଇ ବଖୁରିକିଆ ବାରଫୁଟ ବାଇ ଚଉଦ ଫୁଟ ଅନ୍ଧକୂପ ଭିତରେ, ଗଛପରି ଶାଖା ପ୍ରଶାଖା ମେଲି ବଢ଼ୁଛି କାହିଁକି ? ରିସେପ୍‍ସନିଷ୍ଟ ଚାକିରି ପାଇଁ ଯଦି ଚେହେରା ବା ଯୋଗ୍ୟତା ନାହିଁ । ତା’ହେଲେ କେଉଁଠି ତ ଅନ୍ତତଃ ହୋଇପାରନ୍ତୁ ସେଲ୍‍ସଗାର୍ଲ । ସେଲ୍‍ସଗାର୍ଲ ହେବାପାଇଁ ସ୍ମାର୍ଟନେସ୍ ନ ଥିଲେ, କୋଠିରେ ତ ହୋଇପାରନ୍ତୁ ଆୟା । ନହେଲେ କେଉଁଠୁ ତ ଯୋଗାଡ଼ କରିପାରନ୍ତୁ ଜଣେ ବଶମ୍ବଦ ପ୍ରେମିକ । ....ଏଇ ବୁଢ଼ୀ ମା’ ଆଉ ରାଧା, ମୋହନର ଜୀବନରେ ଯେପରି ଦୁଇଟା ଜ୍ଵାଳା, ଦୁଇଟା ବୃଶ୍ଚିକ ଦଂଶନ ।

 

ସେଦିନ ସନ୍ଧ୍ୟାରେ ବନ୍ଧୁମିଳନ ଶେଷ ହେବାପରେ, ମୋହନ ଫିସ୍ ଫିସ୍ କଣ୍ଠରେ କୁଙ୍କୁମକୁ କହିଲା.... “ଟାଲକାଟୋରା” ।

 

ଏହାର ସାଙ୍କେତିକ ଅର୍ଥ ବୁଝିବା କୁଙ୍କୁମ ପକ୍ଷରେ କଠିନ ନଥିଲା ।

 

କିନ୍ତୁ କୁଙ୍କୁମର ସମସ୍ୟା.... ଟାଲକାଟୋରା ପାର୍କରେ ରାତି ବାରଟା ପର୍ଯ୍ୟନ୍ତ କଟାଇବା ପାଇଁ ଆଜି କି ଅଜୁହାତ ବା ଦିଆଯାଇପାରିବ ? ଆଜି ଅନ୍ତତଃ ବନ୍ଧୁଘରକୁ ନିମନ୍ତ୍ରଣ ରକ୍ଷା ପାଇଁ ଯିବାର କୈଫିୟତ୍ ଦେବାର ଉପାୟ ନାହିଁ । ରାଧାପକ୍ଷରେ ସେ କୈଫିୟତ୍ ଦେବାର ଉପାୟ ନାହିଁ-। ରାଧାପକ୍ଷରେ ସେ କୈଫିୟତ୍ ଏଣିକି କ୍ରମେ ହୋଇଉଠିଲାଣି ଏକ ପରିହାସର ବ୍ୟାପାର-

 

ରାଧା ମଧ୍ୟ ଧୂର୍ତ୍ତା ପରି ହସି ହସି ପଚାରିଦେଲା... “ଆଜି ରାତିରେ କେଉଁ ବନ୍ଧୁଘରକୁ ଯିବା ପାଇଁ ନିମନ୍ତ୍ରଣ ନାହିଁ ଭାବୀ ?” ଅନ୍ୟମାନଙ୍କ ବ୍ୟାପାରରେ ମୁଣ୍ଡ ଖେଳାଇବା ପାଇଁ ତୋର ବା କି ଦରକାର ? ତଥାପି ମୋହନ ସହାନୁଭୂତିପୂର୍ଣ୍ଣ ଦୃଷ୍ଟିରେ ଚାହିଁଲା ରାଧାଆଡ଼େ । ତା’ପରେ ପକେଟରୁ ଖଣ୍ଡେ ପଞ୍ଚଟଙ୍କିଆ ନୋଟ୍ କାଢ଼ି ରାଧାଆଡ଼େ ବଢ଼ାଇଦେଇ କହିଲା “ଆମେ ହୁଏତ ଯାଇପାରୁ ବାହାରକୁ । ତୁ ଏଇ ପାଞ୍ଚଟଙ୍କା ରଖ ରାଧା, ରୂପାଲୀ ସିନେମାରେ ଦେଖି ଆସିବୁ ‘ହିନ୍ଦୁସ୍ତାନ ତେରେ କସମ୍’…. ଛବିଟା କୁଆଡ଼େ ଭଲ ହୋଇଛି ବୋଲି କହୁଛନ୍ତି ସମସ୍ତେ । ଅନେକ ଦିନ ଧରି ତ ସିନେମା ଯାଇନାହୁଁ ।”

 

ରାଧାକୁ ପ୍ରତାରିତ ବଞ୍ଚିତ କରିବା ପାଇଁ ମୋହନକୁ ଲାଗୁଥିଲା ଅପରାଧୀ ପରି । ରାଧା କିନ୍ତୁ ସେ ପାଞ୍ଚ ଟଙ୍କିଆ ନୋଟ୍ ଖଣ୍ଡ ମୋହନକୁ ଫେରାଇଦେଇ କହିଲା–“ଏ ପାଞ୍ଚଟଙ୍କାରେ ମୁଁ ଆଜି ସିନେମା ଦେଖିଲେ ମାସ ଶେଷ ବେଳକୁ ରେସନ କିଣାଯିବ କିପରି ?” ଆଃ । ରାଧାଟା ଅନେକ କଥା ବୁଝିପାରେ । ଅନେକ ପ୍ରବଞ୍ଚନା ସହିପାରେ । ତା’ ନହେଲେ ରାଧା କଣ ତିରିଶ ବର୍ଷ ଡେଇଁ, ଆଲୋକ ଉତ୍ତାପହୀନ ଏଇ ବାରଫୁଟ ବାଇ ଚଉଦଫୁଟ ଅନ୍ଧକୂପ ଭିତରେ ବଢ଼ୁଥାନ୍ତା ଶ୍ୟାମଳୀଲତା ପରି ?

 

ମୋହନ କିନ୍ତୁ ସେଇ ପାଞ୍ଚଟଙ୍କିଆ ନୋଟ୍‍ଟା ରାଧାକୁ ପୁଣି ଫେରାଇଦେଇ କହିଲା.... “ରାସନ ପାଇଁ ତୋର ଚିନ୍ତା କରିବା ଦରକାର ନାହିଁ ରାଧା । ଆଜି ଆମର ବିବାହ ବାର୍ଷିକୀରେ ତୋ’ ପାଇଁ ଏ’ଟା ଆମର ଉପହାର ।”

 

“ଆଜି ସିନା ଭାବୀର ଉପହାର ନେବାର ଦିନ । ତୁମର ବିବାହ ବାର୍ଷିକୀରେ ଉପହାର ନେବାପାଇଁ ମୋର ପ୍ରାପ୍ୟ କେଉଁଠି ?”

 

ରାଧାର ଯୁକ୍ତି ଅକାଟ୍ୟ । ଏଥର ବିବାହ–ବାର୍ଷିକୀରେ କୁଙ୍କୁମକୁ ଗୋଟାଏ ବେଲ୍‍ବଟମ୍‍ ପ୍ୟାଣ୍ଟ୍ ଆଉ ହାଫ୍‍ସ୍ଳିଭ୍‍ ଜାକେଟ୍ ଉପହାର ଦେବାପାଇଁ ଦିନେ ରାତିରେ ଥରେ ସେଇ ଟାଲକାଟୋରା ପାର୍କରେ ମୋହନ ଦେଇଥିଲା ପ୍ରତିଶ୍ରୁତି । ଏଥର କିନ୍ତୁ ସେ ପ୍ରତିଶ୍ରୁତି ରହିଗଲା କେବଳ ପ୍ରତିଶ୍ରୁତିରେ । ତଥାପି କୁଙ୍କୁମ ମନରେ ଗ୍ଳାନି ନଥିଲା । ଟାଲ୍‍କାଟୋରା ପାର୍କର ଗୋଟିଏ ଅନ୍ଧକାର କୋଣ ପାଇଁ ସ୍ନାୟୁକେନ୍ଦ୍ର ସବୁ ଯେପରି ଉତ୍ତେଜିତ ହୋଇଉଠିଥିଲା । ତା’ର ଲଜ୍ଜା ନଥିଲା କୁଣ୍ଠା ନଥିଲା, ସଙ୍କୋଚ ନଥିଲା । ମୋହନ ବାହୁରେ ବାହୁ ଛନ୍ଦି, ସେ କହିଲା.... “ଆସ ତାହେଲେ, ଫାଷ୍ଟ ଶୋ’ ପାଇଁ ଡେରି ହୋଇଗଲାଣି ।”

 

ରାଧା ଗୋଟିଏ ବଙ୍କା ହସ ହାଣି, ଇଙ୍ଗିତପୂର୍ଣ୍ଣ କଣ୍ଠରେ କହିଲା.... “ସେ ସେକେଣ୍ଡ ସୋ’ ଟା ମଧ୍ୟ ଦେଖି ଆସିବ ଭାବୀ ।”

 

ମୋହନ ଆଉ କୁଙ୍କୁମ ସିନେମା ଯାଉଥିବା ଶୁଣି ସେଇ ଅନ୍ଧକୂପର ଗୋଟାଏ କୋଣରେ ଦଉଡ଼ିଆ ଖଟ ଉପରୁ କଫମିଶା କଣ୍ଠରେ ମୋହନର ଅନ୍ଧୁଣୀ ମା’ ଯେପରି ଅଭିଯୋଗ କରୁଥିଲା “ଆରେ, ରାଧାକୁ ତୁମେମାନେ ସାଙ୍ଗରେ ଥରେ ସିନେମା ଦେଖାଇନେଲ ନାହିଁ ?”

 

ରାଧା କହିଲା “ଆଜି ସେମାନେ ଯାଆନ୍ତୁ ମା’ ମୁଁ ଯିବି ଆଉ ଦିନେ ।”

 

ପଛ ସିଟରେ ମୋହନର ଅସ୍ୱାଭାବିକ ନୀରବତା ! ମିଷ୍ଟର୍‍ ଚାଉଲାଙ୍କ ଚାରିପଟେ ଘେରି ପୁଣି ଓହ୍ଲାଇ ଆସିଥିଲା ନିଃସଙ୍ଗତାର ଏକ କୁଜ୍‍ଝଟିକା । ଗୋଟାଏ ଟ୍ରାଫିକ, ସିଗ୍‍ନାଲ ପାଖରେ ଗାଡ଼ି ଅଟକାଇ ମିଷ୍ଟର୍‍ ଚାଉଲା ପଚାରିଲେ... “ପିକନିକ୍ କଲ କେଉଁଠି, ହେଲା କିପରି, ମୋତେ କହିଲ ନାହିଁ ତ ମୋହନ ! ମୁଁ ମଧ୍ୟ ଅନେକ ଦିନୁ ଖୋଜୁଛି ଗୋଟାଏ ପିକ୍‍ନିକ୍ ସ୍ପଟ୍ । ... କିନ୍ତୁ ଏଇ ଫରେନ୍ ଟୁରିଷ୍ଟ ଆଉ ହିପ୍‍ପୀର ଦଳ.... ।”

 

ମିଷ୍ଟର ଚାଉଲା ଗୋଟିଏ ଦୀର୍ଘଶ୍ଵାସ ପକାଇଲେ !

 

କିନ୍ତୁ ସେଦିନ କେଉଁଠି ବା ହେଲା ଆଉ ପିକ୍‍ନିକ୍ ? ଟଲ୍‍କାଟୋରା ପାର୍କରେ, ବିବାହ-ବାର୍ଷିକୀ ସନ୍ଧ୍ୟାର ସେଇ ବିଡ଼ମ୍ବନାର ଚିତ୍ର, ମୋହନର ଆଖି ଆଗରେ ବାରମ୍ବାର ଭାସିଉଠୁଥିଲା । ସେ ପର୍ଯ୍ୟନ୍ତ ତଥାପି ସେ ଭୁଲିପାରି ନଥିଲା, ସେଦିନ ସନ୍ଧ୍ୟାର ସେଇ ଗ୍ଳାନି ଆଉ ଲାଞ୍ଛନା ।

 

ମୋହନ ଅନ୍ୟମନସ୍କ କଣ୍ଠରେ ଉତ୍ତର ଦେଲା... “ଯାହା କହିଲେ ସାର୍ ପିକ୍‍ନିକ୍ ପାଇଁ ନିର୍ଜନ, ସୁନ୍ଦର ସ୍ଥାନ, ଏଣିକି ଆଉ ଖୋଜି ପାଇବା ମୁସ୍କିଲ । ସବୁଠି ପୁଣି ଏଇ ପୁଲିସବାଲାଙ୍କ ଜୁଲମ ।”

 

ଟାଲ୍‍କାଟୋରା ପାର୍କରେ ପହଞ୍ଚିବା ବେଳକୁ ସେଦିନ ସନ୍ଧ୍ୟା ବହୁବେଳୁ ଉତ୍ତୀର୍ଣ୍ଣ ହୋଇସାରିଥିଲା । ପାର୍କ ନିର୍ଜନ । ସନ୍ଧ୍ୟାପରେ ହିପ୍‍ପୀମାନଙ୍କ ପାଇଁ ଖର୍ଚ୍ଚ ସବୁ ଏବେ ନିଷିଦ୍ଧ । ତେଣୁ ହିପ୍‍ପୀ ଦଳ ସେଠାରେ କେହି ନଥିଲେ ପୁଣି ସେଇ ଅବସରପ୍ରାପ୍ତ ବୃଦ୍ଧମାନେ, ଯେଉଁମାନେ ପ୍ରତି ସନ୍ଧ୍ୟାରେ ପାର୍କକୁ ଆସିଥାନ୍ତି, ବେଞ୍ଚ ଉପରେ ବସି ମୁକ୍ତ ବାୟୁ ସେବନ ଆଉ ଅତୀତର ରୋମନ୍ଥନ ପାଇଁ, ସେମାନେ ମଧ୍ୟ ଅନେକବେଳୁ ସେଠାରୁ ବିଦାୟ ନେଇସାରିଥିଲେ । ପାର୍କ ଭିତରେ ଗୋଟିଏ ଅସ୍ୱାଭାବିକ ନିସ୍ତବ୍ଧତା । କେଉଁଠି କେଉଁ ବୃକ୍ଷଶାଖା ଅଥବା ଲତାକୁଞ୍ଜରୁ ଗୋଟାଏ ପକ୍ଷୀର ଚିତ୍କାର ମୁହୂର୍ତ୍ତକ ପାଇଁ ଭାସିଉଠି ପୁଣି ନୀରବ ହୋଇଯାଇଥିଲା । ବିବାହ-ବାର୍ଷିକର ମିଳନ ସନ୍ଧ୍ୟାପାଇଁ ରୋମାଣ୍ଟିକ ପୃଷ୍ଠଭୂମି ।

 

ମୋହନର ମନେହେଉଥିଲା, ଆଜି ବିବାହର ତିନିବର୍ଷ ପରେ ସୁଦ୍ଧା, ଏଇ ଯେପରି ସେମାନଙ୍କର ପ୍ରଥମ ମଧୁଯାମିନୀ । ସେଇ ବାରଫୁଟ ବାଇ ଚଉଦ ଫୁଟ ଅନ୍ଧକୂପ ମଧ୍ୟରେ, ଏତେଦିନ ନିରୁଦ୍ଧ ହୋଇ ରହିଥିଲା ଯେଉଁ ଆବେଗ ଆଉ ଉଚ୍ଛ୍ଵାସ ଆଜି ଟାଲ୍‍କାଟୋରା ପାର୍କର ଏଇ ନିଭୃତ ଅନ୍ଧକାର କୋଣରେ ଗୋଟିଏ ପୁଷ୍ପିତ ଜାକରନ୍ଦା ଗଛ ତଳେ ତାହା ଯେପରି ଉଚ୍ଛ୍ୱସିତ ହୋଇଉଠୁଥିଲା । ଘାସ ଲନରେ କୁଙ୍କୁମର ପ୍ରାୟୋଲ୍ଲଙ୍ଗ ଦେହ ଉପରେ ମୋହନ ଝୁଙ୍କିପଡ଼ିଥିଲା, ଏକ କ୍ଷୁଧିତ ଜାନୁଆର୍ ଶିକାର ଲମ୍ଫ ଦେବାପରି ।

 

ସେଇ ଚରମ ମୁହୂର୍ତ୍ତରେ, ପଛଆଡ଼ୁ ହଠାତ୍ ଗୋଟିଏ ବୁଟ୍‍ମିଶା ଲାତରେ, ମୋହନର ଦେହ ଯେପରି ଜଡ଼ ପାଲଟିଗଲା । ପାର୍କର ଅସ୍ପଷ୍ଟ ଛାୟାଲୋକ ମଧ୍ୟରେ, ସାମନାରେ ଦୁଇଜଣ କନେଷ୍ଟବଳଙ୍କୁ ଦେଖି, କୁଙ୍କୁମ ଲଜ୍ଜା ନିବାରଣ ପାଇଁ କେଉଁଆଡ଼େ କିପରି ପଳାଇବ ସ୍ଥିର କରିପାରୁନଥିଲା ।

 

ଜଣେ ପୋଲିସ କନେଷ୍ଟବଳ ମୋହନର ଚୁଟି ଧରି ବିଦ୍ରୂପ ଆଉ ବିଦ୍ଵେଷ ମିଶା କଣ୍ଠରେ କହିଲା.... “ବାଃରେ ମଜ୍‍ନୁ । ଲୟଲାଟି ଦେଖୁଛି ମନ୍ଦ ନୁହେଁ ।”

 

କୁଙ୍କୁମର ଅନାବୃତ ସ୍ତନକୁ, ପୋଲିସ କନେଷ୍ଟବଳର ଆଖି ଦୁଇଟା ଯେପରି ଗ୍ରାସ କରିଯାଉଥିଲା ଆଦିମ କ୍ଷୁଧାରେ ।

 

ମୋହନ କଣ୍ଠରେ ସବୁ ସାହସ ସଞ୍ଚୟ କରି କହିଲା.... “ଆମେ ସ୍ଵାମୀ–ସ୍ତ୍ରୀ ।”

 

ପୋଲିସ କନେଷ୍ଟବଳ ହାତମୁଠାରେ ଲମ୍ବାବାଳ ଆଉଥରେ ଝିଙ୍କିଧରି କହିଲା... “ଏପରି କାଣ୍ଡ ପାଇଁ କେଉଁ ଭଦ୍ର ସ୍ଵାମୀ–ସ୍ତ୍ରୀ କେବେ ପବ୍ଲିକ୍‍ ପାର୍କକୁ ଆସିଥାନ୍ତି ନା କଣ ? ଚାଲ କଟ୍‍ଓ୍ୱାଲିକୁ । ସେଇଠି ଦେବ ତୁମ ସ୍ଵାମୀ–ସ୍ତ୍ରୀ ପ୍ରମାଣ । ଜାଣ ନାହିଁ, ସହରରେ ବର୍ତ୍ତମାନ ଚାଲିଛି ଆଣ୍ଟିନୁଇସାନ୍ସ ଉଇକ୍ ?”

 

ରାଧା ଫେରାଇଦେଇଥିବା ସେଇ ପାଞ୍ଚ ଟଙ୍କିଆ ନୋଟ୍ ଖଣ୍ଡିକ ପଡ଼ିଥିଲା ମୋହନର ଛାତି ପକେଟରେ । ମୋହନ ସେଇ ନୋଟ ଖଣ୍ଡିକ କନେଷ୍ଟବଳ ହାତରେ ଗୁଞ୍ଜିଦେଇ କହିଲା, ….“ଏତିକିରେ ଆମକୁ ଆଜି ଛାଡ଼ିଦିଅ କନେଷ୍ଟବଳ ସାହେବ । ଆଉ କେବେ ଏପରି ବେଆଦବ ହେବ ନାହିଁ ଆମର !”

 

ଅମ୍ଳାନ ଭାବରେ ପାଞ୍ଚଟଙ୍କିଆ ନୋଟ୍‍ ଖଣ୍ଡକ ପକେଟ ଭିତରେ ରଖି, କନେଷ୍ଟବଳ ଉତ୍ତର ଦେଲା... “ପାଞ୍ଚ ଟଙ୍କା କଣ ପାନ ସୁପାରି ପାଇଁ ? ଇଏ ଅନ୍ତତଃ ପଚାଶ ଟଙ୍କାର ମାମଲା-।” ପାଞ୍ଚ ଟଙ୍କିଆ ନୋଟ ଖଣ୍ଡ ସୁଦ୍ଧା ଗଲା ।

 

କିନ୍ତୁ ପଚାଶ ଟଙ୍କା ସେମାନଙ୍କ ପାଖରେ ନଥିଲା । ଅଗତ୍ୟା ପୋଲିସ କନେଷ୍ଟବଳମାନଙ୍କ ସହିତ ସେମାନଙ୍କୁ ଯିବାପାଇଁ ପଡ଼ିଲା ପୋଲିସ କଟ୍‍ୱାଲି ପର୍ଯ୍ୟନ୍ତ । ସେତେ ରାତିରେ ସେମାନଙ୍କ ଦାମ୍ପତ୍ୟରେ ପ୍ରମାଣ ଦେବାପାଇଁ, କେଉଁଠୁ ବା ମିଳିବ କେଉଁ ସାକ୍ଷୀ ? ପୋଲିସ ଲକ୍‍ଅପରେ ତେଣୁ କଟିଲା ସେମାନଙ୍କ ବିବାହ ବାର୍ଷିକର ରାତି । ତା’ ପରଦିନ ସକାଳେ ସେମାନଙ୍କ ପ୍ରତିବେଶୀ ଜଣେ ଧୋବାର ଜାମିନରେ ସେମାନେ ଖଲାସ ହୋଇ ଆସିଲେ ପୋଲିସ ଲକ୍ଅପରୁ ।

 

ନିକଲ୍ସନ୍ ରୋଡ଼ ମୋଡ଼ରେ ଡିଫେନ୍ସ କ୍ଲବ ପାଖ ହୋଇ ଆସିଥିଲା ।

 

ମିଷ୍ଟର୍‍ ଚାଉଲା କହିଲେ... “ଆମର ମ୍ୟାରେଜ୍ ଆନିଭରସାରୀ ଆସନ୍ତା ସପ୍ତାହରେ । ତୁମେ ଗୋଟାଏ ସାହାଯ୍ୟ କରିପାରିବ ମୋହନ ?

 

“ସାହାଯ୍ୟ କାହିଁକି ? ସେବା କରିବା ପାଇଁ ଆଦେଶ ଦିଅନ୍ତୁ ସାର୍ ।”

 

“ସେଦିନ ମୁଁ ଆମନ୍ତ୍ରଣ କରିଛି କେତେଜଣ ଫରେନ୍‍ ଗେଷ୍ଟଙ୍କୁ । ସେମାନଙ୍କ ପାଇଁ ଦରକାର କିଛି ଭଲ ହୁଇସ୍କି । ତୁମେ ଡିଫେନ୍ସ କ୍ଲବରୁ କିଛି ହୁଇସ୍କି ଯୋଗାଡ଼ କରିପାରିବ ଶସ୍ତା ଦରରେ ।”

 

“ନିଶ୍ଚୟ, ନିଶ୍ଚୟ, ସାର, ଏତକ ଆଉ ପାରିବି ନାହିଁ ? ମୁଁ ଯେ କ୍ଲବର ରିସେପ୍‌ସନିଷ୍ଟ ।”

 

ମୋହନ ମୁଖସ୍ଥ କରି ରଖିଛି ଅନେକ ହୁଇସ୍କିର ନାମ.....ବିଦେଶୀ ଫୁଲର ନାମ ମୁଖସ୍ଥ ରଖିଥିବା ପରି । ମୋହନ ପଚାରିଲା... ‘କି ହୁଇସ୍କି ଦରକାର ? ହ୍ଵାଟ୍ ସିକ୍ସଟି ନାଇନ୍, ବ୍ଲାକ୍‍ଡ଼ଗ୍‍, ଓଲଡ଼୍‍ ମଙ୍କ୍, ଏସବୁ ତ ମାମୁଲି । ବିଭାସ୍, ଗାଲ୍, ରୟାଲ ସାଲ୍ୟୁଟ୍ ସୁଦ୍ଧା ଆଣିଦେଇପାରେ ଆପଣଙ୍କ ପାଇଁ ।”

 

ମିଷ୍ଟର ଚାଉଲା କହିଲେ.... “ରୟାଲ ସାଲ୍ୟୁଟର ଦାମ୍‍ ଯେ ଅନେକ ! ବୋତଲ ଆଠଶହ ଟଙ୍କା ।”

 

କିନ୍ତୁ ସମାଜବାଦର ମହାନଗରୀରେ ଏଇପରି ଦାମିକା ହୁଇସ୍କି ସବୁତ ଆଜି ନବ୍ୟ–ସମାଜବାଦୀମାନଙ୍କର ପାନୀୟ । ରୟାଲ ସାଲ୍ୟୁଟ୍ ହୁଇସ୍କି ଆଉ ଇଣ୍ଡିଆକିଙ୍ଗ୍ ସିଗାରେଟ ତ ଆଜି ସାମ୍ୟବାଦର ପ୍ରତୀକ ।

 

ମୋହନ ଉତ୍ତର ଦେଲା–“ଆପଣଙ୍କୁ ମୁଁ କିନ୍ତୁ ଆଣିଦେଇପାରିବି ଡ୍ୟୁଟି ଫ୍ରି ମୂଲ୍ୟରେ ! ଏଇ ଧରନ୍ତୁ ବୋତଲ ପାଞ୍ଚଶହ ଟଙ୍କା ମାନେ ଫଟି ପରସେଣ୍ଟ୍‍ କମ୍ ଦାମରେ ।”

 

ଉତ୍ସାହିତ କଣ୍ଠରେ ମିଷ୍ଟର ଚାଉଲା ପଚାରିଲେ....“ପାଞ୍ଚଶହ ଟଙ୍କାରେ ଯୋଗାଡ଼ କରିପାରିବ ରୟାଲ ସାଲ୍ୟୁଟ୍ ? ଫର୍ଟି ପରସେଣ୍ଟ୍‍ ମାର୍ଜିନ କମ୍ ନୁହେଁ କିଛି ।”

 

“ସିଓର୍ ସାର୍ । ଆପଣଙ୍କ ମ୍ୟାରେଜ୍ ଆନିଭରସାରୀ ପାଇଁ ଏତିକି ସେବା କରିପାରିବି ନାହିଁ ତ ଆଉ କରିବି କ’ଣ ? ହୁକୁମ୍ କରନ୍ତି ତ ଆଜି ସନ୍ଧ୍ୟାରେ ଆପଣଙ୍କ କୋଠିରେ ଆଣି ପହଞ୍ଚାଇଦେବି ଦୁଇ ବୋତଲ ରୟାଲ୍–ସାଲ୍ୟୁଟ୍ । ରୟଲ୍–ସାଲ୍ୟୁଟ୍ ହୁଇସ୍କି ସିନା ଆପଣଙ୍କ ପରି ଲକ୍ଷ୍ମୀଙ୍କ ବରପୁତ୍ରମାନଙ୍କ ପାଇଁ ।”

 

ମିଷ୍ଟର୍‍ ଚାଉଲା ପକେଟରୁ ଦଶଖଣ୍ଡ ଶଏ ଟଙ୍କିଆ ନୋଟ କାଢ଼ି, ମୋହନକୁ ଧରାଇଦେଇ କହିଲେ... “ଏଇ ରଖ, ଦୁଇଟା ବୋତଲର ଦାମ୍ । ଆଜି ସନ୍ଧ୍ୟାରେ ଠିକ୍ ପହଞ୍ଚାଇଦିଅ ଯେପରି ।”

 

ନୋଟ ବିଡ଼ା ପକେଟରେ ରଖି ମୋହନ ଗାଡ଼ିଭିତରୁ ଫୁଟପାଥ୍ ଉପରକୁ ଗୋଟାଏ ଲମ୍ଫମାରି କହିଲା... “ଆପଣ ନିଶ୍ଚିନ୍ତ ରୁହନ୍ତୁ ସାର୍ । ସନ୍ଧ୍ୟାସୁଦ୍ଧା ମୁଁ ନିଜେ ପହଞ୍ଚାଇଦେଇ ଆସିବି ଦୁଇ ବୋତଲ ରୟାଲ୍–ସାଲ୍ୟୁଟ୍ ହୁଇସ୍କି... ଇଚ୍ଛାକଲେ ଆପଣ ମଧ୍ୟ ପାଇପାରନ୍ତି ତିନି ବୋତଲ ।”

 

“ଆରେ ନା, ନା ସେଇ ଦୁଇ ବୋତଲ ଯଥେଷ୍ଟ ।

 

ସେଦିନ ସନ୍ଧ୍ୟାରେ କିନ୍ତୁ ପୋର୍ଚ୍ଚ ସାମନାରେ, ତା’ପରେ ଫାଟକ ପାଖରେ ବହୁ ସମୟ ପଦଚାରଣା କରିଥିଲେ ମିଷ୍ଟର୍‍ ଚାଉଲା, ମୋହନ ଅପେକ୍ଷାରେ । ମୋହନ କାଲି ସକାଳେ ଆସିବ ନିଶ୍ଚୟ ରୟାଲ୍–ସାଲ୍ୟୁଟ୍ ହୁଇସ୍କି ଧରି; ଆଉ ଦୁଃଖ ପ୍ରକାଶ କରିବ, ସନ୍ଧ୍ୟାରେ ଆସିପାରିଲା ନାହିଁ ବୋଲି... “ଜାଣନ୍ତି ତ ଏଇ ଜୀବନରେ ଯେତେ ଜଞ୍ଜାଳ ।”

 

ସର୍‍ଭାଣ୍ଟସ୍‍ କ୍ଵାର୍ଟରସର ସେଇ ଅନ୍ଧକୂପ ସାମନାରେ ସେଦିନ ସନ୍ଧ୍ୟାରେ ମଧ୍ୟ ମୋହନ ପ୍ରତୀକ୍ଷାରେ କୁଙ୍କୁମର ବହୁ ଅସ୍ଵସ୍ତି ଓ ଉଦ୍‍-ବେଗପୂର୍ଣ୍ଣ ମୁହୂର୍ତ୍ତ । ମୋହନ କୌଣସି ଦିନ ତ ଫେରିବା ପାଇଁ ଏତେ ବିଳମ୍ବ କରେ ନାହିଁ । ଆଜିକାଲି ସହରରେ ଯେତେ ଆକ୍ସିଡେଣ୍ଟ । କୁଙ୍କୁମ ମନରେ ଶତ ଆଶଙ୍କା ।

 

ରାଧା ଥିଲେ ପ୍ରତୀକ୍ଷାର ଏକ ମୁହୂର୍ତ୍ତଗୁଡ଼ାକ ଏତେ ଉତ୍ପୀଡ଼କ ହୁଅନ୍ତା ନାହିଁ । କିନ୍ତୁ କୋଠିର ମୋଟର ଡ୍ରାଇଭର ସୈଗାଲ ସହିତ ରାଧା ସିନେମା ଯାଇଥିଲା... “ହିନ୍ଦୁସ୍ତାନ ତେରେ କସମ୍ ।” କୋଠିର “ସାହେବ” ସପରିବାର ଯାଇଥିଲେ କେଉଁଆଡ଼େ ଚେଞ୍ଜରେ । ସିନେମା ଆଉ ପ୍ରେମ ପାଇଁ ସୈଗାଲକୁ । ତେଣୁ ମିଳିଯାଇଥିଲା ସୁପ୍ରଚୁର ଅବକାଶ । ମୋହନର ଅନ୍ଧୁଣୀ ମା’ କମ୍ବଳ ଢାଙ୍କିହୋଇ, କୁଣ୍ଡଳୀ ମୋଡ଼ି ଶୋଇପଡ଼ିଥିଲା ଖଣ୍ଡେ ଦଉଡ଼ିଆ ଖଟ ଉପରେ । ମହଲ ଇଲେକଟ୍ରିକ୍ ଆଲୋକରେ ସେ ଦେଖାଯାଉଥିଲା ଗୋଟାଏ ଶବପିଣ୍ଡ ପରି !

 

କୋଠିପଛ ଲେନ୍‍ ଫାଟକ ପାଖରେ ହଠାତ୍ ଗୋଟାଏ ଟ୍ୟାକ୍ସି ବ୍ରେକ୍ କଷି ରହିବାର ଶବ୍ଦରେ କୁଙ୍କୁମ ଚମକି ଉଠିଲା । ଛାୟାଲୋକିତ ଅନ୍ଧକାର ମଧ୍ୟରୁ ଢଳି ଢଳି ସ୍ପନ୍ଦିତ ପାଦରେ ଆସୁଥିଲା ମୋହନ । କାଖତଳେ ତା’ର ଗୋଟାଏ ପାକେଟ ବା ସେହିପରି କିଛି ।

 

ମୋହନର ମାତାଲ ଚେହେରା ଦେଖି, କୁଙ୍କୁମ ଆତଙ୍କିତ କଣ୍ଠରେ ପଚାରିଲା “ଥିଲ କେଉଁଠି ? ପୁଣି ମଦ ପିଇଛ ଆଜି ? କଣ ହୋଇଛି ତୁମର ?”

 

ମୋହନ ନାଟକୀୟ ଭଙ୍ଗୀରେ ଉତ୍ତର ଦେଲା... “ଆଃ ! ଡୋଣ୍ଟ୍ ଟକ୍‍ ଡାର୍ଲିଙ୍ଗ । ଏଇ ନିଅ ତମ ପାଇଁ ଆଣିଛି ବେଲ୍‍ବଟମ୍ ପ୍ୟାଣ୍ଟ ଆଉ ହାଫ୍‍ସ୍ଳିଭ୍‍ ଜାକେଟ । ମ୍ୟାରେଜ୍‍ ଆନିଭର୍ସାରୀରେ ଦେବି ବୋଲି କହିଥିଲି ନା ? ନିଅ ଡାର୍ଲିଙ୍ଗ ଚଟ୍‍ପଟ୍ ପିନ୍ଧିପକାଅ । ଆମେ ଯିବା ବାହାରକୁ ।”

 

କୁଙ୍କୁମ ବିସ୍ମିତ କଣ୍ଠରେ ପଚାରିଲା.... “କୁଆଡ଼େ ? ପୁଣି ଏତେ ରାତିରେ ?”

 

ଟାଲ୍‍କାଟୋରା ପାର୍କ... ପୁରୁଣା ଅଭ୍ୟାସ ଅନୁସାରେ ଉତ୍ତର ଦେଲା ମୋହନ !

 

ଆକସ୍ମିକ ଭାବରେ ବେଲବଟମ୍ ପ୍ୟାଣ୍ଟ୍ ଆଉ ହାଫସ୍ଳିଭ୍ ଜାକେଟର ଉପହାର ପ୍ରାପ୍ତି କୁଙ୍କୁମକୁ ଯେତେ ବିସ୍ମିତ କରି ନଥିଲା ସେତେ ବେଶୀ ଆତଙ୍କିତ କରିଥିଲା ଏଇ ଅସମୟରେ ପୁଣି ସେଇ ଟାଲ୍‍କାଟୋରା ପାର୍କକୁ ଆମନ୍ତ୍ରଣ !

 

“ପୁଣି ସେଇ ଟାଲ୍‍କାଟୋରା ? ସେଦିନର ପୋଲିସ ଲକ୍‍ଅପ ଭୁଲିଗଲ ନା କ’ଣ ।”

 

ମାତାଲପରି ହାତ ହଲାଇ ମୋହନ ଉତ୍ତର ଦେଲା...“ଆରେ ନା ! ଆଜି ରିଜର୍ଭ କରି ଆସିଛି ହୋଟେଲରେ ଗୋଟାଏ ପୁରା କାମରା । ଆଉ ଡେରି କର ନାହିଁ ଡାର୍ଲିଙ୍ଗ୍‍ । ଟ୍ୟାକ୍ସି ମିଟର ବଢ଼ି ବଢ଼ି ଚାଲିଛି ।’

 

କୁଙ୍କୁମ ଦେହରୁ ଶାଢ଼ି ଖୋଲି ପିନ୍ଧୁଥିଲା ବେଲ୍‍ବଟମ୍ । ମାର୍ବଲ ସ୍ତମ୍ଭପରି କୁଙ୍କୁମର ଦୁଇଟା ଉଲଗ୍ନ, ଜଙ୍ଘଆଡ଼େ ଚାହିଁ ମୋହନର ପ୍ରତ୍ୟେକ ସ୍ନାୟୁକେନ୍ଦ୍ର ଉତ୍ତେଜିତ ହୋଇଉଠୁଥିଲା । କାନ୍ଥରେ ଝୁଲୁଥିବା ଗୋଟାଏ ଆଇନା ସାମନାରେ ଠିଆ ହୋଇ ଅବିନ୍ୟସ୍ତ ଲମ୍ବାବାଳ ଉପରେ ମୋହନ ବୁଲାଇ ନେଉଥିଲା ଚିରୁଣୀ । କିନ୍ତୁ ଆଇନାରେ ନିଜର ଚେହେରା ଦେଖି, ମୋହନ ଚମକି ଉଠିଥିଲା, ହଠାତ୍ ଗୋଟାଏ ଭୂତ ଦେଖିବା ପରି ।

 

ଇଏ ନୁହେଁ, ଶିଶିର ଧୌତ ଜୀବନ–ପୂର୍ବାହ୍ନର, ସେଦିନର ସେଇ ମୋହନ ରାକେଶ୍ । ଏଇ ମାତାଲ ମୂର୍ତ୍ତି, ଯେପରି ଏକ ଅଭିଶପ୍ତ, ବିଡ଼ମ୍ବିତ କାଳର ଲକ୍ଷ୍ମୀଛଡ଼ା ପ୍ରତିଚ୍ଛବି ।

 

ବେଲ୍‍ବଟମ୍ ପ୍ୟାଣ୍ଟ୍ ଆଉ ହାଫ୍‍ସ୍ଳିଭ୍ ଜାକେଟ୍ ଭିତରେ କୁଙ୍କୁମର ସୁଗଠିତ ଦେହର ତରଙ୍ଗ, ତ୍ରିକୋଣ ଆଉ ବୃତ୍ତ ସବୁ ଯେପରି ରେଖାଙ୍କିତ ହୋଇଉଠିଥିଲା ।

 

ଓଠରେ ଲିପ୍‍ଷ୍ଟିକର ଶେଷସ୍ପର୍ଶ ବୁଲାଇ କୁଙ୍କୁମ କହିଲା–“ମୁଁ ରେଡ଼ି ।”

 

ସେଦିନ ସନ୍ଧ୍ୟାରେ ମିଷ୍ଟର୍‍ ଚାଉଲା, ଫାଟକ ପାଖରେ ଅପେକ୍ଷା କରି କରି ଫେରିବାବେଳେ ଭାବୁଥିଲେ, ମୋହନ ହୁଏତ କାଲି ଫେରିବ.... କିନ୍ତୁ ପରଦିନ ମୋହନର ଦେଖା ନଥିଲା... ତା’ ପରଦିନ ମଧ୍ୟ ସେଇ ଲୋକଟାର ଆଉ ପତ୍ତା ନଥିଲା !

 

ଗୋଟିଏ ଆତ୍ମହତ୍ୟାର କାହାଣୀ

 

ରେଲଉଏ ଟାଇମ ଟେବୁଲ ଉପରୁ ମୁହଁ ଉଠାଇ, କମ୍ପାଟମେଣ୍ଟ୍ ଭିତରେ ମୋର ସହଯାତ୍ରୀ ସେଇ ଭଦ୍ରଲୋକଙ୍କୁ ପଚାରିଲି....“କେଉଁ ଷ୍ଟେସନରେ ଓହ୍ଲାଇବା ମୋ’ପକ୍ଷରେ ସୁବିଧାଜନକ ? ଅଞ୍ଜନଗଡ୍ ଇଷ୍ଟ, ସେଣ୍ଟ୍ରାଲ ନା କ୍ୟାଣ୍ଟନମେଣ୍ଟ୍ ?”

 

ଉତ୍ତର-ପୂର୍ବ ମୌସୁମୀର ମେଘମାଳା, କମ୍ପାର୍ଟମେଣ୍ଟ୍ ବାହାରେ ଚାରିଆଡ଼ୁ ନିବୁଜ ହୋଇ ମାଡ଼ିଆସୁଥିଲା । ଝରକା କାଚ ଉପରେ ବର୍ଷାବିନ୍ଦୁ ଝରିବା ପାଇଁ ମଧ୍ୟ ଆରମ୍ଭ କରିଥିଲା, ବେଦନା–ବିଷଣ୍ଣ ଆଖିପତାରୁ ବିନ୍ଦୁ ବିନ୍ଦୁ ଲୁହ ପରି । ମାଡ୍ରାସ ଛାଡ଼ିବା ପରଠାରୁ ଜି.ଟି. ଏକ୍‍ସପ୍ରେସର କମ୍ପାର୍ଟମେଣ୍ଟରେ ତାଙ୍କ ବ୍ୟତୀତ ଅନ୍ୟ ସହଯାତ୍ରୀ ନଥିଲେ । ଭଦ୍ରଲୋକ ମଧ୍ୟ ଯିବେ ଅଞ୍ଜନଗଡ଼ । ଦୁଇଦିନ ତଳେ ଟ୍ରେନରେ ଉଠିବାବେଳେ, କଥାପ୍ରସଙ୍ଗରେ ସେଇ ତଥ୍ୟ ସଂଗ୍ରହ କରିଥିଲି ଭଦ୍ରଲୋକଙ୍କଠାରୁ ଆମ ଦୁହିଁଙ୍କ ମଧ୍ୟରେ ଆଉ କଥାବାର୍ତ୍ତା ନଥିଲା–ବୋଧହୁଏ ଦୀର୍ଘ ନ’ ଘଣ୍ଟାପରେ ନୀରବତାର ଅତ୍ୟାଚାର ଭଙ୍ଗକରି ଏ ମୋର ପ୍ରଥମ ପ୍ରଶ୍ନ.... “କେଉଁ ଷ୍ଟେସନରେ ?’’

 

ଭଦ୍ରଲୋକ ମୋ’ଆଡ଼େ କିଛିକ୍ଷଣ ଚାହିଁଲେ–ଯେପରି ସେ ମୋତେ ଦେଖୁଥିଲେ ପ୍ରଥମଥର ପାଇଁ । ତା’ପରେ ନିର୍ଲିପ୍ତ କଣ୍ଠରେ ପଚାରିଲେ–“ଆପଣ ଏଇ ପ୍ରଥମ ଅଞ୍ଜନଗଡ଼ ଯାଉଛନ୍ତି ପରା ? ତା’ହେଲେ ଏୟାରରେ ଆସିଲେ ନାହିଁ କାହିଁକି ? ଅଂ, ଟ୍ରେନ କି ବୋରିଂ ?” ଭଦ୍ରଲୋକ ଆକାଶମାର୍ଗର ପଥିକ । ଏଇଥର ସମ୍ଭବତଃ ରେଲୱେ ପ୍ରତି କରୁଣାବଶତଃ ଆସିଛନ୍ତି ଟ୍ରେନରେ ।

 

“ଆସିଥିଲେ, ଚଳିଥାଆନ୍ତା, କିନ୍ତୁ ମୋଟେ ଦୁଇଘଣ୍ଟାର ଫ୍ଲାଇଟ୍‍ ମଧ୍ୟରେ ଏତେ ଲମ୍ବାଯାତ୍ରାକୁ ଫାଙ୍କିଦେଇଥିଲେ କେତେ ଦର୍ଶନୀୟ ଦୃଶ୍ୟ, କେତେ ସ୍ମରଣୀୟ ଅନୁଭୂତି ବାଦ୍‍ ପଡ଼ିଯାଇଥାନ୍ତା କୁହନ୍ତୁ ତ ?” ସ୍ଵଗତୋକ୍ତି କରିବାପରି କହିଲି.... “ଦିଲ୍ଲୀ ଛାଡ଼ିବା ପୂର୍ବରୁ ମୁଁ ସେମାନଙ୍କୁ ଠିକ୍ ପଚାରିପାରି ନଥିଲି କେଉଁ ଷ୍ଟେସନରେ ଓହ୍ଲାଇବା ମୋ’ପକ୍ଷରେ ସୁବିଧାଜନକ । ଏବେ ଟାଇମ୍‍-ଟେବୁଲରେ ଦେଖୁଛି, ତିନିଟା ଷ୍ଟେସନ୍ ଅଞ୍ଜନଗଡ଼ ଇଷ୍ଟ୍‍, ସେଣ୍ଟ୍ରାଲ୍‍ ଓ କ୍ୟାଣ୍ଟନମେଣ୍ଟ୍-।”

 

“ଇଟ ଅଲ୍ ଡିପେଣ୍ଡସ୍” ଭଦ୍ରଲୋକ ଖଣ୍ଡେ ଇଣ୍ଡିଆ କିଙ୍ଗ୍ ସିଗାରେଟ୍ ଲାଇଟରରେ ଜଳାଇ ଉତ୍ତର ଦେଲେ....“ମାନେ, ସବୁ ନିର୍ଭର କରେ, ଅଞ୍ଜନଗଡ଼ରେ ଆପଣଙ୍କର ଗନ୍ତବ୍ୟ ଆଉ ଠିକଣା ଉପରେ । ଆପଣ ରହିବେ କେଉଁଠି ? ହୋଟେଲରେ ନିଶ୍ଚୟ ।” କି ପ୍ରକାର ବା କେଉଁସ୍ତରର ହୋଟେଲରେ ମୁଁ ଉଠିପାରେ ଭଦ୍ରଲୋକ ମୋ’ ଚେହେରାରୁ ଯେପରି ଅନୁମାନ କରିପାରୁ ନଥିଲେ । ସେ କହିଲେ....“ଆପଣ ଯଦି ଭେଜିଟେରିଆନ୍ ହୋଇଥାନ୍ତି, ତା’ହେଲେ ଲକ୍ଷ୍ମୀ-ବିଳାସ ହୋଟେଲ, ଉଦୀପୀମାନଙ୍କର, ନନ୍‍-ଭେଜିଟେରିଆନ୍ ହୋଇଥିଲେ “ବ୍ଲୁ–ହିଲ୍‍ସ”, ସେମାନଙ୍କ ଚାର୍ଜ ମଡ଼ରେଟ୍ । ତା’ହେଲେ ଆପଣ ସିଟି ଷ୍ଟେସନରେ ଓହ୍ଲାଇଲେ ଚଳିବ । ସେଠାରୁ ଏ ହୋଟେଲ ସବୁ ଦୁଇ କିଲୋମିଟର ଭିତରେ ।” ...ମୋ’ ଚେହେରାରେ ଥିଲା ସେହିପରି ମଧ୍ୟବିତ୍ତୀୟ ଛାପ–ଯାହା ସବୁଦିନେ ସବୁବେଳେ ଦୟନୀୟ । ଉଚ୍ଚବିତ୍ତର ଅହଙ୍କାର ନାହିଁ କିମ୍ବା ସର୍ବହରାର ବେପରୁଆମି ନାହିଁ । ବିଚାରା ହିଁ ତାର ଏଇମାତ୍ର ବିଶେଷଣ ।

 

କମ୍ପାର୍ଟମେଣ୍ଟ୍ ଭିତରେ ଆଲୁଅ ଜଳି ଉଠିଥିଲା । ଟ୍ରେନ୍ ସେତେବେଳକୁ ମନ୍ଥରିତ ଗତିରେ ଉଠୁଥିଲା ଗୋଟାଏ ଚଢ଼ାଣିରେ ।

 

ବାହାରେ ଅନ୍ଧକାର ଭିତରକୁ ଚାହିଁ ମୁଁ ଉତ୍ତର ଦେଲି.... “ମୁଁ ଉଠିବି ବିଶାଖା-ମହଲ ହୋଟେଲରେ ।”

 

“ବିଶାଖା-ମହଲ”..... ଭଦ୍ରଲୋକ ମୋର ଆପାଦମସ୍ତକ ନିରୀକ୍ଷଣ କଲେ । “ବିଶାଖା-ମହଲ” ? ଭଦ୍ରଲୋକ ପ୍ରଶ୍ନ କଲେ, ବିସ୍ମିତ କଣ୍ଠରେ ।

 

ବିଶାଖା-ମହଲ ଥ୍ରୀ-ଷ୍ଟାର୍, ଫୋର୍-ଷ୍ଟାର୍ ବା ଫାଇଭ୍-ଷ୍ଟାର୍ ନୁହେଁ, କହିବାକୁ ଗଲେ “ଷ୍ଟାର୍‍”ର ଊର୍ଦ୍ଧ୍ୱରେ । ବିଉଟି ସାଲୁନ୍ ନାହିଁ, ସୁଇମିଙ୍ଗ୍ ପୁଲ୍‍ ନାହିଁ, କବାବ୍ କର୍ଣ୍ଣର ନାହିଁ, ‘କାବାରେ’ ନାହିଁ ଅଛି କେବଳ ଗୋଟାଏ ମିନି ଗଲ୍‍ଫ କୋର୍ସ....ତଥାପି ଫରେନ୍‍ ଟୁରିଷ୍ଟମାନଙ୍କର ଭିଡ଼ ସେଇଠି । ମାତ୍ର ଭାରତର ନବ–ଧନୀକ ଗୋଷ୍ଠୀ ପସନ୍ଦ କରନ୍ତି ଅଞ୍ଜନଗଡ଼ର ଅନ୍ୟ ଫାଇଭ୍-ଷ୍ଟାର୍ ହୋଟେଲ । ଭଦ୍ରଲୋକ କହିଲେ.... “କିନ୍ତୁ ଜାଣନ୍ତି ତ ବିଶାଖା-ମହଲରେ ମୋଟେ ତିରିଶଟା ସୁଇଟ୍, ଗୋଟାଏ ସୁଇଟ୍‍ର ଦିନକୁ ଭଡ଼ା କେବଳ ଅଢ଼େଇଶହ ଟଙ୍କାରୁ ସାଢ଼େ ତିନିଶହ ଟଙ୍କା । ଆଉ ପ୍ରେସିଡେଣ୍ଟ୍‍ସ୍‍ ସୁଇଟର ଭଡ଼ା ତ ପାଞ୍ଚସହ । ସେଇଥିପାଇଁ ଫରେନ୍‍ ଟୁରିଷ୍ଟମାନଙ୍କର ଭିଡ଼ ସେଇଠି ।” –ମୋ’ ପରି ଢିଲା ପାଇଜାମା ଆଉ ପଞ୍ଜାବି ପିନ୍ଧା ଭବକାରା ଚେହେରାର ଜଣେ ଲୋକ ଯେ ବିଶାଖା-ମହଲ ପରି ସୁପରଷ୍ଟାର ହୋଟେଲରେ ଉଠିପାରେ ଏହା ସେ ବିଶ୍ୱାସ କରିପାରୁନଥିଲେ । ସେଥିପାଇଁ ସମ୍ଭବତଃ ସେ ମୋତେ ଆଗତୁରା ସତର୍କ କରିଦେଉଥିଲେ ।

 

କିନ୍ତୁ ସେ କିପରି ବା ଜାଣିବେ ରାଜନୈତିକ ପ୍ରଭାବରରେ ମୁଁ ଏକ କମ୍ପାନୀର ଡିରେକ୍ଟର । ଅଞ୍ଜନଗଡ଼ରେ ମୋର ଅବସର ବିନୋଦନ ପାଇଁ ସେଇ କମ୍ପାନୀ ପକ୍ଷରୁ ଇ ହୋଇଛି ଭୂରି ବ୍ୟବସ୍ଥା । ଆମେ ତ ଏଯୁଗର ନବ୍ୟ ସମ୍ଭ୍ରାନ୍ତ ଗୋଷ୍ଠୀ, ଲକ୍ଷ୍ମୀଙ୍କ ବରପୁତ୍ର । କଳା ଟଙ୍କାର ହାତସଫାଇ ପାଇଁ ଏଇ ହୋଟେଲ ସବୁ ମଧ୍ୟ ଗୋଟାଏ ପନ୍ଥା । ତା’ ନ ହେଲେ ବିଶାଖା ମହଲ କିଏ... ଆଉ ମୁଁ କିଏ ? କୌଣସି ଧର୍ମଶାଳା ଥିଲା ମୋ’ ପାଇଁ ଯଥେଷ୍ଟ । ଅର୍ଥାତ୍ ଅର୍ଥନୈତିକ ବୁନିଆଦି ଦୃଷ୍ଟିରୁ ମୁଁ ବା ଆମେ ସାଧାରଣତଃ ସେଇ ଧର୍ମଶାଳା ସ୍ତରର ।

 

ସେ ପଚାରିଲେ.... “ଆଗରୁ ରିଜର୍ଭେସନ୍ କରିଛନ୍ତି ତ ?”

 

ରିଜର୍ଭେସନ୍ ଥିଲା ଠିକ୍ । କିନ୍ତୁ ମୁଁ ନିର୍ଲିପ୍ତ କଣ୍ଠରେ ପଚାରିଲି “କଣ ଖୁବ୍ ଭିଡ଼ ହୁଏ ସେଠି ?”

 

ଭଦ୍ରଲୋକ ଉତ୍ତର ଦେଲେ... “ଛୁଟି ନୋହିଲେ ଉଇକ୍–ଏଣ୍ଡ୍ ଦିନମାନଙ୍କରେ ଫରେନ୍ ଟୁରିଷ୍ଟମାନଙ୍କର ଖୁବ୍ ଭିଡ଼ ଜମେ ସେଠାରେ ।”

 

ସନ୍ଦେହ–ବିମୋଚନ ପାଇଁ ପକେଟରୁ ଟେଲେକ୍ସ ମେସେଜ୍‍ଟା କାଢ଼ି ଆଉଥରେ ପଢ଼ିଲି.... ବିଶାଖା-ମହଲରେ ମୋର ରିଜର୍ଭେସନ୍ ଏକାଥରେ ପକ୍କା ।

 

ଭଦ୍ରଲୋକ ପରାମର୍ଶ ଦେଲେ.... “ତା’ହେଲେ ଅଞ୍ଜନଗଡ଼ କାଣ୍ଟରେ ଓହ୍ଲାଇବା ଆପଣଙ୍କ ପକ୍ଷରେ ସୁବିଧାଜନକ । ବିଶାଖା-ମହଲ, ସିଟିଠାରୁ ପ୍ରାୟ ଚଉଦ କିଲୋମିଟର୍ କିନ୍ତୁ କାଣ୍ଟନମେଣ୍ଟରୁ ଆଠ ।”

 

ଅଞ୍ଜନଗଡ଼ ଏକଦା ଥିଲା ଭାରତର ଏକ ପ୍ରସିଦ୍ଧ ସମୃଦ୍ଧ ଦେଶୀୟରାଜ୍ୟ । ପ୍ରାୟ ଦୁଇ ଶତାବ୍ଦୀ ତଳେ ବ୍ରିଟିଶ୍‍ ଇତିହାସ ପ୍ରସିଦ୍ଧ କାବେରୀପତ୍ତନ ଯୁଦ୍ଧରେ ଅଞ୍ଜନଗଡ଼ ଅଧିକାର କରିବା ପରେ କାବେରୀପତ୍ତନରୁ ରାଜଧାନୀ ଉଠାଇ ନୂତନ ରାଜଧାନୀ ସ୍ଥାପନ କରିଥିଲେ–ଅଞ୍ଜନଗଡ଼ । ୟୁରୋପୀୟ ସ୍ଥପତିମାନଙ୍କଦ୍ଵାରା ନିର୍ମିତ ହୋଇଥିଲା “ଚନ୍ଦ୍ରମହଲ” ପ୍ରାସାଦକୁ କେନ୍ଦ୍ରକରି ନୂତନ ଅଞ୍ଜନଗଡ଼ ସହର । ଏହାର ନିର୍ମାଣଶୈଳୀରେ ଅଷ୍ଟାଦଶ ଶତାବ୍ଦୀର ୟୁରୋପୀୟ ସ୍ଥାପତ୍ୟ ଚରିତ୍ର ଥିଲା ସୁସ୍ପଷ୍ଟ । କିନ୍ତୁ ତାର ଗମ୍ୱୁଜମାନଙ୍କରେ ଥିଲା କେବଳ ଭାରତୀୟତାର ସ୍ଵାକ୍ଷର । ସେତିକିବେଳେ ବ୍ରିଟିଶ୍ କୂଟନୀତିରେ ଦେବରାୟମାନେ ଅଭିଷିକ୍ତ ହୋଇଥିଲେ ଅଞ୍ଜନଗଡ଼ ରାଜବଂଶ ରୂପେ । ସେମାନଙ୍କୁ ଅନୁଗତ ରଖିବା ପାଇଁ ଅଞ୍ଜନଗଡ଼ରେ ସ୍ଥାପିତ ହୋଇଥିଲେ ଅଞ୍ଜନଗଡ଼ କାଣ୍ଟନମେଣ୍ଟ୍ । କିନ୍ତୁ ଅଞ୍ଜନଗଡ଼ ମହାରାଜାମାନେ ଥିଲେ ପ୍ରଗତିଶୀଳ, ପ୍ରଜାରଞ୍ଜକ । ସେମାନଙ୍କ ପୃଷ୍ଠପୋଷକତାରେ ଅଞ୍ଜନଗଡ଼ ପରିଣତ ହୋଇଥିଲା, ସାହିତ୍ୟ, ସଙ୍ଗୀତ, ନୃତ୍ୟ ଓ ବିଜ୍ଞାନ ଚର୍ଚ୍ଚାର ଏକ ପ୍ରସିଦ୍ଧ କେନ୍ଦ୍ର ରୂପେ ।

 

–“ଆପଣ ପ୍ରଥମ ଥର ପାଇଁ ଅଞ୍ଜନଗଡ଼ ଆସୁଛନ୍ତି ପରା ।”

Unknown

 

“ହଁ” ବାହାରର ଅନ୍ଧକାର ଭିତରକୁ ଚାହିଁ ମୁଁ ଉତ୍ତର ଦେଲି ଅନ୍ୟମନସ୍କ ଭାବରେ । ....“ଶୁଣିଛି ଅଞ୍ଜନଗଡ଼ ସୁନାମ ସାରା ଭାରତରେ ଉଦ୍ୟାନ-ନଗରୀ ଅଞ୍ଜନଗଡ଼ ।”

 

ଭଦ୍ରଲୋକ କହିଲେ–“ଅଞ୍ଜନଗଡ଼ର ସେ ସୌନ୍ଦର୍ଯ୍ୟ ଆଉ ନାହିଁ ଏବେ । ରାସ୍ତାକଡ଼ରେ ଛାୟାଘନ ଗୋଲମୋହର ଗଛସବୁ କଟା ସରିଲାଣି । ଯେଉଁ ସ୍ଥାନମାନଙ୍କରେ ଥିଲା ପାର୍କ, ସେଠାରେ ଏବେ ଗଢ଼ିଉଠିଛି ନୂଆ ନୂଆ କଲୋନି । ଅଞ୍ଜନଗଡ଼କୁ ଘେରି ପ୍ରତିଦିନ ଗଢ଼ିଉଠୁଛି ନୂଆ ନୂଆ କାରଖାନା । ଆମ ପିଲାଦିନର ଅଞ୍ଜନଗଡ଼ ଏବେ ଏକ ସ୍ଵପ୍ନ ।” ଭଦ୍ରଲୋକ ଗୋଟାଏ ଦୀର୍ଘଶ୍ଵାସ ପକାଇଲେ ।

 

“ଆଉ ମହାରାଜା ?” ….ମୁଁ ପଚାରିଲି ଅହେତୁକ କୌତୂହଳରେ ।

 

“ରିପୁଦମନ ଦେବରାୟଙ୍କ ମୃତ୍ୟୁପରେ ଆଉ ତ ମହାରାଜା ନାହାନ୍ତି ।” ଭଦ୍ରଲୋକଙ୍କ ଉତ୍ତର ଦୀର୍ଘଶ୍ଵାସରେ ଭାରୀ ।

 

“କିନ୍ତୁ ମହାରାଜା ରିପୁଦମନଙ୍କର କେହି ତ ଉତ୍ତରାଧିକାରୀ ଥିବେ । ସେ କଣ ଅପୁତ୍ରିକ, ନିଃସନ୍ତାନ ଥିଲେ ?”

 

ମହାରାଜଙ୍କର ଏକମାତ୍ର ପୁତ୍ର ଅଛନ୍ତି କୀର୍ତ୍ତିଚୂଡ଼ ଦେବରାୟ । ମାତ୍ର ଅଞ୍ଜନଗଡ଼ରେ ତାଙ୍କର ପରିଚୟ ଆଉ ମହାରାଜା ନୁହେଁ । ସେ କେବଳ କୀର୍ତ୍ତିଚୂଡ଼ ଦେବରାୟ !”

 

“କିନ୍ତୁ କାହିଁକି ?” ….ମୋର କୌତୂହଳୀ ପ୍ରଶ୍ନରେ ବିରତି ନଥିଲା । ରାଜ୍ୟ ନଥାଇପାରେ, ପଦ ନଥାଇପାରେ; ତଥାପି ପଦବୀଟା ଯିବ କିପରି ? ପଦବୀଟା ତ ଗୋଟାଏ ପରମ୍ପରା ।

 

ଭଦ୍ରଲୋକ ନିସ୍ପୃହ କଣ୍ଠରେ ଉତ୍ତର ଦେଲେ.... “କିନ୍ତୁ ଅଞ୍ଜନଗଡ଼ର ଜନସାଧାରଣଙ୍କ ପାଇଁ ମହାରାଜା ରିପୁଦମନଙ୍କ ପରଠାରୁଇ ମହାରାଜା ପଦ ଲୋପ ।’’

 

“ଆଉ କୀର୍ତ୍ତିଚୂଡ଼ ଦେବରାୟ ?” ଏକଟଣା ରେଳଯାତ୍ରାର ବିରକ୍ତି ମୁଁ କଟାଇବାକୁ ଚାହୁଁଥିଲି ମହାରାଜା ଗଳ୍ପ ମଧ୍ୟରେ । କିନ୍ତୁ ଭଦ୍ରଲୋକଙ୍କର ସେଥିରେ ଆଗ୍ରହ ନଥିଲା । ତାଙ୍କ କଣ୍ଠସ୍ଵରରୁ ମନେ ହେଉଥିଲା, ସେ ଯେପରି ଏସବୁ ପ୍ରସଙ୍ଗ ଏଡ଼ାଇଦେବାକୁ ଚାହୁଁଥିଲେ । ଅନ୍ତତଃ ଏଡ଼ାଇପାରିଲେ ସେ ଯେପରି ସ୍ଵସ୍ତି ପା’ନ୍ତେ । ମାତ୍ର କମ୍ପାର୍ଟମେଣ୍ଟରେ ଆମେ ତ ଦୁଇଜଣ । ଅଞ୍ଜନଗଡ଼ର ଲୋକମାନେ ସାଧାରଣତଃ ସୌଜନ୍ୟପ୍ରବଣ । ଉତ୍ତର-ଭାରତୀୟ ରୁକ୍ଷତା ସେମାନଙ୍କଠାରେ ବିରଳ । ଭଦ୍ରଲୋକ ସେଇଥିପାଇଁ ବୋଧହୁଏ ଦେଇଚାଲିଥିଲେ, ମୋର ଏସବୁ ଅବାନ୍ତର ପ୍ରଶ୍ନର ଉତ୍ତର ।

 

ମୁଁ ପଚାରିଲି... “କୀର୍ତ୍ତିଚୂଡ଼ ଦେବରାୟ ବର୍ତ୍ତମାନ କେଉଁଠି ? କରୁଛନ୍ତି କଣ ?”

 

“ସେ ପ୍ରାୟ ଏବେ ରହୁଛନ୍ତି ବମ୍ବେରେ । ଫିଲିମ୍‍–ପ୍ରଡ୍ୟୁସର ।” ....କଣ୍ଠରେ ପରିହାସର ସ୍ଵର ପ୍ରଚ୍ଛନ୍ନ ।

 

“କିନ୍ତୁ ବମ୍ବେରେ ନାମକରା ପ୍ରଡ୍ୟୁସରମାନଙ୍କ ମଧ୍ୟରେ କୀର୍ତ୍ତିଚୂଡ଼ ଦେବରାୟ ନାମ ତ ଶୁଣି ନାହିଁ କେବେ ।”

 

ଭଦ୍ରଲୋକ ଆସ–ଟ୍ରେ ଭିତରେ ଜଳନ୍ତା ସିଗାରେଟ୍ ଖଣ୍ଡ ନିଭାଉ ନିଭାଉ କହିଲେ.... “ତାଙ୍କର ସବୁ ପିକ୍‍ଚର ତ ଫ୍ଲପ୍ । ଆପଣ ତାଙ୍କ ନାମ ଆଉ ଶୁଣିବେ କୁଆଡ଼ୁ ?”

 

ଐତିହାସିକ ଦେବରାୟ ବଂଶର ଶେଷ ଉତ୍ତରାଧିକାରୀ ହିନ୍ଦୀ ଫିଲିମ୍ ପ୍ରଡ୍ୟୁସର.... ଅତୀତ ଓ ବର୍ତ୍ତମାନ, ଇତିହାସ ଓ ବାସ୍ତବତା ମଧ୍ୟରେ ମୁଁ କୌଣସି ସାମଞ୍ଜସ୍ୟ ସ୍ଥାପନ କରିପାରୁନଥିଲି । ତଥାପି ମହାରାଜା କାହାଣୀ ଶୁଣିବାର ତୃଷା ପ୍ରଶମିତ ହୋଇନଥିଲା । ମୁଁ ପଚାରିଲି..... “ମହାରାଜା ରିପୁଦମନଙ୍କର ଦେହାନ୍ତ ହେଲା କେବେ ? ହଁ–ହଁ–ମନେପଡ଼ିଗଲା ପ୍ରାୟ ବର୍ଷକତଳେ କୋଉ ଖବରକାଗଜରେ ଶୋକାଞ୍ଜଳି ସ୍ତମ୍ଭରେ ପଢ଼ିଥିଲି ମହାରାଜା ରିପୁଦମନଙ୍କର ମୃତ୍ୟୁ-ସମ୍ବାଦ । କିନ୍ତୁ ସେ ମଲେ କିପରି ?”

 

ଭଦ୍ରଲୋକ ମୋର ଦୁଇଆଖି ଭିତରକୁ କଠୋର ଦୃଷ୍ଟିରେ ଚାହିଁଲେ । ଏପ୍ରକାର ପ୍ରଶ୍ନ ଯେପରି ସଂପୂର୍ଣ୍ଣ ବେଆଦବୀ । ତା’ପରେ ଉତ୍ତର ଦେଲେ–ମୋର ପ୍ରଶ୍ନବାଣ ନିଷ୍କୃତି ପାଇଁ–“ମହାରାଜା ରିପୁଦମନ ଆତ୍ମହତ୍ୟା କଲେ ।”

 

କିନ୍ତୁ କେଉଁ ଦୁଃଖରେ ? ତାଙ୍କ ବାର୍ଷିକ ପ୍ରିଭୀପର୍ସର ପରିମାଣ ଥିଲା ବାର ଲକ୍ଷ ଟଙ୍କା, ଟ୍ୟାକ୍ସ ଫ୍ରି । ଅବଶ୍ୟ ପ୍ରିଭୀପର୍ସ ବନ୍ଦ ହୋଇଥିଲା । ତଥାପି ଅକଳିତ ସମ୍ପତ୍ତିର ଅଧିକାରୀ ଥିଲେ ମହାରାଜା ରିପୁଦମନ । ଯଶ, ଖ୍ୟାତି ପ୍ରତିପତ୍ତି ମଧ୍ୟ ଥିଲା ପ୍ରଚୁର । ଭାରତୀୟ ରାଜନ୍ୟ-ମଣ୍ଡଳୀରେ ସେ ଥିଲେ ଅଗ୍ରଗଣ୍ୟ ! “ମହାରାଜା ରିପୁଦମନ ଆତ୍ମହତ୍ୟା କଲେ କାହିଁକି ?” ମୋର ପ୍ରଶ୍ନ ସବୁ ଯେପରି ଅବାରିତ, ସେଇପରି ଅବାନ୍ତର ।

 

ଭଦ୍ରଲୋକଙ୍କ ସୌଜନ୍ୟ ଓ ଧୈର୍ଯ୍ୟ ଶେଷ ସୀମାରେ ପହଞ୍ଚିଥିଲା । ସେ କେତେଟା ଲାଇଟ୍ ସୁଇଚ୍ ନିଭାଇ ଦେଇ କହିଲେ–“କାହାର ବ୍ୟକ୍ତିଗତ ଜୀବନରେ, କେତେବେଳେ ଟ୍ରାଜେଡ଼ିର ଧକ୍କା କିପରି ଲାଗେ ଆଉ ସେଥିରୁ ନିଷ୍କୃତି ପାଇଁ ସେ ଆତ୍ମହତ୍ୟା କରେ ସେ ଖବର କିଏ ରଖିପାରେ କୁହନ୍ତୁ ? ଆଚ୍ଛା ଗୁଡ଼୍‍ ନାଇଟ୍ ।” ଭଦ୍ରଲୋକ ମୋ ଆଡ଼କୁ ମୁହଁ ବୁଲାଇ ଶୋଇପଡ଼ିଲେ ବା ଶୋଇବା ପାଇଁ ଚେଷ୍ଟା କଲେ । ଏ ବିଷଣ୍ଣ ଆଲୋଚନା ପାଇଁ ତାଙ୍କର ଆଉ ଯେପରି ପ୍ରବୃତ୍ତି ନଥିଲା । ଅଞ୍ଜନଗଡ଼ର ଲୋକେ ସାଧାରଣତଃ ପ୍ରଜାନୁରକ୍ତ । ମହାରାଜାମାନଙ୍କ ପାଇଁ ସେମାନଙ୍କ ପ୍ରଗାଢ଼ ଶ୍ରଦ୍ଧା ଓ ମମତା ।

 

ଅଞ୍ଜନଗଡ଼ରେ ଆମ ଟ୍ରେନ୍ ପହଞ୍ଚିବ ସକାଳେ । ଆଉରି ପ୍ରାୟ ଦଶ ଘଣ୍ଟାର ଅସରନ୍ତି ବାଟ ।

 

ଝରକା ବାହାରେ ମେଘାଚ୍ଛନ୍ନ ଆକାଶରେ ଗୋଟାଏ ନିସ୍ପନ୍ଦ ତାରାଆଡ଼କୁ ଚାହିଁ, ବାରମ୍ବାର ସେଇ ପ୍ରଶ୍ନ କେବଳ ତୁହାଇ ତୁହାଇ ପଚାରୁଥିଲି–“ମହାରାଜା ରିପୁଦମନ ଆତ୍ମହତ୍ୟା କଲେ କେଉଁ ଦୁଃଖରେ ?” ରେଳଚକର ଘୂର୍ଣ୍ଣନରେ ଯେପରି ସେ ପ୍ରଶ୍ନର ଅଛିଣ୍ଡା ପୁନରାବୃତ୍ତି–କାହିଁକି ? କାହିଁକି ?

 

ବର୍ଷାଧୁଆ ସକାଳର କୋମଳ ଆଲୋକରେ ଅଞ୍ଜନଗଡ଼ କାଣ୍ଟରୁ ମୋଟରକାର୍ ଗଡ଼ି ଚାଲିଥିଲା ଦକ୍ଷିଣ ପାଖରେ ସହରକୁ କଟାଇ, କୁମାରୀ ହିଲସ୍ ପାଦରେ, କଳା ରିବନ୍ ପରି ଲମ୍ବିଥିବା ଜନବିରଳ ରାସ୍ତାରେ, ବିଶାଖା–ମହଲ ଅଭିମୁଖରେ । ଅଞ୍ଜନଗଡ଼ ସହର ବାହାରେ ବିଶାଖା–ମହଲ ଉଠାଣି ଉଠିବାବେଳେ ଡ୍ରାଇଭର୍‍ କହିଲା–‘‘ଏଇ ଚନ୍ଦ୍ରମହଲ ପାଲେସ୍ ।”

 

ଚନ୍ଦ୍ରମହଲ ପାଲେସ୍‍ର ସୁନେଲି ଚୂଡ଼ା ଓ ଗମ୍ବୁଜ ସବୁ ସକାଳ ଖରାରେ ଝଲମଲ କରୁଥିଲା । ଏଇ ପାଲେସ୍‍ର ଚିତ୍ର ମୁଁ ଦେଖିଛି ଅଞ୍ଜନଗଡ଼ର ଟୁରିଷ୍ଟ ପାମ୍ପଲେଟମାନଙ୍କରେ । ଗତରାତିର ପ୍ରଶ୍ନ ମୋ’ ମନରେ ପୁଣି ଖଣ୍ଡିଆଭୂତ ପରି ଘୂର୍ଣ୍ଣି ଉଡ଼ାଇ ଡେଇଁ ଉଠିଲା–“ମହାରାଜା ରିପୁଦମନ କ’ଣ ଏଇ ପାଲେସରେ ଆତ୍ମହତ୍ୟା କରିଥିଲେ ?”

 

ଡ୍ରାଇଭର ଆମ କୋମ୍ପାନିର, କିନ୍ତୁ ଅଞ୍ଜନଗଡ଼ର ଅଧିବାସୀ । ଅଞ୍ଜନଗଡ଼ର ପ୍ରତ୍ୟେକ ଅଧିବାସୀ ଯେପରି ମହାରାଜା ରିପୁଦମନଙ୍କ ଆତ୍ମହତ୍ୟା ସମ୍ପର୍କରେ କୌଣସି ଉତ୍ତର ଦେବା ପାଇଁ କୁଣ୍ଠିତ । ସେମାନଙ୍କ ଦୃଷ୍ଟିରେ ଏପରି ପ୍ରଶ୍ନ ନିତାନ୍ତ ବେଆଦବୀ ! ମୋ’ ପ୍ରଶ୍ନ ଶୁଣିପାରି ନଥିବାର ଅଭିନୟ କରି ଡ୍ରାଇଭର ବାମପାଖରେ କୁମାରୀ ପର୍ବତ ଚୂଡ଼ାରେ ଗୋଟାଏ ମନ୍ଦିରର ଗୋପୁରମ୍ ଦେଖାଇଦେଇ କହିଲା–“ଇଏ ମହାମାୟା ମନ୍ଦିର । ଅନେକ ଟୁରିଷ୍ଟ ଆଉ ଯାତ୍ରୀ ଆସିଥାନ୍ତି ସେଇ ମନ୍ଦିର ଦେଖିବା ପାଇଁ । ଆପଣ ମଧ୍ୟ ମହାମାୟାଙ୍କ ଦର୍ଶନ କରିବେ ସାର୍ ?”

 

ଦେବରାୟ ବଂଶର ଇଷ୍ଟଦେବୀ ମହାମାୟା । କିନ୍ତୁ ଶୁଣିଛି ଏ ମନ୍ଦିର ଦେବରାୟ ବଂଶଠାରୁ ଆଉରି ପ୍ରାଚୀନ । କେଉଁ ଶତାବ୍ଦୀର ? କିନ୍ତୁ ଗବେଷଣାର ପ୍ରବୃତ୍ତି ସେତେବେଳେ ନଥିଲା । ମୁଁ ମଧ୍ୟ ବୁଝିପାରୁଥିଲି ଡ୍ରାଇଭର ଅଭିନୟ । ଆଉଥରେ ସେଇ ପ୍ରଶ୍ନର ପୁନରାବୃତ୍ତି କରି ପଚାରିଲି–“ମହାରାଜା ରିପୁଦମନ କ’ଣ ଏଇ ଚନ୍ଦ୍ରମହଲ ପାଲେସରେ ଆତ୍ମହତ୍ୟା କରିଥିଲେ ?”

 

ଅଗତ୍ୟା ଡ୍ରାଇଭର ସଂକ୍ଷେପରେ ଉତ୍ତର ଦେଲା–“ଦିନେ ସକାଳେ ମହାରାଜା ରିପୁଦମନଙ୍କ ପାଇଁ ବେଡ଼–ଟି ନିୟମିତ ସମୟରେ ନେବାବେଳକୁ ଦେଖାଗଲା; ମହାରାଜାଙ୍କ ଶେଷ ନିଃଶ୍ଵାସ ବହିଯାଇଛି ।”

 

“ଡାକ୍ତରମାନେ ପରୀକ୍ଷା କରିଥିଲେ ତା’ପରେ ? ମାନେ ପୋଷ୍ଟମର୍ଟମ୍ ?”

 

“ଗଭର୍ଣ୍ଣର, ମୁଖ୍ୟମନ୍ତ୍ରୀ, ବଡ଼ବଡ଼ ସରକାରୀ ଅଫିସର ତା’ପରେ ଆସିଥିଲେ ଚନ୍ଦ୍ରମହଲ ପାଲେସ୍‍କୁ । ସେମାନଙ୍କ ମଧ୍ୟରେ ଅନେକ ସମୟ ଧରି ମନ୍ତ୍ରଣା ଚାଲିଲା । ତା’ପରେ ସରକାରଙ୍କ ନିର୍ଦ୍ଦେଶରେ ତାଙ୍କର ଶବ ସତ୍କାର ହେଲା–ହୋଇପାରେ ହାଟ୍ ଫେଲିଓର୍‍ । ହୋଇପାରେ ଆତ୍ମହତ୍ୟା ।”

 

“କିନ୍ତୁ କାହିଁକି ?”

 

ଏଥର ଡ୍ରାଇଭର ଆଉ କୌଣସି ଉତ୍ତର ଦେଲା ନାହିଁ ।

 

ଆମେ ଉଠୁଥିଲୁ କୁମାରୀ ପର୍ବତମାଳାର ଚଢ଼ାଣିରେ । ରାସ୍ତା ଦୁଇପାଖରେ, ଛାୟା-ଘନ ବୃକ୍ଷବୀଥିକା ଶେଷରେ ଦେଖାଯାଉଥିଲା “ବିଶାଖା–ମହଲ”ର ମାର୍ବଲ ଗମ୍ବୁଜ ।

 

ରାସ୍ତାକଡ଼ରେ ଉଚ୍ଚ ପ୍ରାଚୀର ବେଷ୍ଟିତ ଗୋଟାଏ ବିରାଟ ପରିସର ଦେଖାଇ ଡ୍ରାଇଭର କହିଲା.... “ଏଇଟା ଥିଲା ମହାରାଜାଙ୍କ ଗାରେଜ୍‍ । ଏଥିରେ ଥିଲା ଶହେ ଲିମୋସିନ୍–ସେଥିମଧ୍ୟରୁ ରୋଲ୍‍ସ୍ ରୟସ୍ ଥିଲା ଦଶଟା ।”

 

ଗାରେଜ୍‍ ଅତିକ୍ରମ କରି ଯିବାବେଳେ, ଫାଟକ ଉପରେ ଗୋଟାଏ ପ୍ରକାଣ୍ଡ ଅର୍ଦ୍ଧବୃତ୍ତାକାର ସାଇନବୋର୍ଡ଼ ଆଖିରେ ପଡ଼ୁଥିଲା.... ସୁଦରସନ୍ ଟ୍ରାନ୍ସପୋର୍ଟ କୋମ୍ପାନି ।

 

ଡ୍ରାଇଭର କହିଲା... “ମହାରାଜ ଗାରେଜ୍‍ଟାକୁ ବିକ୍ରି କରିଦେଇଥିଲେ ଏଇ କୋମ୍ପାନିକୁ-। ଏମାନଙ୍କ ଟ୍ରକ୍ ସବୁ ଚାଲେ ସବୁଆଡ଼େ..... ଦିଲ୍ଲୀ, ବମ୍ବେ, କଲିକତା ।’’ –“ଆଉ ଲିମୋସିନ୍ ସବୁ-?” “ରୋଲ୍‍ସ୍ ଗୋଟାଏ କିଣି ନେଇଗଲେ ଜଣେ ଫରେନ୍ ଟୁରିଷ୍ଟ୍ ।”

 

ବିଶାଖା–ମହଲ ପାଲେସର ପ୍ରବେଶ ଦ୍ଵାରରେ ଗାର୍ଡ଼ରୁମ୍‍ । ଏଠାରେ ସମ୍ଭବତଃ ଦିନେ ଚିତ୍ରପୁତ୍ତଳି ପରି ବର୍ଣ୍ଣାଢ୍ୟ ୟୁନିଫର୍ମ ପରିହିତ ପ୍ରାସାଦରକ୍ଷୀ ଘୋଡ଼ସବାରମାନେ ପ୍ରହରା ଦେଉଥିଲେ । ମାତ୍ର ଏବେ ଏହାର ଧଳା ମାର୍ବଲ୍ ପାହାଚ ଉପରେ ଗୋଟାଏ ବୁଲାଛେଳି ଶୋଇଥିଲା; ମଟର ହର୍ଣ୍ଣ ଶବ୍ଦରେ ସେ ଚାହିଁଲା ମଟର ଗାଡ଼ିଆଡ଼େ । ତା’ପରେ ପୁଣି ରୋମନ୍ଥନ କରି ଚାଲିଲା.... ତା’ର ରୋମନ୍ଥନରେ ଆମ ଗାଡ଼ିଟା ଥିଲା ଯେପରି ଗୋଟାଏ ଅକାରଣ, ଅବାଞ୍ଛିତ ପ୍ରତିବନ୍ଧକ । ମେନ୍‍-ଗେଟ୍‍ଠାରୁ ବିଶାଖାମହଲର ପୋର୍ଚ୍ଚ ପର୍ଯ୍ୟନ୍ତ ଏକଦା ଲମ୍ବିଥିଲା ପଲ୍ଲବିତ ଛାୟାସ୍ନିଗ୍ଧ ବୀଥିକା । କିନ୍ତୁ ଏବେ କେବଳ ରହିଥିଲା ବୃକ୍ଷ ବୀଥିକାର ଧ୍ଵଂସାବଶେଷ । କେତେ ଗଛ ଭାଙ୍ଗିପଡ଼ିଥିଲା ଝଡ଼ରେ, ଆଉ କେତେ ଗଛ କଟାହୋଇ ତା’ର ଥୁଣ୍ଟା ସବୁ ଦିଶୁଥିଲା କ୍ଷତଚିହ୍ନ ପରି-। ଡ୍ରୁପିଙ୍ଗ ଦେଓଦରର ଗଛ କେତେଟା ଅଶ୍ରୁ ଓ ବିଷାଦର ପ୍ରତିମୂର୍ତ୍ତି ।

 

ଡ୍ରାଇଭର କହିଲା.... “ବିଶାଖା–ମହଲର ଗୋଲାପ-ବାଗ୍ ଅଞ୍ଜନଗଡ଼ରେ ଦିନେ ଥିଲା ମସୁର୍ ।” ଗୋଟାଏ ଦୀର୍ଘନିଃଶ୍ଵାସ ପକାଇ ଡ୍ରାଇଭର୍ ନୀରବ ହୋଇଗଲା ପାର୍ବତ୍ୟ ଉପତ୍ୟକାର ଢେଉଢେଉକା ପ୍ରାନ୍ତର ଭିତରେ ଏଠିସେଠି ଗୋଟାଏ ଗୋଟାଏ ଇଉକଲିପଟାସ୍ ଗଛ ଠିଆହୋଇଛି, ଏକ ବିସ୍ମୃତ କାଳର ଶେଷ ପ୍ରତିନିଧି ରୂପେ ।

 

ମୁଁ ପଚାରିଲି.... “ସେ ଗୋଲାପ ସବୁ ଗଲା କୁଆଡ଼େ ?”

 

“ମହାରାଜା ଏଇ ପାଲେସ୍ ଗଭର୍ଣ୍ଣମେଣ୍ଟକୁ ବିକ୍ରି କରିଦେବା ପରେ, ମାଳୀମାନେ ବିଦା ହୋଇଗଲେ । ଗୋଲାପ ବଞ୍ଚାଇବ କିଏ ? ମାଳୀ ସଂଖ୍ୟା ତ କମ୍ ନଥିଲେ । ”

 

ଦଳେ ଫରେନ୍ ଟୁରିଷ୍ଟ କାନ୍ଧରେ ଏଆର୍ ବାଗ୍, କାମେରା, ବାଇନୋକୁଲାର୍ ପ୍ରଭୃତି ଝୁଲାଇ ପୋର୍ଚ୍ଚରେ ରୁଣ୍ଡ ହୋଇଥିଲେ । ସେମାନଙ୍କୁ ଷ୍ଟେସନ୍ ଅଥବା ଏରୋଡ୍ରୋମକୁ ନେବା ପାଇଁ ଧାଡ଼ିବନ୍ଧା ଅପେକ୍ଷା କରିଥିଲା ଅଧଡ଼ର୍ଜନ ଆମ୍ବାସାଡ଼ାର । ମାତ୍ର ଧ୍ରୁପଦୀଶୈଳୀରେ ନିର୍ମିତ “ବିଶାଖା ମହଲର” ଗାଡ଼ି ବାରଣ୍ଡା ତଳେ ଆମ୍ବାସାଡ଼ାର ଗାଡ଼ିସବୁ ଦେଖାଯାଉଥିଲା ନିତାନ୍ତ ଅପାଙନ୍ତେୟ । ଗାଡ଼ି ବାରନ୍ଦାର ଗୋଲେଇ ସ୍ତମ୍ଭ ସବୁସୁଦ୍ଧା ରୋମାନ୍ ସ୍ଥାପତ୍ୟ ସ୍ମରଣ କରାଇଦିଏ-। କେବଳ ଧଳା ମାର୍ବଲ ଆଉ ମାର୍ବଲ । ପ୍ରାୟ ଦଶ, ବାରଟା ମାର୍ବଲ ପାହାଚ ଉଠିଯିବା ପରେ, ଉପର ବାରନ୍ଦାରେ ଦୁଇଟା ପ୍ରକାଣ୍ଡ କୋରିନ୍‍ଥିଆନ୍‍ ସ୍ଥାପତ୍ୟଶୈଳୀର ମାର୍ବଲ୍ ସ୍ତମ୍ଭ । ସ୍ତମ୍ଭ ଉପରେ ରୋମାନ୍‍ ଶୈଳୀର ଖିଲାଣ । ବାରନ୍ଦା ଡେଇଁଗଲେ ଖୋଲିଛି ରିସେପସନ୍ ପରେ କାଉଣ୍ଟର୍-। ବୋଧହୁଏ ବିଶାଖା-ମହଲ ଏକ ହୋଟେଲରେ ପରିଣତ ହେବା ଗୋଟାଏ କୋରିନ୍‍ଥିଆନ୍-। ଗୋଲାକାର ସ୍ତମ୍ଭର ପାଦଦେଶରେ ଖଣ୍ଡେ ମାର୍ବଲ ଫଳକରେ ଖୋଦିତ ହୋଇଛି ଅଭିଲେଖ... “ଟୁରିଜିମ୍ ମନ୍ତ୍ରଣାଳୟର ମାନ୍ୟବର ମନ୍ତ୍ରୀ... ଏହି ହୋଟେଲକୁ ଉଦ୍‍ଘାଟନ କରିଥିଲେ... ତାରିଖ... ସାଲରେ ।” ଭାରି ବେଖାପ ଦିଶୁଥିଲା ସେଇ କ୍ଷୁଦ୍ର ମାର୍ବଲ ଫଳକ । ସେହି ପୃଷ୍ଠଭୂମିରେ କୋରିନଥିଆନ୍ ସ୍ତମ୍ଭର ମୌନ ଉଦାସ ଗାମ୍ଭୀର୍ଯ୍ୟ ତାହାର ଆକିଞ୍ଚନତାକୁ ଯେପରି ଉପହାସ କରୁଥିଲା । ମହାରାଜା ରିପୁଦମନଙ୍କ ଆଶରୀରୀ ପ୍ରେତଚ୍ଛାୟା ଯେପରି ପଚାରୁଥିଲା... “ଅମରତ୍ଵର ମୂଲ୍ୟ କ’ଣ ସାମାନ୍ୟ ଖଣ୍ଡେ ମାର୍ବଲ ? କିଏ ବା ଆଜି ମନେ ରଖିଛି ମୋତେ ? ବିଶାଖା-ମହଲ, ଆଜି ମୋ’ ଅପେକ୍ଷା ଆହୁରି ପ୍ରସିଦ୍ଧ ।” ରିସେପ୍‍ସନ୍ କାଉଣ୍ଟର୍‍ କାନ୍ଥରେ ରାଷ୍ଟ୍ରନେତାଙ୍କ ସସ୍ମିତ ଫଟୋଗ୍ରାଫ୍... ସେଇ ଯେପରି ଏଇ ଇମାରତର ନିର୍ମାତା ମହାରାଜା ରିପୁଦମନ ନିର୍ବାସିତ ସେଠାରୁ । କିନ୍ତୁ ମହାରାଜା ରିପୁଦମନ, ଆତ୍ମହତ୍ୟା କଲେ କାହିଁକି ? ପୁଣି ସେଇ ଉତ୍ପୀଡ଼କ ଅସମାଧିତ ପ୍ରଶ୍ନ ।

 

॥ ଦୁଇ ॥

 

ବେଲ୍‍ବୟ ମୋ ଜିନିଷପତ୍ର ଧରି ଉପରକୁ ଉଠିଯାଇଥିଲେ । ରିସେପ୍‍ସନିଷ୍ଟ ମହିଳା ଓଠରେ ମୋଲାୟେମ ହସ ଫୁଟାଇ କହିଲେ... “ୱେଲ୍‍କମ୍ ସାର୍ । ଆପଣଙ୍କ ସୁଇଟ୍ ଫାଷ୍ଟ୍ ଫ୍ଲୋରରେ... ନମ୍ବର ଫିଫ୍‍ଟିନ୍ । ଏଇ ରେଜିଷ୍ଟରରେ...” ଭିଜିଟରରେ ମୋର ବିବରଣୀ ଓ ସ୍ଵାକ୍ଷର ଲିପିବଦ୍ଧ କରି ରିସେପସନ୍ କାଉଣ୍ଟର ସେପଟେ ସୁପ୍ରଶକ୍ତ ଲଞ୍ଜ୍‍ ଅତିକ୍ରମ କରି, ପୁଣି ଗୋଟାଏ ଚଉଡ଼ା ମାର୍ବଲ ଶିଡ଼ି ଉପରେ ଫାଷ୍ଟ୍ ଫ୍ଲୋରକୁ ଉଠିଯାଉଥିଲି କ୍ଷିପ୍ର ପାଦରେ । ଦୀର୍ଘ ରେଳଯାତ୍ରା ପରେ ମୋର ସେତେବେଳେ ପ୍ରୟୋଜନ ଥିଲା କପେ କଫି, ଆଉ ସମ୍ଭବ ହେଲେ ସକାଳର ଖବରକାଗଜ । ଅନ୍ୟ ସମୟ ହୋଇଥିଲେ, ଲଞ୍ଜ୍‍ କାନ୍ଥରେ ଝୁଲୁଥିବା ଅଞ୍ଜନଗଡ଼ର ପୂର୍ବ ମହାରାଜାମାନଙ୍କର ଅଏଲ୍ ପେଣ୍ଟିଙ୍ଗ୍ ମଧ୍ୟରେ ମହାରାଜା ରିପୁଦମନଙ୍କ ପ୍ରତିକୃତି ମୁଁ ଅନୁସନ୍ଧାନ କରିଥାନ୍ତି, ଅଳସଭାବରେ ଲଞ୍ଜରେ ବୁଲିବୁଲି ଦେଖିଥାନ୍ତି, ବିଶାଖା-ମହଲ ନିର୍ମିତ ହେବାବେଳେ, ତୃତୀୟ ଦଶକର ପିରିୟଡ଼୍ ଫର୍ଣ୍ଣିଚର । ଲଞ୍ଜ୍‍ ଭିତରେ ସମୟ ଯେପରି ଅର୍ଦ୍ଧଶତାବ୍ଦୀ ପଛାଇଯାଇଥିଲା । ମାତ୍ର ସେଥିପାଇଁ ସେତେବେଳେ ମୋର ମେଜାଜ୍ ନଥିଲା । ମୁଁ ତରତର ପାଦରେ ଶିଡ଼ି ସବୁ ଡେଇଁ ଡେଇଁ ଚାଲିଥିଲି । “ବିଶାଖା-ମହଲ”ରେ ଲିଫ୍ଟ ନ ଥିଲା । “ଟିକିଏ ଅପେକ୍ଷା କରିବେ ନାହିଁ ସାର୍ ?” ପଛକୁ ଫେରି ଚାହିଁଲି । ଏପରି ଅଭିଜାତ ମାର୍ବଲ ଶିଡ଼ିମାନଙ୍କୁ ଡେଇଁ ଡେଇଁ ଯିବା ଯେପରି ତାର ଗାମ୍ଭୀର୍ଯ୍ୟ ଓ ଆଭିଜାତ୍ୟକୁ କ୍ଷୁର୍ଣ୍ଣ କରୁଥିଲା ।

 

ସେତିକିବେଳେ ମୋର ପରିଚୟ ହୋଇଥିଲା, “ବିଶାଖା-ମହଲ”ର ଗାଇଡ୍ ଏମ୍ ଆଞ୍ଜନେପ୍‍ପା ସହିତ । କମିକ୍ କାର୍ଟୁନର ଚିତ୍ର । ପିନ୍ଧିଥିଲେ ଗୋଟାଏ ଢିଲା ବାଦାମୀ ରଙ୍ଗର ଟ୍ରାଉଜାର୍, ଇସ୍ତ୍ରୀଭଙ୍ଗା, ଓପନବ୍ରେଷ୍ଟ୍ କୋଟ୍–ଦୁଇକାନ୍ଧ ପାଖରେ କୋଟର ମାପ ସଙ୍କୁଚିତ ହୋଇଯାଇଥିବାରୁ ହାତ ଦୁଇଟା ମଣିବନ୍ଧର ପ୍ରାୟ ଇଞ୍ଚେ ଉପରକୁ ଉଠିଯାଇଥିଲା । ମାତ୍ର ସେ ତାହାକୁ ଢାଙ୍କି ରଖିଥିଲେ ତଳେ ଗୋଟାଏ ମଠାକୁର୍ତ୍ତାର ଢାଙ୍କୁଣିରେ ଅର୍ଥାତ୍‍ କୋଟ୍‍ଟା ଯେ ଅନାଦିକାଳର ପ୍ରଥମେ ଦେଖିଲେ ସହଜରେ ବୁଝାପଡ଼ୁ ନଥିଲା । ପାଦରେ ହଳେ ଧୂଳିଆ ଚଟି । କପାଳରେ ଭସ୍ମ ଚନ୍ଦନର ପୁଣ୍ଡରୀକ ବଳୀରେଖା ଉପରେ ଜରିଦାର୍‍ ଦକ୍ଷିଣୀ ପଗଡ଼ି । ଆଖିରେ ମୋଟା ଲେନ୍ସର ଚଷମା । ବୟସ କେତେ ? ହୋଇପାରେ ଷାଠିଏ ? ସତୁରୀ ହେବା ଅସମ୍ଭବ ନୁହେଁ । ଇଏ କ’ଣ କିଏ ଜ୍ୟୋତିଷ ? ପାମିଷ୍ଟ୍‍ ? ମୋତେ ଶିକାର ପାଇଛନ୍ତି ।

 

“ମୁଁ ସାର୍ ଗାଇଡ୍.... ଏମ୍. ଅଞ୍ଜନେପ୍‍ପା ।”

 

ଏତେ ସମୟ ଲକ୍ଷ୍ୟ କରିନଥିଲି, କୋଟ୍ ପକେଟ୍ ଉପରେ, ଖଣ୍ଡେ କଳା ପ୍ଲାଷ୍ଟିକ୍ ପଟିରେ ବଡ଼ ବଡ଼ ଧଳା ହରଫରେ ଲେଖା....ଏମ୍ . ଅଞ୍ଜନେପ୍‍ପା ।

 

ଅଞ୍ଜନେପ୍‍ପା କହିଲେ..... “କେବଳ ଅଞ୍ଜନେପ୍‍ପା କହିଲେ ଇ ଚଳିବ ସାର ।”

 

“କିନ୍ତୁ ମୁଁ ଆପଣଙ୍କର କ’ଣ କରିପାରେ ମିଷ୍ଟର୍ ଅଞ୍ଜନେପ୍‍ପା ? ମୋତେ ଅଟକାଇଲେ କାହିଁକି ?” …ପଚାରିଲି ଈଷତ୍ ବିରକ୍ତି ମିଶ୍ରିତ ଭଦ୍ରକଣ୍ଠରେ ।

 

ଅଞ୍ଜନେପ୍‍ପା ଉତ୍ତର ଦେଲେ.... “ଅନ୍ୟ ଗେଷ୍ଟ୍‍ମାନେ ଯେଉଁ ଭୁଲ୍‍ କରିଥାନ୍ତି; ଆପଣ ମଧ୍ୟ ସେଇଆ କରୁଛନ୍ତି । ମାଫ୍ କରିବେ ସାର୍ । ମୁଁ ଗାଇଡ୍ ତ ! ଆପଣଙ୍କୁ ସବୁ କଥା ଦେଖାଇ ନଦେଲେ ମୋର କର୍ତ୍ତବ୍ୟରେ ଅବହେଳା ହେବ ।”

 

“କିନ୍ତୁ କି ଭୁଲ୍‍ କଲି ମୁଁ ? ଆପଣ ବା କ’ଣ ଦେଖାଇବେ ମୋତେ ?”

 

ଅଞ୍ଜନେପ୍‍ପା ଗାଇଡ୍‍–ସୁଲଭ ଉଚ୍ଛ୍ଵସିତ କଣ୍ଠରେ କହିଚାଲିଥିଲେ “ଏଇ ମାର୍ବଲ ଶିଡ଼ି ତ ‘ବିଶାଖା-ମହଲ’ର ଶ୍ରେଷ୍ଠ ଦୌଲତ । ଫରେନ୍ ଟୁରିଷ୍ଟମାନେ ଅନେକ ଫଟୋ ଉଠାଇଥାନ୍ତି ଏଇ ଶିଡ଼ିର ।”

 

“କିନ୍ତୁ କାହିଁକି ? ଏଇଟା ତ ଗୋଟାଏ ମାମୁଲି ଶିଡ଼ି ମାତ୍ର । ଅବଶ୍ୟ ମାର୍ବଲର ।” ଶିଡ଼ି ପ୍ରତି ତାତ୍ସଲ୍ୟ, ଅଞ୍ଜନେପ୍‍ପା ବରଦାସ୍ତ କରିପାରିଲେ ନାହିଁ ।

 

ସେ କହିଲେ... “କଣ କହିଲେ ? ଏ ଗୋଟାଏ ମାମୁଲି ଶିଡ଼ି ? ଏ ଶିଡ଼ି କିନ୍ତୁ ଖଣ୍ଡିଏ ମାର୍ବଲ ପଥରରୁ ଖୋଳା । ଅନ୍ୟ ଶିଡ଼ିପରି ମାର୍ବଲରେ ମାର୍ବଲ ଯୋଡ଼ା ହୋଇ ଏ ଶିଡ଼ି ତିଆରି ହୋଇନାହିଁ । ଜଣେ ଫ୍ରେଞ୍ଚ୍ ଆର୍କିଟେକ୍ଟ....ଏ ଶିଡ଼ି ଭେନିସ୍‍ରୁ ଆଣି ଖଞ୍ଜିଥିଲେ ଏଠାରେ । ଆପଣ ପରୀକ୍ଷା କରି ଦେଖିପାରନ୍ତି, ଶିଡ଼ି ବାଡ଼ାର ଲତା, ଫୁଲ ପତ୍ର ସବୁ ସୁଦ୍ଧା ସେଇ ଖଣ୍ଡକ ପଥରରେ ଖୋଳା ହୋଇଛି । ଯୋଡ଼ାଯୋଡ଼ି କାମ ନାହିଁ ଏଥିରେ ।’’

 

ଅଞ୍ଜନେପ୍‍ପା ମୋତେ ଦୁଇହାତ ହଲାଇ ଡାକୁଥିଲେ ତଳକୁ ଓହ୍ଲାଇ, ଶିଡ଼ିଟା କିପରି ଖଣ୍ଡେ ମାର୍ବଲ ପଥରରୁ ଖୋଳାଯାଇ ତିଆରି ହୋଇଛି, ତାହାର ବିଭିନ୍ନ ଚାକ୍ଷୁଷ ପ୍ରମାଣ ଦେଖିବା ପାଇଁ । କିନ୍ତୁ ସେଥିପାଇଁ ସେତେବେଳେ ମୋର ସମୟ କିମ୍ବା ମାନସିକ ପ୍ରବୃତ୍ତି ନଥିଲା । ମାତ୍ର ଅଞ୍ଜନେପ୍‍ପା ତାଙ୍କ କର୍ତ୍ତବ୍ୟଜ୍ଞାନରେ ଅଟଳ । ଏପରି ଏକ ଅର୍ଦ୍ଧପାଗଳକୁ ହୋଟେଲ କର୍ତ୍ତୃପକ୍ଷ କାହିଁକି ଚାକିରିରେ ରଖିଛନ୍ତି, ବିସ୍ମିତ ହେଉଥିଲି ।

 

ଅଞ୍ଜନେପ୍‍ପା ଛାଡ଼ିବାର ପାତ୍ର ନୁହନ୍ତି । ସେ ମୋ’ ପଛେ ପଛେ ଶିଡ଼ିରେ ଉଠିଲାବେଳେ କହୁଥିଲେ “ଆମେରିକାର ଦୁଇଜଣ ଟୁରିଷ୍ଟ ଥରେ ମହାରାଜାଙ୍କୁ ପ୍ରସ୍ତାବ ପଠାଇଥିଲେ, ଯେକୌଣସି ମୂଲ୍ୟରେ ଏ ଶିଡ଼ିଟାକୁ ତାଡ଼ି ଆମେରିକା ନେଇଯିବା ପାଇଁ । ସେମାନେ ମଧ୍ୟ ପ୍ରସ୍ତୁତ ଥିଲେ, ନିଜ ବ୍ୟୟରେ ଏଠାରେ ଗୋଟାଏ ଲିଫ୍ଟ ଖଞ୍ଜିଦେବା ପାଇଁ ।”

 

“ମନ୍ଦ କଣ ? ନଟ ଏ ବ୍ୟାଡ୍‍଼ ବାରଗେନ୍ ।”

 

ଅଞ୍ଜନେପ୍‍ପା କହିଲେ... “ମହାରାଜାଙ୍କର ସେତେବେଳେ ଯେପରି ଅର୍ଥାଭାବ, ଅନ୍ୟ କେହି ହୋଇଥିଲେ ଆପତ୍ତି କରିନଥାନ୍ତା କିନ୍ତୁ ମହାରାଜା କ’ଣ ସେମାନଙ୍କୁ ଉତ୍ତର ପଠାଇଲେ ଜାଣନ୍ତି ?... ନେକ୍ସଟ୍‍ ଫ୍ଲାଇଟରେ ଅଞ୍ଜନଗଡ଼ ଛାଡ଼ି ଚାଲିଯିବା ପାଇଁ ।”

 

“ବାର ଲକ୍ଷ ଟଙ୍କା, ଟ୍ୟାକ୍‍ସ ଫ୍ରି ପ୍ରିଭିପର୍ସ ସତ୍ତ୍ୱେ, ମହାରାଜାଙ୍କର ଅର୍ଥାଭାବ ଥିଲା ? କ’ଣ କହୁଛନ୍ତି ମିଷ୍ଟର୍‍ ଅଞ୍ଜନେପ୍‍ପା ?”

 

ଅଞ୍ଜନେପ୍‍ପା ଉତ୍ତର ଦେଲେ...“ଆପଣ ବୁଝିପାରିବେ ନାହିଁ, ମହାରାଜା ରିପୁଦମନଙ୍କ ଅର୍ଥାଭାବ ଥିଲା କିପରି ଉତ୍କଟ ।”

 

.....“ଏଇଟା ଥିଲା ଦରବାର ହଲ୍ ।”

 

ଶିଡ଼ି ଶେଷରେ ଗୋଟାଏ ବାରନ୍ଦା ଅତିକ୍ରମ କରିବା ପରେ ଏକ ପ୍ରକାଣ୍ଡ ହଲ୍ । ସୁନେଲି କାମକରା ଛାତରୁ ଝୁଲୁଥିଲା ଅନେକଗୁଡ଼ାଏ ସାଣ୍ଡେଲିଅର–କାନ୍ଥରେ ୧୮ଶ–୧୯ଶ ଶତାବ୍ଦୀର ଅନେକ ବ୍ଲାକ୍ ଆଣ୍ଡ୍ ହ୍ୱାଇଟ୍ ପେଣ୍ଟିଙ୍ଗ୍ । ଅଞ୍ଜନେପ୍‍ପା ପ୍ରସ୍ତୁତ ଥିଲେ ପ୍ରତ୍ୟେକଟି ଛବି ମୋତେ ବୁଲାଇ ବୁଲାଇ ଦେଖାଇବା ପାଇଁ । ଏ ଛବିଟା ଦେଖନ୍ତୁ ସାର୍–ଏ ଜାଁ ଫାଁସୋ ମିଲେଟ୍‍ଙ୍କର ପ୍ରସିଦ୍ଧ ଛବି “ଦି ସେ ଅର” । ଆଉ ଏଇଟା ହୁଇସଲରଙ୍କର.... ଏସବୁ ଅରିଜିନାଲ ସାର୍‍ । ମହାରାଜା ୟୁରୋପରୁ ନିଜେ ବାଛି ବାଛି କିଣିଥିଲେ ଏ ସବୁ ପେଣ୍ଟିଙ୍ଗ୍ । ଆମେରିକାନ୍‍ମାନେ...”

 

ଦୀର୍ଘ ରେଳଯାତ୍ରାପରେ କଳାଚର୍ଚ୍ଚା ପାଇଁ ମୋର ସେତେବେଳେ ମାନସିକ ଅବସ୍ଥା ନଥିଲା । ପୁଣି ଅଞ୍ଜନେପ୍‍ପା ପରି ଏକ ବାବଦୂକର ସାନ୍ନିଧ୍ୟରେ ।

 

ମୁଁ କହିଲି...“ମିଷ୍ଟର ଅଞ୍ଜନେପ୍‍ପା, ମିଲେଟ୍‍, ହୁଇସଲର ଆଉ ମହାରାଜା ରିପୁଦମନଙ୍କ ପରିବର୍ତ୍ତେ ମୋର ପ୍ରୟୋଜନ ବର୍ତ୍ତମାନ କପେ କଫି ଆଉ ମିଳେ ଯଦି ସକାଳର ଖବରକାଗଜ ।”

 

“ନିଶ୍ଚୟ: ନିଶ୍ଚୟ: ଏ ସବୁ ଆପଣ ବରଂ ପରେ ଲିଜରଲି ଆରମରେ ବୁଲି ବୁଲି ଦେଖିବେ । ଏଇ ବାଁ ପାଖ କରିଡ଼ରରେ ରୁମ୍‍ ନମ୍ବର ଫିଫ୍‍ଟିନ୍ ”

 

ରୁମ୍‍ ଭିତରେ ଅଞ୍ଜନେପ୍‍ପା ମୋ’ ଆଗେ ଆଗେ ଆସି ଗୋଟାଏ ଚଉଡ଼ା ବେ–ଉଇଣ୍ଡୋର ଭେଲଭେଟ୍‍ ପର୍ଦ୍ଦା ସବୁ ଦୁଇହାତରେ ଘୁଞ୍ଚାଇଦେଇ କହିଲେ.....“ଏଇ ସୁଇଟ୍‍ର ବିଶେଷତ୍ଵ ଆପଣ ଏଠାରୁ ଦେଖିପାରିବେ କୁମାରୀ ହିଲ୍‍ସ ଉପରେ ମହାମାୟାଙ୍କ ମନ୍ଦିର । ଫରେନ୍ ଟୁରିଷ୍ଟମାନେ ଭାରୀ ତାରିଫ୍ କରିଥାନ୍ତି ଏଇ ସୁଇଟ୍‍ଟାର ।”

 

ମୋର କ’ଣ ପରିତ୍ରାଣ ନାହିଁ, ଅଞ୍ଜନେପ୍‍ପାଠାରୁ ? ଅଞ୍ଜନେପ୍‍ପା ହୋଟେଲର ଇଣ୍ଟରନଲ ଟେଲିଫୋନରେ ଅର୍ଡ଼ର ଦେଉଥିଲେ... “ସୁଇଟ୍‍ ନମ୍ବର ପନ୍ଦରକୁ ପଠାଇଦିଅ କଫି ଆଉ ଖବରକାଗଜ ।”

 

ଅନେକ ସମୟପରେ ଅଞ୍ଜନେପ୍‍ପା ଗୋଟାଏ ବୁଦ୍ଧିମାନର କାର୍ଯ୍ୟ କରିଥିଲେ ।

 

ଲମ୍ବା ବାଳ, ଜୁଲଫି ଆଉ ଫ୍ଲେଆର ପିନ୍ଧା ଜଣେ ତରୁଣ ବେଲ୍‍ବୟ ଗୋଟିଏ ଟ୍ରେ’ରେ ଆଣିଦେଇଥିଲା କଫି ସରଞ୍ଜାମ ଆଉ ଖବରକାଗଜ ।

 

ମୁଁ ସ୍ଵସ୍ତିକ ଦୀର୍ଘଶ୍ଵାସ ପକାଇଲି । ଏମ୍. ଅଞ୍ଜନେପ୍‍ପା ଯେପରି ଆକସ୍ମିକଭାବରେ ମୋ’ ଉପରେ ଆକ୍ରମଣ କରିଥିଲେ, ସେହିପରି ଆକସ୍ମିକଭାବରେ ବିଦାୟ ନେଇ ଚାଲିଗଲାବେଳେ କହିଲେ.... “ଆପଣ ରିଲାକ୍ସ କରନ୍ତୁ ସାର୍ । ଏଇ ଟେଲିଫୋନରେ ମୋତେ ଖବର ଦେଲେ, ମୁଁ ଆସି ପହଞ୍ଚିଯିବି । ଆର୍ଟ ୟୋର୍ ଲିଜର୍‍ ।”

 

ଅଞ୍ଜନେପ୍‍ପା ଚଟି ଘୋଷାଡ଼ି ଘୋଷାଡ଼ି ଚାଲିଗଲେ । ରୁମ୍‍ କିପରି–ଜଣେ ଭଦ୍ରମହିଳା–ଭିତରକୁ ଆସି ପବ୍ଲିକ୍‍ ସ୍କୁଲ୍‍ସୁଲଭ ଇଂରାଜୀ ଉଚ୍ଚାରଣରେ ପଚାରିଲେ “ଆଶା କରେ, ଏ ସୁଇଟରେ ଆପଣଙ୍କର କୌଣସି ଅସୁବିଧା ହେଉ ନାହିଁ ସାର୍ ।’

 

କଫି କପରେ ଗୋଟାଏ ଚୁମୁକ୍ ଦେଇ କହିଲି.....“ଧନ୍ୟବାଦ । କିନ୍ତୁ ଏଇ ଅଞ୍ଜନେପ୍‍ପା ଲୋକଟି କିଏ ? ମୋର ମନେହୁଏ ଲୋକଟାର ମୁଣ୍ଡରେ ଛିଟ ଅଛି ।’

 

ଭଦ୍ରମହିଳାଙ୍କ ପରେ ବିଦ୍ରୂପର କୁଞ୍ଚନ । ସେ ସ୍ମିତ ହସି ଉତ୍ତର ଦେଲେ.....“ମିଷ୍ଟର ଅଞ୍ଜନେପ୍‍ପା ହୋଟେଲର ଗାଇଡ୍ ।

 

“କିନ୍ତୁ ହୋଟେଲ କର୍ତ୍ତୃପକ୍ଷ କ’ଣ ଆଉ ଉପଯୁକ୍ତ ଲୋକ ପାଇଲେ ନାହିଁ ।”

 

“ମହାରାଜା ଏ ପାଲେସ ବିକ୍ରି କଲାବେଳେ, ସର୍ତ୍ତ ରଖିଥିଲେ, ମୃତ୍ୟୁ ଅଥବା ସ୍ଵେଚ୍ଛାରେ ଅବସର ନେବା ପର୍ଯ୍ୟନ୍ତ ଅଞ୍ଜନେପ୍‍ପାଙ୍କୁ ହୋଟେଲର କେଆର୍‍ ଟେକର୍‍ ବା ଅନ୍ୟ ଯେକୌଣସି ଗୋଟାଏ ଚାକିରିରେ ରଖିବା ପାଇଁ ପଡ଼ିବ । ତାଙ୍କୁ ସେଥିପାଇଁ ନାମକୁ ମାତ୍ର ରଖାଯାଇଛି ଗାଇଡ଼୍‍ ଚାକିରିରେ । ଏ ପାଲେସ୍ ତିଆରି ହେବା ଦିନୁ; ମହାରାଜା ତାଙ୍କୁ କେଆର୍‍ ଟେକର୍‍ ପଦରେ ରଖିଥିଲେ । ସେ ମଧ୍ୟ ଏଇ ହୋଟେଲର ଯେପରି ଗୋଟାଏ ପୁରୁଣା ଫର୍ଣ୍ଣିଚର । ଭଦ୍ରମହିଳା ନିଜର ରସିକତାର ସ୍ମିତ ହସି, ବିଦାୟ ନେଇ ଚାଲିଗଲେ ।

 

ମାତ୍ର ଯାଉଯାଉ ଭଦ୍ରମହିଳା ପର୍ଦ୍ଦା ପାଖରେ ଅଟକିଯାଇ ପଛକୁ ଫେରି ଚାହିଁ ପଚାରିଲେ... “ଅଞ୍ଜନେପ୍‍ପାଙ୍କ ଲାଗି ଆପଣଙ୍କର କୌଣସି ଅସୁବିଧା ହେଉନାହିଁ ନିଶ୍ଚୟ । ଲୋକଟି ବଡ଼ ଇଣ୍ଟ୍ରେଷ୍ଟିଙ୍ଗ୍‍ । ଫରେନ୍ ଗେଷ୍ଟମାନେ ତାଙ୍କର ଅନେକ ତାରିଫ କରିଥାନ୍ତି ।

 

ମୁଁ ସେତେବେଳେ ଖବରକାଗଜଟା ଆଖି ଆଗରେ ମେଲାଇ ଧରି ଶିରୋନାମାଗୁଡ଼ିକ ଉପରେ ଆଖି ବୁଲାଉଥିଲି । ଅଞ୍ଜନେପ୍‍ପାଙ୍କ ପ୍ରସଙ୍ଗ ସେତେବେଳେ ମୋର ଭାବନା ବା ଚିନ୍ତାରେ ନଥିଲା ।

 

ସେ ନିର୍ଜନ, ନିସ୍ତବ୍ଧ ପ୍ରାସାଦରେ ମହାରାଜା ରିପୁଦମନଙ୍କ ପ୍ରେତ ଗୋଟିଏ ଅନ୍ଧ ବାଦୁଡ଼ି ପରି, ଡେଣା ଝାଡ଼ି ଯେପରି ବୁଲୁଥିଲା । ମୁଁ ଅସ୍ଵସ୍ତି ବୋଧ କରୁଥିଲି ।

 

।। ତିନି ।।

 

ଫିକାନୀଳ ପୋର୍ସିଲେନ୍‍ ଆକାଶର ପୃଷ୍ଠଭୂମିରେ କୁମାରୀ ପର୍ବତମାଳାର ଢେଉଢ଼େଉକା, ଲୀଳାୟିତ ବିସ୍ତାର ଆଡ଼େ ଗତ ଦୁଇଦିନ ଧରି ଚାହିଁ ଚାହିଁ ମୁଁ କ୍ଳାନ୍ତ ହୋଇଉଠିଥିଲି-। ମିଷ୍ଟର୍‍ ଅଞ୍ଜନେପ୍‍ପା ଅନାହୂତ, ଅବାଞ୍ଛିତ ଭାବରେ, ଇତିମଧ୍ୟରେ ମୋତେ ବିଶାଖା-ମହଲର କୋଣ କୋଣ ବୁଲାଇ, ପ୍ରତ୍ୟେକଟି ଚାଣ୍ଡେଲିଆର, ପେଣ୍ଟିଙ୍ଗ୍‍ଠାରୁ ଆରମ୍ଭ କରି, ଫର୍ଣ୍ଣିଚର ପର୍ଯ୍ୟନ୍ତ ଦେଖାଇ, ସେ ସବୁର ଇତିହାସ ବର୍ଣ୍ଣନା କର୍ତ୍ତବ୍ୟ ସମ୍ପାଦନା କରିସାରିଥିଲେ । ବିଶାଖା–ମହଲର ଯେଉଁ ମଧ୍ୟଯୁଗୀୟ ପରିବେଶ ଉପଭୋଗ କରିବା ପାଇଁ ମୁଁ ଏତେଦୂର ଆସିଥିଲି, ତାହା କ୍ଳାନ୍ତିକର ହୋଇଉଠିଥିଲା ।

 

ବିଶାଖା–ମହଲ ଗୋଟାଏ ସ୍ଵପ୍ନିଳ କିନ୍ତୁ ବିସ୍ମୃତ ଅତୀତ ।

 

ଅଞ୍ଜନେପ୍‍ପାଙ୍କ ସହିତ କାଲି ଅପରାହ୍ନରେ ବିଶାଖା-ମହଲର ଗୋଟାଏ ମୃତ ଉଦ୍ୟାନ ଭିତରେ ବୁଲିଲାବେଳେ ସେ ମୋତେ କହିଥିଲେ.... “ଜାଣନ୍ତି ସାର୍, ଦିନକ ପାଇଁ ସୁଦ୍ଧା ମହାରାଜା ରିପୁଦମନ ରହିନଥିଲେ ଏଠାରେ ।”

 

“ତା’ହେଲେ ଏତେ ସୁନ୍ଦର ପାଲେସ୍‍ଟାଏ ସେ ତିଆରି କରିଥିଲେ କାହିଁକି ?”

 

“ବିଶାଖା-ମହଲ ଥିଲା ଗେଷ୍ଟ୍ ହାଉସ୍ ।”

 

ତା’ପରେ କେଉଁ ବର୍ଷ, କେଉଁ ରେସିଡ଼େଣ୍ଟ୍‍, କେଉଁ ଭାଇସରାୟ, କେଉଁ ଇଂରେଜ ଲେଖକ, ସାମ୍ବାଦିକ ଆସି ଏଠାରେ ଅତିଥି ହୋଇଥିଲେ ମିଷ୍ଟର୍‍ ଅଞ୍ଜନେପ୍‍ପା ଦେଇ ବସିଲେ ତା’ର ଗୋଟାଏ ଧାରାବାହିକ ବିବରଣୀ । ସେ ସବୁ ତାଙ୍କ ନଖ ଦର୍ପଣରେ ।

 

“ମୁଁ କେଆର୍‍ ଟେକର୍‍ ଥିଲି ତ । ସେତେବେଳେ ସବୁ ଝଞ୍ଜଟ ମୋରି ଉପରେ ।” ମିଷ୍ଟର ଅଞ୍ଜନେପ୍‍ପାଙ୍କ ଶୀର୍ଣ୍ଣ ମୁହଁର କଠୋର ରେଖାସବୁ ଆତ୍ମପ୍ରସାଦରେ ଉଜ୍ଜ୍ୱଳ ଓ କୋମଳ ।

 

“କିନ୍ତୁ ମିଷ୍ଟର ଅଞ୍ଜନେପ୍‍ପା ଆପଣ କଣ ଅସ୍ଵୀକାର କରିବେ, ଅଞ୍ଜନଗଡ଼ର ଅନେକ ଲହୁ ଲୁହ ଉପରେ ଗଢ଼ା, ଏଇ ବିଶାଖା-ମହଲ ପାଲେସ୍ । ଶୋଷଣ, ଲୁଣ୍ଠନର ଏଇପରି ଗୋଟାଏ ଇମାରତକୁ ସରକାର ଦେଢ଼ କୋଟି ଟଙ୍କା ମୂଲ୍ୟ ଦେଇ କିଣିବା, ଗୋଟାଏ ଅପରାଧ..... ଆପଣ କ’ଣ ଅସ୍ଵୀକାର କରିବେ ମିଷ୍ଟର ଅଞ୍ଜନେପ୍‍ପା ?”

 

ଅଞ୍ଜନେପ୍‍ପାଙ୍କ ମୁହଁର ରେଖା ସବୁ କଠୋର ହୋଇଉଠିଲା । ମୁଁ ଅପେକ୍ଷା କରିଥିଲି ତାଙ୍କଠାରୁ ଗୋଟାଏ ବିସ୍ଫୋରଣ । ସେ କିନ୍ତୁ କଣ୍ଠସ୍ଵର ଯଥାସମ୍ଭବ କୋମଳ କରି କହିଲେ “ଆମେ ଅତୀତକୁ ଶ୍ରଦ୍ଧା କରୁ, ଆମର ଶୈଶବ ପରି’–କାରଣ ତାହା ଆଉ ଫେରିବାର ନୁହେଁ । ତା’ର ନେପଥ୍ୟରେ ଥାଇପାରେ, ବହୁ ଲହୁ ଆଉ ଲୁହ, ମାତ୍ର ବର୍ତ୍ତମାନରେ ସେସବୁ ପରିଣତ ହୋଇଛି ସୌନ୍ଦର୍ଯ୍ୟରେ ।”

 

ଅଞ୍ଜନେପ୍‍ପା ତା’ହେଲେ କେବଳ କେଆର୍‍ ଟେକର୍‍, ଗାଇଡ଼୍‍ ନୁହନ୍ତି.... ଦାର୍ଶନିକ ମଧ୍ୟ-। ଅଞ୍ଜନେପ୍‍ପାଙ୍କ ଯୁକ୍ତି ଅକାଟ୍ୟ ।

 

ପିଆନୋ ରୀଡ଼ ଉପରେ ଆଙ୍ଗୁଠି ଚଲାଇ ନେବା ପରି, ଜୋରରେ ବେଲ୍‍ ଟୁଂ ଟାଂ ଶବ୍ଦ କରି ବାଜି ଉଠିଲା । ଭିତରୁ କବାଟ ଫିଟାଇବା ମାତ୍ରେ ବ୍ଳୁ ଜରିଦାର୍ ପଗଡ଼ିଟା ଗଳାଇ ମିଷ୍ଟର ଅଞ୍ଜନେପ୍‍ପା ପଚାରିଲେ..... “ମୁଁ ଭିତରକୁ ଆସିପାରେ ସାର୍ ? ଆପଣଙ୍କ ବିଶ୍ରାମରେ ବ୍ୟାଘାତ ଦେଲି ନାହିଁ ତ ?”

 

ପୁଣି ଅଞ୍ଜନେପ୍‍ପା ! କିନ୍ତୁ ସେତେବେଳର ବିରକ୍ତିକର, କ୍ଳାନ୍ତିପ୍ରଦ ମୁହୂର୍ତ୍ତରେ ପ୍ରୟୋଜନ ଥିଲା ଅଞ୍ଜନେପ୍‍ପାଙ୍କ ସାନ୍ନିଧ୍ୟ ।

 

ମୁଁ କହିଲି....“ସ୍ଵାଗତମ୍ ଅଞ୍ଜନେପ୍‍ପା ।”

 

ଅଞ୍ଜନେପ୍‍ପାଙ୍କ ଗୋଟାଏ ସୋଫା ଉପରେ ବସିପଡ଼ି, ଉଦାସ ଦୃଷ୍ଟିରେ ଚାହିଁ ରହିଲେ କୁମାରୀ ପର୍ବତମାଳା ଆଡ଼େ । ଏଠାରେ ମୋର ରହଣି ଶେଷ ! ମୁଁ କାଲି ଚାଲିଯିବି । ସେଥିପାଇଁ ସମ୍ଭବତଃ ସେ ଆସିଥିଲେ ମୋ’ଠାରୁ ବିଦାୟ ନେବାପାଇଁ ।

 

ଅଞ୍ଜନଗଡ଼ରେ ପାଦ ଦେବାବେଳୁ ଯେଉଁ ପ୍ରଶ୍ନଟା ମୋତେ ଉତ୍ପୀଡ଼ିତ କରି ରଖିଥିଲା, କିନ୍ତୁ ଯେଉଁ ପ୍ରଶ୍ନଟା ବେଆଦବୀ ଭୟରେ ମୁଁ କାହାକୁ ଏ ପର୍ଯ୍ୟନ୍ତ ପଚାରିପାରୁ ନଥିଲି, ଏବେ ପଚାରି ଦେଲି... “ମହାରାଜା ରିପୁଦମନ ଆତ୍ମହତ୍ୟା କଲେ କାହିଁକି ?”

 

ଅଞ୍ଜନେପ୍‍ପାଙ୍କ ଆଖିଦୁଇଟା ପଥରରେ ଖୋଳା ଆଖିପରି କଠୋର ନିସ୍ପନ୍ଦ ହୋଇ ଉଠିଲା । ସେ ବୋଧହୁଏ ମୋ’ଠାରୁ ଏପରି ଗୋଟାଏ ଆକସ୍ମିକ ପ୍ରଶ୍ନ ଆଶା କରନଥିଲେ । ସେ ପଚାରିଲେ...ଓ । ସେ ଖବର ତା’ହେଲେ ବାଜିଲାଣି ଆପଣଙ୍କ କାନରେ ?”

 

“କିନ୍ତୁ କାହିଁକି ?”

 

“ଅର୍ଥାଭାବ”...ମିଷ୍ଟର ଅଞ୍ଜନେପ୍‍ପାଙ୍କ ସଂକ୍ଷିପ୍ତ ଉତ୍ତର ।

 

ସଶରୀରେ ଗୋଟାଏ ଭୂତ ସେତେବେଳେ ସେଠାରେ ଦେଖିଥିଲେ, ମୁଁ ବୋଧହୁଏ ଚମକିଉଠି ନଥାନ୍ତି ।

 

ମହାରାଜ ରିପୁଦମନଙ୍କ ଅର୍ଥାଭାବ ? ତାଙ୍କ ପ୍ରିଭୀପର୍ସର ବାର୍ଷିକ ପରିମାଣ ବାରଲକ୍ଷ ଟଙ୍କା ବୋଲି ଶୁଣୁଛି ।”

 

“ଟ୍ୟାକ୍ସ ଫ୍ରି । କିନ୍ତୁ ପ୍ରିଭୀପର୍ସ ଥିଲାବେଳେ ସୁଦ୍ଧା ପ୍ରତିବର୍ଷ ମହାରାଜା ସମ୍ପତ୍ତି ବିକ୍ରିକରି ଚାଲିଥିଲେ । ଏ–ଡ଼ି–କମ୍ ମୋହନ ସିଂ ଥିଲା ଏକ ଦଲାଲ । ଯେଉଁ ସମ୍ପତ୍ତିକୁ ସେ ବିକ୍ରିକରେ ପାଞ୍ଚଲକ୍ଷ ମୂଲ୍ୟରେ, ମହାରାଜାଙ୍କୁ ଦେଖାଏ ବିକ୍ରି ହୋଇଛି ତିନିଲକ୍ଷରେ । ସେଇ ଟଙ୍କାରେ ଏବେ ଅଞ୍ଜନଗଡ଼ରେ ମୋହନ ସିଂର ପାଲେସ୍‌ ।”

 

ମୁଁ କହିଲି....“କିନ୍ତୁ ମହାରାଜା ରିପୁଦମନ, ଶୁଣିଛି ଅନ୍ୟ ରାଜା ରାଜୋଡ଼ାଙ୍କ ପରି ନଥିଲେ । ଜୀବନରେ କାଳେ ସେ ମଦ ତ ମଦ, ସିଗାରେଟ୍ ସୁଦ୍ଧା ଛୁଇଁ ନଥିଲେ । ନାରୀ, ନାଇଟ୍‌କ୍ଳବଠାରୁ ସେ ଥିଲେ ବହୁଦୂରରେ । ଶାସ୍ତ୍ରଚର୍ଚ୍ଚା, ସଂଙ୍ଗୀତ ମଧ୍ୟରେ କଟିଥିଲା ତାଙ୍କର ଜୀବନ । ତା’ହେଲେ ପ୍ରତିବର୍ଷ ସମ୍ପତ୍ତି ବିକ୍ରିକରି ଚାଲିଥିଲେ କାହିଁକି ?”

 

ମିଷ୍ଟର ଅଞ୍ଜନେପ୍‌ପା ଉତ୍ତର ଦେଲେ... “ମହାରାଜାଙ୍କର ପର୍ସନାଲ ଷ୍ଟାଫ୍ ଥିଲେ ସହସ୍ରାଧିକ ଆଠଟା ପାଲେସ୍‌ରେ । ଥିଲେ ଦୁଇଶହ ପାଲେସ୍‌ଗାର୍ଡ଼ ଆଉ ସେମାନଙ୍କ କମାଣ୍ଡିଙ୍ଗ୍ ଅଫିସର, ସେକ୍ରେଟାରୀ, ପର୍ସନାଲ ଆସିଷ୍ଟାଣ୍ଟ୍, ଦୁଇଜଣ ଏ. ଡ଼ି. କମ୍... ରାଜ୍ୟ ଥିଲାବେଳେ ଏମାନେ ଥିଲେ ଯେପରି, ରାଜ୍ୟ ଗଲାପରେ ସୁଦ୍ଧା ଥିଲେ ସେଇପରି । ଏମାନଙ୍କ ବ୍ୟତୀତ ଥିଲେ ଅନେକ ଶାସ୍ତ୍ରଜ୍ଞ ପଣ୍ଡିତ । ଭାରତର ବଡ଼ ବଡ଼ ସଙ୍ଗୀତଜ୍ଞମାନେ ପ୍ରତିବର୍ଷ ଆସୁଥିଲେ, ଦଶହରା ଉତ୍ସବରେ ମହାରାଜାଙ୍କ ଦରବାରରେ ସଙ୍ଗୀତ ସମ୍ମିଳନୀ ପାଇଁ । ରାଜ୍ୟ ଥିବାବେଳେ, ଏଥିପାଇଁ ବ୍ୟୟ ହେଉଥିଲା ଷ୍ଟେଟ୍‍ ଟ୍ରେଜେରୀରୁ । କିନ୍ତୁ ରାଜ୍ୟ ଯିବାପରେ, ମହାରାଜ ନିଜ ପ୍ରିଭୀପର୍ସରୁ ଏ ସବୁର ବ୍ୟୟ ବହନ କରୁଥିଲେ । ସେଥିପାଇଁ ତ ପ୍ରତିବର୍ଷ ବିକ୍ରି କରିବାକୁ ପଡ଼ୁଥିଲା ସମ୍ପତ୍ତି ।”

 

ମୋ’ ଆଖି ଆଗରେ ଭାସି ଉଠିଲା ମହାରାଜ ରିପୁଦମନଙ୍କ ଚିତ୍ର…ପରିବର୍ତ୍ତନଶୀଳ କାଳର ଘୂର୍ଣ୍ଣି ମଧ୍ୟରେ ଅପରିବର୍ତ୍ତନୀୟ, ଅନମନୀୟ ଶିଳାଖଣ୍ଡ । କିନ୍ତୁ ତାହା ଅକ୍ଷତ ରହିପାରନ୍ତା କେତେକାଳ ?

 

ଅଞ୍ଜନେପ୍‌ପା କହି ଚାଲିଥିଲେ..... “ଅଞ୍ଜନଗଡ଼ର ଦଶହରା ଉତ୍ସବ, ଏକ ଦକ୍ଷଯଜ୍ଞ ବ୍ୟାପାର । ଦଶଦିନ ଉତ୍ସବରେ କେବଳ ଖର୍ଚ୍ଚ ହେଉଥିଲା ପ୍ରାୟ ଦୁଇଲକ୍ଷ ଟଙ୍କା । ସେ ବର୍ଷ କିନ୍ତୁ ଯୁବରାଜ ଜିଦ୍ ଧରିଲେ ଦଶହରାରେ କେବଳ ପୂଜା ବ୍ୟତୀତ, ଉତ୍ସବରେ ଅନ୍ୟ ସବୁ ଅନୁଷ୍ଠାନ ବନ୍ଦ କରିବା ପାଇଁ ପଡ଼ିବ । ଯୁବରାଜଙ୍କର ଝୁଙ୍କ ଫିଲ୍ମରେ । ଯେଉଁ ଟଙ୍କା ସେ ଖଟାଇପାରନ୍ତେ ଫିଲିମିରେ, ଏପରି ଭାବରେ ତା’ର ଅପବ୍ୟୟ, ସେ ବରଦାସ୍ତ କରିପାରୁ ନଥିଲେ ।”

 

“ତା’ପରେ ଆଉ କ’ଣ ? ସେଇଥିରୁ ବାପପୁଅଙ୍କ ମଧ୍ୟରେ ଝଗଡ଼ା । ଯୁବରାଜଙ୍କ ଜିଦ୍ ପର୍ସନାଲ ପାଲେସ୍ ଷ୍ଟାଫ୍, ଏ, ଡ଼ି, କମ୍, ପାଲେସ୍ ଗାର୍ଡ଼, ପଣ୍ଡିତ, ସଙ୍ଗୀତଜ୍ଞ, ଏ ସମସ୍ତଙ୍କୁ ବିଦାୟ ଦେବାପାଇଁ ପଡ଼ିବ । ଏମାନଙ୍କ ପାଇଁ ସର୍ବସ୍ଵ ବ୍ୟୟ, ସେ ଆଉ ବରଦାସ୍ତ କରିପାରୁ ନଥିଲେ ।”

 

ମହାରାଜା କିନ୍ତୁ ଅବିଚଳିତ । ତାଙ୍କର ସଂକ୍ଷିପ୍ତ ଉତ୍ତର.... “ଏ ପର୍ଯ୍ୟନ୍ତ ଯାହା ଯେପରି ଚଳିଆସିଛି, ସେଇପରି ଚଳିବ । ତାଙ୍କ ଅନ୍ତେ, ଯାହା ହେବାର ହେଉ, ସେଥିରେ ତାଙ୍କର ଆପତ୍ତି ନାହିଁ ।”

 

ସେଇ ବର୍ଷ ମହାରାଜ ବିକ୍ରି କଲେ “ବିଶାଖା-ମହଲ” ପାଲେସ୍ ।

 

ପାଲେସ ବିକ୍ରିପରେ, ଯୁବରାଜ କୋର୍ଟରେ ମୋକଦ୍ଦମା କଲେ... ମହାରାଜାଙ୍କ ମସ୍ତିଷ୍କ ବିକୃତ । କୁମନ୍ତ୍ରଣାରେ ପଡ଼ି ପୂର୍ବପୁରୁଷମାନଙ୍କ ପୂର୍ବାର୍ଜିତ ସମ୍ପତ୍ତି ସେ ବିକ୍ରିକରି ଚାଲିଛନ୍ତି ।

 

ବିଶାଖା-ମହଲ ପାଲେସ୍ ବିକ୍ରି ଯୁବରାଜ କୋର୍ଟ ଆଶ୍ରୟରେ ବନ୍ଦ କରିପାରିଲେ ନାହିଁ, କାରଣ ବିଶାଖା-ମହଲ ଥିଲା ମହାରାଜାଙ୍କର ସ୍ଵପାର୍ଜିତ ସମ୍ପତ୍ତି । କିନ୍ତୁ କେତେଟା କଫି ପ୍ଲାଣ୍ଟେସନ୍ ବିକ୍ରି ପାଇଁ ଯେଉଁ କଥାବାର୍ତ୍ତା ଚାଲିଥିଲା, କୋର୍ଟପକ୍ଷରୁ ତା’ ଉପରେ ଜାରୀ ହୋଇଗଲା ଇଞ୍ଜେକ୍‌ସନ୍‌ । କୋର୍ଟରେ ହାଜର ହୋଇ ଯୁବରାଜଙ୍କ ଅଭିଯୋଗର ଉତ୍ତର ଦେବାପାଇଁ ମହାରାଜାଙ୍କ ଉପରେ ଜାରୀହେଲା ଯଥାବିଧି ସମନ୍ । ଯେଉଁଦିନ ମହାରାଜା କୋର୍ଟରେ ହାଜର ହେବାକଥା ତା’ର ପୂର୍ବ ରାତିରେ ଅତ୍ୟଧିକ ସ୍ଲିପିଂ ଡ୍ରଗ୍ସ ଖାଇ ମହାରାଜା କଲେ ଆତ୍ମହତ୍ୟା ।

 

ଝରକା ବାହାରେ ସେତେବେଳକୁ ବୁଲି ଆସିଥିଲା ସନ୍ଧ୍ୟାର ପ୍ରଲେପ । କୁମାରୀ ପର୍ବତମାଳା ଦେଖାଯାଉଥିଲା ଗୋଟାଏ ମୃତ ଡାଇନୋସାରର ଶବପିଣ୍ଡପରି ।

 

ଅଞ୍ଜନେପ୍‌ପା ଯେପରି ଆକସ୍ମିକ ଭାବରେ ଆସିଥିଲେ, ସେଇପରି ଆକସ୍ମିକ ଭାବରେ ଉଠିଗଲେ । ତାଙ୍କ କଣ୍ଠସ୍ଵର ବେଦନାରେ ଭାରୀ । ସେ କହିଲେ... “ମହାରାଜା ମୋର ଅନ୍ନଦାତା । ତାଙ୍କ କଥା ଏଇ ସନ୍ଧ୍ୟାରେ ସ୍ମରଣ କରି ପ୍ରକୃତରେ ମୋର ଭାରୀ ଦୁଃଖ ହେଲା ସାର୍ ।”

 

“କ୍ଷମା କର ମିଷ୍ଟର୍‍ ଅଞ୍ଜେନେପ୍‌ପା , ଏପରି ଏକ ସ୍ପର୍ଶାତୁର ଡେଲିକେଟ୍ ପ୍ରଶ୍ନ ପଚାରିବା ମୋ’ ପକ୍ଷରେ ଉଚିତ ନ ଥିଲା ।”

 

ମିଃ ଅଞ୍ଜନେପ୍‌ପା ସେତେବେଳକୁ କରିଡ଼ର୍‌ରେ ଅଦୃଶ୍ୟ ହୋଇଯାଇଥିଲେ ।

☆☆☆

 

ପ୍ରତିନାୟକ

 

ୱେଟିଙ୍ଗ୍‍ ରୁମ୍‍ ଭିତରେ ମଣିଷଙ୍କ ଭିଡ଼; ଆଉ ପ୍ଲାଟଫର୍ମ ଉପରେ ସେଇ ନିମଗଛ ତଳେ ଦଳଦଳ ଯୁଯୁତ୍ସବ କୁକୁରଙ୍କ ମେଳା.... ସ୍ଵସ୍ତି ନାହିଁ; ତ୍ରାହି ନାହିଁ କେଉଁଠି ! ସଦାନନ୍ଦ ପ୍ରଥମେ ୱେଟିଙ୍ଗ୍‍ ରୁମ୍‍ ଭିତରେ ବିଶ୍ରାମ ନେବାପାଇଁ ଚେଷ୍ଟା କରିଥିଲେ । ସିକ୍ସ–ଡାଉନ୍‍ ଅପେକ୍ଷାରେ । ଛୋଟ ମଫସଲି ସହରର ଷ୍ଟେସନ–ୱେଟିଙ୍ଗ୍‍ ରୁମ୍‍। କିନ୍ତୁ ୱେଟିଙ୍ଗ୍‍ ରୁମ୍‍ ଭିତରେ ସେଦିନ ଲୋକାଭିଡ଼ ପ୍ରବଳ ।... “ସଦା ମହାନ୍ତି, ସେଠି ବସିଛି ଦେଖୁଛ ?”…ଆରେ ଇଏ ସଦା ମହାନ୍ତି ନା-?” ସଦାନନ୍ଦ ସ୍ପଷ୍ଟଭାବରେ ଶୁଣିପାରୁଥିଲେ ଫିସ୍‍ଫିସ୍ କଣ୍ଠରେ ସେଇ ସବୁ ବ୍ୟାଧିତ, ଈର୍ଷାତୁର କୌତୂହଳୀ ଜିଜ୍ଞାସା ଆଉ ଟିପ୍‌ପଣୀ ।

 

ମାନ୍ୟବର ମୁଖ୍ୟମନ୍ତ୍ରୀ ଦେଶବନ୍ଧୁ ସଦାନନ୍ଦ ମହାନ୍ତି ଆଜି ରୂପାନ୍ତରିତ, ଭାଷାନ୍ତରିତ.... ସଦା ମହାନ୍ତି । କିଏ ତାଙ୍କୁ ସେଦିନ ମାନ୍ୟବର କରିଥିଲା ସତେ ? ଅଶରୀରୀ କ୍ଷମତାର କାଉଁରିହାଡ଼ ନା ତାଙ୍କର ଅନ୍ତର୍ନିହିତ ମୌଳିକ ବ୍ୟକ୍ତିସତ୍ତା ? “ମାନ୍ୟବର” “ଦେଶବନ୍ଧୁ” ହେବାପାଇଁ ସେଦିନ ଯଥେଷ୍ଟ ଥିଲା; ସେକ୍ରେଟାରୀଏଟ୍ ଇମାରତରେ ମୁଖ୍ୟମନ୍ତ୍ରୀଙ୍କ ଏଆରକଣ୍ଡିସନ୍‌ଡ଼ ଚାମ୍ବର ବାହାରେ ଖଣ୍ଡେ ନେମ୍‌ପ୍ଲେଟ କାଠ, ବାହାରେ ଗୋଟିଏ ଇମ୍ଫାଲା ଗାଡ଼ି, ଆଉ ମନ୍ତ୍ରୀମାନଙ୍କର ଠକ୍‌ଠାକ୍‌ କୁର୍ଣ୍ଣୀସ ପାୱାର । ମଣିଷର ଇତିହାସରେ ଅନେକ ଘଟାନ୍ତର, ଅନେକ ପଟାନ୍ତର, ଅନେକ ରୂପାନ୍ତର ଘଟିଗଲା…ମାତ୍ର ସେଇସବୁ ଆବର୍ତ୍ତନ ବିବର୍ତ୍ତନ ମଧ୍ୟରେ ଚିରନ୍ତନ, ଅପରିବର୍ତ୍ତିତ, ଅପରିବର୍ତ୍ତନୀୟ ରହିଗଲା–“ପାୱାର” କ୍ଷମତାର ତୃଷା, ଆଦିମ ଯୌନ ତୃଷାପରି ।

 

ଆଜି କିନ୍ତୁ ଦେଶବନ୍ଧୁ ସଦାନନ୍ଦ ମହାନ୍ତି ସେଇ ଏଆରକଣ୍ଡିସନ୍‌ଡ଼ ଚାମ୍ବରରୁ ବିତାଡ଼ିତ.... ସେଦିନର ବାର୍ଣ୍ଣିସକରା ସେଇ ନେମ୍‌ପ୍ଲେଟ ଆଜି କେଉଁଠି ଜାଳ ହୋଇସାରିବଣି; ଅଥବା ପଡ଼ିଥିବ କେଉଁ କବାଡ଼ି ଗୋଦାମରେ । ଗାଲରେ ଚଟକଣା ମାରି ହେବାପରି ମନ୍ତ୍ରୀମାନଙ୍କର ଠକ୍‌ଠାକ୍‌ କୁର୍ଣ୍ଣୀସ ମଧ୍ୟ ନୀରବ ।

 

“ଏଇ ସଦା ମହାନ୍ତି ନା ?” ….ସଦାନନ୍ଦ ମୁହଁ ଉପରେ ଖବରକାଗଜ ଖୋଲି ଆତ୍ମଗୋପନ କରିବା ପାଇଁ ଚେଷ୍ଟାକଲେ–ପଳାତକ ଦୁର୍ଯ୍ୟୋଧନର ବ୍ୟାସ ସରୋବର । କିନ୍ତୁ ସେଠାରେ ମଧ୍ୟ ରକ୍ଷା ନଥିଲା । କଞ୍ଚା ପାଚିଲା ବାଳ ମିଶା ସେଇ ଚନ୍ଦାମୁଣ୍ଡ–ଖବରକାଗଜ ଫଟୋଗ୍ରାଫରମାନେ ଯାହାକୁ ଦିନେ ରାଜ୍ୟସାରା ଅତି ପ୍ରସିଦ୍ଧ ଓ ପରିଚିତ କରାଇ ଦେଇଥିଲେ–ଖବରକାଗଜର ନେପଥ୍ୟ ସତ୍ତ୍ୱେ କୌତୂହଳୀମାନଙ୍କର ବ୍ୟାଧିତ ଦୃଷ୍ଟିରୁ ରକ୍ଷା ପାଇବାର ଉପାୟ ନଥିଲା ।

 

ସଦା ମହାନ୍ତି.... ସଦେଇ ମହାନ୍ତି… । ସଦାନନ୍ଦଙ୍କ ଅସ୍ତିତ୍ଵ ଶତ ବୃଶ୍ଚିକ ଦଂଶନରେ କ୍ରମେ ଜ୍ଵାଳାମୟ ହୋଇଉଠୁଥିଲା ।

 

କେତେଜଣ ନଳୀପ୍ୟାଣ୍ଟ ପିନ୍ଧା ଯୁବକ, ହାତରେ ଫୁଲମାଳ ଓ ତୋଡ଼ା ପ୍ରଭୃତି ଧରି ୱେଟିଙ୍ଗ୍‍ ରୁମ୍‍ ଭିତରକୁ ପଶିଆସିଲେ । ସେମାନଙ୍କୁ ଦେଖି ସଦାନନ୍ଦଙ୍କର ମନେପଡ଼ିଗଲା.... ନୂତନ ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ଦାସ ଆଜି ପଦାର୍ପଣ କରିବେ ଏଇ ଷ୍ଟେସନରେ; ସେଭେନ୍ ଅପ୍ ଗାଡ଼ିରେ-। ଖବରକାଗଜରେ ବାହାରିଥିଲା ସେଇ ପ୍ରୋଗ୍ରାମ । ସେଥିପାଇଁ ପ୍ଲାଟଫର୍ମ ବାହାରେ ପୂର୍ଣ୍ଣକୁମ୍ଭ ତୋରଣର ସଜା । ଭାରତୀୟ ପୌତ୍ତଳିକତା ବା ମୂର୍ତ୍ତିପୂଜାରେ ଆବାହନୀ ପରିବର୍ତ୍ତେ ବିସର୍ଜନୀ ବେଳର ସମାରୋହଟା ପ୍ରବଳ, କିନ୍ତୁ ଭାରତୀୟ ରାଜନୀତି ବା ବ୍ୟକ୍ତିପୂଜାରେ ନେତୃତ୍ଵର ବିସର୍ଜନ, ନୀରବ ଓ ନିରୁତ୍ସବ । ସେଥିରେ କେବଳ ଆବାହନୀର ସମାରୋହ ।

 

ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ଦାସ ସେଦିନ ଶୁଭାଗମନ କରୁଥିଲେ ଏଇ ସହରରେ କେଉଁ ଗୋଟିଏ ସାଂସ୍କୃତିକ ସମ୍ମିଳନୀ ଉଦ୍‌ଘାଟନ କରିବା ପାଇଁ ତାଙ୍କର ସମ୍ବର୍ଦ୍ଧନା ଉଦ୍ଦେଶ୍ୟରେ ଷ୍ଟେସନରେ ଏଇ ସମାଗମ, ସମାରୋହ ।

 

ସଦାନନ୍ଦ ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ଥିଲେ ସଂସ୍କୃତିର ପ୍ରବକ୍ତା । ଗାନ୍ଧୀବାଦଠାରୁ ସେକ୍ସପିଅରିଆନ୍‌ ଟ୍ରାଜେଡ଼ି, ମାର୍କ୍ସବାଦରୁ ରୋମାଣ୍ଟିକ ପୋଏଟ୍ରି ଏପରି କୌଣସି ବିଷୟବସ୍ତୁ ନଥିଲା, ଯେଉଁ ବିଷୟରେ ଭାଷଣ ଦେବାପାଇଁ ସଦାନନ୍ଦଙ୍କର କଣ୍ଠରୁଦ୍ଧ ହେଉଥିଲା । ତାଙ୍କପାଇଁ ମଧ୍ୟ ସେଦିନ ଆୟୋଜିତ ହେଉଥିଲା ସ୍ଵାଗତ ସମ୍ଵର୍ଦ୍ଧନାର ଏଇପରି ସମାରୋହ ! –ପିମ୍ପୁଡ଼ି–ଭେଳା ପରି ଦଳଦଳ ମଣିଷ ତାଙ୍କ ଚାରିପଟେ ମଧ୍ୟ ସେଦିନ ମେଳା ବାନ୍ଧୁଥିଲେ, ଗଳାରେ ଫୁଲମାଳ ପିନ୍ଧାଇବା ପାଇଁ ।

 

ଆଜି ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନଙ୍କ ଉଦ୍ଦେଶ୍ୟରେ ସେଇ ପ୍ରହସନ ପୁଣିଥରେ ଅଭିନୀତ ହେଉଥିଲା । ଦାର୍ଶନିକ ସୁଲଭ ଅନାସକ୍ତି ଆଣିପାରିଥିଲେ ସଦାନନ୍ଦ ମଧ୍ୟ ଏଇ ପ୍ରହସନକୁ କମ୍ ଉପଭୋଗ କରିନଥାନ୍ତେ । ମାତ୍ର ଯେଉଁ ଗୋବର୍ଦ୍ଧନ ଦାସ ଦିନେ ନେତା ସଦାନନ୍ଦଙ୍କ ପାଇଁ ସତରଞ୍ଜି ବିଛାଉଥିଲେ, ସାମିଆନା ଟାଣୁଥିଲେ, ମାଇକ୍ରୋଫୋନ୍‌ରେ “ଆମର ନେତା ସଦାନନ୍ଦ ମହାନ୍ତି ଜିନ୍ଦାବାଦ” ଧ୍ୱନି ଦେଉଥିଲେ ସେଇ ଗୋବର୍ଦ୍ଧନ ଦାସଙ୍କ ପାଇଁ ଏଇ ସ୍ଵାଗତ ସମାରୋହ; ସଦାନନ୍ଦଙ୍କ ଚେତନାକୁ ତିଳେତିଳେ ଯେପରି ଦଗ୍ଧ କରିଦେଉଥିଲା ।

 

ବେତ୍ରାହତ ପରି ସଦାନନ୍ଦ ୱେଟିଙ୍ଗ୍‍ ରୁମ୍‍ ବାହାରକୁ ଉଠିଆସିଲେ । ସିକ୍ସ–ଡାଉନ୍‌ ଓ ସେଭେନ୍‌ ଅପ୍ କ୍ରସିଙ୍ଗ ଏଇଠାରେ । ସେଥିପାଇଁ ଆଉରି ପ୍ରାୟ ଦୁଇଘଣ୍ଟା ବିଳମ୍ବ ।

 

“ରିଆକ୍ସନାରୀଙ୍କ ଦଲାଲ୍... ।”

 

ଜଣେ ନଳୀପିନ୍ଧା ଯୁବକ ସଦାନନ୍ଦଙ୍କ ଉଦ୍ଦେଶ୍ୟରେ ଯେପରି ବେତ୍ରାଘାତ କଲା ।

 

ଗୋବର୍ଦ୍ଧନ ଦାସ ପରିବର୍ତ୍ତିତ ପରିସ୍ଥିତିରେ ଆଜି ଏକମାତ୍ର ପ୍ରୋଗ୍ରେସିଭ୍; ପ୍ରଗତିର ଅଗ୍ରସାରଥି । କାରଣ ସେ ଆଜି କ୍ଷମତାରେ ।

 

କେତେଜଣ ନଳୀପିନ୍ଧା ମିଳିତ କଣ୍ଠରେ ସ୍ଲୋଗାନ ଦେଲେ..... “ଗୋବର୍ଦ୍ଧନ ଦାସ ଜିନ୍ଦାବାଦ !”

 

ସେଇ ସ୍ଲୋଗାନ୍‌ର ପ୍ରତିଧ୍ଵନି ସଦାନନ୍ଦଙ୍କ ପଛେ ପଛେ ଭୂତପରି ଗୋଡ଼ାଇଥିଲା । ଅବଶେଷରେ ସିକ୍ସ-ଡାଉନ୍ ଅପେକ୍ଷାରେ ସଦାନନ୍ଦ ୱେଟିଙ୍ଗ୍‍ ରୁମ୍‍ରୁ ପଳାଇଆସି ବସିଥିଲେ, ପ୍ଲାଟଫର୍ମର ଏଇ ନିଭୃତ ଅଂଶରେ, ଗୋଟିଏ ଝଙ୍କାଳିଆ ନିମ୍ବଗଛ ତଳେ, ଖଣ୍ଡେ ସିମେଣ୍ଟ ବେଞ୍ଚ ଉପରେ ।

 

ମାତ୍ର ସେଠାରେ ମଧ୍ୟ କୁକୁରମାନଙ୍କର ଭିଡ଼ । ପାଖ ରେସ୍ତୋରାଁ ଭିତରୁ ବେଳେ ବେଳେ ଯେଉଁ ଅଇଁଠା ପତ୍ର, ମାଂସହାଡ଼ ଓ ଅନ୍ୟ ଉଚ୍ଛିଷ୍ଟାବଶେଷ ସବୁ ବାହାରକୁ ପଡ଼ୁଥିଲା । ଟାଣି ଝିଙ୍କି ସେଇସବୁ କବଳିତ କରିବାପାଇଁ ସେମାନଙ୍କ ବୀଭତ୍ସ ଯୁଦ୍ଧ, ଅଶ୍ଳୀଳ ରଡ଼ି ଓ କାମୁଡ଼ା କାମୁଡ଼ିରେ ସେଇ ଶାନ୍ତ ପରିବେଶ ଘୋର ଅଶାନ୍ତ ହୋଇଉଠିଥିଲା ।

 

ସଦାନନ୍ଦ ମୁହଁ ଉପରେ ପୁଣି ଖବରକାଗଜ ମେଲିଧରି ଏଇସବୁ ଅଶ୍ଳୀଳ ପରିସ୍ଥିତିରୁ ରକ୍ଷା ପାଇବା ପାଇଁ ଚେଷ୍ଟାକଲେ । କିନ୍ତୁ ଖବରକାଗଜ ପୃଷ୍ଠାରେ ମଧ୍ୟ ବୃଶ୍ଚିକର ଦଂଶନ.... ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ଦାସଙ୍କ ଏକ ଭାଷଣ ଚାରିସ୍ତମ୍ଭ ବ୍ୟାପୀ ଶିରୋନାମା ତଳୁ ସଦାନନ୍ଦଙ୍କ ଉପରକୁ ସେପରି ଲମ୍ଫଦେଇ ବସିଲା ।.... ସୌଭାଗ୍ୟ, ସମୃଦ୍ଧି ଓ ସାମ୍ୟର ନୂତନ ଦିଗ୍‍ବଳୟ ସମ୍ପ୍ରସାରିତ ହେବ... ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନ ଦାସଙ୍କ ସଂକଳ୍ପ ଘୋଷଣା ।

 

ଶକ୍ତି ସାଧନ ତନ୍ତ୍ରରେ ଦୁର୍ବୋଧ୍ୟଂ, ହ୍ଲୀଂ କ୍ଲୀଂ ଶ୍ଲୀଂ ପରି ସୌଭାଗ୍ୟ, ସମୃଦ୍ଧି, ସାମ୍ୟ... କ୍ଷମତାତନ୍ତ୍ରର ନୂତନ ଶୂନ୍ୟଗର୍ଭ ବୀଜମନ୍ତ୍ର ! ଏହାକୁ ଏକ ସହସ୍ର ଅଷ୍ଟୋତ୍ତରବାର ତ୍ରିକାଳ ସନ୍ଧ୍ୟାରେ ଉଚ୍ଚାରଣ କଲେ ଗଣଦେବୀ ପ୍ରସନ୍ନା ହୋଇ ବରଦା ହେବେ । ସଦାନନ୍ଦଙ୍କର ମନେ ପଡ଼ିଲା, ସେ ମଧ୍ୟ ଏଇ ବୀଜମନ୍ତ୍ର ଅତୀତରେ କମ୍ ଉଚ୍ଚାରଣ କରି ନଥିଲେ ।

 

ତା’ହେଲେ ? ଦେବୀ ହଠାତ୍ ଅପ୍ରସନ୍ନା ହେଲେ କାହିଁକି ?

 

ଶ୍ଵାନମାନଙ୍କର ରଡ଼ିରେ ସଦାନନ୍ଦଙ୍କର ଚିନ୍ତାର ପ୍ରବାହରେ ହଠାତ୍ ବାଧା ପଡ଼ିଗଲା । ରେସ୍ତୋରାଁ ଭିତରୁ ଖଣ୍ଡେ ଅଇଁଠା ଖଲିପତ୍ର ବାହାର ପ୍ଲାଟ୍‌ଫର୍ମ ଉପରେ ଆସି ପଡ଼ିଲା । ରେସ୍ତୋରାଁର ପ୍ଲେଟ୍‍-ଧୁଆଳି ଗୋଟାଏ ଟୋକା ଡାକଦେଲା... “ଆଃ ଚୁଃ.... ଭାଲୁଆ ।” ପତ୍ର ପଡ଼ିବାମାତ୍ରେ, ଅଦୂରରେ ତଳେ ଥୋମଣି ଲମ୍ବାଇ ଶୋଇଥିବା ଗୋଟାଏ ହୃଷ୍ଟପୁଷ୍ଟ କୁକୁର– ଗର୍ଜନ କରି ପତ୍ର ଉପରକୁ ଲମ୍ଫଦେଇ ଆସିଲା । ଭାଲୁଆ ପଛେ ପଛେ କେତେଟା ରୁମଛଡ଼ା, ହାଡ଼ଗିଳା କୁକୁର ମଧ୍ୟ ପତ୍ରଆଡ଼କୁ ଧାଇଁ ଆସିଲେ; କିନ୍ତୁ ଭାଲୁଆ ଯେପରି ଭାବରେ ଦାନ୍ତ ଦେଖାଇ ସେମାନଙ୍କ ଉପରକୁ ଉହୁଙ୍କି ଆସିଲା, ସେଥିରେ ସେମାନେ ଆତଙ୍କିତ ଭାବରେ ପଛକୁ ଫେରି ବଶମ୍ବଦ ପରି ଲାଞ୍ଜସବୁ ହଲାଇବାକୁ ଲାଗିଲେ । ଭାଲୁଆ ଗ୍ରାସରୁ ଯଦି କିଛି ଅବଶିଷ୍ଟ ବଳେ ତା’ହେଲେ ସେଇଥିରେ ସେମାନଙ୍କର କ୍ଷୁଧା ପ୍ରଶମିତ ହେବ । ସେମାନଙ୍କ ପାଇଁ ସେଇ ପ୍ରସାଦ ହିଁ ଯଥେଷ୍ଟ । ଭାଲୁଆକୁ ସେମାନେ ମନେମନେ ଅବଶ୍ୟ ଘୃଣା କରନ୍ତି, ଆପାତ ବିଶ୍ଵସ୍ତତାର ନେପଥ୍ୟରେ ଭାଲୁଆ ଉପରେ ଚରମ ଆଘାତ ଆଣିବା ପାଇଁ ସେମାନେ ସବୁବେଳେ ପ୍ରସ୍ତୁତ; କିନ୍ତୁ ଭାଲୁଆର ସେଇ ଦୁଇଟା ମୁନିଆଁ କଳଦାନ୍ତ ଆଉ ଦୁଇମୁଣ୍ଡା ଜଳନ୍ତା କୋଇଲା ପରି ତା’ର ଦୁଇଟା ଲାଲ ଆଖି ଦେଖିଲେ ସେମାନଙ୍କର ପ୍ରସାଦ ଧାରା ଛୁଟେ, ତଥାପି ଭାଲୁଆ ପ୍ରତି ବଶମ୍ବଦ ସେମାନେ । ଭାଲୁଆର ନେତୃତ୍ଵ ସେମାନଙ୍କୁ ଅନ୍ୟ ଶ୍ଵାନପ୍ରତି ବଳିଆର ଆକ୍ରମଣରୁ ଏଯାବତ୍ ରକ୍ଷାକରି ଆସିଛି । ଭାଲୁଆର ବାହୁଛାୟାତଳେ ରେସ୍ତୋରାଁ ଡଷ୍ଟବିନ୍‌ରୁ ଉଚ୍ଛିଷ୍ଟ ପତ୍ରସବୁ ସେମାନେ ନିରାପଦରେ ସଂଗ୍ରହ କରିପାରିଛନ୍ତି; ସଙ୍ଗିନୀମାନଙ୍କ ସହିତ ସେମାନଙ୍କ ରତିକ୍ରୀଡ଼ା ମଧ୍ୟ ଆପାତତଃ ନିର୍ବିଘ୍ନ ଭାବରେ ସମାହିତ ହୋଇପାରିଛି ! ତା’ ନ ହେଲେ ବଳିଆର ଶ୍ଵାନଦଳ, ସେମାନଙ୍କୁ କେଉଁଦିନୁ ଏଇ ପ୍ଲାଟଫର୍ମରୁ ନିପାତ କରିସାରନ୍ତେଣି ! ରେସ୍ତୋରାଁ ଡଷ୍ଟବିନ୍‍କୁ କେନ୍ଦ୍ରକରି, ଦୁଇଦଳ ଓ କେବେ କେବେ ଆହୁରି ବହୁଦଳ ଓ ଉପଦଳ ମଧ୍ୟରେ ଶ୍ଵାନଯୁଦ୍ଧ ଏଠାରେ କିନ୍ତୁ ଏକ ପ୍ରାତ୍ୟହିକ ବ୍ୟାପାର । ଏବେ ମଧ୍ୟ ସେଇ ଇତିହାସର ପୁନରାବୃତ୍ତି ଆରମ୍ଭ ହୋଇଥିଲା ।

 

ଦୁଇ ସାମନା ଗୋଡ଼ ପଞ୍ଝାରେ ଭାଲୁଆ ଅଇଁଠା ପତ୍ରଟା ଚାପିଧରି ସେଥିରେ ଲାଗିଥିବା ଉଚ୍ଛିଷ୍ଟ ଚାଟି ଯାଉଥିବାବେଳେ ଅପର ପକ୍ଷରୁ କାଳିଆ ଦଳବଳ ଧରି ଲମ୍ଫ ଦେବାପାଇଁ ଦୁଇ ପାଟି ଦାନ୍ତ ଦେଖାଇ ପଳାଇ ଆସୁଥିଲା । ପ୍ଲେଟ୍‌-ଧୁଆଳି ସେଇ ଟୋକା ଏଥର ମଜା ଦେଖିବା ପାଇଁ ଡାକଦେଲା.... “ଧଃ ବଳିଆ ଧଃ ।”

 

ବଳିଆର ଜୟନାଦ ଦେବାପାଇଁ ତା’ ପଛରେ ଥିବା ଆଉ ଦଳେ କୁକୁର ଦାନ୍ତ ଦେଖାଇ ଅସ୍ଫୁଟ କଣ୍ଠରେ ଗର୍ଜନ କରିଉଠିଲେ । ମାତ୍ର ଉଚ୍ଛିଷ୍ଟ ପତ୍ରରେ ସେତେବେଳକୁ ଆଉ କିଛି ଅବଶିଷ୍ଟ ନଥିଲା । ଶୁଖିଲା ପତ୍ରଟାକୁ କେବଳ ଭାଲୁଆ ଦଳର କେତେଟା କୁକୁର ନିଜ ନିଜ ମଧ୍ୟରେ କାମୁଡ଼ାକାମୁଡ଼ି ହୋଇ ଚାଟିବା ଆରମ୍ଭ କରିଦେଇଥିଲେ । ପରମ ତୃପ୍ତିରେ ଜିଭ ଚାଟୁଥିବା ଭାଲୁଆ ବଳିଆ ଆଡ଼କୁ ଲମ୍ଫଦେଇ ଯେପରି ଉହୁଙ୍କି ଆସିଲା, ସେଥିରେ ଆଉ ଆଗକୁ ମାଡ଼ିବା ପାଇଁ ବଳିଆର ସାହସ କୁଳାଇଲା ନାହିଁ । ସେ ତା’ର ଦଳବଳ ଧରି ଫେରିଆସିଲା ରେସ୍ତୋରାଁଠାରୁ ଅଳ୍ପଦୂରରେ ଆଉ ଗୋଟିଏ ଗଛମୂଳକୁ ।

 

ସଦାନନ୍ଦ ପୁଣି ଖବରକାଗଜରେ ମନ ନିବେଶ କରିବାପାଇଁ ଚେଷ୍ଟାକଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ଗୋବର୍ଦ୍ଧନଙ୍କର ସେଇ ଭାଷାରେ ଚାରିସ୍ତମ୍ଭବ୍ୟାପୀ ଶିରୋନାମା ତାଙ୍କର ଆଖି ଭିତରକୁ ଯେପରି ମୁଠା ମୁଠା ବାଲି ଫିଙ୍ଗି ତାଙ୍କୁ ଅନ୍ଧ କରିଦେଉଥିଲା । ସଦାନନ୍ଦ ଦୁଇଆଖି ବୁଜି ଚିନ୍ତାକଲେ–ଏକା ଭାରତ ଇତିହାସ ବ୍ୟତୀତ ବୋଧହୁଏ ଅନ୍ୟ କୌଣସି ଦେଶରେ ଇତିହାସରେ ଦାସବଂଶ ନାମରେ ଗୋଟିଏ ରାଜବଂଶ ନାହିଁ କିମ୍ବା ଅନ୍ୟ କୌଣସି ଦେଶରେ ଦଳେ କ୍ରୀତଦାସ, ପ୍ରବଞ୍ଚନା ଓ ଷଡ଼ଯନ୍ତ୍ର ବଳରେ ସେମାନଙ୍କ ପ୍ରଭୁମାନଙ୍କୁ ହତ୍ୟାକରି ସିଂହାସନରେ ନିଜକୁ ଅଭିଷିକ୍ତ କରିନାହାନ୍ତି । ତାହା ହିଁ ଭାରତ ଇତିହାସ ଧାରା.... ଷଡ଼ଯନ୍ତ୍ର, ବନ୍ଧୁଦ୍ରୋହ, ବିଶ୍ଵାସଘାତକତା ଓ ବନ୍ଧୁଦ୍ରୋହ ମଧ୍ୟରେ କାଳେ କାଳେ କ୍ଷମତା ଅଧିକାର କରାଯାଇ ଆସିଛି । ଭାରତ ଇତିହାସରେ ରାଜତନ୍ତ୍ର, ସାମନ୍ତତନ୍ତ୍ରର ସେଇ ବିଷକ୍ତ ପରମ୍ପରା ଆଜି ଗଣତନ୍ତ୍ରରେ ନୂଆରୀତିରେ ପ୍ରସାରିତ ହୋଇଛି ମାତ୍ର ।

 

ସଦାନନ୍ଦଙ୍କ ଆଖିଆଗରେ ଭାସିଉଠିଲା, ସେଦିନ ସେଇ ଐତିହାସିକ ସନ୍ଧ୍ୟା ଦୃଶ୍ୟ । ପାର୍ଟି ବୈଠକକୁ ଯିବାପାଇଁ ସଦାନନ୍ଦ ପ୍ରସ୍ତୁତ ହେଉଛନ୍ତି; ଭିତରକୁ ହଠାତ୍ ପଶିଆସିଲେ ସଦାନନ୍ଦଙ୍କ ଚିର ବିଶ୍ଵସ୍ତ ଗୋବର୍ଦ୍ଧନ ଅତ୍ୟନ୍ତ ବଶମ୍ବଦ ଭାବରେ । ପାର୍ଟି ଭିତରେ ଏକ ନୀରବ ବିକ୍ଷୋଭ କ୍ରମେ ବିଦ୍ରୋହ ଆକାରରେ ପ୍ରକାଶ ପାଇଆସୁଛି ସତ୍ୟ, ମାତ୍ର ତାହାକୁ ସମ୍ଭାଳିବାର ଦାୟିତ୍ଵ ସଙ୍ଗଠନକୌଶଳୀ ଗୋବର୍ଦ୍ଧନଙ୍କ ଉପରେ ଛାଡ଼ିଦେଇ, ସଦାନନ୍ଦ ପରମ ନିଶ୍ଚିନ୍ତ । ସଦାନନ୍ଦ ଆଶା କରୁଥିଲେ, ଗୋବର୍ଦ୍ଧନ ତାଙ୍କୁ ବୋଧହୁଏ ସମ୍ବାଦ ଦେବେ–ସବୁ ଆଶଙ୍କା ଦୂର ହୋଇଛି । ସଦାନନ୍ଦ ନେତୃତ୍ଵ ପ୍ରତି ପାର୍ଟିର ଅବିଚଳିତ ଆସ୍ଥା ଆଉ ଥରେ ନିଃସନ୍ଦେହ ଭାବରେ ଘୋଷିତ ହେବ ସନ୍ଧ୍ୟାର ପାର୍ଟି ବୈଠକରେ ।

 

ରାଜତନ୍ତ୍ର ହୋଇଥିଲେ ଗୋବର୍ଦ୍ଧନ ସେଦିନ ହୁଏତ ପକେଟରୁ କାଢ଼ିଥାନ୍ତେ ଗୁଳିଭରା ପିସ୍ତଲ, କିନ୍ତୁ ସମ୍ବିଧାନଧର୍ମୀ ଗଣତନ୍ତ୍ର ହୋଇଥିବାରୁ ଗୋବର୍ଦ୍ଧନ ପୋର୍ଟଫୋଲିଓରୁ ନିରୀହ ଭାବରେ ବାହାର କଲେ ଖଣ୍ଡେ କାଗଜ ।

 

ସଦାନନ୍ଦ ପ୍ରଶ୍ନକଲେ.... “ଏଟା କ’ଣ ପ୍ରସ୍ତାବର ଚିଠା ?”

 

ସଦାନନ୍ଦଙ୍କ ଦୁଇଆଖି ଭିତରକୁ କଠୋର ଦୃଷ୍ଟିରେ ଚାହିଁ ଗୋବର୍ଦ୍ଧନ ଉତ୍ତର ଦେଲେ–“ଆପଣଙ୍କ ବିରୁଦ୍ଧରେ ପାର୍ଟିର ମେଜରିଟି ସଭ୍ୟଙ୍କ ଅନାସ୍ଥା ।”

 

ଆଗ୍ନେୟଗିରି ପରି ସଦାନନ୍ଦ ବିସ୍ଫୋରଣ କରି ଉଠିଲେ– “ମାନେ ?”

 

“ଏହାର ସମ୍ମୁଖୀନ ହେବା ନହେବା ଆପଣଙ୍କ ଉପରେ ନିର୍ଭର କରେ । ସେ ବିଷୟରେ ପରାମର୍ଶ ଦେବାପାଇଁ ମୋର କିଛି ନାହିଁ ।” “ଗୋବର୍ଦ୍ଧନ ଉତ୍ତର ଦେଲେ ଆତତାୟୀର ହିମଶୀତଳ ନିସ୍ପନ୍ଦ କଣ୍ଠରେ ।

 

ପରିସ୍ଥିତିର ସ୍ୱରୂପ ବୁଝିବାପାଇଁ ସଦାନନ୍ଦଙ୍କୁ ବିଳମ୍ବ ଲାଗିଲା ନାହିଁ । ଅନାସ୍ଥାର ସମ୍ମୁଖୀନ ହେବାପାଇଁ ତାଙ୍କର ସେଦିନ ଶକ୍ତି ନ ଥିଲା ।

 

ନୀରବରେ ସେଇଠାରେ ସେ ନିଜ ଇସ୍ତଫା ପତ୍ରରେ ସ୍ଵାକ୍ଷର ଦେଇ ଗୋବର୍ଦ୍ଧନ ହାତକୁ ତାହା ବଢ଼ାଇଦେଇ କହିଥିଲେ... “ବେଷ୍ଟ୍‍ ଅଫ୍‍ ଲକ୍ସ ।”

 

ଭାରତ ଇତିହାସରେ ସ୍ଲେଭ–ଡାଇନାଷ୍ଟୀ, ଦାସବଂଶର ସେଇ ପୁରାତନ ଇତିହାସ ସେଦିନ ମୁହୂର୍ତ୍ତକ ଭିତରେ ଅଭିନୀତ ହୋଇଯାଇଥିଲା, ସଦାନନ୍ଦଙ୍କ ଅଫିସ ପ୍ରକୋଷ୍ଠରେ ।

 

ସେଇ ଗୋବର୍ଦ୍ଧନ ଆଜି ମୁଖ୍ୟମନ୍ତ୍ରୀ...

 

ସୌଭାଗ୍ୟ, ସମୃଦ୍ଧି ଓ ସାମ୍ୟର ଦିଗ୍‌ବଳୟ ଉନ୍ମୋଚିତ କରିବା ପାଇଁ ଖବରକାଗଜର ସ୍ତମ୍ଭରେ ଏଇ ତାଙ୍କର ଘୋଷଣା !

 

ସିକ୍ସ ଡାଉନ୍‌ର ଘଣ୍ଟା ପଡ଼ିଲା ପରା ! ସିକ୍ସ ଡାଉନ୍ ନା ସେଭେନ୍ ଅପ୍ ?

 

ରେସ୍ତୋରାଁ ଭିତରୁ ଗୋଟିଏ ପତ୍ରରେ କେତେଖଣ୍ଡ ମାଂସହାଡ଼ ପଡ଼ିଲା ଆସି ପ୍ଲାଟଫର୍ମ ଉପରେ ! ମାଂସ ହାଡ଼କୁ ଘେରି ଲାଗିଲା ଭାଲୁଆ ଓ ବଳିଆମାନଙ୍କ ମଧ୍ୟରେ ବିକଟ ଶ୍ଵାନଯୁଦ୍ଧ । ଗୁଡ଼ାଏ ଦାନ୍ତ, ଗୁଡ଼ାଏ ପଞ୍ଝା, ଗୁଡ଼ାଏ ଗର୍ଜନ ମଧ୍ୟରେ ପ୍ଲାଟଫର୍ମର ପରିବେଶ ହଠାତ୍‌ ବୀଭତ୍ସ ଦାନ୍ତ ଦେଖାଇ ଆର୍ତ୍ତନାଦ କରିଉଠିଲା !

 

ରେସ୍ତୋରାଁ ବାହାରେ ସେଇ ପ୍ଲେଟଧୁଆଳି ଟୋକା, ଲଢ଼େଇ ମଜା ଦେଖିବା ପାଇଁ ଡାକି ଉଠିଲା “ଧଃ ବଳିଆ ! ଧଃ !”

 

ଭାଲୁଆ ସେତେବେଳେ ବଳିଆ ଉପରକୁ ଲମ୍ଫ ଦେଉଥିଲା ହିଂସ୍ର ପଞ୍ଝା ମେଲି ଆକ୍ରମଣ କରିବା ପାଇଁ; କିନ୍ତୁ ଦୁଇ ଦଳପତିଙ୍କ ଲଢ଼େଇ ଭିତରେ ସୁବିଧା ଉଣ୍ଡି ଗୋଟାଏ ରୁମଛଡ଼ା ଧେଡ଼ ହଠାତ୍ ହାଡ଼ଖଣ୍ଡ ଦାନ୍ତରେ ଚାପିଧରି ପ୍ଲାଟ୍‌ଫର୍ମର ଲୁହାବାଡ଼ ଭିତରେ ଗଳି ପଳାଇଗଲା ବାହାରକୁ ।

 

ଯୁଦ୍ଧ ଭୁଲି ଭାଲୁଆ ଓ ବଳିଆ ବିକଟ ରଡ଼ି ଦେଇ ଦଳବଳ ଧରି ଧାଇଁଲେ ସେଇ ଧେଡ଼ ପଛରେ ! ମାତ୍ର ସେତେବେଳକୁ ଷ୍ଟେସନ ବାହାରେ ସେ କେଉଁଆଡ଼େ ଅଦୃଶ୍ୟ ହୋଇ ଯାଇଥିଲା ।

 

ପ୍ଲାଟଫର୍ମରେ କୁକୁର ପଲ ଆଉ ଦେଖା ନଥିଲେ ।

 

ଆଉ ଗୋଟେ କୁକୁର କୁଆଡ଼େ ଧାଇଁ ଧାଇଁ ଆସି ରେସ୍ତୋରାଁ ସାମନାରେ ଯେଉଁଠାରେ ହାଡ଼ଖଣ୍ଡ ପଡ଼ିଥିଲା, ସେଠାରେ ଶୁଙ୍ଘି ଶୁଙ୍ଘି ଚାରିପଟ ବୁଲିଲା । ତା’ପରେ ପଛଗୋଡ଼ଟା ଟେକି ସେଠାରେ କିଞ୍ଚିତ୍‍ ଅଭିଷେକ ବାରି ସିଞ୍ଚନ କରି ଅନାସକ୍ତ ଭାବରେ, କୁଣ୍ଡଳୀ ମୋଡ଼ି ଶୋଇପଡ଼ିଲା ସେଇ ନିମ ଗଛମୂଳେ ।

 

ସିକ୍ସ ଡାଉନ୍ ନୁହେଁ–ସେଭେନ୍ ଅପ୍‌ର ତୃତୀୟ ଘଣ୍ଟା ପଡ଼ିଲା । ପ୍ଲାଟଫର୍ମର ବାତାବରଣ ମୁଖରିତ ହୋଇଉଠିଲା ଗୋବର୍ଦ୍ଧନଙ୍କ ଜୟଧ୍ଵନିରେ ।

 

“ଆମର ନେତା ଗୋବର୍ଦ୍ଧନ ଦାସ

ଗୋବର୍ଦ୍ଧନ ଦାସ ଜିନ୍ଦାବାଦ୍”

☆☆☆

 

ପ୍ରତୀକ୍ଷା

 

ହାଉଡ଼ା ଷ୍ଟେସନ ଟର୍‍ମିନାଲ୍ ।

 

“କ୍ରିପା କର୍‌କେ ଶୁନିୟେ... ଅନୁଗ୍ରହ କରେ ଶୁନ୍‌ବେନ୍‌.... ଆଟେନ୍‌ସନ ପ୍ଲିଜ୍...” ଲାଉଡ଼୍‍ସ୍ପିକରରେ ଚାଲିଥିଲା ତ୍ରିଭାଷୀ ଘୋଷଣା... ମିଥିଳା ଏକ୍‌ସପ୍ରେସ୍‌ ଆଜି ମଧ୍ୟ ବାତିଲ୍‍– କାନ୍‌ସେଲ୍‌ଡ଼ ଅନ୍ ଡେଟ୍ !

 

ଏନ୍‌କ୍ୱାରି କାଉଣ୍ଟର ସାମ୍‌ନାରେ ଲମ୍ବିଥିବା କ୍ୟୁ ଭାଙ୍ଗି, ଆଗକୁ ଠେଲି-ପେଲି ମାଡ଼ିଯାଇଁ, ସାମନାରେ ଭିଡ଼ ବାନ୍ଧି ଠିଆହୋଇଥିବା ଲୋକମାନଙ୍କ କାନ୍ଧ ଉପରେ ମୁଣ୍ଡ ଝୁଙ୍କାଇ ଉଦ୍‌ବିଗ୍ନ କଣ୍ଠରେ ସେ ପଚାରିଲା... “୩୧ ଅପ୍ ଆଜି ପୁଣି କାନ୍‌ସେଲ୍‌ଡ଼ ନୁହେଁ ତ ?”

 

ଏନ୍‌କ୍ଵାରି କାଉଣ୍ଟର ପଛରେ ଚାରିଫୁଟ ଉଚ୍ଚର ଗୋଟାଏ କାଠ ଚଉକି ଉପରେ, ଖଣ୍ଡେ ସିଗାରେଟ ଟାଣି, ଆରାମରେ ବସିଥିବା ସେଇ ବାବୁ ଜଣକ କିନ୍ତୁ ନିର୍ଲିପ୍ତ ! ସେ ତା’ର ପ୍ରଶ୍ନକୁ ଯେପରି ରେଖାଙ୍କିତ କରିବା ପାଇଁ ଆଉଥରେ ପଚାରିଲା... ‘୩୧ ଅପ୍ ଆଜି ପୁଣି ବାତିଲ ନୁହେଁ ତ ?’ ଏନ୍‌କ୍ୱାରି ବାବୁ ଉପରକୁ ଚାହିଁ ଲକ୍ଷ୍ୟ କରୁଥିଲେ ସିଗାରେଟ୍ ଧୂଆଁର କୁଣ୍ଡଳୀ ! ସେ ନିରୁତ୍ତର-!

 

କାଉଣ୍ଟର ପାଖରେ ଦଳଦଳ ଜିଜ୍ଞାସୁଙ୍କ ଭିଡ଼… ଉଦ୍‌ବିଗ୍ନ, ଉତ୍କଣ୍ଠିତ ଜିଜ୍ଞାସା....ନର୍ଥ ଇଣ୍ଡିଆନ ଡାଉନ୍‌ ଏକ୍‌ସପ୍ରେସ ଆଉ କେତେଘଣ୍ଟା ଡେରିରେ ପହଞ୍ଚିବ ? ଅମୃତସର ମେଲ୍ କେତେବେଳେ ଛାଡ଼ିବ ? କେଉଁ ଫ୍ଲାଟ୍‌ଫର୍ମରୁ ? ଆଉ ଡୁନ୍‌ ଏକ୍‌ସପ୍ରେସ୍.... ଏନ୍‌କ୍ୱାରି ବାବୁ କିନ୍ତୁ, କାଉଣ୍ଟର ପଛରେ ତାଙ୍କର ସେଇ ସିଂହାସନ ଉପରେ, ଏଇ ସମସ୍ତ ବ୍ୟସ୍ତ ଜିଜ୍ଞାସାର ଘୂର୍ଣ୍ଣୀ ଭିତରେ ନିର୍ଲିପ୍ତ ଭାବରେ ବସି ରହିଛନ୍ତି ସିଗାରେଟ୍ ଧୂଆଁର କୁଣ୍ଡଳୀ ଭିତରେ ନିଜକୁ ଆବୃତ୍ତ କରି ! ତାଙ୍କ ଆଖିରଦୃଷ୍ଟି କୃପାପୂର୍ଣ୍ଣ....ଆଃ ! ଏମାନେ କ’ଣ ଜାଣନ୍ତି ନାହିଁ; ଏବେ ଚାଲିଛି କେଉଁଠି ଲୋକୋ–ମେନ୍‌ମାନଙ୍କର ଧର୍ମଘଟ ତ ଆଉ କେଉଁଠି ପଏଣ୍ଟସମାନଙ୍କର ୱାର୍କଟୁ–ରୁଲ୍‌ ! ସବୁ ସମୟ ନିର୍ଘଣ୍ଟ ଆଜି ଭୁଷୁଡ଼ି ପଡ଼ିଛି । କୌଣସି ଉତ୍ତର ଦେଇପାରିବା ଅବସ୍ଥାରେ ଆଜି କେହି ନାହାନ୍ତି ! ଧର ଯଦି କେହି ପଚାରେ ଠିକ୍ କେତେ ଘଣ୍ଟା, କେତେ ମିନିଟ୍‌ରେ ଭୂମିକମ୍ପ ହେବ, ଅଥବା ସମୁଦ୍ରର ଜଳୋଚ୍ଛ୍ୱାସ ଉଠିବ କେତେବେଳେ, କିଏ ଦେଇପାରିବ ସେପରି ପ୍ରଶ୍ନର ନିର୍ଦ୍ଦିଷ୍ଟ ଉତ୍ତର ?

 

ସେ ଏଥର କଣ୍ଠସ୍ଵର ଆଉରି ଦୃଢ଼ ଆଉ କଠୋର କରି ପଚାରିଲା.... ୩୧–ଅପ୍ ଆଜି ପୁଣି ବାତିଲ୍ ନୁହେଁ ତ ?

 

ଏନ୍‌କ୍ୱାରି ବାବୁ ଏଥର ଉତ୍ତର ଦେଲେ.... “ସେ ଖବର ଏ ପର୍ଯ୍ୟନ୍ତ ଆମ ପାଖରେ ନାହିଁ ! ଚୁପ୍‌ଚାପ୍‌ ଆନାଉନ୍‌ସମେଣ୍ଟକୁ ଅପେକ୍ଷା କରନ୍ତୁ !”

 

ସେ ଚିତ୍କାର କରି ଉଠିଲା... “ତା ହେଲେ ବାହାରେ ଏନ୍‌କ୍ୱାରି ସାଇନ୍‌ବୋର୍ଡ଼ ଝୁଲାଇ, ଏଠାରେ ବସି ରହିଛ କାହିଁକି ? ତାମସା ଦେଖିବା ପାଇଁ ?”

 

ତା’ର କ୍ରୁଦ୍ଧ ମୂର୍ତ୍ତି ଦେଖି, ଏନ୍‌କ୍ୱାରି ବାବୁ କୂଟନୈତିକ, ମୋଲାୟେମ୍‍ କଣ୍ଠରେ ଉତ୍ତର ଦେଲେ.... “ଯଥା ସମୟରେ ଆନଉନ୍‍ସମେଣ୍ଟକୁ ଅପେକ୍ଷା କରନ୍ତୁ । ଧୈର୍ଯ୍ୟ ହରାନ୍ତୁ ନାହିଁ !”

 

କିନ୍ତୁ ହାଉଡ଼ା ଷ୍ଟେସନରେ ଗତ ତିନିଦିନ ପଡ଼ି ପଡ଼ି, ସବୁ ଧୈର୍ଯ୍ୟ ସେ ହରାଇ ସାରିଥିଲା । ଅକାରଣରେ ଧୈର୍ଯ୍ୟହୀନ କ୍ରୋଧରେ ସେ ଏନ୍‌କ୍ୱାରି କାଉଣ୍ଟର ଉପରେ ଗୋଟାଏ ମୁଥି ମାରି ବାହାରକୁ ପଳାଇ ଆସିଲା ।.... ଏପରି ଉତ୍ତର ପରେ ତ ଆଉ ଝଗଡ଼ା କରିବା ଚଳେ ନାହିଁ । ପ୍ରକୃତ କଥା, ବଞ୍ଚି ରହିବା ପାଇଁ ଆଜି ପ୍ରଚୁର ଧୈର୍ଯ୍ୟ ଆବଶ୍ୟକ !

 

ବାହାରେ ଷ୍ଟେସନର ଜନାକୀର୍ଣ୍ଣ ଟର୍ମିନାଲ !

 

ଅଣୁବୀକ୍ଷଣ ଲେନ୍ସ ତଳେ, ଦଳଦଳ ବାକ୍‌ଟ୍ରିୟା ପରି ସାଲୁବାଲୁ ଯାତ୍ରୀଙ୍କ ଭିଡ଼... ଗୋଟାଏ ଅସ୍ଥିର, ଅନିଶ୍ଚିତ ଜନସ୍ରୋତ, କେତେବେଳେ ଦକ୍ଷିଣକୁ, କେତେବେଳେ ବାମକୁ... କେତେବେଳେ ଆଗକୁ, କେତେବେଳେ ଘନିଷ୍ଠ ଭାବରେ ଲଗାଲଗି, ଆଉ କେତେବେଳେ ଛୋଟ ଛୋଟ ଦଳରେ ବିଚ୍ଛିନ୍ନ... ମୁଠାଏ ଶୁଖିଲା ପତ୍ର ଯେପରି ଇତସ୍ତତଃ ଉଡ଼ି ବୁଲୁଛି, ଗୋଟାଏ ଖଣ୍ଡିଆଭୂତର ଘୂର୍ଣ୍ଣୀ ଭିତରେ !

 

ଲାଉଡ୍‌ସ୍ପିକରରେ ହଠାତ୍ ବାଜି ଉଠିଲା ଗୋଟାଏ ଘୋଷଣା... ‘କ୍ରିପା କର୍ କେ ଶୁନିୟେ’... ଡାଉନ୍ କାମରୂପ ଏକ୍‌ସପ୍ରେସ ଦଶଘଣ୍ଟା ବିଳମ୍ବରେ ଆସୁଛି । କିନ୍ତୁ ୩୧–ଅପ୍ ? ୩୧–ଅପ୍ ? ଗତ ତିନିଦିନ ଧରି ବାତିଲ୍ ତଥାକଥିତ ଫାଷ୍ଟ୍‍କ୍ଲାସ ଓ୍ୱେଟିଂ ରୁମରେ ତିଳଧାରଣ ପାଇଁ ଆଉ ସ୍ଥାନ ନାହିଁ । ତା’ ଭିତରେ କେତୋଟି ପରିବାର ଇତିମଧ୍ୟରେ, ବେଶ୍ ନିଶ୍ଚିନ୍ତରେ ସଂସାର ସ୍ଥାପନ କରିସାରିଲେଣି ଉଦ୍‌ବାସ୍ତୁମାନଙ୍କ ପରି, ସେମାନଙ୍କ ଟ୍ରେନ୍ ସବୁ ଧର୍ମଘଟ ଫଳରେ ଅଚାନକ ଭାବରେ ବାତିଲ୍‍ । ଏଠାରେ ସେ ମଧ୍ୟ ତିନିଦିନ କଟାଇ ସାରିଲାଣି ୩୧– ଅପ ଅପେକ୍ଷାରେ କିନ୍ତୁ ୩୧–ଅପ ଆଜି ପୁଣି କାନ୍‌ସେଲଡ୍ ନୁହେଁ ତ ?

 

ଏଇ ପ୍ରତୀକ୍ଷା-ସମୟର ଏଇ ଅତ୍ୟାଚାର ଆସିବ ନାହିଁ, ଛାଡ଼ିବ ନା ଛାଡ଼ିବ ନାହିଁ... ଏକ ଉତ୍ପୀଡ଼କ ଜିଜ୍ଞାସା ?

 

ସେ ଚିନ୍ତିତ ଭାବରେ ଖଣ୍ଡେ ସିଗାରେଟରେ ନିଆଁ ଲଗାଇଲା । ତା’ପରେ କଳେ ଧୂଆଁ ଛାଡ଼ି, ଧୂଆଁର ନୀଳ କୁଣ୍ଡଳୀ ଭିତରେ ସେ ନିଜକୁ ନିଜେ ପଚାରିଲା.... “ସେ ସମୟ ଅତିକ୍ରାନ୍ତ ହେବ କିପରି ? କିପରି ?” ଦାଢ଼ି କମେଇବ ନାଃ... ସେଲୁନରେ ମଧ୍ୟ ଭିଡ଼ । ହୁଇଲର୍‍ ଦୋକାନରେ ବହି ସବୁ ଅନେକ ଥର ଓଲଟପାଲଟ କରି ଦେଖାସରିଲାଣି । ରେସ୍ତୋରାଁରେ ସେଇ ବିସ୍ଵାଦ ଚା’ ଆଉ ପିଇବା ପାଇଁ ରୁଚି ନାହିଁ ହିପଟୋଜେନ୍ ବା ମେଣ୍ଡ୍ରକ୍‌ସ ବଟିକା ଯଦି ଗୋଟାଏ ଦୁଇଟା ମିଳନ୍ତା । ଆଠ ନମ୍ବର ଗେଟ୍ ପାଖରେ ସେଇ ଡାକ୍ତରୀ ଔଷଧ ଦୋକାନରେ ଅନୁସନ୍ଧାନ କଲେ ମିଳିପାରେ ହୁଏତ ! ଟ୍ରାଙ୍କ୍ୱିଲାଇଜର ଗିଳି, ୱେଟିଂ ରୁମ୍‍ର ଗୋଟିଏ ବେଞ୍ଚ ଉପରେ ପଡ଼ି, ନିଶ୍ଚିତ ଭାବରେ ୩୧–ଅପ୍‍କୁ ଅକ୍ଳେଶରେ ଅପେକ୍ଷା କରାଯାଇ ପାରନ୍ତା !

 

“ହିପଟୋଜେନ୍‍”.... ଡାକ୍ତରୀ ଔଷଧ ଦୋକାନ କାଉଣ୍ଟର ପାଖରେ ଠିଆହୋଇ ସେ କହିଲା, “ଦୁଇଟା ହିପଟୋଜେନ୍ ଦିଅତ ଦେଖି, ଚଟାପଟ ।

 

କାଉଣ୍ଟର୍ ସେପଟୁ ସେଲସ୍‌ମ୍ୟାନ୍ ଜଣକ ଖିଙ୍କାରି ଉଠିଲା...., ନେହିଁ ମିଲ୍‌ତା ଇଧର୍ ।

 

ତା’ପରେ ? ତା’ହେଲେ ସେ ନିଜକୁ ନିଜେ ସାନ୍ତ୍ଵନା ଦେଲା, ହିପଟୋଜେନ୍ ଗିଳି ଏ ଅନିର୍ଦ୍ଦିଷ୍ଟ ପ୍ରତୀକ୍ଷାକୁ ଫାଙ୍କିଦେଇ ପାରିବ ନାହିଁ ବନ୍ଧୁ ! ଆକ୍‌ସନ୍ ! ଆକ୍‌ସନ୍ ନିର୍ଦ୍ଦିଷ୍ଟ କର୍ମ, କ୍ରିୟା ମଧ୍ୟରେ କେବଳ ପୂର୍ଣ୍ଣ କରି ହେବ ଏଇ ଶୂନ୍ୟତା, ଏଇ ଅନିଶ୍ଚିତ, ପ୍ରତୀକ୍ଷା । କମିଟ୍‌ମେଣ୍ଟ, ସଂକଳ୍ପ ଦରକାର... ହିପଟୋଜେନ୍ ଗିଳି ନିଶ୍ଚେଜତା ନୁହେଁ । ଉତ୍ତିଷ୍ଠତ ଜାଗ୍ରତ । ଏନ୍‌କ୍ୱାରି କାଉଣ୍ଟର୍ ଆକ୍ରମଣ କର । ଭାଙ୍ଗିଦିଅ ସେଇ ଏନ୍‌କ୍ୱାରି ବାବୁର ନିରୁଦ୍‌ବିଗ୍ନ ସିଂହାସନ । ବୋମା ଫିଙ୍ଗି ଧୂଳିସାତ୍‍ କରିଦିଅ ଷ୍ଟେସନ ସୁପରିଟେଣ୍ଡେଣ୍ଟଙ୍କ ସେଇ କାଚଦରଜା ଘେରା ସାମ୍ରାଜ୍ୟ । ସେଇମାନେ ତ କେବଳ ଦେଇପାରନ୍ତେ ସବୁ ଉତ୍ପୀଡ଼କ ଜିଜ୍ଞାସାର ଉତ୍ତର । ଏଇ ଅନିଶ୍ଚିତ ପ୍ରତୀକ୍ଷାର ସିଦ୍ଧାନ୍ତ ।

 

ଦ୍ରୁତ ପାଦରେ ସେ ଆଗେଇଗଲା ଷ୍ଟେସନ୍‍ ସୁପରିଟେଣ୍ଡେଣ୍ଟଙ୍କ ଅଫିସଆଡ଼େ । ମାତ୍ର ଅଫିସ ଭିତରେ ତାଙ୍କର ସିଂହାସନ ଶୂନ୍ୟ । ଦରବାର ପରିତ୍ୟକ୍ତ ନିଅନ୍ ଆଲୋକରେ ନିର୍ଜନ ଅଫିସ କୋଠରିଟା ଦିଶୁଛି ରହସ୍ୟମୟ ପ୍ରେତଲୋକ ପରି । ସୁଇଙ୍ଗ–ଡୋର ବାହାରେ ଖଣ୍ଡେ ଟୁଲ ଉପରେ ବସି ଢୁଳାଉଛି ଦରୱାନ । କ୍ରୁଦ୍ଧ କଣ୍ଠରେ ସେ ଆକ୍ରମଣ କଲା... ‘କାହାନ୍ତି ତମର ଷ୍ଟେସନ ସୁପରିଟେଣ୍ଡେଣ୍ଟ ? ମୁଁ ଏଇ ମୁହୂର୍ତ୍ତରେ ଚାହେଁ ତାଙ୍କୁ ।’

 

ଦରୱାନ ଅର୍ଦ୍ଧନିମୀଳିତ ଆଖି ମେଲି, ନିଦୁଆ ନିର୍ଲିପ୍ତ କଣ୍ଠରେ ଉତ୍ତର ଦେଲା.... “ମାଲୁମ ନେହିଁ” ତା’ପରେ ଗୋଟାଏ ହାଇ ମାରି ସେ ପୁଣି ଢୁଳାଇବା ଆରମ୍ଭ କରିଦେଲା ।

 

ଆଃ... କାହାକୁ ଆଜି କିଛି ମାଲୁମ ନାହିଁ । ସବୁଆଡ଼େ କେବଳ ରାଶିରାଶି ପ୍ରଶ୍ନ ଆଉ ନିରୁତ୍ତରତା । ଯେଉଁମାନେ ଦେଇପାରନ୍ତେ ଉତ୍ତର, ସେମାନେ ହୁଏତ ପଳାୟନ କରିଛନ୍ତି, ନୋହିଲେ ଆତ୍ମଗୋପନ କରିଛନ୍ତି କେଉଁଠି ।

 

ଲାଉଡ଼୍‌ସ୍ପିକର୍‍ ହଠାତ୍‌ ଘୋଷଣା କରିଉଠିଲା... ଶ୍ରୀମତୀ ସିପ୍ରା ଘୋଷ, ବଡ଼ଘଡ଼ି ତଳକୁ ଚାଲି ଆସନ୍ତୁ । ସେଠାରେ ଆପଣଙ୍କ ପାଇଁ ଅପେକ୍ଷା କରିଛନ୍ତି ନବେନ୍ଦୁ ସାନ୍ୟାଲ ।”

 

କ୍ଳାନ୍ତିକର, ଉତ୍ପୀଡ଼କ ପ୍ରତୀକ୍ଷା ମଧ୍ୟରେ, ତା’ର ସ୍ତିମିତ ସ୍ନାୟୁକେନ୍ଦ୍ର ସବୁ ରୋମାନ୍ସର ବାସନା ପାଇ ଚଞ୍ଚଳ ହୋଇଉଠିଲା । ସିପ୍ରା ଘୋଷ ଆଉ ନବେନ୍ଦୁ ସାନ୍ୟାଲ... ଟର୍ମିନାଲର ବଡ଼ଘଡ଼ି ତଳେ, ଟିକ୍‍ଟିକ୍ ହୋଇ ଝରିପଡ଼ୁଥିବା ମୁହୂର୍ତ୍ତ ମଧ୍ୟରେ, କ’ଣ ସ୍ଥିର ହୋଇଥିଲା ସେମାନଙ୍କ ଅଭିସାରର ଲଗ୍ନ ? କିଏ ଏଇ ସିପ୍ରା ଘୋଷ ଆଉ କିଏ ବା ନବେନ୍ଦୁ ସାନ୍ୟାଲ ? ପ୍ରେମିକ-ପ୍ରେମିକା ? କୌଣସି ଲୋକାଲ ଟ୍ରେନରେ, ଏକ ନିର୍ଦ୍ଦିଷ୍ଟ ଗନ୍ତବ୍ୟ ପଥରେ ଦୁଇ ସହଯାତ୍ରୀ-? ବଡ଼ଘଡ଼ି ତଳେ ସେମାନଙ୍କୁ ଥରେ ଦେଖି ଆସିଲେ କିପରି ହୁଅନ୍ତା ? ତାହା ହୁଅନ୍ତା ନିଶ୍ଚୟ ଏଇ ଉତ୍ପୀଡ଼କ ପ୍ରତୀକ୍ଷା ମଧ୍ୟରେ ଏକ ଆକର୍ଷଣୀୟ ମନୋରଞ୍ଜନ କାର୍ଯ୍ୟକ୍ରମ । ମିଳନ୍ତା ଏଇ ଅନିଶ୍ଚିତତା ମଧ୍ୟରୁ କିଛିଟା ପରିତ୍ରାଣ ।

 

ବଡ଼ଘଡ଼ି ତଳେ ପାଳଭୂତ ପରି ଏଇ ଯେ ଲୋକଟା ଠିଆ ହୋଇଛି ସେଇ ବୋଧହୁଏ ନବେନ୍ଦୁ ସାନ୍ୟାଲ । ଛଅଫୁଟ ଡେଙ୍ଗା, ଯୌବନୋତ୍ତୀର୍ଣ୍ଣ, ଏକ ହାଡ଼ଗିଳା ମୂର୍ତ୍ତି । ରୁଢ଼ିଆ ମୁହଁରେ ବେଶ ବାରି ହୋଇ ପଡ଼ୁଛି ହନୁହାଡ଼ ଦୁଇଟା । ଆଖିରେ ମୋଟା ଲେନ୍‌ସର ଚଶମା । ପାନେଲ୍ ପଞ୍ଜାବିଟା ନିଅନ ଆଲୋକରେ ମଇଳା ଦିଶୁଛି । କାନ୍ଧରେ ଚଉତା ହୋଇ ପଡ଼ିଛି ଗୋଟିଏ ରଙ୍ଗିନ ଶାଲ୍, ଧୋତି କୁଞ୍ଚଟା ଗୁଞ୍ଜା ହୋଇଛି ପଞ୍ଜାବି ପକେଟରେ । ହାତରେ ଗୋଟାଏ ରଙ୍ଗଛଡ଼ା ବିବର୍ଣ୍ଣ ଆଟାଚି । ନବେନ୍ଦୁ ସାନ୍ୟାଲ ପାଦର ସାଣ୍ଡାଲରେ ଖଣ୍ଡେ ସିଗାରେଟର ଦଗ୍ଧାଂଶ ଦଳି ଦଳି ନିଭାଉଥିଲା ଚିନ୍ତିତ ଭାବରେ–ତାହାହିଁ ସେତେବେଳେ ଥିଲା ଯେପରି ପ୍ରତୀକ୍ଷାର ଅକଳନୀୟ କ୍ଳାନ୍ତି, ଉଦ୍‌ବେଗର ଅପନୋଦନ ପାଇଁ ଏକମାତ୍ର ପନ୍ଥା ।

 

କିନ୍ତୁ କାହନ୍ତି ସିପ୍ରା ଘୋଷ ? ହାଓଡ଼ା ଷ୍ଟେସନ୍‌ ଟର୍‍ମିନାଲର ଏଇ ବଡ଼ଘଡ଼ି ତଳେ, ହୁଏତ କଥା ଥିଲା, ସାକ୍ଷାତ ପାଇଁ । ତା’ପରେ ଷ୍ଟେସନ୍ ରେସ୍ତୋରାଁରେ ଦୁଇ କପ୍‍ ପାଣିଚିଆ ଚା’ର ନେପଥ୍ୟରେ କିଛିଟା ଆଳାପ, କିଛି ହସାହସି, କିଛି ଗୁପ୍‍ଚୁପ୍‍ କଥା... ତା’ପରେ ବିଦାୟ । ଏଥିପାଇଁ ମହାନଗରୀର ପାର୍କ ସବୁ ହୁଏତ ଥିଲା ଜନାକୀର୍ଣ୍ଣ; ଅନ୍ୟ କେଉଁଠି ଉପଯୁକ୍ତ ସ୍ଥାନ ହୁଏତ ନଥିଲା, ମହାନଗରୀର ରେସ୍ତୋରାଁମାନଙ୍କରେ ଜନତାର ଭିଡ଼ । ସେ ମନେମନେ ବୁଣି ଚାଲିଥିଲା ରୋମାନ୍ସର ଜାଲ । ଏପରି ମଧ୍ୟ ହୋଇପାରେ, ଏଇ ହାଉଡ଼ା ଷ୍ଟେସନ୍‍କୁ ଆସି ସିପ୍ରା ଘୋଷ ହଠାତ୍‍ ହୋଇଛନ୍ତି ନିଖୋଜ... ଆକସ୍ମିକ ଭାବରେ ଦେଖା, ଅନ୍ୟ କେଉଁ ବନ୍ଧୁଙ୍କ ସହିତ ହୁଏତ ରେସ୍ତୋରାଁର କେଉଁ ନିରୋଳା କୋଣରେ ବସି ଢୋକେ ଢୋକେ ଚା’ ପିଇ ଜମାଇଛନ୍ତି ଆଳାପ….ଆଉ ଏଣେ ବଡ଼ଘଡ଼ି ତଳେ କାନ୍ଥକୁ ଆଉଜି ପାଳଭୂତ ପରି ଠିଆ ହୋଇଛନ୍ତି, ବିଚାରା ନବେନ୍ଦୁ ସାନ୍ୟାଲ୍ !

 

ନବେନ୍ଦୁ ସାନ୍ୟାଲଠାରୁ ଅଳ୍ପ ଛଡ଼ାରେ ସେ ଯାଇଁ, ସେହିପରି କାନ୍ଥକୁ ଆଉଜି ଠିଆ ହେଲା, କାହାକୁ ଅପେକ୍ଷା କରିବା ପରି । ତାର ପ୍ରତୀକ୍ଷା– ୩୧ ଅପ୍ ପାଇଁ । କିନ୍ତୁ ଇତି ମଧ୍ୟରେ ଆନାଉନ୍ସମେଣ୍ଟ ଅଫିସ ଭିତରକୁ ଯାଇଁ କୌଣସି ଏକ କାଳ୍ପନିକ ତୃପ୍ତି ବାନାର୍ଜୀଙ୍କ ନାମଧରି ଜଣାଇ ଆସିଲେ କିପରି ହୁଅନ୍ତା... ତୃପ୍ତି ବାନାର୍ଜୀ, ବଡ଼ଘଡ଼ି ତଳକୁ ଚାଲି ଆସନ୍ତୁ; ସେଠାରେ ଆପଣଙ୍କୁ ଅପେକ୍ଷା କରିଛନ୍ତି ଶୁଭେନ୍ଦୁ କୁମାର ।

 

ପୂରା ଗୋଟିଏ ସିଗାରେଟ ପୋଡ଼ି, ପାଦରେ ଦଳି ଦଳି ନିଭାଇବା ପରେ ସେ ମଧ୍ୟ ଜଣାଇ ଆସିଲା ସେହିପରି ଗୋଟାଏ ସମ୍ବାଦ । ତା’ପରେ ଯଥାରୀତି ଲାଉଡ୍‍ସ୍ପିକରରେ ବାଜି ଉଠିଲା ଘୋଷଣା... ‘ତୃପ୍ତି ବାନାର୍ଜୀ’ ବଡ଼ଘଡ଼ି ତଳକୁ ଚାଲି ଆସନ୍ତୁ; ସେଠାରେ ଆପଣଙ୍କ ପାଇଁ ଅପେକ୍ଷା କରିଛନ୍ତି ଶୁଭେନ୍ଦୁ କୁମାର । ସେ ହଠାତ୍‍ ଅବତୀର୍ଣ୍ଣ ହୋଇଥିଲା ଶୁଭେନ୍ଦୁ କୁମାର ଭୂମିକାରେ ।

 

ବମ୍ବେ ଫିଲ୍ମର ହିରୋ, ସିନେମା ପୋଷ୍ଟର୍‌ରେ ରଙ୍ଗିନ ହରଫରେ ଛାପା ହେବା ପରି ନାମ... ଶ୍ରେଷ୍ଠାଂଶେ, ଶୁଭେନ୍ଦୁ କୁମାର ଓ ତୃପ୍ତି ଦେବୀ !

 

‘ଶୁଭେନ୍ଦୁ କୁମାର ଆଡ଼େ ଚାହିଁ, ଚଶମାର ମୋଟା ଲେନ୍ସ ତଳେ, ନବେନ୍ଦୁ ସାନ୍ୟାଲର ଦୁଇ କୋଟରଗତ ଆଖିର ଦୃଷ୍ଟି, ଦପ୍‍ଦପ୍ ହୋଇ ଉଠିଲା ଅହେତୁକ କ୍ରୋଧ ଓ ଘୃଣାରେ : ସିପ୍ରା ଘୋଷ ସହିତ ମିଳନର ଏଇ ନିଭୃତ କୁଞ୍ଜରେ, ଶୁଭେନ୍ଦୁ କୁମାର ଅନାହୂତ ଦେଖା ଦେଇଥିଲା ଯେପରି ଏକ ରସଭଙ୍ଗ ରୂପେ !

 

‘ତମର ତୃପ୍ତି ବାନାର୍ଜୀ ପାଇଁ ଆଉ କେଉଁଠି ଜାଗା ପାଇଲ ନାହିଁ ବାବା ? ଯେତେ ସବୁ ଲୋଫର୍‌ ଜୁଆଚୋରମାନଙ୍କର ଆଡ଼୍‌ଡ଼ା ଏଇଠି !’ ନବେନ୍ଦୁ ସାନ୍ୟାଲର ଆଖିର ଦୃଷ୍ଟିକୁ ଭାଷାରେ ରୂପାନ୍ତରିତ କଲେ, ତାହା ହୁଅନ୍ତା ଏଇପରି !

 

ବ୍ୟର୍ଥ ପ୍ରତୀକ୍ଷା ପରେ, ନବେନ୍ଦୁ ସାନ୍ୟାଲ ବିରକ୍ତିରେ ସାଣ୍ଡାଲ୍‍ ଘୋଷାରି ଚାଲିଗଲେ, କେଉଁ ବିସ୍ମୃତ ସାମ୍ରାଜ୍ୟର କୀର୍ତ୍ତିସ୍ତମ୍ଭ ପରି ଠିଆହୋଇଥିବା ସେଇ ଲେଟର-ବକ୍ସ ପାଖକୁ ! ଲେଟର-ବକ୍ସ ସବୁ ଏପରି ଲିଙ୍ଗାକୃତି କାହିଁକି ? ଏହାର ନେପଥ୍ୟେରେ ଅଛି କ’ଣ କିଛି ଫ୍ରୟେଡୀୟ ରହସ୍ୟ ? ଲେଟର-ବକ୍ସ ସବୁ ଚାରିକୋଣିଆ ହେଉଥିଲେ କି ଅସୁବିଧା ବା ହେଉଥାନ୍ତା ? ... ଗବେଷଣା ସାପେକ୍ଷ

 

ତା’ର ଚିନ୍ତାଧାରାରେ ବାଧା ସୃଷ୍ଟି କରି, ଟର୍ମିନାଲ ଚଟାଣ ଉପରେ ହଠାତ୍‍ ଜଳି ଉଠିଲା ଗଦାଏ ନିଆଁ ! ଗୋଟାଏ ବୁଲା ଭିକାରୁଣୀ, ଦିନସାରା ପ୍ଲାଟଫର୍ମମାନଙ୍କରେ ବୁଲି, ଯେତେ ସବୁ ଅଳିଆ କାଗଜ ଆଉ କାଠିକୁଟା ସଂଗ୍ରହ କରିଥିଲା; ସେସବୁ ଏକାଠି କରି ସେଥିରେ ନିଆଁ ଲଗାଇ ଦେଇଥିଲା, ହେମାଳିଆ ଉତ୍ତରା ପବନର କିଛିଟା ପ୍ରତିରୋଧ ପାଇଁ । ସେଇ ଧୁନି ଚାରିପଟେ ଗଢ଼ି ଉଠିଥିଲା ଏକ ମାତୃପ୍ରଧାନ ସମାଜ । ଭିକାରୁଣୀ ସ୍ତ୍ରୀ ଲୋକଟିର ବୟସ ଅନୁମାନ କରିବା କଠିନ । ମୁଣ୍ଡର ବାଳ ସବୁ ରୁକ୍ଷ, ମୁହଁ ଉପରକୁ ଝୁଲିପଡ଼ିଥିଲା । ଉତ୍ତରାର ଆକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ, ସେ ଯେତେବେଳେ ଛିଣ୍ଡା, ଗଣ୍ଠିପକା ଶାଢ଼ିର କାନି ପିଠି ଉପରକୁ ଟାଣି ନେଉଥିଲା, ସେତେବେଳେ ଛାତିଟା ହୋଇ ଯାଉଥିଲା ଲଙ୍ଗଳା, ଲଙ୍ଗଳା ଛାତିଟାକୁ ଢାଙ୍କିବା ବେଳେ, ମୁକୁଳା ପିଠି ଉପରେ ଉତ୍ତରା ପବନ ଯେପରି ଫୁଟାଇ ଯାଉଥିଲା ଶହଶହ ଛୁଞ୍ଚି । ଧୁନି ନିଆଁର ଉତ୍ତାପ ତାକୁ କ’ଣ ମନେ ପକାଇ ଦେଉଥିଲା, କେଉଁ ବାସ୍ତୁହରା ବେକାର ଭାଗାବଣ୍ଡ୍‍ର ଉଷ୍ମ ଆଲିଙ୍ଗନ... କେଉଁଠି ଫୁଟ୍‌ପାଥ କଡ଼ରେ; ଅଥବା କେଉଁ ନିର୍ଜନ, ପରିତ୍ୟକ୍ତ ପ୍ଲାଟଫର୍ମ ଉପରେ, ଲୋକାଲ୍‍ ସବୁ ଚାଲିଯିବାପରେ ? ତାକୁ ବେଢ଼ି ବସିଥିବା ଚାରିଗୋଟି ଅକାଳବୃଦ୍ଧ ଶିଶୁ କ’ଣ ସେଇ ଆଲିଙ୍ଗନର ପରିଣତି ? ହୋଇପାରେ ଏକାଧିକ ପିତା, ସାମୟିକ ଉତ୍ତେଜନାରେ ବୀର୍ଯ୍ୟବିକ୍ଷେପ ପରେ, ଆଦିମ ଜନନୀଠାରେ ନିଜ ନିଜର ସୃଷ୍ଟି ଅର୍ପଣ କରିଦେଇ ନିର୍ଲିପ୍ତ ଭାବରେ ସେମାନେ ହୋଇଛନ୍ତି ନିଖୋଜ ! କିନ୍ତୁ ଏଇ ଆଦିମାର ସେଥିରେ କ୍ଷୋଭ ନାହିଁ, ଅବଶୋଷ ନାହିଁ । ନିଶ୍ଚିନ୍ତ, ନିରୁଦ୍‌ବିଗ୍ନ ଭାବରେ, ଏଇ ଟର୍‍ମିନାଲରେ ସେ ଗଢ଼ିଛି ତାର ମାତୃପ୍ରଧାନ ପରିବାର । ଧୁନି ନିଆଁର ମେଲାୟେମ୍‍ ଆଲୋକରେ ସେଇ ଅକାଳବୃଦ୍ଧ ଶିଶୁମାନଙ୍କର ଶେଥା, ପାଉଁଶିଆ କ୍ଷୁଧିତ ମୁହଁସବୁ ପ୍ରାଣବନ୍ତ ଦିଶୁଛି ଈଷତ୍‍ ସେମାନଙ୍କର ଆଖିର ଦୃଷ୍ଟି ନିର୍ବାକ୍‍ ନିସ୍ପନ୍ଦ ଧୁନି ନିଆଁ ଭିତରକୁ ସେମାନେ ଚାହିଁ ବସିଛନ୍ତି ଯଜ୍ଞାଚରୁପ୍ରତ୍ୟାଶୀ ଯଜମାନମାନଙ୍କ ପରି ପ୍ରତ୍ୟେକଙ୍କ ସାମନାରେ ପଡ଼ିଛି ଗୋଟିଏ ଗୋଟିଏ ଶୂନ୍ୟ, ଆଲୁମିନିୟମ୍ ବାଟୀ !

 

କେଉଁଠି ଗୋଟାଏ ସୁ–ସାଇନ୍‌ ପିଲା ଆସି ତାର ଜୋତା ପାଲିସର କାଠ ବାକ୍ସ ଧରି, ସେଇ ଧୁନି ପାଖରେ ବସି ପଡ଼ିଲା । ତା’ପରେ ଧୀରେ ସୁସ୍ଥେ ଗୋଡ଼ହାତ ଲମ୍ବାଇ ସେ ଆହରଣ କରିବାକୁ ଲାଗିଲା ଧୁନି ନିଆଁର ଉତ୍ତାପ ! ହେମାଳିଆ ଉତ୍ତରା ପବନ ଆଉ ଶୀତ ପ୍ରବାହରେ ବୁଲିବୁଲି ସେ ମଧ୍ୟ ଅବସନ୍ନ ହୋଇପଡ଼ିଥିଲା । ଏଠାରେ ସେକିସାକି ହୋଇ, ଦେହଟା ଉଷୁମ ହୋଇଯିବାପରେ ସେ ଯାଇଁ ଶୋଇ ପଡ଼ିବ, ସେଇ ରିଟାୟାରିଙ୍ଗ ରୁମ୍‍‍ ଶିଡ଼ି ତଳେ, ଗୋଟାଏ ଭଙ୍ଗା ଟ୍ରଲି ଉପରେ !

 

କିନ୍ତୁ ତା’ର ସବୁ ଆରମରେ ବାଧା ଦେଇ ସେଇ ଭିକାରୁଣୀ କର୍କଶ କଣ୍ଠରେ ଚିତ୍କାର କରି ଉଠିଲା... “ଭାକ୍, ଭାକ୍ ଏଠୁ: ଏ ନିଆଁରେ ତୋର ଭାଗ କାହିଁରେ ହତଭାଗା ? ତୁ ମୋର ଚୁଲି ନାଁ ପାଉଁଶ ।”

 

ସୁ–ସାଇନ୍‌ ପିଲାଟି କିନ୍ତୁ ନିର୍ବିକାର । ହାଫ୍‌ପ୍ୟାଣ୍ଟ ପକେଟରୁ ଖଣ୍ଡେ ଖଣ୍ଡିଆ ସିଗାରେଟ କାଢ଼ି ଧୁନି ନିଆଁରେ ସେ ସିଗାରେଟ୍ ଜଳାଇଲା । ତା’ପରେ କଳେ ଧୂଆଁ ଛାଡ଼ି କହିଲା... “ଆ ! ଥଣ୍ଡା ଲାଗୁଛି ଯେ”

 

“ଥଣ୍ଡା ଲାଗୁଛି ?” ….କଣ୍ଠସ୍ଵର ବିକୃତ କରି ଭିକାରୁଣୀ ଚିତ୍କାର କରି ଉଠିଲା :

 

ତାକୁ ଆଉ ତାର ପିଲାମାନଙ୍କୁ କ’ଣ ଭୋକ କରେ ନାହିଁ ? ଥଣ୍ଡା ଲାଗେ ନାହିଁ ? କିଏ ବା ସେମାନଙ୍କୁ ଆହାରରେ ଭାଗ ଦେଇଥାଏ ? ବର୍ଷା ଶୀତରେ କିଏ ବା ସେମାନଙ୍କୁ ଡାକି ଦେଇଥାଏ ଆଶ୍ରୟ ? ପୂର୍ବବଙ୍ଗ ଶରଣାର୍ଥୀମାନଙ୍କର ସେ ଦ୍ଵିତୀୟ ପିଢ଼ି । ନୋଆଖାଲି ଦଙ୍ଗା ସମୟରେ ସେ ସେତେବେଳେ ବାପ ମା’ଙ୍କ ସଙ୍ଗେ ଦେଶାନ୍ତର ହୋଇ ପଳାଇ ଆସିଥିଲା, ଯେତେବେଳେ ତା’ର ବୟସ ଥିଲା ପାଞ୍ଚ ବା ଛଅ, କଲିକତା ସହରର ଫୁଟ୍‌ପାଥ କଡ଼ରେ ତାର ମାଳା ବଦଳ ହୋଇଥିଲା, ଜଣେ ଉଦ୍‌ବାସ୍ତୁ ଶରଣାର୍ଥୀ ଯୁବକ ସଙ୍ଗରେ... ତା’ର ଚେହେରାଟା ସୁଦ୍ଧା ଏବେ ଠିକ୍‍ ମନେପଡ଼େ ନାହିଁ, କିନ୍ତୁ ସେ ମଧ୍ୟ କୁଆଡ଼େ ହଜିଗଲାଣି । ତା’ପରେ ଏଇ ଷ୍ଟେସନରେ ପ୍ଲାଟଫର୍ମମାନଙ୍କରେ ବୁଲି ବୁଲି ସେ ଗଢ଼ିଛି ତାର ମାତୃପ୍ରଧାନ ସଂସାର ।

 

ଧୁନି ପାଖରେ, ସୁ–ସାଇନ୍‌ ପିଲାଟା ତଥାପି ଆରମରେ ଗୋଡ଼ହାତ ଲମ୍ବାଇ ବସି ସିଗାରେଟ ଟାଣୁଛି । ଭିକାରୁଣୀ ଚିତ୍କାର କରି ଉଠିଲା, “ଏଠୁ ଯାଉଛୁ ନା ଦେଖିବୁ ?”

 

“ଆଃ ବାହାରେ ଯେଉଁ ଅଣ୍ଡା” .... ସୁ–ସାଇନ୍‌ ପିଲାର ନିର୍ଲିପ୍ତ ଉତ୍ତର ।”

 

“ଥଣ୍ଡା ଲାଗୁଛି ଯଦି ନିଆଁ ଜାଳ । ନଇଲେ ମର୍‌ମର୍‌ ମରଣ ହେଉ ତତେ । ମୋର କ’ଣ ଅଛି ?” ...ଭିକାରୁଣୀ ଚିତ୍କାର କରି ଉଠିଲା ।

 

କିନ୍ତୁ ସୁ–ସାଇନ୍‌ ପିଲା ସେ ପରାମର୍ଶ ଶୁଣିବ କାହିଁକି ? ନିଆଁ ଜାଳିବା ପାଇଁ ଧୁନି ତିଆରି କରିବା ତ ସହଜ କଥା ନୁହେଁ । ସାରାଦିନ ସେଥିପାଇଁ ବୁଲି ବୁଲି ଇନ୍ଧନ ସଂଗ୍ରହ କରିବାକୁ ପଡ଼ିବ । ସେ ଆଉରି ଆରାମରେ, ସେଇ ଧୁନି ପାଖରେ କୁଣ୍ଡଳୀ ମୋଡ଼ି ଶୋଇବାର ଉପକ୍ରମ କରୁଥିଲା, ମାତ୍ର ତା’ର ଆରାମରେ ବାଧା ଦେଇ ‘ଭାକ୍‍ ଭାକ୍‍, ଏଠୁ’ ବୋଲି ଚିତ୍କାର କରି, ଭିକାରୁଣୀ ଗୋଟାଏ ଆଲୁମିନିୟମ ବାଟି ସେଇ ଧୁନି ଉପରେ ପିଟିପିଟି, ନିଆଁ ଲିଭାଇ ଦେଲା । ଧୁନି ଲିଭାଇ ସେ ବରଂ ନିଜେ ଶୀତରେ କମ୍ପିବ କିନ୍ତୁ ଏତେ କଷ୍ଟରେ ତିଆରି ଧୁନିରୁ, କୋଉଠିକାର ଏ ମୋଚି ପିଲାକୁ ଭାଗ ଦେବନାହିଁ କଦାପି ! କିଏ ବା ତାକୁ କେଉଁଦିନ କେଉଁଠି ଭାଗ ଦେଇଥିଲା-?

 

ଆଦିମାର ଯୁକ୍ତି ଅକାଟ୍ୟ, ପରାମର୍ଶ ମଧ୍ୟ ସାଧୁ ! ଥଣ୍ଡା ଲାଗୁଛି ଯଦି ନିଜେ ନିଆଁ ନ ଜାଳି ଅନ୍ୟର ଧୁନି ପାଖରେ ବସି, ଉଷୁମ ଟାଣିବାର ଏ ସଉକ୍ କାହିଁକି ?

 

ଭିକାରୁଣୀର ଉଗ୍ର ମୂର୍ତ୍ତି ଦେଖି ସୁ–ସାଇନ୍‌ ପିଲାଟି କାଠ ବାକ୍ସ ଧରି ଅନ୍ୟଆଡ଼େ ଉଠିଯାଉଥିଲା, ବଡ଼ଘଡ଼ି ତଳୁ ସେ ଡାକିଲା.... ‘ଏଇ ପିଲା ଶୁଣ ।’

 

ସେ ଭାବୁଥିଲା ଗୋଟିଏ ଟିଣ ପେଟ୍ରୋଲ ମିଳିପାରିଲେ ଏଠାରେ ହୋଇପାରନ୍ତା ବହ୍ନ୍ୟୁତ୍ସବ । ସେଇ ଭିକାରୁଣୀ ଓ ତା’ର ସନ୍ତାନ ଗୋଷ୍ଠୀଙ୍କଠାରୁ ଆରମ୍ଭ କରି, ଏଇ ସୁ–ସାଇନ୍‌ ପିଲା ଆଉ ତା’ରି ପରି ଯେତେକ କମ୍ପୁଛନ୍ତି, ଉତ୍ତରା ପବନର ହାଡ଼ଥରା ଶୀତରେ, ସମସ୍ତେ ପାଇପାରନ୍ତେ, ଉତ୍ତାପ ଓ ଆଶ୍ଵସ୍ତି : ଉଦ୍‌ବେଗ, ଉତ୍କଣ୍ଠା କଣ୍ଟକିତ, ଭୂତଖାନା ପରି ଏଇ ଟର୍ମିନାଲଟା ମଧ୍ୟ ପୋଡ଼ି ପାଉଁଶ ହୋଇଯାନ୍ତା: ତା’ପରେ ତିଆରି ହୁଅନ୍ତା ନୂଆ ଟର୍ମିନାଲ, ଖୋଲନ୍ତା ନୂଆ ଏନ୍‌କ୍ୱାରି.... ଯେଉଁଠୁ ଅନ୍ତତଃ ସବୁ ଜିଜ୍ଞାସାର ଗୋଟାଏ କିଛି ନିର୍ଦ୍ଦିଷ୍ଟ ଉତ୍ତର ମିଳିପାରନ୍ତା :

 

ସୁ–ସାଇନ୍ ପିଲାଟା ତା’ର ଡାକ ଶୁଣି ନ ଶୁଣିବା ପରି ଚାଲିଯାଉଥିଲା । ସେ ଆଉ ଥରେ ଡାକିଲା... “ଏ ପିଲା ।”

 

ଭୀତ, ଶଙ୍କିତ ଦୃଷ୍ଟିରେ, ସୁ–ସାଇନ୍‌ ପିଲାଟା ଫେରି ଚାହିଁଲା । ମାତ୍ର ଏଇ ରାତିରେ କିଏ ବା ଜୋତା ପାଲିସ୍‍ କରିଥାଏ ? ସେସବୁ ସକାଳର ଧନ୍ଦା, ଏ ଲୋକଟା ପାଗଳ, ନୋହିଲେ ପକେଟମାର ନିଶ୍ଚୟ... ସୁ–ସାଇନ୍‌ ପିଲାଟା ଚାଲିଗଲା, ରିଟାୟାରିଙ୍ଗ୍‌ ରୁମ୍‍‍ ଶିଡ଼ି ତଳେ, ସେଇ ଭଙ୍ଗା ଟ୍ରଲି ଉପରେ କୁଣ୍ଡଳୀ ମୋଡ଼ି ଶୋଇବା ପାଇଁ ।

 

ଆଉ ‘ଆଟେନ୍‍ସନ୍‍ ପ୍ଲିଜ୍‍’ ଶୁଭୁନାହିଁ । ସବୁ ଘୋଷଣାର ହୁଏତ ଏକ ପୂର୍ଣ୍ଣଚ୍ଛେଦ ପଡ଼ିଗଲାଣି । ସେସବୁ ଘୋଷଣା, ଉଦ୍‌ଘୋଷଣାରେ ମଧ୍ୟ ଆଉ କାହାର, କୌଣସି ଆଗ୍ରହ ନାହିଁ ।

 

‘ତୃପ୍ତି ବାନାର୍ଜୀ ତ ଆସିବେ ନାହିଁ । କିମ୍ବା ଆସନ୍ତେ ନାହିଁ । ସେ କାଳ୍ପନିକା । ‘ଶୁଭେନ୍ଦୁ କୁମାର’ଙ୍କ ଚେତନାରୁ ମଧ୍ୟ ବିଦାୟ ନେଲାଣି ରୋମାନ୍ସ । ବହ୍ନ୍ୟୁତ୍ସବର ଆଗ୍ନେୟ ସଂକଳ୍ପ ସେଠାରେ ପ୍ରଜ୍ଜ୍ଵଳିତ କରିଦେଇ ଯାଇଛି ଯେପରି ହୁତାଶନ ଶିଖା ଟର୍ମିନାଲ୍‍ ଭିତରେ ସେ ଇତସ୍ତତଃ ବୁଲିବା ପାଇଁ ଲାଗିଲା ।

 

ଆଃ... କିପରି ନିଶ୍ଚିନ୍ତ, ନିରୁଦ୍‍ବିଗ୍ନ ଭାବରେ, ଟର୍ମିନାଲ୍‍ର ଚଟାଣ ଉପରେ କମଳାଲେମ୍ବୁ, କଦଳୀ ଚୋପା ଆଉ ଛିଣ୍ଡା କାଗଜର ଜଞ୍ଜାଳ ଭିତରେ, ଚେକାମାଉଲି ପକାଇ, ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ମଇଳା ଆଲୁଆନ ଆଉ ମଫଲରରେ ଢାଙ୍କିଢୁଙ୍କି ହୋଇ ବସିଯାଇଛନ୍ତି ଏମାନେ ? ମାଟି ଭାଣ୍ଡମାନଙ୍କରୁ ଢୋକେ ଢୋକେ ପାଣିଚିଆ ଚା’ ପିଇ, ସେମାନେ ମେଲି ଦେଇଛନ୍ତି ଗପର ଆସର...ସତେ ଯେପରି ଏଇ ଟର୍ମିନାଲ୍‍ଟା ସେମାନଙ୍କ ଗାଁ ମୁଣ୍ଡର ଚଣ୍ଡୀମଣ୍ଡପ-। କେଉଁ ଲୋକାଲ୍‍ ଟ୍ରେନ୍‍ ହଠାତ୍‍ ବାତିଲ ହୋଇଯିବା ଫଳରେ, ସେମାନେ ହୁଏତ ଅଟକି ପଡ଼ିଯାଇଛନ୍ତି ଏଇଠି । କିନ୍ତୁ ଟ୍ରେନ୍‍ ପରେ ଟ୍ରେନ୍‍ ବାତିଲ ଥିବା ଫଳରେ ହଜାର ହଜାର ଯାତ୍ରୀ ଯେ ଉଦ୍‌ବାସ୍ତୁମାନଙ୍କ ପରି ଏଠାରେ ପଡ଼ି ରହିଛନ୍ତି, ସେଥିପାଇଁ ଦାୟୀ କିଏ ? ଦାୟିତ୍ଵ କାହାର-? ଏହାର ସମାଧାନ କିପରି ?... ଏସବୁ ପ୍ରଶ୍ନ ସେମାନଙ୍କୁ ଯେପରି ଆଦୌ ସ୍ପର୍ଶ କରୁ ନାହିଁ-! ଜୀବନର ଶେଷଦିନ ପର୍ଯ୍ୟନ୍ତ, ସେମାନେ ମାଟି ଭାଣ୍ଡମାନଙ୍କରୁ ଏଇପରି ଢୋକେ ଢୋକେ ଚା’ ପିଇ, ଆଉ ଗପ ଯୋଡ଼ି ଅକ୍ଳେଶରେ କଟାଇଦେଇ ପାରିବେ ନିଶ୍ଚିନ୍ତ ଭାବରେ ।

 

କିନ୍ତୁ ବହ୍ନ୍ୟୁତ୍ସବ ପାଇଁ ଏମାନଙ୍କୁ କଣ ଉଦ୍‌ବୁଦ୍ଧ କରିହେବ ନାହିଁ ?

 

ଟର୍ମିନାଲ୍‍ ଚଟାଣ ଉପରେ, ବେୱାରିସ୍ ମାଲ୍ ପରି ପଡ଼ିଥିବା ଗୋଟାଏ କାଠ ପେଟି ଉପରେ ଠିଆହୋଇ ସେ ହଠାତ୍‍ ଆରମ୍ଭ କରିଦେଲା ବକ୍ତୃତା... ‘ବନ୍ଧୁଗଣ, ସାଥୀଗଣ, ସହଯାତ୍ରୀଗଣ... ଆଉ କେତେକାଳ ମାଟିଭାଣ୍ଡରୁ ଏମିତି ପାଣିଚିଆ ଚା’ ଢୋକେ ଢୋକେ ପିଇପିଇ, ଚଣ୍ଡୀମଣ୍ଡପରେ ଆସର ଜମାଇଥିବ ? ଆଉ କେତେ ଦୀର୍ଘ କରିବ ଏଇ ପ୍ରତୀକ୍ଷା ? ଏନ୍‌କ୍ୱାରିବାଲା ବି ତ କୌଣସି ଉତ୍ତର ଦେବା ଅବସ୍ଥାରେ ନହାନ୍ତି । ସୁପରିଟେଣ୍ଡେଣ୍ଟ ନିଖୋଜ... ।’

 

–‘ଶଳା, ଗୋଟାଏ ପାଗଳ’ ସେଇ ଯାତ୍ରୀ ଦଳ– ତା’ର ଶ୍ରୋତା ମଣ୍ଡଳୀ–ଭିତରୁ ଉଠିଲା ପରିହାସ ମିଶ୍ରିତ ଟିପ୍‌ପଣୀ । “ଜୋର୍ ଟାଣି ଦେଇଛି ମାଲ୍‍ ନାକ ପର୍ଯ୍ୟନ୍ତ ।”

 

ତା’ର ଭାଷଣରେ ସେଇଠି ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ଏଇ କୌତୂହଳପ୍ରଦ ଦୃଶ୍ୟ ଦେଖିବା ପାଇଁ, ସେଠାରେ ଇତିମଧ୍ୟରେ ଭିଡ଼ ଜମି ଉଠିଥିଲା । ସମସ୍ତଙ୍କ କଣ୍ଠରେ ସ୍ଳୋଗାନ ପରି ସେଇ ଗୋଟିଏ କଥା... “ଶଳା ! ଗୋଟାଏ ପାଗଳ ।”

 

ଭିଡ଼ ଠେଲି ବାହାରକୁ ପଳାଇବାର ଉପାୟ ନଥିଲା । କିନ୍ତୁ ଭିଡ଼ଟା ହଠାତ୍‍ ମୁହାଁଇଗଲା ଅନ୍ୟଆଡ଼େ । ଭିଡ଼ ଭିତରେ ସୁବିଧା ଦେଖି, ଗୋଟାଏ ପକେଟ୍‌ମାର୍‌ କାହାର ପକେଟରୁ ଉଠାଇ ନେଇଥିଲା ମନିବ୍ୟାଗ୍‍ ବା ଆଉ କିଛି । ଯାହାର ପକେଟରୁ ଚୋରି ଯାଇଥିଲା, ସେ ପାଗଳ ପରି ଚିତ୍କାର କରୁଥିଲା, “ପକେଟ୍‌ମାର୍ ।” ପକେଟ୍‌ମାର୍‌କୁ ଧରିବାର ବ୍ୟସ୍ତତା ମଧ୍ୟରେ, ସମସ୍ତେ ଭୁଲିଯାଇଥିଲେ, କାଠପେଟି ଉପରେ ବହ୍ନ୍ୟୁତ୍ସବର ସେଇ ଉଦ୍‌ଗାତାକୁ । କିନ୍ତୁ ପକେଟ୍‌ମାର୍‌ର ପତ୍ତା ନଥିଲା ।

 

Unknown

ଭିଡ଼ ଭିତରୁ ମୁକ୍ତି ପାଇ, ନିରୁଦ୍ଦିଷ୍ଟ ଭାବରେ ସେ ଟର୍ମିନାଲ୍‍ର ଆଉ ଗୋଟାଏ ପାଖକୁ ପଳାଇ ଆସିବା ପରେ, ଟୁରିଷ୍ଟ୍‍ ଡିପାର୍ଟମେଣ୍ଟର କାଉଣ୍ଟର ପାଖରେ, ତା’ ଆଖିରେ ପଡ଼ିଲା–ସେଇ ଐତିହାସିକ ଅଭିଲେଖ । ସମାଧି ସ୍ତୂପ ପରି, ଲୁହାରେଲିଙ୍ଗ୍ ଘେରା, ଗୋଟାଏ ଚଉକୋଣିଆ ସ୍ତମ୍ଭ ଦେହରେ ପଥରରେ ବଙ୍ଗଳା ଓ ଇଂରାଜୀ ହରଫରେ ଉତ୍କୀର୍ଣ୍ଣ ହୋଇଥିଲା... ‘୧୯୦୮ ଖ୍ରୀଷ୍ଟାବ୍ଦରେ ମହାତ୍ମାଗାନ୍ଧୀ ପ୍ରଥମେ ଏଇ ମହାନଗରୀ କଲିକତାରେ ପଦାର୍ପଣ କରିଥିଲେ ।’

 

ଭାଗ୍ୟ ନିଶ୍ଚୟ ମହାତ୍ମାଙ୍କର । ଜବ୍‍ ଚାର୍ଣକ୍, ଲର୍ଡ଼ କ୍ଲାଇଭ, ଲର୍ଡ଼ କର୍ଜନଙ୍କ କଲିକତା ମହାନଗରୀରେ ସେ ସର୍ବପ୍ରଥମେ ୧୯୦୮ ଖ୍ରୀଷ୍ଟାବ୍ଦରେ ପଦାର୍ପଣ କରିଥିଲେ । ଜୀବନ ତାଙ୍କର କୃତାର୍ଥ ହୋଇଥିଲା ନିଶ୍ଚୟ । ବାରମ୍ବାର ସେଇ ଅଭିଲେଖ ପଢ଼ିସୁଦ୍ଧା ସେ ଯେପରି ତାହାର ମର୍ମ ବୁଝିପାରୁ ନଥିଲା । ତା’ ପକ୍ଷରେ ତାହା ଥିଲେ ଯେପରି, ହେରୋଗ୍ଲାଫିକ୍‌ସ ବା ସେହିପରି କୌଣସି ଲିପିରେ ଲିଖିତ ଏକ ଶିଳାଲେଖ ।

 

ଟୁରିଜମ୍‍ ଡିପାର୍ଟମେଣ୍ଟ କାଉଣ୍ଟର ଉପରେ ଆଉଜି ଠିଆ ହୋଇଥିଲେ ବେଲ୍‍ବଟମ୍ ଆଉ ଉଲେନ୍ ପୁଲ୍‍ଓଭର ପିନ୍ଧା ଦୁଇଜଣ ଯୁବକ । ସେମାନଙ୍କ ମୁଣ୍ଡର ବାବୁରିବାଳ ଲମ୍ବି ଆସିଥିଲା କାନ୍ଧ ଉପରକୁ, ଗାଲମୁଛା କଲି ମିଶି ଯାଇଥିଲା ନିଶର ଶେଷାଗ୍ର ସହିତ । ସେମାନେ ସିଗାରେଟ୍ ଟାଣୁଥିଲେ, ଆଉ ଉପରକୁ ଚାହିଁ ନିଆଁର କୁଣ୍ଡଳୀ ଲକ୍ଷ୍ୟ କରୁଥିଲେ ।

 

ସେମାନଙ୍କର ଟ୍ରେନ ମଧ୍ୟ ହୁଏତ ହୋଇଥିଲା ବାତିଲ୍‍ । ସେମାନେ ହୁଏତ କୌଣସି ଟ୍ରେନ୍‌ର ଅପେକ୍ଷାରେ, ସେଠାରେ ଠିଆହୋଇ ସିଗାରେଟ୍‍ ଧୂଆଁର କୁଣ୍ଡଳୀ ଉଡ଼ାଉଥିଲେ । ସେ ଲମ୍ବା ଲମ୍ବା ପାହୁଲ ପକାଇ, ସେମାନଙ୍କ ପାଖକୁ ଯାଇ, ଗୋଟିଏ ଅଶ୍ରୁତପୂର୍ବ ତଥ୍ୟ ଘୋଷଣା କରିବାପରି କହିଲା ... ‘ଡୁ ୟୁ ନୋ... ଜାଣନ୍ତି ଆପଣମାନେ, ୧୯୦୮ ଖ୍ରୀଷ୍ଟାବ୍ଦରେ ମହାତ୍ମା ଗାନ୍ଧୀ ପ୍ରଥମେ ଏଇ ମହାନଗରୀରେ ପଦାର୍ପଣ କରିଥିଲେ...ଏଇ ଟର୍ମିନାଲ୍‍ ତା’ହେଲେ ଗୋଟାଏ ଐତିହାସିକ ତୀର୍ଥ ।’

 

ତା’ର ଏଇ ଅଦ୍ଭୁତ ଘୋଷଣା ଶୁଣି ସେମାନଙ୍କ ମଧ୍ୟରୁ ଜଣେ ଗାଲମୁଛା କଲିର ଶେଷ ଭାଗଟା ତାର ଅନ୍ୟ ଜଣକ ତୁଳନାରେ ଅଧିକ ଚଉଡ଼ା, ଚିବୁକ ତଳେ ପୁଣି ଅରାଏ ଫ୍ରେଞ୍ଚ୍ କଟ୍ ଦାଢ଼ି–କଳେ ସିଗାରେଟ୍ ଧୂଆଁ ଉଡ଼ାଇ ପବ୍ଲିକ୍ ସ୍କୁଲ୍‍ ସୁଲଭ ଉଚ୍ଚାରଣ ଭଙ୍ଗୀରେ ପଚାରିଲା... ‘କିଏ ସେ ମହାତ୍ମା ? who is that bloke ?’

 

ବ୍ଲୋକ୍ ? ମହାତ୍ମା ଗାନ୍ଧୀ ବ୍ଲୋକ୍ ? ...ଏଇ ଦୁର୍ବିନୀତ ଅପୋଗଣ୍ଡଟାର ମୁହଁରେ ଗୋଟାଏ ମୁଥାମାରି, ତା’ର କେତେଟା ଦାନ୍ତ ଝଡ଼ାଇଦେବା ପାଇଁ ତା’ର ହାତ ପଞ୍ଝାଟା ଯେପରି ମୁଷ୍ଟିବଦ୍ଧ ହୋଇଉଠୁଥିଲା । ମାତ୍ର ତାହା ହୁଅନ୍ତା ମହାତ୍ମାଙ୍କ ସମ୍ପୂର୍ଣ୍ଣ ବିପରୀତପନ୍ଥୀ ଆଚରଣ...ଅନ୍‌ମହାତ୍ମାଟିକ୍‌ । ସେ ନମ୍ର ଅଥଚ ଦୃଢ଼ କଣ୍ଠରେ ଘୋଷଣା କଲା.... “ମହାତ୍ମା, ଫାଦର ଅଫ୍‍ ଦି ନେସନ । ଜାତିର ଜନକ ।”

 

ଏହା ଇତିହାସର ଏକ କଠୋର ସତ୍ୟ....ଏଥିରେ ତ ହାସ୍ୟୋଦ୍ଦୀପକ ହେବାଭଳି କିଛି ନଥିଲା ! ତଥାପି ଆର ଜଣକ, ଉଚ୍ଚକଣ୍ଠରେ ଠୋ ଠୋ ହସି, ଇତସ୍ତତଃ ସାଲୁବାଲୁ ହେଉଥିବା ପଞ୍ଝାପଞ୍ଝା ଯାତ୍ରୀ, ଟର୍ମିନାଲ୍‍ ଚଟାଣ ଉପରେ, ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଢାଙ୍କି ହୋଇ ମୁର୍ଦ୍ଦାର ପରି ଗଡ଼ିପଡ଼ିଥିବା ଦଳଦଳ ‘ଉଦ୍‌ବାସ୍ତୁ’ ଆଉ ବୁଲା ଭିକାରିଙ୍କୁ ଜଳନ୍ତା ସିଗାରେଟ୍ ଦେଖାଇଦେଇ ସେ ପଚାରିଲା... “ଓ ! ଏଇ ତମର ନେସନ୍ ? ଆଉ ମହାତ୍ମା ଗାନ୍ଧୀ ଏଇ ଜାତିର ଜନକ ? ତା’ହେଲେ କିଏ ଏହାର ଜନନୀ ? କାହାର ଗର୍ଭରେ ଏକ ଭ୍ରୁଣ ସଞ୍ଚାରିତ ହୋଇଥିଲା ?”

 

ଅଦ୍ଭୁତ, ଅଶ୍ଳୀଳ ପ୍ରଶ୍ନ ! ସେ ଏହାର କି ଉତ୍ତର ଦେବ, ସ୍ଥିର କରିନପାରି, ସେ ଦୁଇଜଣଙ୍କ ଆଡ଼େ କିଂକର୍ତ୍ତବ୍ୟବିମୂଢ଼ ପରି ଅନାଇଁ ରହିଲା ।

 

ପ୍ରଥମେ ଯିଏ ମହାତ୍ମାଙ୍କୁ ‘ବ୍ଲୋକ୍‍’ ବୋଲି ଆକ୍ଷେପ କରିଥିଲା, ସେ ପଚାରିଲା... “ମାସ୍ତ୍ରେଲୋ ମାସ୍ତ୍ରୀନ୍‌ଙ୍କ ନାମ ଶୁଣିଛ ? ଆଉ ସୋଫିଆ ଲରେନ୍?”

 

ଅସହାୟ କଣ୍ଠରେ ସେ ଉତ୍ତର ଦେଲା... “କିଏ ସେମାନେ ? ଲାଟିନ୍‍ ଆମେରିକାର କୌଣସି ଗରିଲା ସର୍‍ଦାର ?”

 

ଗାଲମୁଛା କଲୀବାଲା ଜଣକ ଠୋ ଠୋ ହସି ପଚାରିଲା... “କୋଉ ଶତାବ୍ଦୀର ଲୋକ ହେ ତୁମେ ? ଅଷ୍ଟାଦଶ ଶତାବ୍ଦୀର ନିଶ୍ଚୟ । ପ୍ରିଷ୍ଟସ୍ ୱାଇଫ୍‍ ପିକ୍‌ଚର ଦେଖି ନାହଁ ?... ସେଥିରେ ମାସ୍ତ୍ରେଲୋ ମାସ୍ତ୍ରୀନ୍‌ଙ୍କ ଅଭିନୟ ।”

 

ବେତ୍ରାହତ ପରି ସେଠାରୁ ସେ ପଳାଇ ଆସିଲା । ବାସ୍ତବିକ, କେଉଁ ଶତାବ୍ଦୀର ମଣିଷ ସିଏ ? ଏଇ କିମ୍ଭୂତ ଶତାବ୍ଦୀର ନୁହେଁ ନିଶ୍ଚୟ । କିନ୍ତୁ କିଏ କିମ୍ଭୂତ ? ସିଏ ନିଜେ ? ନା ତାକୁ ଆବୋରି ରଖିଥିବା ଏଇ କାଳ ?

 

ଇଏ ମଧ୍ୟ ଏକ ପ୍ରହେଳିକା । ଏହାର ସମାଧାନ ପାଇଁ ସେ ପୁଣି ଫେରି ଆସିଲା, ସେଇ ସ୍ମୃତିସ୍ତମ୍ଭ ପାଖକୁ... ତା’ପରେ ଗୋଟି ଗୋଟି କରି ଅକ୍ଷର ଚିହ୍ନି ପଢ଼ିବା ପରି ସେ ପଢ଼ି ଲାଗିଲା ୧୯୦୮ ଖ୍ରୀଷ୍ଟାବ୍ଦରେ ମହାତ୍ମା ଗାନ୍ଧୀ ପ୍ରଥମେ ଏଇ ମହାନଗରୀରେ ପଦାର୍ପଣ କରିଥିଲେ ।

 

ସେ ହଠାତ୍‍ ବିସ୍ଫୋରଣ କରି ଉଠିଲା ବୃଥା, ବୃଥା ଏ ଅଭିଲେଖ । ମହାତ୍ମା ଗାନ୍ଧୀ ଆଉ ଏଇ ନଗରୀରେ ପଦାର୍ପଣ କରିବେ ନାହିଁ । ପଦାର୍ପଣ କରିବେ କେସିଞ୍ଜର ଓ ବ୍ରେଜନେଭ୍‌ । ବାହାରିଛି ଖବରକାଗଜରେ । ମାଓ– ସେ–ତୁଙ୍ଗ୍‌ ? ନାଃ । ସେମାନେ କେହି ଆସିବେ ନାହିଁ । ସମାଧିଫଳକ ପରି ଏଇ ସ୍ମୃତିସ୍ତମ୍ଭ ସେମାନଙ୍କ ପଥରେ ସୃଷ୍ଟି କରିଛି ଯେପରି ଏକ ଅଲଙ୍ଘନୀୟ ପ୍ରତିବନ୍ଧକ ।

 

ତା’ହେଲେ ? ତା’ହେଲେ ? କାହାକୁ ସେ ଯେ ଏଇସବୁ ପ୍ରଶ୍ନ ପଚାରୁଥିଲା । ତାହା ସେ ନିଜେ ବୁଝିପାରୁନଥିଲା । କିଏ ବା ଦେବ ତାକୁ ତା’ର ଏଇ ଜିଜ୍ଞାସାର ଉତ୍ତର ? ଏନ୍‌କ୍ୱାରି–ବାବୁ ଆରମରେ ସିଗାରେଟ ଟାଣି ବସିଛି, ଷ୍ଟେସନ ସୁପରିଟେଣ୍ଡେଣ୍ଟର ସିଂହାସନ ଶୂନ୍ୟ; ସୁ–ସାଇନ୍ ପିଲାଏ ଚେନାଏ ଉତ୍ତାପ ପାଇଁ, ଶୀତ କାତର କୁକୁର ପରି ବୁଲୁଛି, ସେଇ ଭିକାରୁଣୀ ତାର ମାତୃପ୍ରଧାନ ସଂସାର ସମ୍ଭାଳିବାରେ ବ୍ୟସ୍ତ, ଲୋକାଲ୍ ଟ୍ରେନ୍ ନପାଇ, ଅଟକ ପଡ଼ିଥିବା ସେଇ ଯାତ୍ରୀମାନେ ମାଟି ଭାଣ୍ଡମାନଙ୍କରୁ ପାଣିଚିଆ ଚା’ ଢୋକେ ଢୋକେ ପିଇ ଜମାଇଛନ୍ତି ଚଣ୍ଡୀମଣ୍ଡପ ନୋହିଲେ ଭାଗବତ ଟୁଙ୍ଗୀର ଆସର, ଆଉ ଲମ୍ବା ଗାଲମୁଛାବାଲା ସେଇ ବିଟ୍‌ନିକୀ ଯୁବକମାନେ ବ୍ୟସ୍ତ ମାତ୍ସେଲୋ ମାସ୍ତ୍ରୀନ୍, ସୋଫିଆ ଲରେନ୍ ଆଉ ପ୍ରିଷ୍ଟସ୍ ୱାଇଫ୍‍କୁ ଘେନି ।

 

ଲୁହା ରେଲିଙ୍ଗ୍ ଘେରା ସେଇ ସ୍ମୃତିସ୍ତମ୍ଭ ଚାରିପଟେ ଦଳଦଳ ଉଦ୍‌ବାସ୍ତୁ ଅଥବା ଭିକାରି, ପାଦଠାରୁ ମୁଣ୍ଡ ପର୍ଯ୍ୟନ୍ତ ଛିଣ୍ଡା କନ୍ଥାରେ ଢାଙ୍କିହୋଇ ପଡ଼ିଛନ୍ତି ଅଚେତନ ଶବପିଣ୍ଡ ପରି । ନିଅନ୍‌ ଆଲୋକରେ ଟର୍ମିନାଲ୍‍ର ପରିବେଶ ଦିଶୁଛି, ଯେପରି ଏକ ମହାଶ୍ମଶାନ । ସେଇ ମହାଶ୍ମଶାନ ମଝିରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିସ୍ତମ୍ଭ ତଳେ, ଗୋଟିଏ ଶିଶୁ, ଅତନ୍ଦ୍ର ପ୍ରହରୀ ପରି ବସିରହିଥିଲା, କାନମୁଣ୍ଡାଠାରୁ ପାଦ ପର୍ଯ୍ୟନ୍ତ ଖଣ୍ଡେ ଛିଣ୍ଡା ଚାଦରରେ ଢାଙ୍କି ହୋଇ । ତା’ର ବୟସ ଅନୁମାନ କରିବାର ଉପାୟ ନଥିଲା । ଖାଦ୍ୟ ଓ ପୁଷ୍ଟି ଅଭାବରୁ ସେ ଖର୍ବକାୟ ଦିଶୁଥିଲା, ଆମେରିକାନ୍ ମଗାଜିନ୍‍ମାନଙ୍କରେ ପ୍ରକାଶିତ, ଦାଏଫ୍ରାର ଦୁର୍ଭିକ୍ଷ ପ୍ରପୀଡ଼ିତ, ଜୀବନ୍ମୃତ ଶିଶୁମାନଙ୍କ ପରି । ତା’ର ଆଖି ଦୁଇଟିରେ କେବଳ ମିଳୁଥିଲା ଜୀବନର କ୍ଷୀଣ ସଙ୍କେତ । ମାତ୍ର ସେଥିରେ ଜିଜ୍ଞାସା, ଉତ୍କଣ୍ଠା, ଅଥଚ କୌତୂହଳର ଲେଶମାତ୍ର ନଥିଲା । ତା’ର ସବୁ ପୁଞ୍ଜିଭୂତ, ଅସମାଧିତ ଜିଜ୍ଞାସା ହଠାତ୍ ଯେପରି ରୂପାୟିତ ହୋଇଥିଲା, ସେଇ ପରିତ୍ୟକ୍ତ ଶିଶୁଟିର ଦୁଇ ଶୂନ୍ୟଦୃଷ୍ଟି ମଧ୍ୟରେ ।

 

ସେଇ ଶିଶୁ ସାମ୍ନାରେ ବସିପଡ଼ି ସେ ଆଙ୍ଗୁଠିରେ ଫୁଟ୍‌କି ମାରି ତା’ର ଦୃଷ୍ଟି ଆକର୍ଷଣ କରିବା ପାଇଁ ଚେଷ୍ଟାକଲା । ମାତ୍ର ତା’ର ଶେଥା, ପ୍ରାଣହୀନ ଆଖିରେ ସ୍ପନ୍ଦନର କ୍ଷୀଣତମ ସତ୍ତା ସୁଦ୍ଧା ନଥିଲା । ନିରୀହ, ନିର୍ବୋଧ ଦୃଷ୍ଟିରେ ସେ କେବଳ ଚାହିଁ ଦେଖୁଥିଲା, ଟର୍ମିନାଲ୍‍ର ଲୋକାରଣ୍ୟ ! ଆଉ ତାର ଫୁଟ୍‌କି ।

 

ସେ କ’ଣ ମହାତ୍ମାଙ୍କ ସ୍ମୃତିସ୍ତମ୍ଭ ତଳେ ବସିରହିଥିଲା; ପୁଣି ତାଙ୍କ ପଦାର୍ପଣର ପ୍ରତୀକ୍ଷାରେ ? କିନ୍ତୁ କିପରି ବା ସେ ଏଇ ନିର୍ବୋଧ ଶିଶୁକୁ ବୁଝାଇବ, ...ମହାତ୍ମା ଗାନ୍ଧୀ ଆଉ ଆସିବେ ନାହିଁ । ଖବରକାଗଜରେ ବାହାରିଛି– ଆସିବେ କୂଟନୀତି ବିଶାରଦ କେସିଞ୍ଜର, ଆସିବେ ବ୍ରେଜନେଭ୍ । ନୋହିଲେ “ଦି ପ୍ରିଷ୍ଟିସ୍ ୱାଇଫ୍” ଛବି... ଏଥିରେ ମାସ୍ତ୍ରେଲୋ ମାସ୍ତ୍ରୀନ ଆଉ ସୋଫିଆ ଲରେନ୍ ।

 

ଏଇ ଶିଶୁ ମୂର୍ତ୍ତିଟା କିନ୍ତୁ ମୃତ ନା ଜୀବିତ ?

 

ତାର ସନ୍ଦେହ ଜନ୍ମିଲା !

 

ହଠାତ୍‍ ତା’ ମୁଣ୍ଡରେ ଗୋଟାଏ ବୁଦ୍ଧି ଜୁଟିଲା । ପାଖରେ ଗୋଟାଏ ଷ୍ଟେସନାରି ଦୋକାନରୁ ସେ ଦୁଇଖଣ୍ଡ ବିସ୍କୁଟ ଆଣି ବଢ଼ାଇଦେଲା, ସେଇ ଶିଶୁଆଡ଼େ ! ଶିଶୁଟି ଶଙ୍କିତ କୁଣ୍ଠିତ ହାତରେ, ବିସ୍କୁଟ ଦୁଇଖଣ୍ଡ ନେଇ, ନିସ୍ପୃହ ଦୃଷ୍ଟିରେ ତାହାକୁ ଚାହିଁ ଦେଖିଲା, ତା’ପରେ ପୁଣି ଆଖି ଫେରାଇନେଲା ଅନ୍ୟଆଡ଼େ– ଏ ପଦାର୍ଥକୁ ନେଇ ସେ କ’ଣ କରିବ, ଯେପରି ବୁଝିପାରୁ ନଥିଲା । ଏପରି ପଦାର୍ଥ ସେ ଆଗରୁ ଆଉ କେବେ ହୁଏତ ଦେଖି ନଥିଲା ! ଶୁଖିଲା ରୁଟି ଟୁକ୍‌ରା ଅଥବା ପ୍ଲାଟଫର୍ମରେ ଅନ୍ୟ ଉଚ୍ଛିଷ୍ଟ ଖାଦ୍ୟ ସହିତ, ତାହାର ଅବଶ୍ୟ ପରିଚୟ ଥିଲା ! କିନ୍ତୁ ଏ ଦୁଇଟା ଗୋଲ୍ ଏ କି ପଦାର୍ଥ ?

 

ବିସ୍କୁଟରେ ହେଲା ନାହିଁ ! ତା’ର ନିସ୍ପୃହ, ଶୂନ୍ୟ ଦୃଷ୍ଟିରେ ପ୍ରାଣସ୍ପନ୍ଦନର ସଞ୍ଚାର ପାଇଁ ସେ ଚାଲିଗଲା ଗୋଟାଏ ରଙ୍ଗିନ ବେଲୁନ ପାଇଁ । ମାତ୍ର ବେଲୁନ ଆଣିବା ବେଳକୁ, ଗୋଟାଏ ଲଙ୍ଗଳା, ରିଫ୍ୟୁଜି ପିଲା, କେଉଁଆଡ଼ୁ ଚିଲପରି ଆସି ସେଇ ଶିଶୁ ହାତରୁ ଝାମ୍ପି ନେଇଗଲା ଦୁଇଖଣ୍ଡ ବିସ୍କୁଟ ।

 

ପ୍ରାଣାନ୍ତକ ଚିତ୍କାର କରି, କାନ୍ଦି ଉଠିଲା ସେଇ ଶିଶୁ–କିଏ ଯେପରି ଲୁଣ୍ଠନ କରି ନେଇଥିଲା ତାର ସର୍ବସ୍ଵ ! କାନ୍ଦି କାନ୍ଦି ସେ ଲୋଟି ପଡ଼ିଲା ଟର୍ମିନାଲ୍‍ର ହେମାଳିଆ ଚଟାଣ ଉପରେ ! ଏଇ ଅସହାୟ କ୍ରନ୍ଦନ ମଧ୍ୟରେ ଯେପରି ଜୀବନ୍ତ ହୋଇଉଠିଥିଲା, ତାର ବିସ୍ତୃତ ପ୍ରାଣସତ୍ତା !

 

ଲାଉଡ଼୍‌ସ୍ପିକର ହଠାତ୍‍ ଚିତ୍କାର କରିଉଠିଲା... “ଆଟେନ୍‌ସନ୍ ପ୍ଲିଜ୍‍, ୩୧ ଅପ୍ କାନ୍‌ସେଲ୍‌ଡ଼ ଅନ୍ ଡେଟ୍... କ୍ରିପା କର୍‌କେ ଶୁନିୟେ... ”

 

୩୧ ଅପ୍ ଆଜି ପୁଣି ବାତିଲ୍ !

 

କାନ୍ଦି କାନ୍ଦି ତଳେ ଲୋଟୁଥିବା ସେଇ ଶିଶୁ ଉପରକୁ ଗୋଟିଏ ରଙ୍ଗିନ୍‍ ବେଲୁନ୍ ଫିଙ୍ଗି ଦେଇ, ସେ ପାଗଳ ପରି ନିଷ୍ଫଳ ଉତ୍ତେଜନାରେ, ମୁଣ୍ଡର ଲମ୍ବା କହରା ବାଳ ଆଉ ଅଯତ୍ନବର୍ଦ୍ଧିତ ଦାଢ଼ି ଓଟାରୁଥିଲେ... ଏଇ ଦୁଃସହ ପ୍ରତୀକ୍ଷାରୁ ପରିତ୍ରାଣ ପାଇଁ ! କିନ୍ତୁ କିପରି ? କିପରି ?

 

ଦୂରରେ, କେଉଁ ନିର୍ଜନ ୟାର୍ଡ଼ରେ ଗୋଟାଏ ପରିତ୍ୟକ୍ତ ଇଞ୍ଜିନ୍‌ର ହୁଇସିଲ ବାଜି ଉଠି, ନିଷ୍ଫଳ ଆହ୍ଵାନ ପରି ପୁଣି ମିଳାଇ ଯାଉଥିଲା, ଟର୍ମିନାଲ୍‍ର ଅର୍ଥହୀନ କୋଳାହଳ ମଧ୍ୟରେ ।

 

* ଏ ଗଳ୍ପଟି ୧୯୭୪ ମସିହା ରେଲଉଏ ଶ୍ରମିକ ଧର୍ମଘଟର ପୃଷ୍ଠଭୂମିରେ ଲିଖିତ !

☆☆☆

 

ଅସାଧାରଣ

 

କୃଷ୍ଣପ୍ରସାଦ ଅଫିସରୁ ଛୁଟି ନେଇଛନ୍ତି “ଗବେଷଣା” ପାଇଁ– ଗାଈ (ଗୋ) ଖୋଜିବା (ଏଷଣା) ଅର୍ଥରେ । ଆଜିକାଲି ଅଧିକାଂଶ ଗବେଷଣା ବି ଏଇପରି ଗୋରୁ ଖୋଜିବା ।

 

ଦୁଇଦିନ ହେଲା ଗାଈ ହଜିଛି । କାଳୀ ଗାଈ, ମୁଣ୍ଡରେ ଚାନ୍ଦ । ପେଟ ତଳେ ଦି’ପଟା ଧଳା ଦାଗ ।

 

ଖତସାର ଦପ୍ତରର କିରାଣି ଶ୍ରୀମାନ୍ କୃଷ୍ଣପ୍ରସାଦ ଦାସ “ଗବେଷଣା” କରୁଛନ୍ତି, ରସାୟନାଗାରରେ ନୁହେଁ, ଗ୍ରନ୍ଥଶାଳାରେ ନୁହେଁ, ଜନାକୀର୍ଣ୍ଣ ରାଜପଥରେ, କାଞ୍ଜିଆହୁଦାରେ, ଗାଈଗୋଠରେ ।

 

ଗାଈ ନାଁ ମୋତି । ଅଳ୍ପଦିନରେ ବିଅଣ ଯାଇଥାନ୍ତା । ଅତି ଆଦରର ମୋତି । ଖତସାର ଦପ୍ତରରୁ ନିତି ସଞ୍ଜରେ ଫେରି, ମୋତି ଦେହରେ ହାତ ନ ବୁଲାଇଲେ, ମୋତି କୁଣ୍ଡାପାଣି ଛୁଏଁ ନାହିଁ । ଥରେ କୃଷ୍ଣପ୍ରସାଦଙ୍କୁ ଜର ହୋଇଥିଲା । ପନ୍ଦର ଦିନ କାଳ ସେ ବିଛଣାରୁ ଉଠିପାରିଲେ ନାହିଁ । ସେ ପନ୍ଦର ଦିନ, ମୋତି ଆଖିରୁ ଖାଲି କଳା କଳା ଲୁହଧାର ବୋହିଲା । ସେହି ସ୍ମୃତିରେ ଗବେଷକ କୃଷ୍ଣପ୍ରସାଦଙ୍କ ଅନ୍ତଃସ୍ଥଳ ପ୍ରଚଣ୍ଡ ଆଘାତରେ ପ୍ରକମ୍ପିତ ହୋଇଉଠିଲା ।

 

ରବି, ବଡ଼ପୁଅ । ମାଟ୍ରିକ୍ ପରୀକ୍ଷାଟା ପାସ୍ କଲା ଏବର୍ଷ । ଚାକିରି ଖଣ୍ଡେ ପାଇଁ ଚେଷ୍ଟା କଲେ ହୁଅନ୍ତା । ଆଉ ବେଶୀ ପାଠ ପଢ଼ାଇବାକୁ ଶକ୍ତି ନାହିଁ । ରବିର ଇଚ୍ଛା କିନ୍ତୁ ନେତା ହେବାପାଇଁ । ମାତ୍ର ଜଣକ ରୋଜଗାର ଉପରେ ଏଣେ ଚଳିବାକୁ ଯେ ଦଶଜଣ !

 

ଅଜାଣତରେ କେତେବେଳେ କୃଷ୍ଣପ୍ରସାଦଙ୍କ ଲୁଗାକୁଞ୍ଚ ଆଣ୍ଠୁତଳକୁ ଖସି ତଳେ ଲୋଟି ପଡ଼ିଥିଲା । କୃଷ୍ଣପ୍ରସାଦ କୁଞ୍ଚଟା ତଳୁ ଉଠାଇ ମାଲକଛା ମାରିଲା ପରି ଉପରେ ଖୋସିଦେଲେ । ଜୀବନ ଯୁଦ୍ଧରେ ଅପରାଜିତ ସୈନିକର ବେଶ ! ସନ୍ଧ୍ୟାର ମାଛି ଅନ୍ଧାର ଧୀରେ ଧୀରେ ପରଳ ମାଡ଼ିଲାପରି ମାଡ଼ିଆସିଲାଣି । ରାସ୍ତା ଧାରେ ଧାରେ ବିଜୁଳିବତୀମାନ ଜଳିଆସିଲାଣି । ମୁଣ୍ଡ ଉପରେ ତାଳିପକା ଛତାଟା ମେଲି ଧରିବା ପାଇଁ ଭାରୀ ଲାଗୁଛି । ବନ୍ଧୁକ ବେୟୋନେଟ ପରି, ଛାତାଟା ବୁଜି କୃଷ୍ଣପ୍ରସାଦ କାନ୍ଧ ଉପରେ ଉଠାଇ ଧରିଲେ ।

 

ଆସୁ ଯେତେ ଝଡ଼, ଝଞ୍ଜା ସମସ୍ୟା, ସଙ୍କଟ, ଅଭାବ, ଅନାଟନ... ସବୁ ସେ ଏ ଛତା ମୁନରେ ଦଳି ଚୂନା କରିଦେବେ । ଭାଗ୍ୟ ଓ ଦୁର୍ଭାଗ୍ୟ ବିରୁଦ୍ଧରେ ସ୍ପର୍ଦ୍ଧିତ ଆସ୍ଫାଳନ !

 

ଗୋବିନ୍ଦ ହେ ! କୃଷ୍ଣପ୍ରସାଦ, ଅସ୍ଫୁଟ କଣ୍ଠରେ ଯୁଦ୍ଧର ଜୟଧ୍ଵନି ଦେଲେ । ମାଣିକ ସବା ସାନଝିଅ । ତା’ ଉପରେ ଦୁଇଝିଅଙ୍କ ବିବାହକାର୍ଯ୍ୟ କୌଣସିମତେ ବଢ଼ିଯାଇଛି । ମାଣିକର ବୟସ ଦିନୁଦିନ ବଢ଼ୁଛି । ମାତ୍ର ବରପାତ୍ର ମିଳୁଛି କେଉଁଠି ? ମାଣିକର ମାମୁଁଙ୍କ ପାଖକୁ ଥରେ ଗଲେ ହୁଅନ୍ତା । ମାତ୍ର ଛୁଟି ମିଳୁଛି କାହିଁ ?

 

ଗୋଟିଏ ଜୀବନରେ ଏମିତି କୋଟିଏ ସମସ୍ୟା ଲାଗି ରହିଛି । ମହାଶୂନ୍ୟକୁ ଘଣ୍ଟାରେ ଅଠର ହଜାର ମାଇଲ ବେଗରେ ରକେଟ୍ ଚାଲିବାର ସମସ୍ୟା ଏ ନୁହେଁ ! ଶୂନ୍ୟପଥରେ ବାୟୁମଣ୍ଡଳ ଊର୍ଦ୍ଧ୍ଵରେ ଶୂନ୍ୟମଞ୍ଚ ନିର୍ମାଣର ଯୋଜନା ଏ ନୁହେଁ । ଅଥବା ବିଶ୍ଵରେ ଶାନ୍ତି ଓ ମୈତ୍ରୀ ପ୍ରତିଷ୍ଠାର ଆକାଂକ୍ଷା ଏ ନୁହେଁ !

 

ତେଣୁ ଏସବୁ ସମସ୍ୟାର କିଛି ନା କିଛି ଗୋଟାଏ ସମାଧାନ ହେବ, ହୋଇଯିବ ! ଜୀବନରେ ସବୁ ସଙ୍କଟ ଓ ସମସ୍ୟାର କିଛି ନା କିଛି ସମାଧାନ ହୋଇଯାଏ ! କିଛି ଅଟକେ ନାହିଁ ।

 

ଜୀବନ ଯୁଦ୍ଧରେ କମାଣରେ ନିଆଁ ଧରାଇଲା ପରି, କୃଷ୍ଣପ୍ରସାଦ ଖଣ୍ଡେ ବିଡ଼ିରେ ନିଆଁ ଲଗାଇଲେ ।

 

କିନ୍ତୁ ମୋତି ଗାଈ ଆଉ କ’ଣ ମିଳିବ ? ଯଦି କଂସେଇମାନେ, ହଡ଼ାପଲଙ୍କ ସଙ୍ଗରେ ମୋତିକୁ ଧରିନେଇ, ହାଣିଦେଇଥାନ୍ତି ? ତା’ହେଲେ ? କୃଷ୍ଣପ୍ରସାଦ ମନେମନେ ଆର୍ତ୍ତନାଦ କରିଉଠିଲେ । ଏ ବର୍ବର ସହରରେ ସବୁ ସମ୍ଭବ !

 

କଚେରୀ ଆଗରେ ଯେଉଁ ଦାଢ଼ିଆ ବାବା ବସନ୍ତି, ସେ ଆଗତ ଭବିଷ୍ୟ ସବୁ କହିପାରନ୍ତି । ତାଙ୍କ ପାଖରେ ସେ ପଚିଶ ପଇସା ଦେଇ ପ୍ରଶ୍ନ ଗଣନା କରାଇଥିଲେ । ବାବା କହନ୍ତି... “ଜରୁର୍ ମିଲେଗା ।”

 

କିନ୍ତୁ ଆଉ କେଉଁଠି ମିଲେଗା ? ସେ ତ କାଞ୍ଜିଆହୁଦାରୁ କାଞ୍ଜିଆହୁଦା ନଈପଠାରେ ଗାଈଗୋଠ ବୁଲି ବୁଲି ନୟାନ୍ତ ହେଲେଣି !

 

ରାସ୍ତା ଉପରେ କାଳୀ ମନ୍ଦିର ଆଗରେ ଭିଡ଼ । ସନ୍ଧ୍ୟା ଆଳତିବେଳ ହୋଇଥିବାରୁ ଭକ୍ତ ଓ ଦର୍ଶକମାନଙ୍କ ଭିଡ଼ ଲାଗିଛି । ଡଜ୍, ପ୍ଳିମଥ୍ ଗାଡ଼ିଠାରୁ ଆରମ୍ଭ କରି ରିକ୍ସା ପର୍ଯ୍ୟନ୍ତ ନାନା ଯାନବାହନର ଭିଡ଼ । କୃଷ୍ଣପ୍ରସାଦ କେତେଥର ଭାବିଛନ୍ତି, ଦେବୀଙ୍କ ଆଗରେ ଦଣ୍ଡେ ଆଖିବୁଜି ଠିଆହୋଇ, କାଳିକାସ୍ତୋତ୍ର ଆବୃତ୍ତି ପାଇଁ । ମାତ୍ର ସମୟ କାହିଁ ? ମନ୍ଦିର ବାଟଦେଇ ଗଲାବେଳେ, ସେ ଖାଲି ନାକକାନ ମୋଡ଼ି ହୋଇ, ନିଜର ଦୁଇଗାଲରେ ଦୁଇଟି ମୃଦୁ ଚଟକଣା ପକାଇ ପକାଇ ଚାଲିଯାନ୍ତି ।

 

ଆଜି କିନ୍ତୁ ସାରାଦିନର ବ୍ୟର୍ଥ ଗବେଷଣା ପରେ, ଭାଙ୍ଗିପଡ଼ୁଥିବା ଦେହର କ୍ଳାନ୍ତି ମେଣ୍ଟାଇବା ପାଇଁ ସେ ମନ୍ଦିର ଭିତରକୁ ପଶିଆସିଲେ । ମୋତିଗାଈର ଶୁଭ ପ୍ରତ୍ୟାବର୍ତ୍ତନ ମନାସି, ସେ ଦଶପଇସିଆ ଦୀପଟିଏ ଜାଳି, ଦେବୀଙ୍କ ଆଗରେ, ଶୂନ୍ୟରେ କେତେଥର ମୁଣ୍ଡଳୀ କାଟି ବୁଲାଇ ଗଲେ । ତା’ପରେ ମନ୍ଦିର ବାହାରକୁ ଆସି, ବେଢ଼ା ଭିତରେ ଚଉତରା ଉପରେ ବସିପଡ଼ିଲାବେଳକୁ, ସେଠାରେ ଦେଖାହେଲା ଅଫିସର ସହକର୍ମୀ ବ୍ରଜକିଶୋରଙ୍କ ସହିତ । ଏ ଦୁର୍ମୂଲ୍ୟ, ଦୁର୍ଭିକ୍ଷ ଓ ଦୁଷ୍ପ୍ରାପ୍ୟତା ଯୁଗରେ ସୁଦ୍ଧା ବ୍ରଜକିଶୋରଙ୍କ ଉଦରଟି କ୍ରମେ ପୃଥୁଳରୁ ପୃଥୁଳତର ହେଉଛି । ଦେହର ପଞ୍ଜାବି ମଇଳା; ସେଥିରେ ନାନା ଦାଗ । ପିନ୍ଧା ଲୁଗା ମଧ୍ୟ ତଦ୍ରୂପ । ଭାରି ଦେବୀଭକ୍ତ ସେ । ପ୍ରତି ସନ୍ଧ୍ୟାରେ ଥରେ କାଳୀଦର୍ଶନ ନ କଲେ ସେ ଜଳସ୍ପର୍ଶ କରନ୍ତି ନାହିଁ । ମାର୍କେଟକୁ ପରିବା କିଣି ଯିବାବେଳେ, ସେ ଦଣ୍ଡେ ମନ୍ଦିରରେ ଆସି ବସନ୍ତି ।

 

କୃଷ୍ଣପ୍ରସାଦଙ୍କ ସହିତ ଦେଖାହେବାରୁ ବ୍ରଜକିଶୋର କହିଲେ… “କିହୋ ତମର କ’ଣ ହେଇଛି ? ଅଫିସ ଆସୁ ନାହିଁ ଯେ !”

 

କୃଷ୍ଣପ୍ରସାଦ କହିଲେ...“ଗାଈଟା, କୁଆଡ଼େ ହଜିଯାଇଛି ଯେ, ଘରେ ମହା ମୁସ୍କିଲ । ରନ୍ଧାବଢ଼ା ନାହିଁ । ଗାଈ ଖୋଜୁଚି । ଟିକିଏ ଆଖି ରଖିଥିବ । କାଳୀ ଗାଈ, ମୁଣ୍ଡରେ ଚାନ୍ଦ, ଶିଙ୍ଗ ଦୁଇଟି ବଙ୍କା, ପେଟ ତଳେ ଦି’ପଟା ଧଳା ଦାଗ ।”

 

ଆଉ ବସିବାକୁ ବେଳ ନାହିଁ । ଘର ପୁଣି ଦୁଇମାଇଲ ବାଟ । କୃଷ୍ଣପ୍ରସାଦ ଉଠିଲେ । ବ୍ରଜକିଶୋର ମଧ୍ୟ ଉଠିଲେ । କିଛି ବାଟ ଏକ ସଙ୍ଗରେ ଯିବାପାଇଁ ତାଙ୍କୁ ସାଥି ମିଳିଗଲା ।

 

ବ୍ରଜକିଶୋର କହିଲେ... “ଚାଲ ଏଇବାଟେ, ମାର୍କେଟକୁ ଗଳି ପଡ଼ିବା ! ଖଡ଼ା ଗଛ ତ ପଚିଶି ପଇସା !”

 

ମାତ୍ର ଖଡ଼ା ଗଛର ମୂଲ୍ୟ ଚିନ୍ତା କରିବାକୁ କୃଷ୍ଣପ୍ରସାଦଙ୍କ ବେଳ ନାହିଁ । ମୋତି ଗାଈଟା ଖାଲି ମିଳିଗଲେ ତାଙ୍କର ସବୁ ସମସ୍ୟା ଓ ସଙ୍କଟର ସମାଧାନ ହୋଇଯାନ୍ତା !

 

କୃଷ୍ଣପ୍ରସାଦ କହିଲେ...“ହଇହୋ ବ୍ରଜବାବୁ, କାଳୀଙ୍କ ପାଖରେ ଘିଅ ଦୀପ ଦେଇଛି । ଗାଈ ମିଳିବ ନାହିଁ ?’’

 

ବ୍ରଜକିଶୋର କହିଲେ...“ସବୁ ମା’ର ଇଚ୍ଛା”

 

କୃଷପ୍ରସାଦ ଓ ବ୍ରଜକିଶୋର ଦୁହେଁ ଗୋଟିଏ ଅନ୍ଧାରୁଆ ଗଳି ଭିତରକୁ ବାଙ୍କିଲେ । ଯୁଦ୍ଧ ଓ ଯୋଜନା ମଉକାରେ, ସହରରେ ସବୁଆଡ଼େ ଉଞ୍ଚା କୋଠା ହେଲା, ବିଜୁଳି ଆଲୁଅ ଆସିଲା, ନିଅନବତୀ ଜଳିଲା । ମାତ୍ର ଏ ଗଳିଟା ତଥାପି ସେମିତି ଆଣ୍ଠେଇ ମୁହଁମାଡ଼ି ପଡ଼ିରହିଛି । ଗଳି ଦୁଇପଟର ଛପର ଘର, ମ୍ୟୁନିସିପାଲିଟିର କିରାସିନି ବତୀ ଆଉ ଗୋଡ଼ିଆ ରାସ୍ତାର ବାଲି ଧୂଳି, ସବୁ ଅପରିବର୍ତ୍ତିତ ରହିଛି ।

 

ନିଧି ସାହୁର ବରା, ଗୁଲୁଗୁଲା ଦୋକାନରେ ନିତିଦିନିଆ ଭିଡ଼ । ସାହୁଆଣୀ କଡ଼େଇରୁ ବରା ଛାଣୁଛି । ସାହୁଙ୍କ କନିଷ୍ଠ ପୁତ୍ର ଚା’ କେଟେଲିରୁ ସିଝା ଚା’ପାଣି ଢାଳି ଚା’ ତିଆରି କରୁଛି । ନିଧି ସାହୁ ଦୋକାନ ତଳେ ଖଣ୍ଡେ କାଠ ବେଞ୍ଚ ଉପରେ ପଦ୍ମାସନରେ ଯୋଗ କଲାପରି ବସିଛି । ବହୁତ ଦିନର ପୁରୁଣା ଦୋକାନ । ଆଜକୁ ତିରିଶବର୍ଷ ତଳେ, କୃଷ୍ଣପ୍ରସାଦ ଚାକିରି ଆରମ୍ଭରେ, ଏଇ ଗଳିରେ “ଦୁଃଖୀ ବାନ୍ଧବ” ମେସ୍‌ରେ ରହୁଥିଲାବେଳେ, ନିଧି ସାହୁ ଦୋକାନରେ ନିତିଦିନିଆ ଗରାଖ ଥିଲେ । ଆଜି ସେହି ବାଟେ ଆସିଲାବେଳେ କୃଷ୍ଣପ୍ରସାଦ ପ୍ରଚାର ଦେଲେ... “କେମିତି ଅଛ ସାହୁଏ ! ସବୁ ଭଲ ତ !”

 

ନିଧି ସାହୁର ପାକୁଆ ମୁହଁ ପ୍ରଶାନ୍ତ– ପରିତୃପ୍ତିର ଗୋଟିଏ ହାସ୍ୟରେଖାରେ ଉଜ୍ଜ୍ଵଳ ହୋଇଉଠିଲା । ସେ ବେଞ୍ଚ ଉପରୁ ଉଠିପଡ଼ି କହିଲା... “ଆସନ୍ତୁ, ଆସନ୍ତୁ ବାବୁ । ବହୁଦିନ ପରେ ଦେଖା ।”

 

କୃଷ୍ଣପ୍ରସାଦ ଓ ବ୍ରଜକିଶୋର ବେଞ୍ଚ ଉପରେ ବସିବା ପରେ ଦୁଇ ଗ୍ଲାସ୍‍ ଚା’ ପାଇଁ ନିଧି ସାହୁ ଦୋକାନ ଉପରକୁ ଉଠିଗଲା ।

 

ଓଃ, ଦିନଗୁଡ଼ା କେମିତି ଚାହୁଁ ଚାହୁଁ ଗଡ଼ିଯାଉଛି ।

 

କୃଷ୍ଣପ୍ରସାଦ ମୁଣ୍ଡ ଉପରେ ଥରେ ହାତ ବୁଲାଇନେଲେ । ମୁଣ୍ଡ ଚନ୍ଦା ପଡ଼ିଆସୁଛି ।

 

ୟା’ ଭିତରେ ତିରିଶି ବର୍ଷ ବିତିଗଲାଣି ! ଆଉ ବର୍ଷ କେତେଟାରେ ପେନ୍‍ସନ୍ ନେବେ । ଜୀବନରେ ଦୁଃଖ ନାହିଁ, ଅତୃପ୍ତିର ହା’ହୁତାଶ ନାହିଁ, ଆକାଂକ୍ଷାର ଅବଶୋଷ ନାହିଁ... ଝିଅଟି ଦିନେ ନା ଦିନେ ପର ଘରକୁ ଯିବ । ରବି ଚାକିରି ପାଇବ । ସେ ଶେଷ ଗ୍ରେଡ଼ରେ ପହଞ୍ଚି ଚାରିଶହ ଟଙ୍କା ଦରମା ପାଇବେ । ତା’ପରେ ପେନ୍‌ସନ ! ଗୋବିନ୍ଦଙ୍କ ଇଚ୍ଛାଥିଲେ ହେଡ଼୍‍ କିରାନି ମଧ୍ୟ ହୋଇପାରନ୍ତି ! କିନ୍ତୁ ମୋତି ଗାଈଟା ମିଳନ୍ତା କି !

 

ଚା’ ପିଉ ପିଉ କୃଷ୍ଣପ୍ରସାଦ କହିଲେ... ‘ଗାଈଟା ହଜିଛି ଯେ, ଖୋଜି ଖୋଜି ନୟାନ୍ତ ହେଲିଣି । କାଳୀଗାଈ ମୁଣ୍ଡରେ ଚାନ୍ଦ, ପେଟ ତଳେ ଦି’ପଟା ଧଳା ଦାଗ, ଶିଙ୍ଗ ବଙ୍କା । ତମେ ଟିକିଏ ଆଖି ରଖିଥିବ ସାହୁ ।’

 

ନିଧି ସାହୁ ପୁଣି ଢୁଳାଇବା ପାଇଁ ଆରମ୍ଭ କରିଥିଲେ ।

 

ସଞ୍ଜ ପହର ଗଡ଼ିପଡ଼ିଥିଲା । ବ୍ରଜକିଶୋର ମାର୍କେଟ ଆଡ଼େ ମୁହାଁଇଗଲେ । କୃଷ୍ଣପ୍ରସାଦ ସାରାଦିନର ବ୍ୟର୍ଥ ଗବେଷଣା ପରେ ଆଉ ଗୋଟାଏ ଗଳିରେ ପଶି ଘରଆଡ଼େ ମୁହାଁଇଲେ । ନିଧି ସାହୁର ଚା’ ଗ୍ଲାସଟା ତାଙ୍କ ଦେହ ଓ ମନରେ ଗୋଟାଏ ନୂତନ ପ୍ରଫୁଲ୍ଲତା ଆଣିଦେଇଥିଲା ।

 

ମ୍ୟୁନିସିପାଲିଟି ବତୀଖୁଣ୍ଟର କିରାସିନି ଆଲୁଅରେ ଦିଶିଲା, କାଳୀଗାଈଟିଏ ଢଳିଢଳି ଯାଉଛି । ମୋତି, ମୋତି ନୁହେଁ ତ ! କାଳୀଙ୍କ ପାଖରେ ଘିଅ ଦୀପ ଦେଇଛନ୍ତି । ବାବାଜି ପୁଣି କହିଛନ୍ତି...ଜରୁର୍‍ ମିଲେଗା ! କୃଷ୍ଣପ୍ରସାଦ ପରମ ଉତ୍ସାହରେ ଗାଈଆଡ଼େ ଧପାଲି ଗଲେ ।

 

ପଛରେ ମଣିଷର ପାଦଶବ୍ଦ ଶୁଣି ଗାଈଟା ଦୌଡ଼ିବାକୁ ଆରମ୍ଭ କଲା । ‘ମୋତି ମୋତି’ ଡାକି କୃଷ୍ଣପ୍ରସାଦ ଗାଈଟା ପଛେ ପଛେ ମଧ୍ୟ ଧାଇଁଲେ । ଗାଈ ବେକର ପଘାଟା ତଳେ ଲୋଟୁଥିଲା । କୃଷ୍ଣପ୍ରସାଦ ସେଇ ପଘାଟାକୁ ଜାବୁଡ଼ି ଧଇଲେ । ମାତ୍ର ଉଦ୍ଦଣ୍ଡୀ ଗାଈର ଗୋଟାଏ ଝାପ୍‌ଟାରେ ତାଙ୍କ ହାତରୁ ଦଉଡ଼ିଟା ଖସିଗଲା । କୃଷ୍ଣପ୍ରସାଦ ତଳେ ଝୁଣ୍ଟି ମୁହଁମାଡ଼ି ପଡ଼ିଗଲେ । ରାସ୍ତା ଉପରୁ ଝାଡ଼ିଝୁଡ଼ି ହୋଇ ଉଠିଲାବେଳକୁ ଗାଈ ଅଦୃଶ୍ୟ ହୋଇଯାଇଥିଲା । କୃଷ୍ଣପ୍ରସାଦ ଆଣ୍ଠୁରେ ଗୋଡ଼ି ବାଜି, ଖଣ୍ଡିଆ ହୋଇ ସେଥିରେ କଳାକଳା ରକ୍ତ ବୋହୁଥିଲା ।

 

କୃଷ୍ଣପ୍ରସାଦ ତଳୁଉଠି, ଗଳିଧାରରୁ ଛତାଖଣ୍ଡେ ସାଉଣ୍ଟି, ଘରମୁହାଁ ଛୋଟେଇ ଛୋଟେଇ ଆସିଲେ । ଗାଈଟା ମୋତି ନୁହେଁ ମୋତି ହୋଇଥିଲେ ନିଶ୍ଚୟ ଡାକ ଶୁଣି ରହିଥାନ୍ତା । ମିଛଟାରେ ସେ ଗାଈ ପଛରେ ଧାଇଁ, ଖଣ୍ଡିଆ ଖାବଡ଼ା ହେଲେ ।

 

କାଳୀଙ୍କ ପ୍ରସାଦରୁ ହେଉ ବା ବାବାଜିଙ୍କ ଭବିଷ୍ୟତବାଣୀରୁ ହେଉ କୃଷ୍ଣପ୍ରସାଦ ଘରେ ପହଞ୍ଚିଲାବେଳକୁ ମୋତି ଗାଈ କୁଆଡ଼ୁ ଆସି ପହଞ୍ଚିସାରିଥିଲା । ମୋତି ଚାରିପଟେ କୃଷ୍ଣପ୍ରସାଦଙ୍କ ସ୍ତ୍ରୀ, ଝିଅ ମାଣିକ ଓ ସାନ ପୁଅ ଗୋବିନ୍ଦ ଘେରି ଠିଆହୋଇଥିଲେ । ମାଣିକ ଡିବିଟା ଗୋଟାଏ ହାତରେ ଧରି, ଆଉ ଗୋଟାଏ ହାତରେ ମୋତିର ଦେହ ଆଉଁଷୁଥିଲା । କୃଷ୍ଣପ୍ରସାଦ ସ୍ତ୍ରୀ ଘାସ ଟୋକେଇରୁ ବିଡ଼ାବିଡ଼ା ଘାସ ଫିଟାଇ ମୋତି ଆଗରେ ପକାଇଦେଉଥିଲେ । ମୋତି ତଳକୁ ମୁଣ୍ଡ ନୁଆଇଁ ଅପରାଧୀ ପରି ଘାସ ଚାକୁଳେଇ ଯାଉଥିଲା ।

 

ଦୂରରୁ, ରାସ୍ତା ଉପର ସେ ଦୃଶ୍ୟ ଦେଖି, କୃଷ୍ଣପ୍ରସାଦ ପରମ ଉଲ୍ଲାସରେ ବିଜୟ ଧ୍ୱନି ଦେଲେ... ‘ଗୋବିନ୍ଦ ହେ !’

 

ସାନ ପୁଅ ଗୋବିନ୍ଦ, କୃଷ୍ଣପ୍ରସାଦଙ୍କ ପାଟି ଶୁଣିକରି କହିଉଠିଲା... ‘ହେଇ ବାପା ଆସିଲେଣି !’

 

କୃଷ୍ଣପ୍ରସାଦ ସ୍ତ୍ରୀ କ୍ଳାନ୍ତ ସ୍ଵାମୀଙ୍କ ଉଦ୍ଦେଶ୍ୟରେ ସହାନୁଭୂତି ପ୍ରକାଶ କରି ଆଗେ ଗୋଡ଼ ଧୋଇବା ପାଇଁ ଢାଳେ ପାଣି ଆଣି ଦିଅନ୍ତେ କ’ଣ, ତୀକ୍ଷ୍‍ଣ କଣ୍ଠରେ ଚିତ୍କାର କରି ଉଠିଲେ, ‘ତମେ ମିଣିପିଟିଏ ସକାଳୁ ଅଚିନ୍ତା ପରି ବୁଲୁଚ ଯେ ବୁଲୁଚ ! ପିଲାମାନେ ତମକୁ ଖୋଜି ଖୋଜି ନୟାନ୍ତ ହେଲେଣି ।’

 

କୃଷ୍ଣପ୍ରସାଦ ଭିତରେ ଭିତରେ ଗୋଟାଏ ବିସ୍ଫୋରଣ ପାଇଁ ପ୍ରସ୍ତୁତ ହେଉଥିଲେ, ସେ ଖୋଜୁଥିଲେ ଗାଈ, ତାଙ୍କୁ ଖୋଜୁଥିଲେ ପିଲାମାନେ ! ଅନନ୍ତ ଗବେଷଣାର ଏହି ବିଚିତ୍ର ଗୋଲକ ଧନ୍ଦା ତାଙ୍କୁ ଦାର୍ଶନିକ କରିଦେଲା ।

 

ସେ ଗୋଟିଏ ଦୀର୍ଘଶ୍ଵାସ ପକାଇ ଜୀବନ ଯୁଦ୍ଧର ଜୟଧ୍ୱନି ଦେଲେ, ‘ଗୋବିନ୍ଦ ହେ ! ସବୁ ତୋ’ରି ଇଚ୍ଛା ।

☆☆☆

 

ମୃତ୍ୟୁ :ଗାଷ୍‌ଟ୍ରୋଏଣ୍ଟ୍ରାୟିଟିସ୍

 

ମଙ୍ଗଳପୁର ଗାଁର ଅଖ୍ୟାତ ଅଜ୍ଞାତ, କେଳୁଚରଣ ହଠାତ୍ ପ୍ରଖ୍ୟାତ ହୋଇଥିଲା; ସମ୍ବାଦପତ୍ରମାନଙ୍କରେ ତିନିସ୍ତମ୍ଭବ୍ୟାପୀ ଶିରୋନାମାରେ । କେଳୁଚରଣକୁ କେନ୍ଦ୍ର କରି ବିଧାନସଭାରେ, ସରକାରୀ ଓ ବିରୋଧୀ ପକ୍ଷଙ୍କ ମଧ୍ୟରେ ତୁମୂଳ ବାକ୍‌ଯୁଦ୍ଧ । କେଳୁଚରଣ ହଠାତ୍ ହୋଇ ଉଠିଥିଲା ଯେପରି ବିରୋଧୀପକ୍ଷର ଇଷ୍ଟନାମ...ସାମ୍ପ୍ରତିକ ରାଜନୈତିକ ସଂଘର୍ଷର କେନ୍ଦ୍ରବିନ୍ଦୁ । ଶୀତତାପ ନିୟନ୍ତ୍ରିତ ବିଧାନସଭା ପ୍ରକୋଷ୍ଠରେ କେଳୁଚରଣ ଘେନି ବିରୋଧୀ ପକ୍ଷରେ କେତେ କ୍ଷିପ୍ତ ହଟ୍ଟଗୋଳ; ପୁଣି ତାହାର ସମ୍ମୁଖୀନ ହେବାର ସରକାରୀ ପକ୍ଷରୁ ଖାଦ୍ୟମନ୍ତ୍ରୀ ଗଳଦ୍‌ଘର୍ମ ! କେଳୁଚରଣର ଫଟୋଚିତ୍ର ସୁଦ୍ଧା ପ୍ରକାଶ ପାଇଥିଲା । ଏକ ବିଶିଷ୍ଟ ଦୈନିକ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ ଉପରକୁ ଆଁ କରି ପଡ଼ିରହିଛି ଗୋଟିଏ କଙ୍କାଳସାର ଦେହ, ପେଟଟା ଫୁଲିଯାଇଛି ଗୋଟିଏ ଫୁଟବଲ ପରି; ମଙ୍ଗଳପୁର ଗାଁର କେଳୁଚରଣ ! ହରିପୁର ବସଷ୍ଟାଣ୍ଡରେ, ବ୍ଲକ ଅଫିସ ସାମନାରେ, ଅନ୍ୟ କଙ୍କାଳମାନଙ୍କ ମଧ୍ୟରେ ଏଇ କେଳୁଚରଣ କେତେଦିନ ତଳେ ବୁଲୁଥିଲା... ଗୋଟିଏ ହାତରେ ଯଷ୍ଟି ଅନ୍ୟ ହାତରେ ଗୋଟିଏ ଆଲୁମିନିୟମ ବାଟି, ଛାତିହାଡ଼ ପଞ୍ଜର ଉପରେ ଗୋଟିଏ ଛିଣ୍ଡା ନେଳି ଗାମୁଛା ସବୁଜ ବିପ୍ଳବର ସନ୍ତାନ !

 

ସ୍କୁଲ ବୋର୍ଡ଼ିଙ୍ଗ ପିଣ୍ଡାରେ ହାତଭଙ୍ଗା ଖଣ୍ଡେ କାଠଚଉକି ଉପରେ ବସି ନରୋତ୍ତମ ପଣ୍ଡିତେ ଆଖି ବୁଲାଇ, ବୁଲାଇ ବିଳିବିଳେଇବା ପରି କଣ୍ଠରେ ସ୍ଵଗତୋକ୍ତି କରୁଥିଲେ... “ହ୍ୟାପଃ, କେଳୁଚରଣଟା ଇତିହାସରେ ଅମର ହୋଇଗଲା ! କେତେଲୋକ ନିତିପ୍ରତି ମରୁ ନାହାନ୍ତି ! କିନ୍ତୁ କାହା ନାଁ ଏମିତି ପଡ଼ୁଛି ଖବରକାଗଜରେ କାହା ମଡ଼ାର ଚିତ୍ର ବାହାରୁଛି ଖବର କାଗଜରେ ?”

 

କେଳୁଚରଣର “ଅମରତ୍ଵ” ପ୍ରତି ନରୋତ୍ତମ ପଣ୍ଡିତଙ୍କ ସୋଚ୍ଚାରିତ ଈର୍ଷା ।

 

“କିଏ ଅମର ହୋଇଗଲା ? କିପରି ?” ବୋଡ଼ିଙ୍ଗ୍ ଘରର ଗୋଟାଏ ଅନ୍ଧାରୁଆ କୋଠରି ଭିତରୁ ବାହାରି ଆସି ପଚାରିଲେ ବଂଶୀବାବୁ–ନୂଆ ଇତିହାସ ଶିକ୍ଷକ, ମାଷ୍ଟରି ଚାକିରିରେ ହଲ୍‍ ଯୋଗଦେଇଛନ୍ତି, ସେଥିପାଇଁ ବିଶ୍ଵବିଦ୍ୟାଳୟରେ ଛାତ୍ର ଦିନର ଦାମ୍ଭିକ ତାର୍କିକତା ତଥାପି ଏ ପର୍ଯ୍ୟନ୍ତ ଛାଡ଼ିପାରି ନାହାନ୍ତି ସେ । ମାଷ୍ଟରି ଜୁଆଳି ବେକରେ ପଡ଼ିବାପରେ ଆପେ ଆପେ ଛାଡ଼ିଯିବ ସେ ସବୁ ପ୍ରଗଳ୍‍ଭତା ! ପଦ୍ମଚରଣ ବାବୁ ପ୍ରଥମେ ଏ ସ୍କୁଲକୁ ଆସିବାର କେତେଦିନ ପର୍ଯ୍ୟନ୍ତ କଥା କଥାକେ କହୁଥିଲେ ସମାଜ ବିପ୍ଲବ ପାଇଁ ଶିକ୍ଷକମାନେ କ୍ଷେତ୍ର ପ୍ରସ୍ତୁତ କରିବା କଥା-! ନରୋତ୍ତମ ପଣ୍ଡିତେ ତାଙ୍କ ଦୃଷ୍ଟିରେ ଥିଲେ, ରକ୍ଷଣଶୀଳ ପେଟୀବୁର୍ଜୁୟା ଗୋଷ୍ଠୀର (ନରୋତ୍ତମ ପଣ୍ଡିତେ ଏ ପର୍ଯ୍ୟନ୍ତ ଏ ଶବ୍ଦଟାର ତାତ୍ତ୍ଵିକ ଓ ବ୍ୟାବହାରିକ ଅର୍ଥ ଠିକ୍ ବୁଝିପାରି ନାହାନ୍ତି) ପୁରୋହିତ ବୋଲି ! ମାତ୍ର ସେଇ ପଦ୍ମଚରଣ ବାବୁ ଏବେ ସକାଳେ ସନ୍ଧ୍ୟା ଟିଉସନ୍ କରିବାରେ ବ୍ୟସ୍ତ ! ଆଉ ସେପରି ଦୁର୍ବୋଧ୍ୟ ଶବ୍ଦ ସବୁ ସେ ଉଚ୍ଚାରଣ କରୁନାହାନ୍ତି ।

 

ଗ୍ରନ୍ଥିଳ କରୋଟି ପରି ନରୋତ୍ତମ ପଣ୍ଡିତଙ୍କ ମୁହଁ ବିରକ୍ତିରେ କୁଞ୍ଚିତ ହୋଇଉଠିଲା । ବଂଶୀଧରଙ୍କ ଆଡ଼େ ଖବରକାଗଜଟା ବଢ଼ାଇଧରି କହିଲେ... “ଦେଖ, ପଢ଼, ଖବରକାଗଜରେ ବାହାରିଛି”... କେଳୁଚରଣର ଅନାହାର ମୃତ୍ୟୁ ଓ ତାହାକୁ କେନ୍ଦ୍ରକରି ବିଧାନସଭା ପ୍ରକୋଷ୍ଠରେ ସରକାରୀ ଓ ବିରୋଧୀ ପକ୍ଷଙ୍କ ମଧ୍ୟରେ ହଟ୍ଟଗୋଳ ବିବରଣୀ ! ବଂଶୀଧର ସେଇ ଶିରୋନାମା ଓ ସମ୍ବାଦ ଉପରେ ଆଖି ବୁଲାଇ ନେଇ ତାତ୍ସଲ୍ୟପୂର୍ଣ୍ଣ କଣ୍ଠରେ ପଚାରିଲେ “ଏ ଦେଶରେ ଜିଅନ୍ତା ମୁର୍ଦ୍ଦାରମାନଙ୍କର ଏଇ ସମାଜର ଅନାହାର ମୃତ୍ୟୁ କ’ଣ ଗୋଟାଏ ସମ୍ବାଦ ? ମୁରଲୀବାବୁ ଯେତେବେଳେ ଏହି ଅଞ୍ଚଳରୁ ନିର୍ବାଚିତ ହୋଇଯାଇଛନ୍ତି; ତାଙ୍କ ପକ୍ଷରେ ଏପରି ଗୋଟିଏ ମାମୁଲି ଘଟଣାକୁ ନେଇ ହଟ୍ଟଗୋଳ କରିବା ସ୍ଵାଭାବିକ ତା’ ନହେଲେ ନିର୍ବାଚନ ମଣ୍ଡଳୀ ପାଇଁ ତାଙ୍କର ଆଉ କି କୃତିତ୍ଵ ରହିଲା ? କିନ୍ତୁ ଅନାହାର ମୃତ୍ୟୁ ସମ୍ବାଦ ନୁହେଁ….ବରଂ ଧୁତୁରାମଞ୍ଜି ମିଶା ଚାଉଳ, ଅଗରାମଞ୍ଜି ମିଶା ତେଲ ତେନ୍ତୁଳିମଞ୍ଜି ଆଉ ଚୋକଡ଼ ମିଶା ଅଟା, କେଆର ଫିଡ଼ିଙ୍ଗ୍ ଗାଈ ଆମେ ଯେ ବଞ୍ଚିରହିପାରିଛୁ, ତାହା ହିଁ ପ୍ରକୃତରେ ଆଜିର ସମ୍ବାଦ !”

 

ନରୋତ୍ତମ ପଣ୍ଡିତ ମନେମନେ ଭାବିଲେ ବାସ୍ତବିକ ନିତିପ୍ରତି କେତେ ଅନାହାର ମୃତ୍ୟୁ ନ ଘଟୁଛି ? ତାଙ୍କ ଗାଁରେ ଗୋପୀ ପଧାନ, ଅନାହାରରେ ପଡ଼ି ଶୁଖିଶୁଖି ମରିଗଲା । ତା’ ମୁହଁରେ ଟୋପାଏ ପାଣିଦେବା ପାଇଁ କେହି ଆସି ନଥିଲେ । ମାତ୍ର ତା’ ପ୍ରାଣ ଛାଡ଼ିଯିବା ପରେ, ଆସିଥିଲେ ୱାର୍ଡ଼ମେମ୍ବର, ସରପଞ୍ଚ, ବି.ଡ଼ି.ଓ ପୋଲିସ ଇନ୍‌ସପେକ୍ଟର ଓ ଆଉରି ଅନେକ ଗଣ୍ୟମାନ୍ୟ ଲୋକ-। ଅନୁସନ୍ଧାନ କରି ଦେଖାଗଲା ଗୋପୀ ପଧାନ, ଭଙ୍ଗା କୁଡ଼ିଆରେ ଗୋଟାଏ କୋଣରେ, କେଉଁଠି ଗୋଟାଏ ମାଟି ବଢ଼ା ଭିତରେ ପଡ଼ିଥିଲା । ପୋଷେ ଭଳି ଖୁଦ, ବି.ଡ଼ି.ଓ.ଙ୍କ ଆଖି ଉଜ୍ଜ୍ୱଳ ହୋଇଉଠିଲା । ଗଡ଼ ଜିଣିବା ପରି କଣ୍ଠରେ ସେ ସରପଞ୍ଚକୁ ପଚାରିଲେ... “ଗୋପୀ ପ୍ରଧାନ ଘରେ ଖୁଦ ଚାଉଳ ମହଯୁଦ ଥିବାବେଳେ, ସେ ଅନାହାରରେ ମରିପାରିବ କିପରି ? ଇଏ ତୁଚ୍ଛା ମିଛ-!”

 

ସରପଞ୍ଚଙ୍କର ମଧ୍ୟ ହଠାତ୍ ମନେପଡ଼ିଲା, ଗୋପୀ ପଧାନର ବାତ ବେମାରି ଥିଲା : ଅବଶେଷରେ ସ୍ଥିର ହେଲା–ଗୋପୀ ପଧାନ ଅନାହାରରେ ମରି ନାହିଁ ! ମରିଛି ବାତ ବେମାରିରେ-! ବାତ ବେମାରିରେ ମରିବାଟା କେଉଁ ସମ୍ବାଦ ? କିନ୍ତୁ ଏଇ କେଳୁଚରଣ ମହା ଭାଗ୍ୟବାନ୍-। ଖବରକାଗଜରେ ବଡ଼ବଡ଼ ହରଫରେ ବାହାରିଲା କେବଳ ତାରି ମୃତ୍ୟୁ ସମ୍ବାଦ । ତା’ ମଡ଼ାର ଚିତ୍ର ସୁଦ୍ଧା ବାହାରିଲା । ତା’ ନ ହେଲେ ଗୋପୀ ପଧାନର ଫୋଟୋଚିତ୍ର ତ ଦୂରର କଥା । ତା ନାଁ ସୁଦ୍ଧା ବାହାରିଲା କେଉଁ ଖବର କାଗଜରେ ? ସିଏ ତ ପୁଣି ଅନାହାରରେ ମରିଥିଲା ।

 

କିନ୍ତୁ କେଳୁଚରଣର ବିକୃତ ଶବପିଣ୍ଡର କଦାକାର ଫଟୋଚିତ୍ର ଆଡ଼େ ଚାହିଁ ବଂଶୀଧରଙ୍କ ମୁହଁ ବିରକ୍ତିରେ କୁଞ୍ଚିତ ହୋଇଉଠିଲା । ଏହି ସମ୍ପାଦକଙ୍କ ରୁଚି ବଡ଼ ବିକୃତ । ତାଙ୍କ ଖବରକାଗଜରେ ବାହାରେ କୌଣସି ମୋଟର ଦୁର୍ଘଟଣାଠାରୁ ଆରମ୍ଭ କରି ଏଣ୍ଡ୍ରସ ଖାଇ ଅଥବା ବେକରେ ଦଉଡ଼ି ଦେଇ, ଆତ୍ମହତ୍ୟା କରିଥିବା ଯେତେସବୁ ମୁର୍ଦ୍ଦାରଙ୍କ ବିକଟ ଚିତ୍ର ! କେଳୁଚରଣ ବଞ୍ଚିଥିବାବେଳେ ତାର ଅନାହାର କ୍ଳିଷ୍ଟ କଙ୍କାଳସାର ଦେହର ଫଟୋଚିତ୍ର ଖବରକାଗଜରେ ଛାପିଥିଲେ, ହୁଏତ ଆଉ କେତେଟା ଦିନ ବଞ୍ଚିବା ପାଇଁ କେଳୁଚରଣର କିଛି ଗୋଟିଏ ବ୍ୟବସ୍ଥା ହୋଇପାରିଥାନ୍ତା । ଏ ଅଞ୍ଚଳରେ ଅନାହାର କ୍ଳିଷ୍ଟ ଜନତାର ଦୁଃଖ ଦୈନ୍ୟ ପ୍ରତି ଶାସନ କଳର ଦୃଷ୍ଟି ପଡ଼ିପାରିଥାନ୍ତା । ମାତ୍ର ଏଇ ସମ୍ପାଦକଙ୍କ ରୁଚିରେ ଜିଅନ୍ତା ଲୋକଙ୍କ ସେପରି ଚିତ୍ର ପ୍ରକାଶ ନିଷିଦ୍ଧ । ଏହାର ସ୍ତମ୍ଭ ଉଦ୍ଦିଷ୍ଟ କେବଳ ନେତା ନୋହିଲେ ମୁର୍ଦ୍ଦାରମାନଙ୍କ ପାଇଁ ।

 

ଖବରକାଗଜଟା ନରୋତ୍ତମ ପଣ୍ଡିତଙ୍କୁ ଫେରାଇଦେଲାବେଳେ, ବଂଶୀଧରଙ୍କର ମନେପଡ଼ିଗଲା, ଏଇ ଲୋକଟାକୁ ସେଦିନ ସେ ଦେଖିଥିଲେ ବୋଧହୁଏ ବି.ଡ଼ି.ଓ ଅଫିସ ସାମ୍ନାରେ... ସେଇ ଓସ୍ତଗଛତଳେ । ଦୁଇଦିନ ଖାଡ଼ାଖାଡ଼ା ଓପାସ ରହିବାପରେ କେଳୁଚରଣ ସେଦିନ ବ୍ଲକ୍ ଅଫିସକୁ ଆସିଥିଲା, ମାଫି କାର୍ଡ଼ ପାଇଁ, ଗାଁରେ ଶୁଣିଥିଲା, ତା’ରି ପରି ଅନାହାରକ୍ଳିଷ୍ଟମାନଙ୍କ ପାଇଁ ଦୟାମୟ ସରକାର କୁଆଡ଼େ କରିଛନ୍ତି ମାଫିକାର୍ଡ଼ର ବ୍ୟବସ୍ଥା । ବ୍ଲକ୍‍ ଅଫିସ ସାମନା ସେଇ ଓସ୍ତଗଛକୁ ଆଉଜି ରହିଥିଲା ଯେପରି ଗୋଟାଏ ପ୍ରାଣହୀନ ନରକଙ୍କାଳ । ସେ କାହାକୁ କିଛି କହିପାରୁନଥିଲା କିମ୍ବା କହିବା ପାଇଁ ତାର ଶକ୍ତି ନଥିଲା । କାଚ ତିଆରି ଆଖି ପରି ନିର୍ଜୀବ ଆଖିମେଲି ବି.ଡ଼ି.ଓଙ୍କ ଅଫିସଆଡ଼େ ନିଷ୍ପଲକ ଦୃଷ୍ଟିରେ ଚାହିଁ, ସେ କେବଳ ବସିରହିଥିଲା ଯେପରି ସେଇ ବି.ଡ଼ି.ଓ.ଙ୍କ ଅଫିସ ଉପରେ ନିର୍ଭର କରୁଥିଲା ତାର ମରିବା ବଞ୍ଚିବା ପ୍ରଶ୍ନର ଶେଷ ସମାଧାନ ! କେଳୁଚରଣ ସେଠାରେ ବସି ରହିଥିଲା ମାଫିକାର୍ଡ଼ ପାଇବା ଅପେକ୍ଷାରେ ! ବି.ଡ଼ି.ଓ ଅଫିସର କୌଣସି ଅମଲା କି ଚପରାସି ତାକୁ ଆଶ୍ଵାସନା ଦେଉଥିଲେ ଯେଉଁଦିନ ତା ପାଳି ପଡ଼ିବ ସେଇଦିନ ତାକୁ ମିଳିବ ମାଫିକାର୍ଡ଼ ! ମାତ୍ର କେଳୁଚରଣର ଜୀବଦ୍ଦଶାରେ ପାଳି ଆଉ ପଡ଼ିପାରିଲା ନାହିଁ ।

 

ପାଞ୍ଚଟଙ୍କା ଅଣ୍ଟାଗୁଞ୍ଜା ଦେଇଥିଲେ ପାଳି ପଡ଼ିଥାନ୍ତା ! ମାଫିକାର୍ଡ଼ ମିଳିଥାନ୍ତା ! ଯେଉଁମାନଙ୍କ ଘରେ ପାଞ୍ଚବସ୍ତା ଦଶବସ୍ତା ଧାନ ଖୋଜିଲେ ମିଳିବ; ସେମାନେ ସୁଦ୍ଧା ଅଣ୍ଟାଗୁଞ୍ଜା ଦେଇପାଉଛନ୍ତି ମାଫିକାର୍ଡ଼ । ସେଇ ମାଫିକାର୍ଡ଼ରୁ ଚାଉଳ, ଗହମ ନେଇ ସେଇଆକୁ ପୁଣି ସେଇ ଗୋଦାମରେ ବିକ୍ରି କରି ସେମାନେ ସେଥିରୁ ଆୟ କରୁଛନ୍ତି ପାଞ୍ଚଟଙ୍କାର ଦଶଗୁଣ, କୋଡ଼ିଏ ଗୁଣ-। ଏ ଦେଶରେ କ୍ଷୁଧା ଓ ଅନାହାର ମଧ୍ୟ ହୋଇପାରେ ଏକ ଲାଭପ୍ରଦ ବ୍ୟବସାୟ ମାତ୍ର ଅଣ୍ଟାଗୁଞ୍ଜା ଯୋଗାଡ଼ କରିବା ପାଇଁ ଦୁର୍ଭାଗା କେଳୁଚରଣର ସମ୍ୱଳ ନଥିଲା ।

 

ବଂଶୀଧର ସେଦିନ, ସେଇ ଓସ୍ତଗଛମୂଳେ କେଳୁଚରଣର ଆଲୁମିନିୟମ୍ ବାଟି ଭିତରକୁ ଦଶପଇସିଟାଏ ପକାଇଦେଇ ସେଠାରୁ ଚାଲିଆସିଥିଲେ । କେଳୁଚରଣ ତାଙ୍କୁ ଆଶୀର୍ବାଦ କରିନଥିଲା, ଭଗବାନ ଦାତାର କଲ୍ୟାଣ କରନ୍ତୁ ବୋଲି ପ୍ରାର୍ଥନା କରିନଥିଲା, କିମ୍ବା ମୌନ କୃତଜ୍ଞତା ପ୍ରକାଶର ସୁଦ୍ଧା କୌଣସି ସୂଚନା ଦେଇନଥିଲା । ଅପରପକ୍ଷରେ ପ୍ରତିବାଦ ଓ ପ୍ରତିରୋଧର କାଠିନ୍ୟରେ ତାର ଆଖି ଦୁଇଟା ଯେପରି କଠୋର ହୋଇଉଠିଥିଲା– ତା’ର କ୍ଷୁଧା, ତା’ର ଅନାହାର, ତା’ର ଦୈନ୍ୟ ପାଇଁ ଏଇ ଦାତାଜଣକ ଯେପରି ଦାୟୀ ! ଦଶ ପଇସିଟା ପକାଇଦେଇ, ସେଠାରୁ ଚାଲିଆସିବାବେଳେ ବଂଶୀଧରଙ୍କୁ ନିଜକୁ ମଧ୍ୟ ଲାଗିଥିଲା ଅପରାଧୀ ପରି-। ଏଇ ଦଶପଇସିଟାରେ ମେଣ୍ଟିବ କଣ, କେଳୁଚରଣ ବଞ୍ଚିବାର କ୍ଷୁଧା ? ସେଇ ଦଶପଇସିଟା ବରଂ ତାର କ୍ଷୁଧା ଓ ଦୁର୍ଭାଗ୍ୟପ୍ରତି ଏକ ଉତ୍କଟ ପରିହାସ !

 

ତଥାପି ସେଇ ଦଶପଇସିଟା ପାଇବାପରେ କେଳୁଚରଣ ଫେରିପାଇଥିଲା ଯେପରି ବଞ୍ଚିରହିବା ପାଇଁ ଅପହୃତ ଆଶା ଓ ସାହସ । ଅନ୍ୟ ସମୟରେ “ବି.ଡ଼ି.ଓ. ସାହେବ”ଙ୍କ ଖଦଡ଼ ପର୍ଦ୍ଦାଢଙ୍କା ଅଫିସ କୋଠରି ଭିତରକୁ ଅନହୁତି ପଶିଯିବା ପାଇଁ ସେ ସାହସ ଖୋଜିପାଏ ନାହିଁ । ଅମଲାତନ୍ତ୍ର ଏ ଦେଶର ଛାତି ଉପରେ, ବ୍ରହ୍ମରାକ୍ଷସ ପରି ତଥାପି ଯେପରି ମାଡ଼ିବସି ରହିଛି– ବି.ଡ଼ି.ଓ. “ସାହେବ” କେଜାଣେ ସେଇ ବ୍ରହ୍ମରାକ୍ଷସର ଚେଲାଚାମୁଣ୍ଡା ! ତାଙ୍କ ସାମନାରେ ପଡ଼ିଗଲେ ଦେହର ସବୁ ରକ୍ତ ଏକ ଲଦ୍‍ମାକେ ଶୋଷିନେବେ ଯେପରି ! ମାତ୍ର ଆଜି ତାଙ୍କ ଅଫିସ ଭିତରକୁ ପଶିଯାଇଁ, ତାଙ୍କର ସାମନାସାମନି ହେବାପାଇଁ, କେଳୁଚରଣର କୁଣ୍ଠା କିମ୍ବା ଭୟ ନଥିଲା-! ସେଇ ଦଶପଇସିଟା ଯେପରି କେଳୁଚରଣକୁ ଆଣିଦେଇଥିଲା, ବଞ୍ଚିବା ପାଇଁ ଅବଦମିତ ସାହସ-! ତନ୍ଦ୍ରାଚାଳିତ ପରି ସେ ଗଣ୍ଠିଫୁଲା, କମ୍ପିତ, ଥରଥର ପାଦରେ କଙ୍କାଳସାର ଦେହ ଉପରେ ଚିରା ଗାମୁଛା ଖଣ୍ଡକ ସମ୍ଭ୍ରମରେ ଟାଣି ହାତରେ ଯଷ୍ଟି ଖଣ୍ଡକ ଧରି, “ବି.ଡ଼ି.ଓ ସାହେବଙ୍କ” ସ୍ୱାସ୍ଥ୍ୟପୁଷ୍ଟ ଲହୁଣୀବୋଳା ନଧର ମୂର୍ତ୍ତି ଆଗରେ ସାଷ୍ଟାଙ୍ଗ ଦଣ୍ଡବତ ହେବାପରି, ସେ ଚଟାଣ ଉପରେ ମୁହଁ ମାଡ଼ି ଲୋଟିପଡ଼ିଲା ।

 

ବି.ଡ଼ି.ଓ “ସାହେବ” ଚିତ୍କାର କରି ଉଠିଲେ... “ଆରେ ଉଠ ଉଠ ! କଥା କ’ଣ ? କଥା କ’ଣ ? ହେ, ହେଡ଼୍ କ୍ଳାର୍କ ବାବୁ...”

 

ହେଡ଼୍ କ୍ଳାର୍କ ବାବୁ ବି.ଡ଼ି.ଓ. ସାହେବଙ୍କ ପାଖରେ ଗୋଟାଏ ନଥି ଧରି କ’ଣ ପରାମର୍ଶ କରୁଥିଲେ । ସେ ମଧ୍ୟ ଚିତ୍କାର କରି ଉଠିଲେ... “ଆରେ ଅଫିସ ଭିତରେ ଇଏ କ’ଣ ! ଉଠ, ଉଠ !”

 

କେଳୁଚରଣ ତଳୁ ହଠାତ୍ ଉଠିପାରୁନଥିଲା । ଯଷ୍ଟି ଉପରେ ଭାରା ଦେଇ, କମ୍ପିତ ପାଦରେ ସେ ଧୀରେ ଧୀରେ ଠିଆ ହୋଇ କହିଲା... “ହଜୁର୍, ମାଫିକାର୍ଡ଼ ।”

 

ବି.ଡ଼ି.ଓ. ପଚାରିଲେ– “ତୁମ ଘର କେଉଁ ଗାଁ ? କେଉଁ ପଞ୍ଚାୟତ ?” –‘ମଙ୍ଗଳପୁର !”

 

ବି.ଡ଼ି.ଓ. ସାହେବଙ୍କର ହଠାତ୍ କ୍ରୁଦ୍ଧ ହେବାର କି କାରଣ ଥିଲା କେଳୁଚରଣ ବୁଝିପାରୁନଥିଲା । କିନ୍ତୁ ମୁଖସ୍ଥ କରିଥିବା କଣ୍ଠରେ, ବି.ଡ଼ି.ଓ ସାହେବ ଗଡ଼ଗଡ଼ କରି କହି ଚାଲିଲେ–“ଗ୍ରାମସେବକଙ୍କ ରିପୋର୍ଟ ଅନୁସାରେ, ବୃଷ୍ଟିପାତର ପରିମାଣ ୩୬ ଇଞ୍ଚରୁ ୪୦ ଇଞ୍ଚ, ଅର୍ଥାତ୍‍ ଶତକଡ଼ା ୬୦ ଭାଗ ବୃଷ୍ଟିପାତ, ମାତ୍ର ଶତକଡ଼ା ୨୩ ଭାଗ ଜମି ଚାଷ ହୋଇପାରି ନାହିଁ, ପଞ୍ଚାୟତରେ ଲୋକସଂଖ୍ୟା ଆଠ ହଜାର ସତର, ଟେଷ୍ଟ୍‍ ରିଲିଫ୍ ପାଇଁ ଦିଆହୋଇଛି ଚଉଦ ହଜାର ଛୟାଳିଶ ଟଙ୍କା ପନ୍ଦର ପଇସା । ଯାଅ, ଖଟିକରି ଖାଅ । ଉତ୍ପାଦନ ବୃଦ୍ଧି କର-! (ବି.ଡ଼ି.ଓ.ଙ୍କ ଅଫିସ କାନ୍ଥରେ ପ୍ରଧାନମନ୍ତ୍ରୀଙ୍କ ପ୍ରତିକୃତି ସମ୍ୱଳିତ ବିରାଟ ରଙ୍ଗିନ ପୋଷ୍ଟରରେ ଉତ୍ପାଦନ ବୃଦ୍ଧି ପାଇଁ ଚିତ୍ରିତ ଉଦ୍‌ବୋଧନ) ମାଫିକାର୍ଡ଼ କ’ଣ ? ଦେଶଟାକୁ କ’ଣ ମାଗିଖିଆ ଭିକାରିଙ୍କ ଦେଶ କରିଦେବ ? ହୁଃ !” ବି.ଡ଼ି.ଓ. ସାହେବଙ୍କ ଦେଶାତ୍ମବୋଧ ବିସ୍ଫୋରଣ କରିଉଠିଲା-

 

ମାଫିକାର୍ଡ଼ ମିଳିବାର ଆଶା ତାହେଲେ ନାହିଁ ।

 

କେଳୁଚରଣ ବେତ୍ରାହତ ପରି ସେଠାରୁ ବାହାରକୁ ଚାଲିଆସିଲା । ମାଫିକାର୍ଡ଼ ନ ମିଳିବା ତାକୁ ଯେତେ ବାଧିଲା ନାହିଁ; ସେତେ ବାଧିଲା ମାଗିଖିଆର ଆକ୍ଷେପ । କେଳୁଚରଣ ଚାଷୀ, ଯେଉଁଠି ଆଦୌ ପତ୍ର କଅଁଳେ ନାହିଁ, ସେଠାରେ ସେ ତା’ର ବାହୁବଳରେ ମାଟି ତାଡ଼ି ତାକୁ କରିଛି ଶସ୍ୟଶ୍ୟାମଳା ! ସେ ସମସ୍ତଙ୍କୁ ଦେଇଆସିଛି ଖାଦ୍ୟ, ଅନ୍ନ । କିନ୍ତୁ ବର୍ଷ ପରେ ବର୍ଷ ଧରି, କ୍ରମାଗତ ଭାବରେ, ଲୁଣା, ବଢ଼ି, ମରୁଡ଼ି ମଧ୍ୟରେ ପ୍ରକୃତି ସୁଦ୍ଧା ମଣିଷର ଲୁଣ୍ଠନ ସହିତ ହାତ ମିଳାଇ, ଗୋଟାଏ ଜାତିକୁ ଧ୍ଵଂସ କରିଦେବା ପାଇଁ ଆରମ୍ଭ କରିଛି ଯେଉଁ ଷଡ଼ଯନ୍ତ୍ର; କେଳୁଚରଣ ହୋଇଛି ତାର ଅସହାୟ ଶିକାର ।

 

ବାରନ୍ଦାରେ ଚପରାସି ଜଣକ ଅସ୍ଫୁଟ କଣ୍ଠରେ ଖିଙ୍କାରି ଉଠିଲା– “ପାଞ୍ଚ ଟଙ୍କା ନଦେଇ ମାଫିକାର୍ଡ଼ ପାଇଁ ପଶିଯାଉଥିଲୁ ଯେ । ହ୍ୟାପଃ ! ମାଗିଖିଆ ।”

 

ନା–ନା ସେ ମାଫିକାର୍ଡ଼ରେ ତା’ର ପ୍ରୟୋଜନ ନାହିଁ । ସେ ତ ମାଗିଖିଆ ନୁହେଁ । ମାଫିକାର୍ଡ଼ ପାଇଁ ସେ ତ ଆଉ କଳାବଜାର କରିନଥାନ୍ତା । କ୍ଷେତ୍ରରେ ପୁଣି ଚାଷବାସ ଆରମ୍ଭ ହେବା ପର୍ଯ୍ୟନ୍ତ ଦିନ କେତେଟା ସେ ବଞ୍ଚିଯାଇପାରିଥାନ୍ତା । ନ ମିଳୁ ପଛେ ମାଫିକାର୍ଡ଼–ସେ ବଞ୍ଚି ରହିପାରିବ । ...ଯିଏ ଜନ୍ମ ଦେଇଛି ସେ ତା’ ପାଇଁ ବ୍ୟବସ୍ଥା କରି ରଖିଛି ଆଧାର ! ଛିଣ୍ଡା ଗାମୁଛା କାନିରେ ଗଣ୍ଠି ପକାଇ ରଖିଥିବା ଦଶପଇସିଟା ଉପରେ କେଳୁଚରଣ ପୁଣିଥରେ ହାତ ବୁଲାଇଲା-। ସେ ତ କେବେ ହାତ ପତାଇ କାହାକୁ ମାଗିନଥିଲା । ତଥାପି ଯେଉଁ ଦାତାଜଣକ ତା’ ଉପରକୁ ଦଶପଇସିଟା ପକାଇଗଲେ, ତାଙ୍କର ଜୟ ହେଉ । କଲ୍ୟାଣ ହେଉ ।

 

ବ୍ଲକ ଅଫିସ ହତାରୁ ସେ ଆସିଲା ବଜାରକୁ । ଦଶ ପଇସାରେ ଗିଲାସେ କସରା ଚା’ ପାଣି ଛଡ଼ା ଆଉ କଣ ବା ମିଳିପାରିବ ? ତଥାପି ଏଇ ଚା’ଟା ଅଦ୍ଭୁତ ବସ୍ତୁ । ଭୋକ ମାରିଦିଏ ଦଣ୍ଡକ ପାଇଁ...ଦେହକୁ ମଧ୍ୟ ତାଜା କରି ରଖେ । କେଳୁଚରଣ ଗୋଟାଏ ଚା’ ପିଇଲା । ଚା’ ଦୋକାନ ରେଡ଼ିଓରେ ପ୍ରଚାରିତ ନେତାଙ୍କ ଭାଷଣ, ଦେଶର ଇସ୍ପାତ ଉତ୍ପାଦନ ସମ୍ପର୍କରେ ବିସ୍ତୃତି ପରିସଂଖ୍ୟାନ । କେଳୁଚରଣ ସେଥିରୁ କିଛି ବୁଝିପାରୁ ନଥିଲା । କିମ୍ୱା ସେସବୁ ବୁଝିବା ପାଇଁ ତା’ର କୌଣସି ପ୍ରୟୋଜନ ମଧ୍ୟ ନଥିଲା । ଚା’ ଗ୍ଲାସଟା ପିଇସାରିବା ପରେ ଦେହଟା ତାର ତାଜା ଲାଗୁଥିଲା ।

 

କେଳୁଚରଣ ସେଠାରୁ ଗାଁଆଡ଼େ ଫେରିଲା–ଝଡ଼ା ଦୁଇକୋଶ ବାଟ–ସେଇ ଟେଷ୍ଟ୍ ରିଲିଫ୍ ରାସ୍ତାରେ ନୁହେଁ, ହୁଡ଼ାମାଳ ଭିତରେ ଆଉ ଗୋଟାଏ କତି ବାଟରେ । ଶ୍ରାବଣ ମାସରେ ସୁଦ୍ଧା, ହୁଡ଼ାମାଳ ଗହୀର ଭିତରେ ଖଣ୍ଡିଆଭୂତ ନାଚୁଛି । ଉପରେ ମୁଣ୍ଡଫଟା ଖରା । ହିଡ଼ କଡ଼େକଡ଼େ କେଳୁଚରଣ ସନ୍ଧାନ କରୁଥିଲା ମୁଠିଶାଗ, ଖୁଦ ସାଙ୍ଗରେ ମିଶାଇ ସିଝାଇଦେଲେ ଚଳିଯିବ ବେଶ୍ । କିନ୍ତୁ ମୁଠିଶାଗର କୁଆଁଟି ସୁଦ୍ଧା ସେତେବେଳକୁ ମଣିଷର ବିଶ୍ଵଗ୍ରାସୀ କ୍ଷୁଧା ମଧ୍ୟରେ ନିଶ୍ଚିହ୍ନ ହୋଇସାରିଥିଲା । ମୁଠିଶାଗର ପତ୍ରଟିଏ ସୁଦ୍ଧା ନଥିଲା । କୋଇଲିଖିଆ ପତ୍ରଗୁଡ଼ାକରେ କେବଳ କଣ୍ଟା ଭର୍ତ୍ତି ।

 

ସାମନାରେ କେଲୁଣୀଯୋଡ଼ଟା ଡେଇଁଗଲେ, ଏଇ ଦେଖାଯାଏ ମଙ୍ଗଳପୁର ଗାଁ ସରପଞ୍ଚ ହରି ଚଉଧୁରୀଙ୍କ ଦାଣ୍ଡ ନଡ଼ିଆ ଗଛ । ଯୋଡ଼ଟାରେ ଶ୍ରାବଣ ମାସରେ ସୁଅ ଛୁଟେ, ମାତ୍ର ଏବେ ଶୁଖିଲା ପଡ଼ିଛି ଗୋଟାଏ ମଲାସାପ ପରି । ଠାଏଠାଏ କେଉଁଠି ମୁନ୍ଦାଏ ମୁନ୍ଦାଏ ପାଣି । କିନ୍ତୁ ଏହାରି ଭିତରେ ରହିଛି ପୁଣି ଏତେ ଐଶ୍ୱର୍ଯ୍ୟ ! ଆଉ... ଆଉ ଦିନ କେଇଟା ଆଗରୁ ସେ ଏଠାକୁ ଆସି ନପାରିଲା କାହିଁକି ? ତା’ହେଲେ ତା’ ସ୍ତ୍ରୀ ଚନ୍ଦା ଆଉ ଝିଅ କୁସୁମୀକୁ ହୁଏତ ଆଉ ଦିନ କେତେଟା ଅଟକାଇ ରଖିପାରିଥାନ୍ତା । ଚନ୍ଦା କୁସୁମୀକୁ ଧରି, ଦେଶାନ୍ତରୀ ହୋଇ ପଳାଇ ନଥାନ୍ତା । କୁଆଡ଼େ ଗଲା ଚନ୍ଦା ?

 

ତା’ ବାପଘର ଗାଁରେ ବି ତ ମରୁଡ଼ି ! ଶଳା ମଙ୍ଗଳପୁର ଆସିଥିଲା ଧାନ କରଜ ପାଇଁ । ସେମାନେ ଚନ୍ଦା ଆଉ କୁସୁମୀକୁ ଚଳାଇବେ କୋଉଁଠୁ ? ଗାଁଲୋକ କୁହନ୍ତି ଚନ୍ଦା ପଳାଇଲା, ସେଇ ଟେଷ୍ଟ୍–ରିଲିଫ୍ ଠିକାଦାରର ଗୁମାସ୍ତା ସାଙ୍ଗରେ ! ଯୁଆଡ଼େ ଯାଉ ପଛେ ଚନ୍ଦା... ବିଚାରୀ ବଞ୍ଚିଯାଉ-। ସାରୁନାଡ଼ ସିଝା ଖାଇ, ଅଧେ ଦିନ ନ ଖାଇ, ସତୀତ୍ଵ ମୋହରେ ଚନ୍ଦା ଏଠି ପଡ଼ି ରହନ୍ତି ଆଉ କେତେଦିନ ? ଚନ୍ଦା ବିରୁଦ୍ଧରେ ତା’ର ଅଭିଯୋଗ ନଥିଲା... ଥିଲା ବୋଧହୁଏ କେବଳ ଅଭିମାନ ! ଚନ୍ଦାର ସ୍ମୃତି, କେଳୁଚରଣକୁ ମୁହୂର୍ତ୍ତକ ପାଇଁ ଉଦାସ କରିଦେଇଥିଲା । ପରମୁହୂର୍ତ୍ତରେ ସେ ମନକୁ ଟାଣ କରି ଭାବିଲା, ତଥାପି ବଞ୍ଚିବା ପାଇଁ ପଡ଼ିବ ! ବଞ୍ଚିବା ପାଇଁ ପଡ଼ିବ !

 

ଯୋଡ଼ ଭିତରେ ଅରାଏ ପାଣି ଭିତରେ ଅସୁମାରି କଇଁମୂଳ ! ଆଃ ପାଣି ଧାରେଧାରେ ସୁନ୍‍ସୁନି ଶାଗ ଭର୍ତ୍ତି ! ଏତିକିରେ କେଳୁଚରଣର ସପ୍ତାହେ ଚଳିଯିବ । ତା’ପରେ ହୁଏତ ଆରମ୍ଭ ହୋଇଯିବ ଚାଷକାମ । ଅସରାଟାଏ ବର୍ଷା ଖାଇଗଲେ ଆରମ୍ଭ ହୋଇଥାନ୍ତା ତଳିରୁଆ ! କେଳୁଚରଣ ବେକଭାଙ୍ଗି ଆକାଶକୁ ଚାହିଁଲା । କିନ୍ତୁ ଆକାଶେ ନିର୍ମେଘ ! ଗୋଟାଏ ଶାଗୁଣା କେବଳ ଚକ୍‌କର କାଟି ଉଡ଼ୁଥିଲା ମଢ଼ର ସନ୍ଧାନରେ !

 

ଯୋଡ଼ଆଡ଼େ ଚାହିଁ କେଳୁଚରଣ ଭବିଲା; ସେ ବଞ୍ଚିଯିବ, ନିଶ୍ଚୟ ବଞ୍ଚିଥିବ ! ଚନ୍ଦା ଦିନେ ଝିଅ କୁସୁମୀକୁ ଧରି ପୁଣି ହୁଏତ ଫେରି ଆସିବ ! ମାଫିକାର୍ଡ଼ରେ ତା’ର ଆଉ ପ୍ରୟୋଜନ କ’ଣ ? ଯିଏ ଜନ୍ମ ଦେଇଛି; ସିଏ ନିଶ୍ଚୟ ବ୍ୟବସ୍ଥା କରି ରଖିଛି ଆଧାର ! ଥରଥର କମ୍ପିତ, ଦୁଇ ହାତଯୋଡ଼ି, କେଳୁଚରଣ ସେଇ ଅଦୃଶ୍ୟ ଇଷ୍ଟଦେବତାଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଇଲା । ତା’ପରେ ଯୋଡ଼ ଭିତରେ ପଶି ମନଇଚ୍ଛା କଇଁମୂଳ ସଂଗ୍ରହ କଲା–ଆଉ କିଛି ସୁନ୍‌ସୁନି ଶାଗ ବି ! ଗୋଟାଏ ଚେଙ୍ଗମାଛ ସୁଦ୍ଧା ତା’ ହାବୁଡ଼ରେ ପଡ଼ିଗଲା ।

 

ଦୁଇଦିନ ପରେ, ଗାଁ ଲୋକଙ୍କୁ ଲୁଚିଲୁଚି କେଳୁଚରଣ ପୁଣି ଆସିଲା ସେଇ କେଲୁଣୀଯୋଡ଼କୁ । ଏ ଐଶ୍ୱର୍ଯ୍ୟ ଉପରେ ଅନ୍ୟ କଙ୍କାଳମାନଙ୍କର ଆଖି ପଡ଼ିଲେ, ଦିନ କେତେଟାରେ ଏତିକ କଇଁମୂଳ ଆଉ ସୁନ୍‍ସୁନି ଶାଗ ସଫା ହୋଇଯିବ । କିନ୍ତୁ କେଲୁଣୀଯୋଡ଼ ପାଖରେ ପହଞ୍ଚିଲାବେଳକୁ, ତା’ ଭିତରେ କେଉଁଠୁ ଦଳଦଳ ଲଙ୍ଗଳା ପିଲା ଆଉ ଦର ଲଙ୍ଗୁଳୀ ବୁଢ଼ୀ ଆସି, ସେଇ ଐଶ୍ୱର୍ଯ୍ୟକୁ ଲୁଟ୍ କରୁଥିଲେ; କ୍ଷୁଧିତ ପଙ୍ଗପାଳ ପରି । ଅନେକ ଦିନର ଅନାହାର ପରେ, ସେମାନେ ମଧ୍ୟ ପାଇଥିଲେ ଯେପରି ଖାଦ୍ୟର ସନ୍ଧାନ ।

 

କିନ୍ତୁ ତା’ର ଖାଦ୍ୟଭଣ୍ଡାର, ତା’ର ଐଶ୍ୱର୍ଯ୍ୟ ଉପରେ, କେଉଁ ଗାଁର ଏଇ ପଙ୍ଗପାଳ ଦଳଙ୍କର ଆକ୍ରମଣ, କେଳୁଚରଣ ବରଦାସ୍ତ କରିପାରୁ ନଥିଲା । ସେମାନେ ଦସ୍ୟୁପରି ଲୁଣ୍ଠନ କରୁଥିଲେ ଯେପରି, କେଳୁଚରଣର ଅନ୍ନ, ତା’ର ବଞ୍ଚି ରହିବାର ସମ୍ୱଳ, ତା’ର ଉତ୍ତରାଧିକାର !

 

କେଳୁଚରଣ ଚେଁଚେଇଁଆ କଣ୍ଠରେ ଚିତ୍କାର କରି ଉଠିଲା... “ଏଃ ତମେ ସବୁ ଏଠି ଆମ ଗାଁ ଯୋଡ଼ରୁ କଇଁମୂଳ ନଉଚ କାହିଁକି ? ପଳା, ପଳା ଏଠୁ ! ନଇଲେ ଏଇ ଶଳା ପକାଇବି ।”

 

ହୁଡ଼ାବିଲରୁ ଗୋଟାଏ ଶୁଖିଲା ଟେକା ଶୂଳା, କେଳୁଚରଣ ହାତରେ ଉଠାଇ ଧରିଲା; ସେମାନଙ୍କୁ ଡରାଇବା ପାଇଁ । କେଲୁଣୀଯୋଡ଼ର କଇଁମୂଳ ଆଉ ସୁନ୍‌ସୁନି ଶାଗ ଉପରେ ଏକା ତା’ରି ଯେପରି ପାରମ୍ପରିକ ଉତ୍ତରାଧିକାର । ସେଥିରେ ଅନ୍ୟର ହସ୍ତକ୍ଷେପ ସେ ବରଦାସ୍ତ କରିପାରୁ ନଥିଲା ।

 

କିନ୍ତୁ କେଳୁଚରଣର ଚିତ୍କାର ଚେତାବନୀ ପ୍ରତି କେହି କର୍ଣ୍ଣପାତ କରିବା ଅବସ୍ଥାରେ ନଥିଲେ । ଗୋଟାଏ ବୁଢ଼ୀ କେବଳ ଏପରି ଅଶ୍ଳୀଳ ଭାଷାରେ କେଳୁଚରଣକୁ ଗାଳିଗୁଲଜ ଆରମ୍ଭ କରିଦେଲା ଯେ, ସେଥିରେ ଆଉ ଠିଆ ହୋଇ ରହିବା କେଳୁଚରଣ ପକ୍ଷରେ ସମ୍ଭବ ହେଲା ନାହିଁ ଲଜ୍ଜାରେ ! ଯୋଡ଼କଡ଼ରେ ବାଉଁଶବଣ ଧାରେଧାରେ, ଯୁଆଡ଼େ ପାଦ ଟାଣିଲା, ସେ ଆଡ଼େ ଚାଲିଯିବା ପରି କ୍ଳାନ୍ତ ପାଦ ଦୁଇଟା ଟାଣି ଟାଣି ସେ ଚାଲିଗଲା ଅନ୍ୟତ୍ର କେଉଁଠି, ଖାଦ୍ୟ ସନ୍ଧାନରେ...ଯିଏ ଜନ୍ମ ଦେଇଛି, ସେ ନିଶ୍ଚୟ କେଉଁଠି ବ୍ୟବସ୍ଥା କରି ରଖିଥିବ ଆଧାର । ଏ କଙ୍କାଳମାନଙ୍କ ସହିତ ଝଗଡ଼ା କରି ଲାଭ କ’ଣ ?

 

ମଙ୍ଗଳପୁର ସ୍କୁଲ ପାଖକୁ ଏତେବେଳେ ଗଲେ କିପରି ହୁଅନ୍ତା ? ଏଇଟା ପିଲାମାନଙ୍କର ଯାଉଖିଆ ବେଳ । ଏତେବେଳେ ପିଲାମାନଙ୍କୁ ଖଣ୍ଡେ ଖଣ୍ଡେ କଦଳୀ ପତ୍ରରେ ଦିଆଯାଏ ମେଞ୍ଚାଏ ମେଞ୍ଚାଏ କେଆର୍ ଫିଡ଼ିଙ୍ଗ୍ ଜାଉ । ପୃଷ୍ଟିକର ଖାଦ୍ୟ ବିତରଣ ଯୋଜନାର କଲ୍ୟାଣଧର୍ମୀ କାର୍ଯ୍ୟକ୍ରମ । ଆହା ! କିଏ ସେ କେଆର୍ ? ସରପଞ୍ଚ ଆଉ ସ୍କୁଲ ସେକ୍ରେଟାରୀ ମିଶି କୁଆଡ଼େ କିଳାପୋତେଇ କରନ୍ତି । ସେଥିପାଇଁ ମଙ୍ଗଳପୁର ଗାଁରେ ଦୁଇଦଳ ହୋଇ, ଗାଁରେ ଫଟାଫଟି, କୁରୁପାଣ୍ଡବ ଯୁଦ୍ଧ । ଆଉ ସୁନ୍‌ସୁନି ଶାଗ ତୁଳନାରେ ତାହା ବି ନିତାନ୍ତ ଅଖାଦ୍ୟ ନୁହଁ । ଦିନେ ଦିନେ ଏଇ ସମୟରେ, ସ୍କୁଲ ବାରଣ୍ଡା ତଳେ ନାକେଇ ଠିଆ ହେଲେ ଗୋଟିଏ ପତ୍ରଠୁଙ୍ଗାରେ ମଧ୍ୟ ମିଳିଥାଏ କିଛି ଜାଉ । ନୋହିଲେ, କୌଣସି ପିଲାକୁ ସେଇ ପାଣିଚିଆ ଜାଉ ଭଲ ନ ଲାଗିଲେ, କଦଳୀପତ୍ର ଠୁଙ୍ଗାଟା ସେ ଫିଙ୍ଗିଦିଏ, କେଳୁଚରଣ ଓ ତା’ରି ପରି ଅନ୍ୟମାନଙ୍କ ଗାମୁଛା କାନି ଅଥବା ଚେପ୍‍ଟା ଆଲୁମିନି୍ୟମ ବାଟି ଭିତରକୁ, ମାତ୍ର ସେଠାରେ ସୁଦ୍ଧା ତା’ରି ପରି ଭୋକିଲା ମଣିଷ ଆଉ କୁକୁରଙ୍କର ଗହଳି । ଠେଲାପେଲା, କାମୁଡ଼ାକାମୁଡ଼ି । କେଳୁଚରଣର ଆତ୍ମସମ୍ମାନକୁ ତାହା ଖୁବ୍ ବାଧେ । ଏହା ଅପେକ୍ଷା ଆଉ କେଉଁଠି କନ୍ଦା କି କଇଁନାଡ଼ ଖୋଜିବା ବରଂ ଭଲ ।

 

ସ୍କୁଲଆଡ଼େ ଯିବାର ଚିନ୍ତା ଛାଡ଼ି କେଳୁଚରଣ ବାଉଁଶବଣ ଧାରେଧାରେ ତଳକୁ ମୁଣ୍ଡ ନୂଆଁଇ, ନିରୀକ୍ଷଣ କରି କରି ଚାଲିଥିଲା ଭୂତତ୍ଵବିତ୍ ଆବିଷ୍କାରକ ପରି । କେଳୁଚରଣ ଭୂତତ୍ୱ ଆବିଷ୍କାରକ ନହେଉ ପଛେ, ବଞ୍ଚିବାର ଆବିଷ୍କାରକ । କିଆ କନ୍ଦା ଖୋଜୁଖୋଜୁ ସେ ଗୋଟିଏ ସ୍ଥାନରେ ଅଟକି ଠିଆ ହୋଇଗଲା । ସେଠାରେ ଗୋଟିଏ କିଆବୁଦା କଡ଼ରେ ମାଡ଼ିଥିଲା ଗୁଡ଼ାଏ ଲତା । ତାର ପତ୍ର ସବୁ ଦେଖିବାକୁ କଲରା ପତ୍ରପରି । ସେଥିରୁ ସେ ଗୋଟିଏ ପତ୍ର ଛିଣ୍ଡାଇ ହାତରେ ଦଳି ନାକ ପାଖକୁ ନେଇ ଶୁଙ୍ଘିଲା । ତାପରେ ଆଶା ଓ ଆନନ୍ଦରେ ତାର ଆଖି ଦୁଇଟା ଉଜ୍ଜ୍ଵଳ ହୋଇଉଠିଲା । ତା’ର ଅନ୍ତରାତ୍ମା ଚିତ୍କାର କରିଉଠିଲା... “ପିତାଳୁ ପିତାଳୁ ।” ଏଇ ପିତାଳୁ ପାଇଁ ସେ କେତେ ଖୋଜି ହେଉନଥିଲା । ପିତାଳୁ ଯେତେ ସିଝାଇଲେ ସୁଦ୍ଧା ଅବଶ୍ୟ ପିତା; କିନ୍ତୁ ଚନ୍ଦା ଜାଣିଥିଲା ପିତାଳୁ ଧୋଇବାର କାୟଦା । କନ୍ଦା ପିତାଳୁ ସିଝାଇ ପାରିଲେ ଲାଗେ ଠିକ୍ ସାରୁପୋଡ଼ା ପରି । ଏଇ ପିତାଳୁ ଖାଇ, କେଳୁଚରଣର କେତେ ପୂର୍ବପୁରୁଷ କେତେ ମରୁଡ଼ି କେତେ ମନ୍ଵନ୍ତର ଟାଳିଦେଇଛନ୍ତି । କେଳୁଚରଣ ମଧ୍ୟ ଏ ଦୁର୍ଭିକ୍ଷ ସମ୍ଭାଳିଯିବ । ବଞ୍ଚିବାର ଆଶା ଓ ସମ୍ଭାବନାରେ, କେଳୁଚରଣର ସ୍ତିମିତ ସ୍ନାୟୁକେନ୍ଦ୍ର ସବୁ ପ୍ରାଣଚଞ୍ଚଳ ହୋଇଉଠିଲା । ସେ ଲମ୍ବଲମ୍ବ ପାଦ ପକାଇ ଗାଁଆଡ଼େ ଫେରିଲା ଗୋଟିଏ ଶାବଳ କିମ୍ବା ଖଣତି ସଂଗ୍ରହ କରିବା ପାଇଁ । ଅନ୍ତତଃ ମୁଠୁଣିଏ ନ ଖୋଳିଲେ ପିତାଳୁ ତ ମିଳିବ ନାହିଁ ।

 

ପିତାଳୁ ବୁଜୁଳାଏ ତୋଳି ସେ ଗାଁକୁ ଫେରିବାବେଳକୁ ସନ୍ଧ୍ୟା ହୋଇଯାଇଥିଲା । ପିତାଳୁ ଧୋଇ, ସେଥିରୁ ପିତା ଛଡ଼ାଇବାର କାଇଦା ତାକୁ ଜଣାନଥିଲା । ଚନ୍ଦା କିନ୍ତୁ ପିତାଳୁ ପ୍ରଥମେ ଭଲକରି ସିଝାଇ ବହନ୍ତା ପାଣିରେ ତାକୁ ରାତିସାରା ବୁଡ଼ାଇ ରଖେ ! ତା’ପରେ ସକାଳେ ସେଇ ପିତାଳୁକୁ ସିଝାଇଲେ, ଲାଗେ ସାରୁପୋଡ଼ା ପରି !

 

କେଳୁଚରଣର ପାଟି ଲାଳେଇ ଉଠୁଥିଲା ।

 

ମାତ୍ର ପିତାଳୁ ପ୍ରଥମେ ସିଝାଇ, ରାତିସାରା ତାକୁ ବହନ୍ତା ପାଣିରେ ବୁଡ଼ାଇ ରଖି ସକାଳେ ପୁଣି ତାକୁ ସିଝାଇବାକୁ କେଳୁଚରଣର ଆଉ ଧୈର୍ଯ୍ୟ ନଥିଲା । ସେଇ କଇଁମୂଳ ଆଉ ସୁନ୍‌ସୁନି ଶାଗସିଝା ପରଠାରୁ ତା’ ପେଟରେ ଆଉ କୌଣସି ଆଧାର ପଡ଼ିନାହିଁ । କୋରଣା ପରି ଗୁଡ଼ିଏ ମୁନିଆଁ ଦାନ୍ତ ତା ପେଟ ଭିତରଟାକୁ ଯେପରି କୋରି ପକାଉଥିଲା ।

 

ଗାଁମୁଣ୍ଡ ପୋଖରୀ ତୁଠରେ, ଖଣ୍ଡଖଣ୍ଡ ପିତାଳୁ ସେ ଥରେ କେବଳ ଧୋଇ ନେଇଥିଲା ବିଧିରକ୍ଷା ପାଇଁ । ତା’ପରେ ସେଠାରେ ବସି ଖଣ୍ଡଖଣ୍ଡ ପିତାଳୁ ସେ ଚୋବାଇ ଗିଳିଗଲା ପରମ ତୃପ୍ତିରେ ! ଆଶ୍ଚର୍ଯ୍ୟ ଆଚମ୍ବିତ କଥା, ଅସିଝା ପିତାଳୁ... ଯାହାକୁ ଚନ୍ଦା ରାତିସାରା କେତେ କାୟଦାରେ ବହନ୍ତା ପାଣିରେ ବୁଡ଼ାଇ ରଖେ– କେଳୁଚରଣକୁ ପିତା ଲାଗୁ ନଥିଲା କିମ୍ବା ତାର ତଣ୍ଟି କୁଣ୍ଡାଇ ହେଉ ନଥିଲା ।

 

ଦୁଇଦିନର ଉପବାସପରେ ଆଜି ତାକୁ ମିଳିଥିଲା ପେଟଭରି ଖାଦ୍ୟ ! କାଲି ପୁଣି ସେ ସେଇ କିଆ ଗୋହିରୀକୁ ଯିବ ପିତାଳୁ ଖୋଳିବା ପାଇଁ । ଏଥର ପିତାଳୁ ଆଣିଲେ କିନ୍ତୁ ବହନ୍ତା ପାଣିରେ ରାତିସାରା ସେ ତାକୁ ବୁଡ଼ାଇ ରଖିବ... ଆଃ ! ଲୁଣ ଟିକିଏ ହୋଇଥିଲେ ଏଇ ପିତାଳୁ ଆଉରି ସୁଆଦ ଲାଗିଥାନ୍ତା । ପିତାଳୁ ହ୍ୟାପଃ, ଭାରି ପାଣିଚିଆ ଲାଲୁଆ !

 

ଖଣ୍ଡଖଣ୍ଡ ପିତାଳୁ ଆକଣ୍ଠ ଚୋବାଇ, ଅଧାମାଠିଆ ପାଣି ପିଇ, କେଳୁଚରଣ ଦାଣ୍ଡ ପିଣ୍ଡା ଉପରେ ଗଡ଼ିପଡ଼ିଲା । ସାରାଦିନର ଖଟଣି ବିଶେଷତଃ ପିତାଳୁ ଖୋଳିବା ପାଇଁ ସେଇ ଶୁଖିଲା ଟାଙ୍କରା ମାଟି ମୁଠୁଣିଏ ତାଡ଼ିବା ପରେ, ତାର ହାତଗୋଡ଼ ଝିମଝିମ ହୋଇ ଉଠୁଥିଲା । ମୁଣ୍ଡ ବୁଲାଇ ଦେଉଥିଲା; ଯେପରି ତଳେ କଚାଡ଼ି ହୋଇ ପଡ଼ିବ !

 

ଗାଁ ଟୋକାଙ୍କ କ୍ଲବ ଘରେ ରେଡ଼ିଓରେ କୃଷି ସଂସାର କାର୍ଯ୍ୟକ୍ରମରେ ଚାଲିଥିଲା “ସବୁଜ–ବିପ୍ଳବ” ସମ୍ପର୍କରେ କୌଣସି ନେତାଙ୍କ ଭାଷଣ ! ଅନ୍ୟଦିନ ହୋଇଥିଲେ, ବ୍ଲକ ଘର ପାହାଚ ଉପରେ ବସି ସେ ରେଡ଼ିଓରେ ଶୁଣିଥାନ୍ତା କୃଷି–ସଂସାର, ପୁଣି ଭଜନ–ଜଗନ୍ନାଥ କିଛି ମାଗୁନାହିଁ ତୋତେ ! ଆଜି କିନ୍ତୁ ସେ ବଡ଼ କ୍ଳାନ୍ତ, ବଡ଼ ଅବସନ୍ନ !

 

ରାତିରେ କେତେବେଳେ ତା’ର ପୁଣି ନିଦ ଭଜିଲା । କେଳୁଚରଣର ହେତୁ ନଥିଲା । ସେତେବେଳେ ପେଟ ଫାମ୍ପି ନିଶ୍ଵାସ ନେବାପାଇଁ କେଳୁଚରଣର କଷ୍ଟ ହେଉଥିଲା । ପେଟ ଉପରେ ହାତ ବୁଲାଇ ତାହା ନିଜର ପେଟ ବୋଲି କେଳୁଚରଣ ଜାଣିପାରୁ ନଥିଲା । ହ୍ୟାପଃ... ପେଟ ନାଁ ଧାନଉଷୁଆଁ ହାଣ୍ଡି ? ପେଟ କ୍ରମେ ଆଉରି ଫାମ୍ପୁ ଥିଲା ପିଲାଙ୍କ ରବର ବେଲୁନ୍ ପରି ! ଲୁଟ୍ ହୋଇଯାଉ ଏଣିକି କେଲୁଣୀଯୋଡ଼ର କଇଁମୂଳ । ସେଇ କିଆ ଗୋହିରୀରୁ ପିତାଳୁ ସବୁ ତାଡ଼ି ନେଇଯାନ୍ତୁ ଅନ୍ୟମାନେ ଯାହାକୁ ଯେତେ ! ସେ ସବୁଥିରେ ଏବେ ତାର ଆଉ ପ୍ରୟୋଜନ ନଥିଲା ! ଏବେ କେବଳ ଶୋଷ ! ଶୋଷ ! କିନ୍ତୁ ଭିତରକୁ ଯାଇଁ ମାଠିଆରୁ ପାଣି ପିଇବା ପାଇଁ କେଳୁଚରଣର ପାଦରେ ଆଉ ଶକ୍ତି ନଥିଲା । ଗଣ୍ଠି ଉପରେ ଭରାଦେଇ ସୁଦ୍ଧା ସେ ତଳୁ ଉଠି ଠିଆ ହୋଇପାରୁ ନଥିଲା । ଆହତ ବନ୍ୟପଶୁ ପରି ସେ ପିଣ୍ଡା ଉପରେ ପଡ଼ି ଗଁ ଗଁ ହେଉଥିଲା ।

 

ସକାଳେ ମଙ୍ଗଳପୁର ଗାଁରେ ରଟିଗଲା କେଳୁଚରଣର ମୃତ୍ୟୁ ସମ୍ବାଦ । ପେଟ ଫମ୍ପାଇ, ଆଖି ତରାଟି, ପାଟି ଆଁ କରି ଦାଣ୍ଡ ପିଣ୍ଡାରେ ପଡ଼ିଥିଲା କେଳୁଚରଣର ଲାସ୍ । ସମ୍ବାଦ ପାଇବା ମାତ୍ରେ ସରପଞ୍ଚ, ୱାର୍ଡ଼ମେମ୍ବର ଓ ଅନ୍ୟ ମୁଖିଆ ଗ୍ରାମବାସୀମାନେ ସେଠାରେ ଆସି ଯୁଟିଗଲେ । କେଳୁଚରଣର ଲାସ୍‌କୁ ସଙ୍ଖୋଳିବା ପାଇଁ ସେ ଅଞ୍ଚଳର “ନେତା” ବିଧାନସଭାର ପ୍ରତିନିଧି ମୁରଲିବାବୁ ମଧ୍ୟ କେଉଁଠୁ ସମ୍ବାଦ ପାଇ ଜିପ୍‌ରେ ଆସି ସେଠାରେ ପହଞ୍ଚିଗଲେ । କେଳୁଚରଣର ଲାସ୍ ଆଡ଼େ ଚାହିଁ ଖବରକାଗଜରେ ଛପାଇବା ପାଇଁ ମନେମନେ ସେ ଗୋଟିଏ ବିବୃତ୍ତିର ଚିଠା କରୁଥିଲେ ।

 

ସରପଞ୍ଚ ୱାର୍ଡ଼ମେମ୍ବରଙ୍କୁ କହିଲେ... “ଆଉ ଠିଆ ହୋଇ ରହିଲେ କ’ଣ ହେବ ? ଏଇ ଦଶଟଙ୍କା ଧର । ଶବ ସତ୍କାରର ଯୋଗାଡ଼ କର । ପଞ୍ଚାୟତ ପାଣ୍ଠିରୁ ଏ ଟଙ୍କା ମଞ୍ଜୁର ନ ହେଲେ ମୁଁ ପଛେ ପକେଟରୁ ଦେଉଛି ।”... ସରପଞ୍ଚ ସରକାରୀ ପକ୍ଷରେ ଲୋକ । ନିଜ ପଞ୍ଚାୟତ, ନିଜ ଗାଁରେ ପୁଣି, ଏକ ଅନାହାର ମୃତ୍ୟୁର ଏଇ ପ୍ରାମାଣିକ ସଙ୍କେତକୁ ସେ ଯଥାଶୀଘ୍ର ଖତମ୍ କରିବାକୁ ଚାହୁଁଥିଲେ ।

 

ସରପଞ୍ଚ ଉଦାର ମହାନୁଭବତାରେ କେହି କେହି ଆ ! ଚୁଃ ଚୁ ! କଲେ । କେଳୁଚରଣ ପରି ସେମାନେ ମଧ୍ୟ କେଉଁଦିନ ଏହିପରି ଗଡ଼ି ମରିବେ । କିନ୍ତୁ ଆଶାର କଥା; ସେମାନଙ୍କର ଶବସତ୍କାର ପାଇଁ ସେଦିନକୁ ନିଶ୍ଚୟ ଥିବେ ଏଇ ମହାନୁଭବ ସରପଞ୍ଚ ! ପଞ୍ଚାୟତ ପାଣ୍ଠିରୁ ଟଙ୍କା ମଞ୍ଜୁର ନହେଲେ ସୁଦ୍ଧା ନିଜ ପକେଟରୁ ଟଙ୍କା କାଢ଼ିବା ପାଇଁ ସେ କୁଣ୍ଠିତ ହେବେ ନାହିଁ । ସେମାନଙ୍କ ମଡ଼ା ବାସୀ ହେବ ନାହିଁ ।

 

ମୁରଲିବାବୁ ଚିତ୍କାର କରି ଉଠିଲେ... “ଏ ଲାସ୍ ଏଠାରୁ ଉଠିପାରିବ ନାହିଁ । ଇଏ ଅନାହାର ମୃତ୍ୟୁ ! ନିଶ୍ଚୟ ଅନାହାର ମୃତ୍ୟୁ ! ବି.ଡ଼ି.ଓ ଆସନ୍ତୁ, ପୋଲିସ୍ ଆସୁ, ତା’ପରେ ଯାଇଁ ଶବସତ୍କାର ହେବ ।” ସ୍ଳୋଗାନ ଦେବା ପରି କଣ୍ଠରେ ସେ କହିଲେ... “ଏ ମୃତ୍ୟୁ ପାଇଁ ଦାୟୀ ସରକାର !”

 

“ନେତା” ମୁରଲିବାବୁଙ୍କ ହକରାରେ ଯଥା ସମୟରେ ସେଠାରେ ଆସି ପହଞ୍ଚିଲେ ବି.ଡ଼ି.ଓ, ପୋଲିସ ଇନ୍‌ସପେକ୍ଟର, ପ୍ରାଇମେରୀ ହେଲ୍‌ଥ ସେଣ୍ଟରର ଡାକ୍ତର । ଜିପ୍ ରଡ଼ିରେ ମଙ୍ଗଳପୁର ଗାଁ ଦାଣ୍ଡ ପଡ଼ିଲା ଉଠିଲା ।

 

ବି.ଡ଼ି.ଓ. ଚିନ୍ତିତ କଣ୍ଠରେ ପଚାରିଲେ... “କେଳୁଚରଣର ବାତବେମାରି ନଥିଲା ?” ତାଙ୍କର ମନେ ପଡ଼ିଗଲା, ଏଇ ଲୋକଟା ସେଦିନ ତାଙ୍କ ଅଫିସ ଭିତରକୁ ପଶିଆସି ବାତ ମାରିବା ପରି ତଳେ ପଡ଼ିଯାଇଥିଲା ।

 

ସରପଞ୍ଚ ନୀରବ ରହିଲେ । ପୋଲିସ ଇନ୍‌ସପେକ୍ଟର କହିଲେ, “ଆସାମୀ ବିଷଖାଇ ଆତ୍ମହତ୍ୟା ମଧ୍ୟ କରିପାରିଥାଏ । ତେଣୁ ପ୍ରଥମେ ଲାସ୍‌ମାଇନା ହେବା ଦରକାର ।”

 

ସରପଞ୍ଚ ଟିପ୍‌ପଣୀ କଲେ... “କେଳୁଚରଣ ବିଷ ଖାଇଥିବା ମଧ୍ୟ ଅସମ୍ଭବ ନୁହେଁ ? ତା’ ସ୍ତ୍ରୀ ତାକୁ ଛାଡ଼ି କୁଆଡ଼େ ପଳାଇଯାଇଛି କି’ନା ! ହୁଏତ ସେଇ ଦୁଃଖରେ...”

 

ପ୍ରାଇମାରୀ ହେଲ୍‌ଥ ସେଣ୍ଟରରେ ଶବମାଇନା ପାଇଁ ବ୍ୟବସ୍ଥା ନଥିଲା । କେଳୁଚରଣର ଶବପିଣ୍ଡ ଆମ୍ବୁଲାନ୍‌ସ ଗାଡ଼ିରେ ଚଢ଼ିଆସିଲା ସବ୍‌ଡ଼ିଭିଜନ ମହକୁମାର ସଦର ହାସପାତାଳକୁ ! ସେଠାରେ ପୋଷ୍ଟମର୍ଟମ୍‌ରେ ଦେଖାଗଲା ଲାସର ଖାଦ୍ୟନଳୀ ଓ ଅନ୍ତନଳୀରେ କେବଳ ଖାଦ୍ୟ ଆଉ ଖାଦ୍ୟ । ଇଏ କେବେ ଅନାହାର ମୃତ୍ୟୁ ହୋଇନପାରେ । ଫରେନ୍‌ସିକ୍ ଟେଷ୍ଟରେ ବିଷାକ୍ତ ପ୍ରକ୍ରିୟାରେ ମଧ୍ୟ କୌଣସି ପ୍ରମାଣ ନଥିଲା । ଏ ମୃତ୍ୟୁ ତେଣୁ ଉଦାରମୟ ଗାଷ୍ଟ୍ରୋଏଣ୍ଟ୍ରଇଟିସ୍ ଜନିତ-! ଅତିରିକ୍ତ ଖାଦ୍ୟ ନଖାଇ !

 

ବିଧାନସଭାରେ ସେଇ ପୋଷ୍ଟମର୍ଟମ ରିପୋର୍ଟ ଉପସ୍ଥାପିତ କରି ଖାଦ୍ୟ ମନ୍ତ୍ରୀ କହିଥିଲେ... “ଏ ମୃତ୍ୟୁକୁ ଅନାହାର ମୃତ୍ୟୁ ଆଖ୍ୟାଦେବା ତେଣୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ... ଏ ମୃତ୍ୟୁ ପୂରାପୂରି ଉଦାରମୟ ଜନିତ ।”

 

ବସ୍ତୁତଃ ଏପରି ନିରୋଳ ଡାକ୍ତରୀ ପରିଭାଷାରେ ପ୍ରସ୍ତୁତ ହୋଇଥିଲା ପୋଷ୍ଟମର୍ଟମ ରିପୋର୍ଟ; କେବଳ ଯୁକ୍ତି, ଏପରିକି ଟେବୁଲ ବାଡ଼ିଆଦ୍ଵାରା ତାହାକୁ ଖଣ୍ଡନ କରିବା ? ଉପାୟ ନଥିଲା । ସରକାରୀ ତଥ୍ୟ ଅନୁସାରେ କେଳୁଚରଣ ମରିଥିଲା ଖାଦ୍ୟ ବାହୁଲ୍ୟରେ, ଖାଦ୍ୟାଭାବରେ ନୁହେଁ । ତା’ ନ ହେଲେ ତା’ର ଖାଦ୍ୟନଳୀରୁ ଏତେ ପ୍ରଚୁର ପରିମାଣରେ ଲାଳମିଶ୍ରିତ ଅପରିପକ୍ଵ ଖାଦ୍ୟ ମିଳିଥାନ୍ତା କିପରି ?

 

ଖବରକାଗଜରେ ସେଇ ବିବରଣୀ । ଆମୂଳଚୂଳ ବାରମ୍ବାର ପାଠକରି ସୁଦ୍ଧା ନରୋତ୍ତମ ପଣ୍ଡିତଙ୍କ ତୃପ୍ତି ନଥିଲା । ସେ ମନକୁ ମନ କହି ହେଉଥିଲା “କେଳୁଚରୁଣଟା ଥିଲା ହ୍ୟାପଃ ଭାଗ୍ୟବାନ୍ । ଖବରକାଗଜ ଆଉ ଇତିହାସରେ ‘ଅମର’ ହୋଇଗଲା ।

 

ପଲାଶପୁର ଓ ପୋର୍ସିଲେନ୍

 

ନାମର ବିଚିତ୍ର ପରିହାସ... ପଲାଶପୁର ! ଚୈତ୍ରର ଉଜ୍ଜ୍ଵଳ ଆକାଶତଳେ ଏଠାରେ କିନ୍ତୁ ପଲାଶର ରକ୍ତିମ ଉଚ୍ଛ୍ଵାସ ମିଳିବ ନାହିଁ । (ଏଇ ସମୁଦ୍ରକୂଳିଆ ଲୁଣା ଅଞ୍ଚଳରେ ଅନେକ ଚେଷ୍ଟାକରି ଏ ପର୍ଯ୍ୟନ୍ତ ଗୋଟିଏ ପଲାଶ କିମ୍ବା ଶାଳ୍ମଳୀ ସୁଦ୍ଧା ଆଖିରେ କେଉଁଠି ପଡ଼ିଲା ନାହିଁ...

 

“ସାର୍, ଆପଣ ପଲାଶ ଗଛ ଖୋଜି ହେଉଛନ୍ତି କାହିଁକି ? କ’ଣ କିଛି ଔଷଧପତ୍ର କରିବେ ? କବିରାଜମାନେ ପଲାଶ ଗଛର ପତ୍ର, ଛାଲ ଖୋଜିଥାନ୍ତି ।” ମହୀମାଷ୍ଟର କୌତୂହଳ ଚାପି ନପାରି ଦିନେ ପଚାରିଦେଲେ । କିନ୍ତୁ ସେ ବା କିପରି ଜାଣିବେ ଧାନ ପରଚେଜିଙ୍ଗ୍ ଏଜେଣ୍ଟ୍‍ ଶେଠ କେରୁଡ଼ିମଲ୍ଲଙ୍କ ଏଇ ମ୍ୟାନେଜର ଜଣକ ମଧ୍ୟ ଏକଦା ଥିଲେ ଏକ ‘କବିରାଜ’– ଅବଶ୍ୟ କବିତ୍ଵ ଅର୍ଥରେ । ଜୀବନର ପୁଣି କି ବିଚିତ୍ର ବିଡ଼ମ୍ବନା । ଏଇ ସମୁଦ୍ରକୂଳିଆ ଲୁଣିମଡ଼ା ଅଞ୍ଚଳରେ, କଳା ଓ କବିତ୍ଵ ଛାଡ଼ି ଶେଠ କେରୁଡ଼ିମଲ୍ଲଙ୍କ ଧାନ ପରଚେଜିଙ୍ଗ୍ ଏଜେନ୍ସିର ମ୍ୟାନେଜର ହୋଇ ବସିବେ... ଏ କଥା ସ୍ଵପ୍ନରେ ସୁଦ୍ଧା ଦିନେ ହେଲେ ତ ସେ କେବେ ଭାବି ନଥିଲେ ।

 

ପ୍ରଥମେ ପଲାଶପୁର ନାମଟାର ଅଲଙ୍ଘ୍ୟ ଆକର୍ଷଣ ଥିଲା । ଶାନ୍ତ, ନିଭୃତ ପଲ୍ଲୀର ଶ୍ୟାମ ଅଞ୍ଚଳ ତଳେ କାବ୍ୟଚର୍ଚ୍ଚା ପାଇଁ ସେ ପାଇବେ ପ୍ରଚୁର ଅବସର । ମାତ୍ର ପଲାଶପୁରର ଲୁଣି ହାୱାରେ କାବ୍ୟ କାହିଁ ? ଚାଷୀମାନଙ୍କ ପାଖରୁ ଧାନ ଖରଦୀ ଆଉ ଡଙ୍ଗା ଓ ଟ୍ରକ୍‌ରେ ଧାନ ଚୋରାଚାଲାଣର ହିସାବଖାତା ପଲାଶପୁରର ଏକମାତ୍ର କାବ୍ୟ ।

 

ଜୁଆରିଆ ପାଟୁଆ ନଈ କୂଳରେ ପଲାଶପୁର... ନଦୀର ଚପଳଛନ୍ଦା ଲାବଣ୍ୟ ନାହିଁ । କର୍ଦ୍ଦମପଙ୍କ ମଧ୍ୟରେ ପାଟୁଆ ପଡ଼ି ରହିଥାଏ ବୋଡ଼ାସାପ ପରି, ଜୁଆରବେଳେ ଭୟଙ୍କର, ବହୁସ୍ଫୀତ ଆଉ ଭଟ୍ଟାବେଳେ ଶୀର୍ଣ୍ଣକାୟ କ୍ଷୁଧିତ । ହାଟପାଳି ଦିନମାନଙ୍କରେ ପାଲବନ୍ଧା ହୁଲିଡଙ୍ଗା ସବୁ କେବଳ ତାହାର କର୍ଦ୍ଦମାକ୍ତ ଜୁଆରିଆ ଦେହରେ ଆଣିଥାନ୍ତି ନଦୀର ଲାବଣ୍ୟ । ସେତେବେଳେ ମନେହୁଏ... ହ, ପାଟୁଆ ଗୋଟାଏ ନଦୀ ।

 

“ଏବେ ସାର୍ ଯେଉଁ ବଜାର ଦେଖୁଛନ୍ତି, ଏଇ ଯେଉଁ ହାଟ ହେଉଛି, ମୋ ପିଲାଦିନେ ଦେଖିଛି, ସେଠାରେ ଥିଲା କେବଳ କାଦୁଅପନ୍ତା; କିଆବଣ ଆଉ ବାଇଜି ହାଣ୍ଡି କୁଦ । ସେଇ ଯେଉଁଠି ବ୍ଲକ ଅଫିସ ହୋଇଛି ସେଠି ଥିଲା ଗୋଟିଏ ଛୋଟିଆ ବଜାର... । ଏଇ ଧରନ୍ତୁ ଦୁଇ ତିନିଟା ଗୁଡ଼ିଆ, ତେଜରାତି ଦୋକାନ ଆଉ ଗୋଟିଏ ଚଟିଘର । ...ତେଣିକି ପଲାଶପୁର ଗାଁ, କୋଡ଼ିଏ ତିରିଶିଟା ଘର । ବର୍ଷ କେଇଟା ଭିତରେ ପଲାଶପୁରର ଚେହେରା ବଦଳିଗଲାଣି ।” ପାଟୁଆ ନଈର ଲୁଣାବନ୍ଧ ଉପରେ ମୋ’ ପଛେପଛେ ମହୀ ମାଷ୍ଟର ଚାଲିଥିଲେ ଦୁଇଖିଲି ପାନ ଆଉ ଅତୀତ ସ୍ମୃତିର ରୋମନ୍ଥନ କରି । ପଲାଶପୁରର ସେ ଐତିହାସିକ ।

 

ଇଲେକ୍ଟ୍ରିକ୍ ଆସିଲାଣି ପଳାଶପୁର ବଜାର ପର୍ଯ୍ୟନ୍ତ । ଲିଫ୍ଟଇରିଗେସନ ପଏଣ୍ଟ ମଧ୍ୟ ବସିଗଲାଣି ପାଟଗହୀରମାନଙ୍କରେ । କିମ୍ଭିରିଆ ବନ୍ଧ ଉପରେ ଲାଲସୁର କି ବିଛା ରାସ୍ତା । ପଲାଶପୁର ଘାଟରୁ ଦଶମାଇଲ ପର୍ଯ୍ୟନ୍ତ ପାଦରେ ଅଥବା ସାଇକେଲ୍‌ରେ ଗୋପାଳପୁର ପର୍ଯ୍ୟନ୍ତ ଗଲେ ତେଣିକି ପଡ଼ିବ ପିଚୁରାସ୍ତା । ସେଇ ରାସ୍ତାରେ ଦଳଦଳ ଟେରିକଟ୍ ପ୍ୟାଣ୍ଟ୍ ଆଉ ହାୱାଇନ୍ ପିନ୍ଧା ଯୁବକ ସାଇକେଲରେ ଚାଲିଥିଲେ ଘାଟ ପାରହୋଇ ସହର ଅଭିମୁଖରେ... ସମ୍ଭବତଃ ଚାକିରି ଅନ୍ଵେଷଣରେ, ନୋହିଲା କେଉଁ ନେତା ବା ଉପନେତାଙ୍କ ଦରବାରରେ ହାଜିରା ଦେଇ, ଚାକିରିର ଉମେଦାରି ପାଇଁ, କିଛି ନହେଲେ ବି ଚିନି ବା ଚୋକଡ଼ର ପର୍‌ମିଟ୍ । ସଭ୍ୟତାର ମାନଚିତ୍ରରେ ପଲାଶପୁର ଏବେ ସୁପ୍ରତିଷ୍ଠିତ ।

 

ତା ନ ହେଲେ ଶେଠ୍ କେରୁଡ଼ିମଲ୍ଲ ଏଠାରେ ଧାନ କାରବାର ପାଇଁ ଡିପୋ ଖୋଲିଥାନ୍ତେ କିପରି ? ଆଉ ମୁଁ ବା କାହିଁକି ସଭ୍ୟତାର ପ୍ରତିନିଧି ରୂପେ ଏଠାକୁ ଆସିଥାନ୍ତି ଡିପୋ ମ୍ୟାନେଜର ହୋଇ ?

 

ମହୀ ମାଷ୍ଟର କହିଚାଲିଥିଲେ... “ବୁଝିଲେ ସାର୍, ଏବେ ସିନା ଏଇ ରାସ୍ତା ସଡ଼କ ଦେଖୁଛନ୍ତି, ଗୋପାଳପୁରରୁ ବସ୍‌ରେ ବସିଲେ ସିଧା କଟକ, ଛଅଘଣ୍ଟାର ରାସ୍ତା । ନୋହିଲେ କଚେରୀ କାମ ଥିଲେ ବାପା ସକାଳୁ ପାଦରେ ଚାଲି ବାହାରୁଥିଲେ ଯେ କଟକ ଧରୁଥିଲେ ସଞ୍ଜରେ, ସତୁରୀ ମାଇଲ ।”

 

“ସତୁରୀ ମାଇଲ ରାସ୍ତା, ସେ ପାଦରେ ଚାଲି ଏକାଦିନରେ ପହଞ୍ଚି ଯାଉଥିଲେ ?” –ମୋ’ କଣ୍ଠରେ ସନ୍ଦେହ ଓ ବିସ୍ମୟ ।

 

“ଖାଲି କ’ଣ ଚାଲି ଯାଉଥିଲେ ?” ...ମହୀ ମାଷ୍ଟର ଉତ୍ତର ଦେଲେ...“କଟକୀ ପାଞ୍ଚସେର ଚାଉଳ, ଗୋଟାଏ ପିତ୍ତଳ ତସଲା ଆଉ ଢାଳଟାଏ ବୁଜୁଳିରେ ବାନ୍ଧି କାନ୍ଧରେ ନ ପକାଇଲେ କଟକ ବାହାରୁ ନଥିଲେ ସେ ।”

 

“ସହରରେ କ’ଣ ହୋଟେଲ ନ ଥିଲା ?”

 

“କିନ୍ତୁ ତାଙ୍କ ଖାଇବା କୋଉ ହୋଟେଲ ସମ୍ଭାଳିପାରିବ ? ବକ୍ତକୁ କଟକୀ ସେରେ ଚାଉଳ ।”

 

ଆମେ ଚାଲିଥିଲୁ ଚୁଙ୍ଗୁଡ଼ି ମାଛ ସନ୍ଧାନରେ । ମହୀମାଷ୍ଟରଙ୍କ ଆଶଙ୍କା ସକାଳୁ ସକାଳୁ ବରଫଗାଡ଼ି ଆସି ମାଛ ସବୁ ବୋହି ନେଇଯିବଣି । ତା’ହେଲେ ମୀନ ଗୋଟାଏ ସୁଦ୍ଧା ଆଜି ମିଳିବ ନାହିଁ ଆଉ । ଇଏ ମଧ୍ୟ ଅର୍ଥନୀତିର ଗୋଟାଏ ପରିହାସ, ମାଛ ବିଶେଷତଃ ଚୁଙ୍ଗୁଡ଼ି, ଭେକଟି ପାଇଁ ସାରା ଜିଲ୍ଲାରେ ପ୍ରସିଦ୍ଧ ଏଇ ପଲାଶପୁରରେ ଗୋଟାଏ ମୀନ ସୁଦ୍ଧା ଖୋଜିଲେ ଏବେ ମିଳୁନାହିଁ, ସହରର ବନ୍ଧୁମାନେ କିନ୍ତୁ ଏ ପରିସ୍ଥିତି ବିଶ୍ଵାସ କରିବା ପାଇଁ କୁଣ୍ଠିତ । ସେମାନଙ୍କର ବିଶ୍ଵାସ ଏଠାରେ ମୋର ପ୍ରାତ୍ୟହିକ ଖାଦ୍ୟ ଲୋବଷ୍ଟର୍‍, ପ୍ରମଫ୍ରେ ଆଉ... ?

 

ସ୍ଵର୍ଗତ ପିତାଙ୍କ ସ୍ମୃତି ଭୁଲି ମହୀ ମାଷ୍ଟର ହଠାତ୍ ଚିତ୍କାର କରିଉଠିଲେ...“ଏଇ ଗୌରା-! ଗୌରା...”

 

ଘାଟଠାରୁ ଅଳ୍ପଦୂରରେ ଗୋଟାଏ ଓସ୍ତଗଛ ମୂଳେ ବୁଢ଼ାଟିଏ ବସିଥିଲା ଗୋଟିଏ ଖାଳେଇ ଧରି, ବୋଧହୁଏ ହୁଲିଡ଼ଙ୍ଗା ଅପେକ୍ଷାରେ । “ଚୁଙ୍ଗୁଡ଼ି ଅଛି କିରେ ? ସାର୍ ଅନେକ ଦିନ ହେଲା ଚୁଙ୍ଗୁଡ଼ି ଖାଇନାହାନ୍ତି ।”

 

ଆମେ ସେତେବେଳକୁ ସେଇ ଓସ୍ତମୂଳେ ପହଞ୍ଚି ସାରିଥିଲୁ । ଗୌରାର ଖାଳେଇ ଭିତରେ ପ୍ରାୟ କିଲେ ଓଜନର ବଡ଼ ଚୁଙ୍ଗୁଡ଼ି । ମହୀମାଷ୍ଟର ଅଣନିଶ୍ଵାସୀ ହୋଇ କହିଲେ... “ସେତକ ଆମକୁ ଦେଇ ଦେ । ଦାମ୍ କେତେ ?” ବିଳମ୍ବ କରିବା ପାଇଁ ମହୀମାଷ୍ଟରଙ୍କ ଧୈର୍ଯ୍ୟ ନଥିଲା ।

 

ଗୌରା ଚୁଙ୍ଗୁଡ଼ିତକ ଖାଳେଇ ଭିତରୁ କାଢ଼ିବା ପାଇଁ ମନେମନେ ଯେପରି କୁଣ୍ଠିତ ଥିଲା-। ମହୀମାଷ୍ଟର ଯେଉଁ ଲୋକ, ଦର କଷାକଷି ତାଙ୍କୁ ପାରିବ କିଏ ? ... “ଆରେ ସେତେକ ଦେଇଦେ, କେତେ ନେବୁ ?”

 

ଗୌରା ଶେଥା ଶେଥା, କେମ୍ପା ଆଙ୍ଗୁଠିରେ ମୁଣ୍ଡ କୁଣ୍ଡେଇ କୁଣ୍ଡେଇ କହିଲା... “କିଲୋ ବାରଟଙ୍କା ?”

 

“ଚୁଙ୍ଗୁଡ଼ି କିଲୋ ବାର ଟଙ୍କା”–ମୁଁ ଆର୍ତ୍ତନାଦ କରିଉଠିଲି ।

 

ଗୌରା ନିସ୍ପୃହ କଣ୍ଠରେ ଉତ୍ତର ଦେଲା... ‘ଆଜି ଡେରି ହୋଇଗଲା । ମୁଁ ଆସିଲାବେଳକୁ ବରଫଗାଡ଼ି ଯାଇ ସରିଲାଣି । ତା’ ନହେଲେ ଏତକ ତ କିଲୋ ପନ୍ଦର ଟଙ୍କାରେ ତମେ ପାଇ ନଥାନ୍ତ ବାବୁ !” ...ମୋର ଦୈନ୍ୟ ବା କାର୍ପଣ୍ୟ ପ୍ରତି ଗୌରା କଣ୍ଠରେ ତାଚ୍ଛଲ୍ୟ । ବାର ଟଙ୍କାରେ ଚୁଙ୍ଗୁଡ଼ିତକ ଦେବାପାଇଁ ରାଜି ହୋଇ ଗୌରା ମୋ’ ପ୍ରତି ଯେପରି ଅନୁଗ୍ରହ ପ୍ରଦର୍ଶନ କରୁଥିଲା । ମହୀ ମାଷ୍ଟର କହିଲେ... “ଚୁଙ୍ଗୁଡ଼ି ତ ମାତ୍ର ସାତଟା, ସେଥିରୁ ଦୁଇଟା ପୁଣି ସାନ । ସାତ ଟଙ୍କାରେ ଛିଣ୍ଡାଇ ଦେ । ଏତକ ଯା ସାର୍‌ଙ୍କ ବସାରେ ଦେଇ ଆସିବୁ ।”

 

ଚିଙ୍ଗୁଡ଼ି ଏତେବେଳେ ଆଉ ବା କିଣିବ କିଏ ? ହଉ ସେଇ ସାତ ଟଙ୍କାଇ ଯଥେଷ୍ଟ । ନିଜର ତ ଭୁଲ୍ ହୋଇଯାଇଛି । ଆସିଲାବେଳକୁ ସେପାଖ ଘାଟରୁ ବରଫ ଗାଡ଼ି ମାଛ ନେଇ ଚାଲିଗଲାଣି । ତା’ ନହେଲେ ଏତକ ଚିଙ୍ଗୁଡ଼ି ସେ ଚଉଦ ଟଙ୍କାରୁ କମ୍‌ରେ ବିକ୍ରି କରିନଥାନ୍ତା ! ଏଇ ଚିଙ୍ଗୁଡ଼ିକୁ ବର୍ଷ କେତେଟା ତଳେ କେହି ପଚାରୁନଥିଲେ । ଖାଳେଇଏ ଚିଙ୍ଗୁଡ଼ି ପାଇଁ ଟଙ୍କାଟିଏ ମିଳିଲେ ଢେର । ଏବେ କିଲୋ ପନ୍ଦର ଟଙ୍କା, ଷୋଳ ଟଙ୍କା ଦେଇ ଏଇ ଚିଙ୍ଗୁଡ଼ି ନେବାପାଇଁ ଏତେ ବାଡ଼ାବାଡ଼ି କାହିଁକି ? ବରଫ ଗାଡ଼ି କାହିଁକି ଆସୁଛି ସହରରୁ ? ...ଗୌରା ବୁଝିପାରୁନଥିଲା । ମହୀମାଷ୍ଟର ମଧ୍ୟ ବୁଝିପାରୁନଥିଲେ । ମହୀମାଷ୍ଟର ସ୍ଵଗତୋକ୍ତି କରିବା ପରି କହିଲେ...“ଆରେ ଏ ଚିଙ୍ଗୁଡ଼ିକୁ ପଲାଶପୁରରେ ପଚାରୁଥିଲା କିଏ ?” ସଭ୍ୟତାର ଅର୍ଥନୀତି, ମହୀମାଷ୍ଟରଙ୍କୁ ବୁଝାଇବା ପାଇଁ ମୋର ମଧ୍ୟ ମାନସିକ ପ୍ରସ୍ତୁତି ନଥିଲା । ସଭ୍ୟତାର ଅର୍ଥ ଦାରିଦ୍ର୍ୟ ଓ ଅଭାବବୋଧ; ମହୀ ମାଷ୍ଟରଙ୍କୁ କିପରି ବା ବୁଝାଇବି, ନିଜେ ବୁଝିପାରୁନଥିଲି ।”

 

ଖାଳେଇ ଧରି ଗୌରା ଉଠିଗଲା । ସକାଳ ଖରା କ୍ରମେ ଟାଣ ହୋଇ ଆସିଥିଲା । ଆମେ ଡିପୋ ଆଡ଼େ ଫେରିଲୁ ।

 

...ଏ ବର୍ଷ ଧାନ ସଂଗ୍ରହ ଆଶାନୁରୂପ ନୁହେଁ । ଧାନଫସଲ ଅମଳ ବେଳକୁ ଥିଲା ଝଡ଼ ଆଉ ତା ସାଙ୍ଗରେ ଲୁଣା । ପାଚିଲାଧାନ ସବୁ ଲୁଣା ପାଣିରେ ପଚିଗଲା । ତା ନ ହେଲେ ଡିପୋଆଡ଼େ ଏଇ ସମୟରେ ପିମ୍ପୁଡ଼ି ପରି ଚାଷୀମାନେ ଭାରଭାର ଧାନ ଧରି ଛୁଟିଥାନ୍ତେ ଧାନ ମପେଇବା ପାଇଁ । ଡିପୋରୁ ଋଣ ନେଇଥାନ୍ତି ଧାନଚାଷ ପୂର୍ବରୁ, ଅମଳପରେ ସୁଧ ସହିତ ମୂଳ ଆଦାୟ ଦିଅନ୍ତି ଧାନଫସଲରେ । ସେ ଧାନ ଡଙ୍ଗାମାନଙ୍କରେ ଯାଏ ଚୋରା ଚାଲାଣରେ ପଡ଼ୋଶୀ ରାଜ୍ୟର ବଜାରମାନଙ୍କୁ । ଶେଠ୍ କେରୁଡ଼ିମଲ୍ଲଙ୍କ ଲକ୍ଷ୍ମୀଲାଭର ଇତିହାସ । ଏବେ ତ ଧାନ ନାହିଁ । ସେମାନେ ଆସୁଛନ୍ତି କେବଳ ଆଉରି ଋଣ ପାଇଁ, ଦାଦନ ପାଇଁ । ଲାଞ୍ଚ ଘୁଷ୍‍ ଦେଇ ସରକାରୀ ବସ୍ତରରୁ ତଗାବି ଋଣ ପାଇଁ ଦଉଡ଼ିବା ଅପେକ୍ଷା, କେରୁଡ଼ିମଲ୍ଲଙ୍କ ଡିପୋରୁ ଋଣ ନେବା ଅନେକ ସୁବିଧାଜନକ, ଯଦ୍ୟପି ସୁଧର ହାରଟା ଉତ୍କଟ ।

 

ଡିପୋ ଦାଣ୍ଡରେ କେତେଜଣ ଚାଷୀ କିଛି ଧାନ ଧରି ବସିଥିଲେ । ଧାନ ମପେଇବା ପାଇଁ ସେମାନଙ୍କର ଅପେକ୍ଷା । ମହୀ ମାଷ୍ଟର କହିଲେ... “କିରେ ଏତିକି ଧାନ କଣ ? ତମେ ସବୁ କ୍ଵିଣ୍ଟାଲ ଉପରେ ଧାନ ଦେବାପାଇଁ ଦାଦନ ନେଇ ଥିଲଟି ।

 

ଚାଷୀମାନେ ନିରୁତ୍ତର । ଲୁଣା ଉପରେ ପାଗଯୋଗ ଉପରେ ହାତ କାହାର ? ଦଣ୍ଡିଆମାନେ ଧାନ ମପାଇ ହିସାବ ଖାତାରେ ଚଢ଼ାଇଦେଲେ । ଚାଷୀମାନେ ତଥାପି ଡିପୋ ପିଣ୍ଡାତଳେ ବସି ରହିଥିଲେ, କେଉଁ ଅପେକ୍ଷାରେ କେଜାଣି ? ସେମାନଙ୍କ ନିର୍ବୋଧ ଆଖିରେ ଅନୁଚ୍ଚାରିତ ପ୍ରଶ୍ନ । ଏଇ ଚଇତ ମାସରୁ ଧାନ ସାରିଲା । ତା’ପରେ ?

 

ମହୀମାଷ୍ଟର ପାନ ଚୋବେଇ ଚୋବେଇ ହିସାବ ଖାତାରେ ଡୋରି ବାନ୍ଧି କହିଲେ... “ସମସ୍ତଙ୍କଠାରୁ ଧାନ ଆଦାୟ ସରୁ । ତା’ପରେ ବୈଶାଖବେଳକୁ ନୂଆ ଦାଦନ ପାଇଁ ଆସିବ ।” ସେମାନଙ୍କର ଅନୁଚ୍ଚାରିତ, ଅସହାୟ ଜିଜ୍ଞାସା ମହୀମାଷ୍ଟର ବୁଝିପାରିଥିଲେ । ମୁଁ ମଧ୍ୟ ବୁଝିଥିଲି । କିନ୍ତୁ ସେମାନଙ୍କୁ କୌଣସି ଉତ୍ତର ଦେଇପାରୁ ନଥିଲି ।

 

ଚାଷୀମାନେ ଜଣ ଜଣ ହୋଇ କ୍ଳାନ୍ତ ପାଦରେ ଉଠି ଚାଲିଗଲେ । ଗୌରା ମଧ୍ୟ ସେତେବେଳେ ଅଲକ୍ଷିତରେ ଆସି ଚୁଙ୍ଗୁଡ଼ି ମାଛର ଦାମ ଦେଇ ଚାଲିଗଲାଣି । ଡିପୋ ପାଖ ଚା’ ଦୋକାନରେ ଯାହା ଲୋକ ଭିଡ଼ । ଚା’ ଦୋକାନ ସାମନା ପାନ ବିଡ଼ି ଦୋକାନରେ ଟ୍ରାଞ୍ଜିଷ୍ଟର ରେଡ଼ିଓରେ ଚାଲିଥିଲା ବିବିଧ ଭାରତର ହିନ୍ଦୀ ସିନେମା ସଙ୍ଗୀତ । ସଙ୍ଗୀତର ଆର୍ତ୍ତନାଦ ମଧ୍ୟରେ, ସଭ୍ୟତା ଯେପରି ତାହାର ଉପସ୍ଥିତି ଏଇ ଲୁଣିଆ ମୁଲକରେ ଘୋଷଣା କରୁଥିଲା ।

 

ସେଇ ବିରକ୍ତିକର ଏକଟଣା ମୁହୂର୍ତ୍ତର ଅତ୍ୟାଚାରରୁ ମୁକ୍ତି ପାଇଁ ମହୀମାଷ୍ଟରଙ୍କୁ ମୁଁ ପଚାରିଲି... “ଏ ଅଞ୍ଚଳକୁ ଏବେ ଲିଫ୍ଟଇରିଗେସନ୍ ଆସିଲା ଫର୍ଟିଲାଇଜର୍ ଆସିଲା, ନୂଆନୂଆ ବିହନ ଆସିଲା । ତଥାପି ଧାନଫସଲ ଭଲ ଉତୁରୁ ନାହିଁ କାହିଁକି ?

 

ମହୀମାଷ୍ଟରଙ୍କ ପାଟି ଗୋଟିଏ ପାନଚୋବା କଳ । ପାନ ଚୋବାଇ ଚୋବାଇ ସେ ଯେଉଁ ଉତ୍ତର ଦେଲେ, ତାହା ତାଙ୍କର ସେଇ ସ୍ଵର୍ଗତଃ ପିତୃଦେବଙ୍କୁ କେନ୍ଦ୍ରକରି । ବାପା ଯେତେବେଳେ ହାତରେ ଚାଷ କରୁଥିଲେ– ଆମର ଥିଲା ବାଟିକ ଉପରେ ଜମି–ସେତେବେଳେ ଆପଣଙ୍କ ଫଟିଲାଇଜର ଥିଲା ନା ଜଳସେଚନ ଥିଲା ? ଜମି ହଳକରି ବାପା ଧାନ ଛାଟିଦେଇ ଆସୁଥିଲେ । ଧାନକଟା ବେଳକୁ ଯାଉଥିଲେ ଅମଳ ପାଇଁ । ଗୋପାଳପୁର ମାଇନର ସ୍କୁଲ ବୋର୍ଡ଼ିଙ୍ଗ୍‌ରେ ମାସକୁ ଟଙ୍କାକର ଚାଉଳ ଆଉ ଆଠଣା ପଇସା ଦେଲେ, ସେଇଥିରେ ଦୁଇଓଳି ଖାଇବା ଖର୍ଚ୍ଚ ଚଳିଯାଉଥିଲା । ଚାଉଳ ଟଙ୍କାକୁ କେତେ ଜାଣନ୍ତି ? ବାଇଶ ସେର କଟକୀ, ଇଏ ମୋ ପିଲାଦିନ କଥା ।”

 

“ସେତେବେଳେ କ’ଣ ଲୁଣା ମାଡ଼ୁ ନଥିଲା ? ଝଡ଼ ହେଉ ନଥିଲା ?”

 

ମହୀମାଷ୍ଟର ଉତ୍ତର ଦେଲେ... “ସମୁଦ୍ର କୂଳେକୂଳେ ଥିଲା ଜଙ୍ଗଲ । ଏଇ ପଲାଶପୁର ଗାଁ ମୁଣ୍ଡ ପର୍ଯ୍ୟନ୍ତ ସୁଦ୍ଧା ବାଘ ଆସୁଥିଲେ । ସଞ୍ଜ ହେଲେ ଆପଣଙ୍କର ଚାରା ଅଛି; ଏକୁଟିଆ ବାହାରିବା ପାଇଁ ? ସେଇ ଜଙ୍ଗଲ ଅଟକାଇ ଥିଲା ଝଡ଼ ଆଉ ଲୁଣା । ଏବେ ତ ଜଙ୍ଗଲ ସବୁ କଟାହୋଇ ପଦା ହୋଇଗଲା ।” ଜଙ୍ଗଲ ସଭ୍ୟତାର ଶତ୍ରୁ । ଜଙ୍ଗଲ ପଦା ନ ହେଲେ ସଭ୍ୟତା ବାଟବଣା ହୋଇଯିବ ନାହିଁ ?

 

ବାଘଗପ ଶୁଣିବା ପାଇଁ ମୋର ଆଦିମ କୌତୂହଳ । ମୁଁ ପଚାରିଲି... “ତୁମେ ତାହାହେଲେ ପିଲାଦିନେ ବାଘ ଦେଖିଥିବ ନିଶ୍ଚୟ ।”

 

ବାଘ ଦେଖିନାହିଁ, ତେବେ ହେଣ୍ଟାଳ ଶୁଣିଛି । ବାଘଗପ ପୁଣି ଫେରି ଆସିଲା ମହୀମାଷ୍ଟରଙ୍କ ସେଇ ସ୍ଵର୍ଗତଃ ପିତୃଦେବଙ୍କ ପାଖକୁ । ମହୀମାଷ୍ଟର କହିଲେ “ବାପା କିନ୍ତୁ ଅନେକ ବାଘ ଦେଖିଥିଲେ । ଜଙ୍ଗଲ ତଳିରେ ଆମର ଧାନଜମି ଥିଲା କି’ନା । ଥରେ ବାପା ଏକୁଟିଆ ପଡ଼ିଯାଇଥିଲେ ଗୋଟାଏ ବାଘ ହାବୁଡ଼ରେ ସାଙ୍ଗରେ ଅସ୍ତ୍ରଶସ୍ତ୍ର ନାହିଁ । ହାତରେ ଖାଲି ଚିତାଏ ଉଞ୍ଚର ଗୋଟାଏ ଠେଙ୍ଗା । ସେଇ ଠେଙ୍ଗାରେ ପିଟିପିଟି, ସେ ବାଘଟାକୁ ମାରିଦେଇଥିଲେ । ଗୋପାଳ ପ୍ରଧାନ ବାଘ ସାଙ୍ଗରେ ଲଢ଼ି, ବାଘ ମୁହଁରୁ ବର୍ତ୍ତିଥିଲା ବୋଲି ଏବେ ସୁଦ୍ଧା ଏ ଅଞ୍ଚଳରେ ବୁଢ଼ା ବୁଢ଼ା ଲୋକେ କହିଥାନ୍ତି ।”

 

ମହୀମାଷ୍ଟରଙ୍କ ପିତୃକୈନ୍ଦ୍ରିକ କାହାଣୀଗୁଡ଼ିକରେ କେତେ ପରସେଣ୍ଟ୍ ଡିସ୍‌କାଉଣ୍ଟ୍ ଦିଆଯାଇପାରେ; ବେଳେ ବେଳେ ତାହା ମୋ ପକ୍ଷରେ ହୋଇ ଉଠେ ଏକ ସମସ୍ୟା “ତା’ହେଲେ ତୁମ ବାପା ନିଶ୍ଚୟ ଏକ ମହାମଲ୍ଲ ଥିବେ ?” ମୋ କଣ୍ଠରେ ସଂଶୟ ।

 

“ଆପଣ ତ ବାପାଙ୍କୁ ଦେଖି ନାହାନ୍ତି । ବାପାଙ୍କର କାଳ ହୋଇଗଲାଣି ଏଃ ଚଉଡ଼ା ଛାତି, କଦଳୀ ପୁଆ ପରି ଗୋଡ଼ପେଣ୍ଡା, ଶାଳଗଜା ପରି ବାହା । ଯାହାକୁ ଗୋଟାଏ ଚାପୁଡ଼ା ଦେବେ ସେଇଠି ସିଏ ଶେଷ । ହେଲେ ବାପା ରାଗୀ ନ ଥିଲେ କି ରାଗ କ’ଣ ଜାଣି ନଥିଲେ ।” ମହୀମାଷ୍ଟର ପୁଣି ପାନ ଚାକୁଳେଇବା ପାଇଁ ଲାଗିଲେ !...

 

ମୋ ଆଖି ଆଗରେ ଭାସିଉଠିଥିଲା ପ୍ରାକ୍‌ଯନ୍ତ୍ରଶୈଳ୍ପିକ ଏକ କୃଷିସର୍ବସ୍ଵ ସମାଜର ଆଦିମ ଚିତ୍ର । ମଣିଷମାନେ ଥିଲେ ସ୍ୱାସ୍ଥ୍ୟବାନ୍ କିନ୍ତୁ ଖାଦ୍ୟାଭାବ ସାଙ୍ଗରେ ଥିଲା ମଧ୍ୟ ଖାଦ୍ୟର ପ୍ରାଚୁର୍ଯ୍ୟ । ବିଳାସବ୍ୟସନର ସାମଗ୍ରୀ ଥିଲା ସାମାନ୍ୟ । ଜୀବନ-ସଂଗ୍ରାମର ମୁକାବିଲା ପାଇଁ ମଣିଷର ସେଦିନ ଭୟ ନଥିଲା, ହାତରେ ଚିତାଏ ଉଞ୍ଚର ଠେଙ୍ଗା ଧରି ବାଘର ମୁକାବିଲା ପାଇଁ ସୁଦ୍ଧା ସେ ଥିଲା ପ୍ରସ୍ତୁତ !

 

ଅଦୂରରେ ସମୁଦ୍ରକୂଳର ଦିଗନ୍ତରେଖା ଆଡ଼େ ଚାହିଁ, ମୁଁ ସେଇ ଆଦିମ କୃଷିସର୍ବସ୍ଵ ସମାଜର ଗୋଟାଏ ଚିତ୍ର ମନେମନେ ରଚନା କରୁଥିଲି... ତା’ର ପୃଷ୍ଠଭୂମିରେ ଭାସି ଉଠୁଥିଲେ ମହୀମାଷ୍ଟରଙ୍କ ସ୍ଵର୍ଗତ ପିତା ଗୋପାଳ ପ୍ରଧାନ, ଯାହାଙ୍କୁ ମୁଁ ଦେଖିବାର ସୁଯୋଗ ପାଇ ନଥିଲି ! ମୁଁ (ମୁଁ ପଲାଶପୁର ଡିପୋକୁ ଆସିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା !)

 

ସମୁଦ୍ରକୂଳ ପର୍ଯ୍ୟନ୍ତ ଚୈତ୍ରର ରୌଦ୍ରଦଗ୍ଧ ପୂର୍ବାହ୍ନ ତଳେ ଲମ୍ବିଯାଇଛି, ଧୂ ଧୂ ବିଲ ଗହୀର ! ଯେଉଁଠାରେ ଦିନେ ଛାୟାଘନ ଅରଣ୍ୟ ରଚିଥିଲା ସ୍ଵପ୍ନିଳ ତନ୍ଦ୍ରାତାପ, ଏବେ ସେଠାରେ ନାଚିଉଠୁଥିଲା, ନୀଳ ମରୀଚିକା ! ପଲାଶପୁର ଇତିହାସରେ ସେଇ ଦୁଇଟି ଯୁଗର ତୁଳନା କରି ମୁଁ କୌଣସି କୂଳ କିନାରା ଖୋଜି ପାଉ ନଥିଲି ! ଜୀବନକୁ କିଏ ବେଶୀ ଉପଭୋଗ କରିଥିଲେ... ସେମାନେ ନା ଆମେ ? ଗୋପାଳ ପ୍ରଧାନ ନା ମହୀ ମାଷ୍ଟର ? (ମହୀ ଏକଦା କେବେ ଥିଲେ ପଲାଶପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ହେଡ଼୍‌ ପଣ୍ଡିତ ! ସେଇ ଉଚ୍ଚ ପ୍ରାଥମିକ ସ୍କୁଲ ଏବେ ଏକ ଉଚ୍ଚ ଇଂରାଜୀ ସ୍କୁଲରେ ପରିଣତ ହେଲାଣି । ମହାପଣ୍ଡିତ ପରିଣତ ହେଲେଣି ମହୀ ମାଷ୍ଟରରେ)-

 

ଚିଙ୍ଗୁଡ଼ି ମାଛଭଜା ହୁଏତ ସେହି ମାତ୍ର ଆରମ୍ଭ ହୋଇଥିଲା । ତାହାର ବାସନା ଆଘ୍ରାଣ କରି ମହୀ ମାଷ୍ଟର କହିଲେ...ସାର୍ ରୋଷେଇ ତ ଆଉରି ପ୍ରାୟ ଘଣ୍ଟାଏ ଡେରି ! ଦୁଇକପ୍ ଚା’ ମଗାଇବି ।

 

ଚା’ ପ୍ରୟୋଜନ ଥିଲା ମହୀ ମାଷ୍ଟରଙ୍କର ! ଦିନରେ ଅନ୍ତତଃ ଆଠ ଦଶ କପ୍ ଚା’ ତାଙ୍କର ଏକମାତ୍ର ବିଳାସ ! ଚା’ ପାଇଁ ମୁଁ କେବଳ ନିମିତ୍ତ ମାତ୍ର ! ସମୟର ଆତ୍ୟନ୍ତିକ ଭୁଲିବା ପାଇଁ ମୁଁ କହିଲି...

 

“ମନ୍ଦ କ’ଣ ?”

 

ମହୀମାଷ୍ଟର ଡିପୋ ପିଣ୍ଡାର ସେଇ ଗଦି ଉପରୁ ବସି ଡାକ ଦେଲେ... “ହୋ ବଂଶୀନନା, ଦୁଇଗ୍ଲାସ୍ ସ୍ପେଶାଲ ଚା’ !”

 

ମହୀ ମାଷ୍ଟରଙ୍କ କଣ୍ଠସ୍ଵରରୁ ଏବେ ମଧ୍ୟ ଅନୁମାନ କରିହେବ ଗୋପାଳ ପ୍ରଧାନଙ୍କ ଗଳାର ଆୱାଜ... କୁହାଟ ଦେଲେ ଅନ୍ତତଃ ମାଇଲକ ଦୂରକୁ ଶୁଭୁଥିବ ନିଶ୍ଚୟ ।

 

ବଂଶୀଧରଙ୍କର ଚା’ ଦୋକାନରୁ ଛିଣ୍ଡା ହାପ୍‌ପ୍ୟାଣ୍ଟ ପିନ୍ଧା ଗୋଟାଏ ପିଲା ଦୁଇଗ୍ଳାସ ଚା’ ଆଣି ଡିପୋ ଗଦିରେ କଚାଡ଼ି ଦେଇଗଲା ।

 

ଚା’ ଗ୍ଲାସରେ ଗୋଟାଏ ଚୁମ୍ବନ ଦେଇ ମୁଁ ପଚାରିଲି... “ଆଚ୍ଛା ମହୀ ମାଷ୍ଟ୍ରେ, ତୁମ ବାପା କ’ଣ ଚା’ ପିଉଥିଲେ !”

 

ମହୀମାଷ୍ଟ୍ରେ ପାଟିରୁ ଥୁ ଥୁ କରି ପାନ ଖଦରା ଫିଙ୍ଗି ପ୍ରସନ୍ନ କଣ୍ଠରେ କହିଲେ...“ବାପାଙ୍କ ଚା’ ପିଆ ଦେଖିଲେ ଆପଣ ତାଜୁବ ହୋଇଯାନ୍ତେ ସାର୍ !” ଗୋଟାଏ ମୋଟା କଂସାରେ କଂସାଏ ନିରୁତା କ୍ଷୀର, ତା’ ଉପରେ ଟିକିଏ କଷରା ଚା’ ପାଣି, ସେଥିରେ ଚିନି ନଥିଲା । ଚିନି ସେର ସେତେବେଳେ ଦଶପଇସା, ତିନିଅଣା ହେଲେ ଚିନି ଖାଉଥିଲା କିଏ ? ଚା’ କଂସାରେ ମୁଠାଏ ଚୂଡ଼ାଭଜା ନୋହିଲେ ମୁଢ଼ି । ସକାଳେ ଗାଧୋଇ, ପୂଜାପାଠ ସାରି ସେଇ କଂସାକ ଚା’ ସେ ପିଇବେ; ତା’ ପରେ ବାହାରିଯିବେ ବିଲକୁ ! ...ସେ କଂସାକୁ ମୁଁ ଏବେ ସୁଦ୍ଧା ସାଇତି ରଖିଛି ସାର୍ ସେ ଯୁଗର ସନ୍ତକ ରୂପେ :’’

 

ମହାମାଷ୍ଟ୍ରେ ଚା’ ଗ୍ଲାସରେ ଗୋଟାଏ ଚୁମ୍ବନ ଦେଇ କହିଲେ... “ଆଜିକାଲି ଏ ଚା’ରେ କ୍ଷୀର ନାହିଁ, ପାଉଡ଼ର ମିଶା ପାଣିରେ ଚା’ର ସେ ଖୁସବୁ ବି କାହିଁ ? ଏ ଅଞ୍ଚଳର କ୍ଷୀର ସବୁ ବୋହିଯାଉଛି ସେଇ ସହରକୁ ! କିନ୍ତୁ ଚା’ପତି ସବୁ ଏମିତି ଗମରା କାହିଁକି କେଜାଣି ?”

 

ସହର ସବୁ ଶୋଷି ନେଉଛି, କ୍ଷୁଧିତ ଅଜଗର ପରି ! ସେଇ ତ ଆଜିର ସଭ୍ୟତା... ଶିଳ୍ପବିପ୍ଳବୋତ୍ତର ସମାଜ ! ସେ ତତ୍ତ୍ଵ ମୁଁ କିନ୍ତୁ ମହୀମାଷ୍ଟରଙ୍କୁ ବୁଝାଇବି କିପରି ?

 

ନୀରବରେ ଚା’ଗ୍ଲାସରୁ ଚା’ ଢୋକେ ଢୋକେ ପିଇ ମହୀ ମାଷ୍ଟରଙ୍କ ସ୍ଵର୍ଗତ ପିତୃଦେବ ଗୋପାଳ ପଧାନଙ୍କ ଚା’ ପିଆର ଚିତ୍ର ମନେମନେ ଆଙ୍କିବା ପାଇଁ ମୁଁ ଚେଷ୍ଟା କରୁଥିଲି;

 

ମହୀ ମାଷ୍ଟର ହଠାତ୍ ଆରମ୍ଭ କଲେ...“ସାର୍...”

 

ପୁଣି ହୁଏତ ସେ ବର୍ତ୍ତମାନ ଆରମ୍ଭ କରିବେ, ତାଙ୍କର ସେଇ ପିତୃକୈନ୍ଦ୍ରିକ ପଲାଶପୁରର କଥା ଯାହାକୁ ଶୁଣିବା ପାଇଁ ମୋର ଆଉ ଧୈର୍ଯ୍ୟ ନଥିଲା !

ମୁଁ ତେଣୁ ମାନସିକ ପ୍ରତିରକ୍ଷାର ଏକ ବ୍ୟୂହ ରଚନା କରି ନାଟକୀୟ ଗାମ୍ଭୀର୍ଯ୍ୟରେ କହିଲି... “କୁହ !”

“ଗୋପୀ ପାଇଁ କିଛି ଗୋଟିଏ ବ୍ୟବସ୍ଥା ହୋଇପାରନ୍ତା ନାହିଁ ସାର୍‍ ! ଦିନକୁଦିନ ମୁଁ ତା’ ପାଇଁ ଦୁଶ୍ଚିନ୍ତାରେ ବୁଡ଼ିଗଲିଣି !”

“ଗୋପୀ ! ଗୋପୀ କିଏ ?” …ମୁଁ ପଚାରିଲି ! କୌଣସି ଏକ ଦୁଃସ୍ଥ ଗୋପୀ ପାଇଁ କିଛି ଚିନ୍ତା କରିବା ପାଇଁ ପଡ଼ିବ । ସମବେଦନାରେ ମୋର ମାନସିକ ପ୍ରତିରକ୍ଷାର ବ୍ୟୂହ ଭୁଷୁଡ଼ି ପଡ଼ିଥିଲା !

ମହୀ ମାଷ୍ଟର ଉତ୍ତର ଦେଲେ... “ଗୋପୀ ମୋ’ ପୁଅ ପରା ! କେତେଥର ଆପଣଙ୍କ ପାଖକୁ ଆସିଛି ! ଏତେ ଶୀଘ୍ର ଭୁଲିଗଲେ ?”

“ଓ ! ଗୋପୀ ! ସେଇ ତମର ପୁଅ ଯିଏ ଏମ୍. ଏ. ପଢ଼ୁଛି !” ମୋର ଆଖି ଆଗରେ ଭାସି ଉଠିଲା ଟେରିକଟ୍‌ ଚିପା ନଳୀ ପ୍ୟାଣ୍ଟ୍ ଆଉ ହାୱାଇ ପିନ୍ଧା ଗୋଟିଏ ଯୁବକର ମୂର୍ତ୍ତି... ପାଦରେ ହଳେ ବାଟା ଚଟୀ, ମୁଣ୍ଡରେ ହିପୀ ଢାଞ୍ଚାର ବାବୁରି ବାଳ, ଗାଲମୂଚା କଲି, ଓଠ ତଳେ ଛୋଟିଆ ଦାଢ଼ି, ଆଖିରେ ଗୋ–ଗୋ କଳା ଚଷମା ! ଅତୀତରେ ସେ କେବେ କେବେ ଆମ ଡିପୋକୁ ଆସିଛି, ଇଂରାଜୀ ଖବରକାଗଜ ନୋହିଲା ମାଗାଜିନ୍ ଉପରେ ଆଖି ବୁଲାଇ ଯିବାପାଇଁ ପ୍ରଥମେ ତାକୁ ପଲାଶପୁର ଗାଁ ଦାଣ୍ଡରେ ଦେଖି ମନେମନେ ବିସ୍ମିତ ହୋଇଥିଲି....ଲୁଣୀ, ସମୁଦ୍ରକୂଳିଆ ଏଇ ନିପଟ ମଫସଲ ଅଞ୍ଚଳରେ, ଏ ମୂର୍ତ୍ତିଙ୍କର ଆବିର୍ଭାବ ହେଲା କୁଆଡ଼େ ? କିନ୍ତୁ ପାଟୁଆ ନଈର ଚିଙ୍ଗୁଡ଼ି ଯଦି ଗୌରା ମାଝିର ଖାଳେଇରୁ ବାହାରି ବମ୍ବେର ହୋଟେଲମାନଙ୍କର ଡାଇନିଙ୍ଗ୍‌, ଟେବୁଲ ଉପରେ ବିରାଜିତ ହୋଇପାରୁଛି, ତା’ହେଲେ ଇଂରାଜୀ ମାଗାଜିନମାନଙ୍କର ବିଜ୍ଞାପନ ପୃଷ୍ଠାରେ ରଙ୍ଗିନ ଚିତ୍ରପରି ଦିଶୁଥିବା, ଛିଟ ଟେରେଲିନ, ହାୱାଇ ଆଉ ଗୋ–ଗୋ ଚଶମା ପିନ୍ଧି ଗୋପୀ ପଲାଶପୁର ଗାଁ ଦାଣ୍ଡରେ ସମ୍ଭବ ହେବ ନାହିଁ କାହିଁକି ? ଏଇତ ସଭ୍ୟତା…ଆଦିମ କୃଷିପ୍ରାଧନ ଗ୍ରାମ ଓ ଯନ୍ତ୍ରଶିଳ୍ପବିପ୍ଳୋବୋତ୍ତର ମହାନଗରୀ ମଧ୍ୟରେ ସମ୍ପର୍କର ଧାରା । ଆଦିମ କୃଷିପ୍ରଧାନ ଗ୍ରାମ ସବୁ ପରିଣତ ହେବାପାଇଁ ଚାଲିଛି, ମହାନଗରୀମାନଙ୍କର ଆବର୍ଜନାପୂର୍ଣ୍ଣ ସ୍ଳମ୍‍ ଆଉ ମହାନଗରୀ ସବୁ ଆଦିମ କୃଷିପ୍ରଧାନ ଗ୍ରାମର ଦାରିଦ୍ର୍ୟ କ୍ଷୁଧା ନିପୀଡ଼ିତ ବସ୍ତିଆଡ଼େ ।

 

ମହୀମାଷ୍ଟର ଚା’ ଗ୍ଲାସ୍‌ରେ ଗୋଟାଏ ଶେଷ ଚୁମୁକ୍ ଦେଇ କହିଲେ... “ବଡ଼ ଝିଅଟି ବାହା ହୋଇଗଲାଣି । ଗୋପୀ ତଳେ ଆଉ ଏକ ଝିଅ । ମାତ୍ର ତା’ କଥା ଚିନ୍ତା କରିବା ପାଇଁ ଆଉରି ସାତ, ଆଠ ବର୍ଷ ଡେରି ! ଏବେ ମୋର ଦୁଶ୍ଚିନ୍ତାର ଏକମାତ୍ର କାରଣ ଗୋପୀ ! ଆପଣ ଯଦି କିଛି ଗୋଟାଏ ବ୍ୟବସ୍ଥା କରିଦେଇ ପାରନ୍ତେ ସାର୍ !”

 

ମୁଁ ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇ କହିଲି “ଆହା ! ବ୍ୟସ୍ତ କାହିଁକି ? ଗୋପୀ ଆଗେ ଏମ୍. ଏ. ଟା ପାସ୍‍ କରାଯାଉ ! ସବ୍‌ଜେକ୍ଟ କ’ଣ ତା’ର ?”

 

ମହୀ ମାଷ୍ଟର ଗୋଟିଏ ଦୀର୍ଘଶ୍ଵାସ ପକାଇ ଉତ୍ତର ଦେଲେ– “ଧାନ ବିକି ତାକୁ ପାଠ ପଢ଼ାଉଛି । କିନ୍ତୁ ପାଠରେ କ’ଣ ତା’ର ମନଅଛି ସାର୍ ? ମାସରେ ଅଧେଦିନ ଗାଁରେ । କିରେ ଗୋପୀ କଲେଜ୍ ମାରା କରି ଏଠି ଗାଁ ରେ କାହିଁକି ?”

 

ଗୋପୀର ଉତ୍ତର–“ଧେତ୍‌ତେରୀ କଲେଜ୍ ! କଲେଜ ସଙ୍ଗେ ପାଠର କ’ଣ ସମ୍ପର୍କ ?”

“ତା’ହେଲେ ଏମ୍. ଏ. ପାସ୍ କରିବୁ କିପରି ?”

ମହୀ ମାଷ୍ଟର ଅଜ୍ଞତା ପ୍ରତି କୃପା ପ୍ରଦର୍ଶନ କରିବାପରି କଣ୍ଠରେ ଗୋପୀ ଉତ୍ତର ଦିଏ, ଏମ୍. ଏ. ପାସ୍ କରିବା ପାଇଁ କଲେଜ୍ ଆଟେଣ୍ଡ୍ କରିବା କ’ଣ ଦରକାର ? ସାରମାନଙ୍କୁ ତୋୟାଜ୍ ରଖିପାରିଲେ ହେଲା । କେତେବେଳେ ଠେକିଏ ଘିଅ ନୋହିଲେ ବସ୍ତାଏ ସରୁ ଚାଉଳ । ଆଉ ପରୀକ୍ଷାବେଳେ ସେମାନଙ୍କ ଦରବାରରେ ଆଡ଼୍‌ଡ଼ା ।”

ମହୀ ମାଷ୍ଟରଙ୍କୁ ସାନ୍ତ୍ଵନା ଦେବାପରି କଣ୍ଠରେ ମୁଁ କହିଲି– “ଗୋପୀ ମିଥ୍ୟା କହି ନାହିଁ । କଲେଜସବୁ ଏବେ କେବଳ ନାମକୁ ମାତ୍ର ଗୋଟିଏ ଗୋଟିଏ ଅନୁଷ୍ଠାନ, ମାତ୍ର ବିଦ୍ୟା ଏକ ମୂଲ୍ୟବୋଧ ! ଅନୁଷ୍ଠାନ ସହିତ ମୂଲ୍ୟବୋଧର ପ୍ରକୃତରେ କୌଣସି ସମ୍ପର୍କ ନାହିଁ । ତା’ହେଲେ ଗୋପୀ କ’ଣ ଘରବାଡ଼ି କଥା ବୁଝୁଛି ?”

ମହୀ ମାଷ୍ଟରଙ୍କ କଣ୍ଠରେ ଗୋଟାଏ ଆର୍ତ୍ତନାଦ ଯେପରି କେଉଁଠି ଅଟକ ରହିଗଲା । ଗୋପୀ ଘରବାଡ଼ି କଥା ବୁଝୁଥିଲେ ମୁଁ ତ ନିସ୍ତାର ପାଉଥାନ୍ତି ସାର୍ !”

“ଚାଷବାସ ?”

“ଚାଷବାସ କଥା ବୁଝିବ ଗୋପୀ ?” ...ମହୀ ମାଷ୍ଟର ପୁଣି ଆର୍ତ୍ତନାଦ କରିଉଠିଲେ । “ଭାଗଚାଷୀମାନଙ୍କ ଉପରେ ବର୍ଷବର୍ଷ ଧରି ଭାଗ ଧାନ ବାକି ପଡ଼ି ରହୁଛି । ଗାଁ ଛକରେ କେଉଁଠି ଆମର କେଉଁ ଜମି ଗୋପୀ ଆଗେ ଚିହ୍ନି ପାରିବନା ସାର୍ ?”

 

‘‘ତା’ହେଲେ ଗୋପୀ କ’ଣ କରୁଛି ପଲାଶପୁର ଗାଁରେ ?’’

 

ମହୀମାଷ୍ଟରଙ୍କ କଣ୍ଠ ଅତ୍ୟନ୍ତ ବିଷଣ୍ଣ ଉଦାସ ଶୁଭିଗଲା । ସେ କହିଲେ... “ଗୋପୀ ଗାଁକୁ ଆସିବାମାନେ ଆମ ପକ୍ଷରେ ଗୋଟିଏ ବିପଦ । ସହର ଭଲଲାଗେ ନାହିଁ ବୋଲି ଗାଁକୁ ପଳାଇ ଆସେ । ଗାଁକୁ ଆସିଲେ ସବୁବେଳେ ଅକାରଣରେ ଚିଡ଼୍‍ଚିଡ଼୍‍; ଏଠି ତାକୁ କୌଣସି କଥା ଭଲଲଗେ ନାହିଁ । ସେ ଚାହେଁ ସବୁ ଭାଙ୍ଗିବାକୁ; ଏଠୁ ଘର ଭାଙ୍ଗି ଜମିବାଡ଼ି ବିକ୍ରି କରି ଗୋପାଳପୁର ବଜାରକୁ ଉଠିଯିବା ପାଇଁ ସାତପୁରୁଷଙ୍କ ଶେଷନିଃଶ୍ଵାସ ଏଇ ମାଟିରେ ମିଶିଲା । ଏଇ ଘର; ଗାଁ ପାଇଁ ବାପାଙ୍କର ଏପରି ମମତା, ଏପରି ଆକର୍ଷଣ ଥିଲା ଯେ କଟକ ସହର କିମ୍ବା କୌଣସି ବନ୍ଧୁଘର ଯାଇଥିଲେ ସେ ଦିନକରୁ ଦୁଇଦିନ ରହିପାରନ୍ତି ନାହିଁ । କିନ୍ତୁ ଗୋପୀ କହେ– ଏ ଲୁଣିଆ ସମୁଦ୍ର କୂଳିଆ ପନ୍ତା ଅଞ୍ଚଳରେ କ’ଣ ଭଦ୍ରଲୋକ ରହନ୍ତି ? ଏଇ ଘରଟାକୁ ଯଦି ତୋଫାନ ଉଡ଼ାଇ ନିଅନ୍ତା; କି ସମୁଦ୍ର ଜୁଆର ଭସାଇ ନିଅନ୍ତା ଆଉ ତା’ ସାଙ୍ଗରେ ଭସାଇ ନିଅନ୍ତା ବାପା ଗୋସେଇଁ ବାପା ଅମଳର ସାଇତା, ଯେତେସବୁ ପୁରୁଣା ଜିନିଷ; ତାହେଲେ ଗୋପୀ ଯେପରି ଶାନ୍ତି ପା’ନ୍ତା ! ଘରକୁ ଆସିଲେ, ଆଖି ଆଗରେ ଯାହା ପଡ଼ିଲା ତା’ ଉପରେ ଗୋଟାଏ ଲାଥି । ସେଦିନ ବାପାଙ୍କ କୋଥଳୀ ପେଡ଼ିଟା କିଏ କାଢ଼ି ଦାଣ୍ଡଘର ଟେବୁଲ ଉପରେ ରଖିଦେଇଥିଲା । ଗୋପୀର କି ରାଗ ! ଗୋଟିଏ ଲାଥିମାରି ପେଡ଼ିଟାକୁ ଝଡ଼ାପୋଛା କରି ପୁଣି ଘରକୁ ଆଣିଲା । ଗୋପୀ ପାଇଁ କ’ଣ କରିବି; ମୁଁ ପ୍ରକୃତରେ ଭାବି ସ୍ଥିର କରିପାରୁ ନାହିଁ ସାର୍ !”

 

ମୁଁ ଉତ୍ତର ଦେଲି–“ପରିସ୍ଥିତ ସହିତ ନିଜକୁ ଖାପ୍ ଖୁଆଇ ନ ପାରିଲେ ଏଇପରି ମାନସିକ ବିକୃତି ପ୍ରକାଶ ପାଇଥାଏ । ଇଏ ଗୋଟିଏ ମାନସିକ ବିକୃତି... ଆଲିଏନେସନ୍ !”

 

ମହୀ ମାଷ୍ଟରଙ୍କ ପକ୍ଷରେ ମୋର ଉତ୍ତର ଗୋପୀର ଆଚରଣଠାରୁ ବଳିଥିଲା ଆଉରି ଦୁର୍ବୋଧ୍ୟ ।

 

ମୁଁ ମନେମନେ ଭାବୁଥିଲି, ଜୀବନକୁ କେଉଁମାନେ ବେଶୀ ଉପଭୋଗ କଲେ ? କେଉଁମାନେ ପାଇଲେ ବଞ୍ଚିବାର ବିପୁଳତାର ଆସ୍ଵାଦନ ? ଗୋପାଳ ପଧାନ ନା ଗୋପୀ ? ସେଦିନ ପ୍ରାଚୁର୍ଯ୍ୟ ମଧ୍ୟରେ ଥିଲା କ୍ଷୁଧା ଆଜି କ୍ଷୁଧା, ମଧ୍ୟରେ ପ୍ରାଚୁର୍ଯ୍ୟ । ସେଦିନ ଜୀବନର ଦିଗନ୍ତ ଥିଲା ସୀମିତ, ଆଜି ବିସ୍ତୃତ ଦିଗନ୍ତ ମଧ୍ୟରେ ଜୀବନ କିନ୍ତୁ ସଙ୍କୁଚିତ । ସେଦିନ ଦାରିଦ୍ର୍ୟର ଶତ ଅପରିଚ୍ଛନ୍ନତା ମଧ୍ୟରେ ଥିଲା ଏକ ଶୁଚି । ଆଜି ଶୁଚି ମଧ୍ୟରେ ଏକ ଉତ୍କଟ ଅପରିଚ୍ଛନ୍ନତା ! ଅନ୍ଧ ବାଦୁଡ଼ି ପରି ଆମେ ସମସ୍ତେ ଖୋଜି ହେଉଛୁ ଏଇ ବିଷଚକ୍ର ମଧ୍ୟରୁ ନିର୍ଗମନର ଏକ ପଥ–ଗୋପୀ, ସେଇ ବିଫଳ ସଂଗ୍ରାମର ଏକ ସଙ୍କେତ ! ତା’ର ବିସ୍ଫୋରଣ ସେଇ ବ୍ୟର୍ଥତାର ଏକ ପରିଣତି !

 

ମହୀମାଷ୍ଟର ଘରକୁ ଯିବା ପାଇଁ ଉଠିଲେ । ଗଲାବେଳେ ଆମନ୍ତ୍ରଣ କରିଗଲେ–“ଆସିବାଦିନୁ କେବେ ତ ଥରେ ଆମ ଘରେ ପାଦ ପକାଇଲେ ନାହିଁ ! ଆଜି ସନ୍ଧ୍ୟାକୁ ଆସିବେ ।”

 

ଗୋପାଳ ପଧାନଙ୍କ ଚା’ ପିଆ କଂସା, ପ୍ରବାସରେ ଭାତରନ୍ଧା ତସଲା କୋଥଳୀ, ଠେଙ୍ଗା ପ୍ରଭୃତି ଦେଖିବା ପାଇଁ ମୋର ମଧ୍ୟ ଥିଲା ଗୋଟାଏ ପ୍ରଚ୍ଛନ୍ନ ଆଗ୍ରହ !

 

ଦିବାନିଦ୍ରା ପରେ ଉଠିଲାବେଳକୁ, ବାହାରେ ଲମ୍ବିଯାଇଥିଲା ଗୋଧୂଳିର ଛାୟା । ନିର୍ଜନ ଡିପୋ ଦାଣ୍ଡରେ ସମୟ ଝୁଲି ରହିଥିଲା, ହଠାତ୍‍ ବନ୍ଦ ହୋଇଯାଇଥିବା ଏକ ପେଣ୍ଡୁଲମ୍‌ ପରି । ବି.ଡ଼ି.ଓ ନାହାନ୍ତି । ସ୍କୁଲର ହେଡ଼ମାଷ୍ଟର ମଧ୍ୟ ଯାଇଛନ୍ତି ଛୁଟିରେ । ସନ୍ଧ୍ୟାରେ ତାସ ଆଡ୍‍ଡା ଜମିବାର ସମ୍ଭାବନା ନାହିଁ । ମନେ ପଡ଼ିଗଲା ସନ୍ଧ୍ୟାରେ ତାଙ୍କ ଘରକୁ ଯିବାପାଇଁ ମହୀ ମାଷ୍ଟରଙ୍କ ଆମନ୍ତ୍ରଣ ।

 

ବଜାରଟା ଡେଇଁଗଲେ ଆରମ୍ଭ ହୋଇଛି ପଲାଶପୁର ଗାଁ ମହୀ ମାଷ୍ଟରଙ୍କ ଘର ସେଇ ଗାଁ ମଝି ନଡ଼ିଆଗଛ ପାଖରେ । ବଜାର ଡେଇଁଯିବା ପରେ ଗାଁଆଡ଼େ ଯିବାପାଇଁ ଯେଉଁଠୁ ଆରମ୍ଭ ହୋଇଛି ସୁର୍‍କୀବିଛା ରାସ୍ତା, ଆଗେ ଚିତାବାଘ କୁଆଡ଼େ ଆସୁଥିଲା ସେ ପର୍ଯ୍ୟନ୍ତ, ଗୁହାଳରୁ ଗାଈ, ଛେଳି, ହାବୁଡ଼ାରେ ପଡ଼ିଲେ ମଣିଷମାନଙ୍କୁ ସୁଦ୍ଧା ଟେକି ନେବା ପାଇଁ । ଏବେ କିନ୍ତୁ ସେଠାରେ ଇଲେକ୍ଟ୍ରିକ୍‍ ବତୀଖୁଣ୍ଟରେ ଜଳି ଉଠିଥିଲା ଗୋଟାଏ ମିଞ୍ଜିମିଞ୍ଜିଆ ଆଲୁଅ ।

 

ଗାଁ ମୁଣ୍ଡରେ ଠାକୁରାଣୀ ଘର । ସେଇ ମୁହଁ ସଞ୍ଜବେଳେ ଠାକୁରାଣୀ ବର ତଳେ ମହୀ ମାଷ୍ଟ୍ରେ କାନ୍ଧରେ ଖଣ୍ଡେ ଗାମୁଛା ପକାଇ ଚଉପାଢ଼ୀ ଉପରେ ଏକୁଟିଆ ବସିଥିଲେ ବୋଲି, ମୁଁ ଆଦୌ ଭାବିପାରୁ ନଥିଲି । ଦୃଷ୍ଟିଶକ୍ତିର ଭ୍ରମ ନୁହେଁ ତ ? ଏ ନିଶ୍ଚୟ ମହୀ ମାଷ୍ଟର କ’ଣ ମୋତେ ପାଛୋଟି ନେବା ପାଇଁ ?

 

“ମହୀ ମାଷ୍ଟ୍ରେ, ତୁମେ ଏଠି ?’’

 

ମହୀ ମାଷ୍ଟର ଚଉପାଢ଼ୀ ଉପରୁ ଉଠିପଡ଼ି ମୋର ହାତ ଦୁଇଟା ଧରିପକାଇ, କାନ୍ଦିବା ପରି କଣ୍ଠରେ କହିଲେ.... “ମୋତେ ମାଫ୍ କରିବେ ସାର୍ ! ମୁଁ ଆଉ ସେ ଘର ମୁହଁ ଚାହିଁବି ନାହିଁ । ଆପଣଙ୍କୁ ଆମନ୍ତ୍ରଣ କରି ମହା ଅପରାଧ କରିଛି ।”

 

ମୁଁ ସାନ୍ତ୍ଵନା ଦେଇ କହିଲି... “କଥା କ’ଣ ମାଷ୍ଟ୍ରେ ? ବାବାଜି ହୋଇଯିବ ନା କ’ଣ ?”

 

ଅପସ୍ମାରଗ୍ରସ୍ତ ରେଗୀ ପରି ମହୀ ମାଷ୍ଟର ଚିତ୍କାର କରି ଉଠିଲେ... “ସେଇ ଗୋପୀ ସବୁ ମୋର ସତ୍ୟାନାଶ କରିଦେଲା ! ସବୁ ସତ୍ୟାନାଶ କରିଦେଲା । ଆଉ ସେ ଘରେ କ’ଣ ଅଛି-? କାହିଁକି ଫେରିବି ସେଇ ଘରକୁ ?”

 

କିନ୍ତୁ ଗୋପୀ କ’ଣ କିପରି ସତ୍ୟାନାଶ କଲା, ମହୀ ମାଷ୍ଟରଙ୍କ ଅସଂଲଗ୍ନ କଥାରୁ ତାହାର ବୃତ୍ତାନ୍ତ କିଛି ଜଣାପଡ଼ୁ ନଥିଲା ।

 

ବହୁକଷ୍ଟରେ ମହୀମାଷ୍ଟରଙ୍କ କଥାରୁ ମୁଁ ଯାହା ବୁଝିଲି, ତାଙ୍କ ବାପା ଗୋପାଳ ପଧାନଙ୍କ ସେଇ ଐତିହାସିକ ଚା’ ପିଆ କଂସା, ଭାତରନ୍ଧା ତସଲା, ଯାହା ସବୁ ଫାଟିଫୁଟି ଯାଇଥିବାରୁ ମହୀମାଷ୍ଟର ସାଇତି ରଖିଥିଲେ ଗୋଟିଏ ସିନ୍ଦୁକ ଭିତରେ, ହତଭାଗା ଗୋପୀ ସେସବୁ କେଉଁଦିନ ବିକ୍ରି କରିଦେଇ ସେଇ ପଇସାରେ କିଣି ଆଣିଛି ଗୋଟିଏ ଦାମିକା ହାଲ ଫେସନର ଚା’ ସେଟ୍ । ଡିମ୍ବ ଖୋଳପାପରି କପ୍‌ପ୍ଲେଟ୍ ସବୁ ପତଳା । ଆଙ୍ଗୁଠି ଟିପାଟାଏ ମାରିଦେଲେ ଫାଟିଯିବ ଇତ୍ୟାଦି ।

 

ମୁଁ କହିଲି... “ଏଇ ସାମାନ୍ୟ କଥାରେ ତୁମେ ଘରଛାଡ଼ି ଚାଲିଯିବ ମାଷ୍ଟ୍ରେ । ବରଂ ଏଇ ପରିବର୍ତ୍ତନକୁ ମାନିନିଅ, ଆନନ୍ଦ ପାଇବ । ଗୋପାଳ ପଧାନଙ୍କ ଅମଳରେ ଚା’ ପିଆର କାୟଦା ଥିଲା ଏକ ପ୍ରକାର, ଏବେ ଗୋପୀ ବେଳକୁ ତାହା ଅଲଗା ପ୍ରକାରର ! ସହରର ଆଦବ୍ କାୟଦାରେ ଗୋପୀ ବଢ଼ିଛି କିନା ! ସେଥିପାଇଁ ତାର ଦରକାର ସୌଖୀନ ଚା’ ସେଟ୍ !”

 

ମୋର ଯୁକ୍ତିରେ ମହୀମାଷ୍ଟର କେତେଦୂର ପ୍ରଭାବିତ ହୋଇଥିଲେ ଜାଣେ ନାହିଁ, କିନ୍ତୁ ମୋ’ ଆଗେ ଆଗେ ସେ ତାଙ୍କ ଘରଆଡ଼େ ମୋତେ ପାଛୋଟି ନେଇ ଚାଲିଲେ ।

 

ବୋଧହୁଏ ଗୋପୀର ଜିଦ୍‌ଧରି ମହୀମାଷ୍ଟରଙ୍କ ଚାଳଘରକୁ ଆସିଛି ଇଲେକ୍ଟ୍ରିସିଟି । ଗୋଟିଏ ଟିଉବ୍ ଲାଇଟ୍‌ର ସ୍ନିଗ୍ଧ ଆଲୋକ ବିଞ୍ଚି ହୋଇ ପଡ଼ିଥିଲା ଦାଣ୍ଡରେ !

 

“ଆସନ୍ତୁ, ଆସନ୍ତୁ ସାର୍”... ମହୀମାଷ୍ଟର ଦାଣ୍ଡଘର ଭିତରକୁ ମୋତେ ପାଛୋଟି ନେଲେ-। ଏଇ ଦାଣ୍ଡଘରେ ସମ୍ଭବତଃ ଗୋପୀର ବୈଠକଖାନା । ମୋର ସମ୍ବର୍ଦ୍ଧନା ପାଇଁ ଇତି ମଧ୍ୟରେ ସେଠାରେ ପଡ଼ିଥିଲା ବେତବୁଣା ଦୁଇଟା କାଠଚୌକି, ମଝିରେ ଗୋଟିଏ ଟି’ପୟ ଆଉ ଟି’ପୟ ଉପରେ ଗୋଟିଏ ଆସ୍‍-ଟ୍ରେ । ଛିଟକନାର ଟେବୁଲ-କ୍ଲଥ ଢଙ୍କା ଟେବୁଲ୍‍ ଉପରେ ଗୋଟାଏ ଟ୍ରାଞ୍ଜିଷ୍ଟରରେ ଚାଲିଥିଲା ବିବିଧ ଭାରତୀୟ ବିଜ୍ଞାପନୀ ସଙ୍ଗୀତ... “ବଜ୍ରଦନ୍ତୀ, ବଜ୍ରଦନ୍ତୀ... ବଜ୍ରଦନ୍ତୀ ଟୁଥ୍‍-ପେଷ୍ଟ ।”

 

ମୁଁ କିନ୍ତୁ ଚଉକି ଛାଡ଼ି, କେଉଁ ପ୍ରପିତାମହ ଅମଳର ଖଣ୍ଡେ ଖଟ ଉପରେ ବସିପଡ଼ିଲି ! ବସ୍ତୁତଃ ସେ ଘରର ପରିବେଶ ସହିତ ପ୍ରପିତାମହ ଅମଳର ସେଇ ଖଟ ଯେପରି ଖାପ୍ ଖାଉଥିଲା; ବେତବୁଣା କାଠଚୌକି ଆଉ ଟି’ପୟ ସେପରି ଖାପ୍ ଖାଇ ପାରୁନଥିଲା । ତାହା ଲାଗୁଥିଲା ଖାପଛଡ଼ା । ବିଷସଦୃଶ ।

Unknown

 

ଗୋପୀର ନୂଆ ଚା’ ସେଟ୍ ଉଦ୍‌ଘାଟନ ଉତ୍ସବରେ ମୁଁ ଥିଲି ଯେପରି ପୁରୋଧା । ମହୀ ମାଷ୍ଟ୍ରେ ସେତେବେଳକୁ ମଧ୍ୟ ଭୁଲିସାରିଥିଲେ ମନର ଜ୍ୱାଳା ଓ ଉତ୍ତାପ । ସେ କହିଲେ... “ସାର୍‌ଙ୍କ ପାଇଁ ଚା’ ଆଣ ଗୋପୀ ।

 

ଲୁଙ୍ଗି ଆଉ ହାୱାଇନ୍ ପିନ୍ଧି, ଗୋପୀ ତା’ର ନୂଆ ଚା’ ସେଟ୍‌ରେ, ଆମ ଦୁଇଜଣଙ୍କ ପାଇଁ ଚା’ ଆଣି ରଖିଦେଲା, ଟି’ପୟ ଉପରେ; ତା’ପରେ ଆମଠାରୁ ଅଦୂରରେ ଠିଆ ହୋଇ ରହିଲା, ଯେପରି, ନିଜ କୀର୍ତ୍ତି ଓ କୃତିତ୍ଵର ଗୌରବ ଉପଭୋଗ କରିବା ପାଇଁ ।

 

ଟି’ ପଟ୍‌ରେ ଚା’ ପାଣି ଭର୍ତ୍ତି; ମାତ୍ର ମିଲ୍‌କ୍ ପଟ୍‌ରେ କ୍ଷୀରର ପରିମାଣ ସାମାନ୍ୟ, ଚିନିପାତ୍ରର ମାତ୍ର କେଇ ଚାମୁଚ ଚିନି ! ମହୀମାଷ୍ଟର ତା’ର ଗୋଟାଏ ଅଗ୍ରୀମ କୈଫିୟତ ଦେଇ କହିଲେ... “ଏ ଗାଁରେ କ୍ଷୀର ଟୋପେ ଏତେବେଳେ ଖୋଜିଲେ ସୁଦ୍ଧା ପାଇବେ ନାହିଁ ! ଚିନି କିଲୋ ଛଅ ଟଙ୍କା ଦେଲେ ସୁଦ୍ଧା ମିଳିବା ମୁସ୍କିଲ୍ ।

 

ପ୍ରାଚୁର୍ଯ୍ୟ ମଧ୍ୟରେ ଦୈନ୍ୟ... ଏଇ ଯନ୍ତ୍ରଶିଳ୍ପୋତ୍ତର କାଳର ପ୍ରକୃତି ! ମୁଁ ତେଣୁ ସେଥିରେ ବିସ୍ମିତ ହେଉନଥିଲି ।

 

ମହୀ ମାଷ୍ଟର ପୁଣି ଫେରିଆସିଲେ, ତାଙ୍କର ସେଇ ପିତୃକୈନ୍ଦ୍ରିକ ପୃଥିବୀକୁ । ସେ କହିଲେ... “କ୍ଷୀର ହେବ ନାହିଁ କେଇ ସାମୁକା ! ବାପା କ’ଣ ଏତିକି କ୍ଷୀରରେ ଚା’ ପିଉଥିଲେ ? ନିରୁତା କ୍ଷୀର କଂସାଟେ ନ ହେଲେ ନ ହୁଏ । ଆଜିକାଲି ବାହାରକୁ ସବୁ ଚିକ୍କଣ ! ଭିତରେ କିନ୍ତୁ ସାରବତ୍ତା ନାହିଁ ।

 

ଗୋପାଳ ପଧାନଙ୍କ ଚା’ପିଆର ଇତିବୃତ୍ତ ଅକାରଣ ବିରକ୍ତିରେ ଗୋପୀର ସ୍ନାୟୁତନ୍ତ୍ରୀମାନଙ୍କୁ ଯେପରି ଉତ୍ତେଜିତ କରିଦେଲା । କପାଳ ଉପରେ ଉଡ଼ିବୁଲୁଥିବା ମେଞ୍ଚାଏ ଅଲରା ବାଳ, ସେ ବାଁ ହାତ ଉପରକୁ ଛାଟିଦେଲା, ବିଦ୍ରୋହ ଘୋଷଣା କରିବାପରି ଭଙ୍ଗୀରେ । ମହୀ ମାଷ୍ଟ୍ରଙ୍କ ଟିପ୍‌ପଣୀ ଉପରେ ସେ ଯେପରି ଅନୁଭବ କରୁଥିଲା, ନିଜର ସାମ୍ପ୍ରତିକ କାଳ ପ୍ରତି ଅଙ୍କୁଶାଘାତ ।

 

ଚା’ କପ୍‌ରେ ମୁଁ ନୀରବରେ ଚୁମ୍ବକ ଦେଉଥିଲି । ବିସ୍ଵାଦ ଚା’ ସିଝାପାଣି, ପ୍ରକୃତିରେ ସେଥିରେ ଚା’ର ସ୍ଵାଦ ନ ଥିଲା, କିମ୍ବା ଗନ୍ଧ ନ ଥିଲା ! ମହୀ ମାଷ୍ଟ୍ରେ ହଠାତ୍ ତାଙ୍କ ଚା’ କପ୍‌ଟା ରଖିଦେଲେ କହିଲେ... “ସାର୍ ବାପାଙ୍କ ଚା’ ପିଆ କଂସା ଆଉ ଭାତଖିଆ ତସଲା ତ ଆପଣଙ୍କୁ ଦେଖାଇପାରିଲି ନାହିଁ । ରୁହନ୍ତୁ ଦେଖାଇବି ତାଙ୍କ ପାଣିପିଆ ଗିଲାସ ।”

 

ସେ ଗିଲାସ ନିଶ୍ଚୟ ହୋଇଥିବ ଗୋଟିଏ ଛୋଟିଆ ବାଲତି ପରି । ମୁଁ ତାହା ଦେଖିବା ପାଇଁ କୌତୂହଳୀ ହୋଇଉଠିଲି ।

 

ଗୋପାଳ ପଧାନଙ୍କ ଚା’ପିଆ କଂସା ନଥାଉ, ଭାତଖିଆ ତସଲା ନଥାଉ; ପାଣିପିଆ ଗିଲାସ ଅଛି ତ ! ଚାରିଗ୍ଲାସ ପାଣି ଧରିବ ସେଥିରେ ! ସକାଳେ ଉଠି ସେଇ ଗିଲାସରେ ଗିଲାସେ ବାସିପାଣି ପିଉଥିଲେ ଗୋପାଳ ପଧାନ ! ମୋତେ ସେଇ ଗିଲାସ ଦେଖାଇବା ପାଇଁ ମହୀ ମାଷ୍ଟର ଅସମ୍ଭାଳ ହୋଇଉଠିଥିଲେ ! ବାପାଙ୍କ ସେଇ ଚିତାଏ ଉଞ୍ଚର ଠେଙ୍ଗା ବି ! “ଆରେ ଗୋପୀ ଦେଖିଲୁ ଦେଖିଲୁ, ଠାକୁର ଘର କଣରେ ବାପାଙ୍କ ସେଇ ଠେଙ୍ଗା ଥିବ ।”

 

ଅସ୍ତବ୍ୟସ୍ତ ଭାବରେ ମହୀମାଷ୍ଟର ଉଠି ଯାଉଁ ଯାଉଁ ତାଙ୍କ ଧକ୍‌କାରେ ଟି’ପୟ ଉପରୁ ଟି’ ସେଟ୍‌ଟା ପଡ଼ି ତଳେ ଚୂନା ହୋଇଗଲା । ମହୀମାଷ୍ଟରଙ୍କ ଆଖିରେ ଉଦ୍‌ବେଗଗ୍ରସ୍ତ ଆତଙ୍କ ଗୋପୀର ଦୁଇ କିଂ‌କର୍ତ୍ତବ୍ୟବିମୂଢ଼ ଆଖି ଆଗରେ ତାର ପୋର୍ସିଲେନ୍‌ର ପୃଥିବୀ ଯେପରି ଖଣ୍ଡଖଣ୍ଡ ହୋଇ ଭାଙ୍ଗିପଡ଼ିଥିଲା । ସେମାନେ ଉଭୟ ଯେପରି ଚରମ ବିୟୋଗାନ୍ତ ମୁହୂର୍ତ୍ତର ସମ୍ମୁଖୀନ ହୋଇଥିଲେ । ସେମାନଙ୍କୁ ସାନ୍ତ୍ଵନା ଦେବାପାଇଁ ମୋର କିନ୍ତୁ କିଛି ନଥିଲା । ସେମାନଙ୍କୁ ମୁଁ ବା କିପରି ବୁଝାଇ ପାରିବି; ଆଦିମ କୃଷିପ୍ରଧାନ ସମାଜରେ ସବୁ ଥିଲା ଯଦି ଜଗଦ୍ଦଳ ପଥର ପରି ଅକ୍ଷୟ, ଅପରିବର୍ତ୍ତନୀୟ, ଯନ୍ତ୍ରଶିଳ୍ପୋତ୍ତର ସମାଜରେ ସବୁ ଭଙ୍ଗୁର, ମୁହୂର୍ତ୍ତକୁ ମୁହୂର୍ତ୍ତ ପରିବର୍ତ୍ତନଶୀଳ । ଏଇ ଭଙ୍ଗୁରତା ଉପରେ ଇ ଗଢ଼ା ଆଜିର ଉତ୍ପାଦନ ପଦ୍ଧତିର ଭିତ୍ତି ।

 

କିନ୍ତୁ ସେସବୁ ସମାଜନୀତିର ତତ୍ତ୍ୱ । ଗୋପୀ ବା ମହୀ ମାଷ୍ଟର କେହି ତାହା ବୁଝିବା ଅବସ୍ଥାରେ ନଥିଲେ ।

 

ମୁଁ ନୀରବରେ ବାହାରକୁ ଉଠି ଚାଲିଆସିଲି । ମୋର ପାଦତଳେ ପୋର୍ସିଲେନ୍‌ର ଟୁକୁରା ସବୁ ଆଉରି ଖଣ୍ଡ ଖଣ୍ଡ ହୋଇ ଭାଙ୍ଗିପଡ଼ୁଥିଲା । ଇଏ ତ ଆଉ ଗୋପାଳ ପଧାନଙ୍କ କଂସା ନୁହେଁ ।

☆☆☆

 

ଏଇ ଗଣତନ୍ତ୍ର !

 

ଅର୍ଥନୀତିଜ୍ଞମାନଙ୍କର ସନ୍ଦର୍ଭ ଓ ରାଜନୀତିଜ୍ଞମାନଙ୍କର ପ୍ରଗଳ୍‌ଭ ଭାଷଣରେ, ଭାରତୀୟ ଦାରିଦ୍ର–ଶୀତଳ ନିଷ୍ପ୍ରାଣ ପରିସଂଖ୍ୟା, ଦଶମିକ ଚିହ୍ନବିଶିଷ୍ଟ ଅଙ୍କର ହିସାବ । ମାତ୍ର ସହରର ବସ୍ତି ଅଞ୍ଚଳରେ ତାହାର ପ୍ରତିରୂପ ଏଇ ସବୁ ଝାଟିମାଟି, ଚାଳଘର । ରାସ୍ତା ଉପରୁ ଦେଖାଯାଉଥିବା ତା’ର ଅନ୍ଧକାର ଗହ୍ଵର ସବୁ କଙ୍କାଳ–କରୋଟିର ଶୂନ୍ୟଦୃଷ୍ଟି ପରି; ପରସ୍ତ ପରସ୍ତ ହୋଇ ଚୂନ ପଲସ୍ତରା ଖସିପଡ଼ୁଥିବା ପକ୍କା ଘରମାନଙ୍କର କାନ୍ଥସବୁ ଗଳିତ କୁଷ୍ଠରୋଗୀର କ୍ଷତଚିହ୍ନ !

 

ଏବେ କିନ୍ତୁ ଆସନ୍ନ ନିର୍ବାଚନ ପାଇଁ, ସେଇ ସବୁ କ୍ଷତଚିହ୍ନ, ଝାଟିମାଟି ଘରମାନଙ୍କର ଲୁଣିଧରା ବିବର୍ଣ୍ଣ କାନ୍ଥ ଉପରେ, “ସାମ୍ୟବାଦ” ଓ “ପ୍ରଗତି”ର ପ୍ରଲେପ ! ଶାସନକ୍ଷମତାପନ୍ନ ଘୋଡ଼ାଚିହ୍ନ ଦଳର ପ୍ରାର୍ଥୀ ରାଧାମୋହନଙ୍କର ରାଶି ରାଶି ରଙ୍ଗିନ୍ ପୋଷ୍ଟର... ସାମ୍ୟବାଦର ସୂର୍ଯ୍ୟୋଦୟ ପାଇଁ, “ପ୍ରଗତି”ର ସଙ୍କେତ ଘୋଡ଼ା ଚିହ୍ନରେ ଭୋଟ ଦେବାପାଇଁ ଉଦ୍‌ବୋଧନ ! ପୋଷ୍ଟର ମଝିରେ “ସେବକ” ରାଧାମୋହନଙ୍କର ଫଟୋଚିତ୍ର... ହାସ୍ୟବିକଶିତ ଦନ୍ତପଂକ୍ତି, ମାକ୍‌ଲ୍ଲୀନ୍‌ ବା କୋଲ୍‌ଗେଟ୍ ଟୁଥପେଷ୍ଟ୍‌ର ବିଜ୍ଞାପନ ପରି !

 

ରାଧାମୋହନଙ୍କ ପୋଷ୍ଟର ଗହଳି ଭିତରେ କେଉଁଠି କେଉଁଠି ହାତୀ ଚିହ୍ନ ଦଳର ପ୍ରାର୍ଥୀ ଗୋବର୍ଦ୍ଧନଙ୍କ ପୋଷ୍ଟର ମଧ୍ୟ ଉଙ୍କି ମାରୁଛି । ସାମ୍ୟବାଦ ଓ ପ୍ରଗତି ନାମରେ ନବ୍ୟ–ପୁଞ୍ଜିବାଦ ଏକଛତ୍ରବାଦ ହଟାଇବା ପାଇଁ ହାତୀ ଚିହ୍ନରେ ଭୋଟ ଦିଅନ୍ତୁ !

 

ବସ୍ତି କାନ୍ଥମାନଙ୍କରେ ପୋଷ୍ଟରର ଯୁଦ୍ଧ...

 

ସାମ୍ୟବାଦ, ନବ୍ୟ–ପୁଞ୍ଜିବାଦ, ପ୍ରଗତି, ପ୍ରତିକ୍ରିୟା... ବସ୍ତିବାସୀଙ୍କ ପକ୍ଷରେ ଏ ଶବ୍ଦ ସବୁ ଦୁର୍ବୋଧ୍ୟ ! ସେମାନଙ୍କ ଚିନ୍ତା ଚାଉଳ ଦର, ଚିନିରେ କଳାବଜାର, ଡାଲି ଦର ସୁଦ୍ଧା ଦୁର୍ମୂଲ୍ୟ । ତେଲ, ଲୁଣର ସଂସାରରେ ସେମାନଙ୍କର ଏ ଶବ୍ଦ ସବୁ ପ୍ରହେଳିକା !

 

ହାତୀ ଚିହ୍ନ ଦଳ କିନ୍ତୁ ଏଇ ସବୁ ସମସ୍ୟାକୁ କେନ୍ଦ୍ର କରି, ବସ୍ତିବାସୀମାନଙ୍କୁ ଆବେଦନ କରି ପାରୁଛି, ବେଶ୍ । ହାତୀଚିହ୍ନ ଦଳର ପ୍ରାର୍ଥୀ ଗୋବର୍ଦ୍ଧନଙ୍କ ସଭାରେ ବସ୍ତିବାସୀ ଶ୍ରୋତାମାନଙ୍କର ଭିଡ଼, କରତାଳିର ପ୍ରାଚୁର୍ଯ୍ୟ । ସେଥିପାଇଁ ଘୋଡ଼ାଚିହ୍ନ ଦଳର ପୋଷ୍ଟର ଗହଳି ଭିତରେ ହାତୀଚିହ୍ନ ଦଳର ପୋଷ୍ଟର ମଧ୍ୟ କ୍ରମେ ବହୁସଂଖ୍ୟାରେ ଉଙ୍କିମାରି ଉଠିଲାଣି ।

 

ରାଜେନ୍ଦ୍ର ନିଷ୍ଫଳ କ୍ରୋଧରେ, ଘୋଡ଼ାଚିହ୍ନ ଦଳରେ ନିର୍ବାଚନ ଅଫିସ୍‍ ଭିତରୁ ସାମନା କାନ୍ଥରେ ଗୋବର୍ଦ୍ଧନଙ୍କ ପୋଷ୍ଟର ଆଡ଼େ ଚାହିଁ ଦାନ୍ତରେ ଦାନ୍ତ ଚିପି ଚିତ୍କାର କରି ଉଠିଲା–ଏ ସବୁ ସେଇ ରିଆକ୍ସାନାରୀ ବିନୟର ଗୁଲ୍‌ତାନି । ତା’ ନ ହେଲେ ଏ ପର୍ଯ୍ୟନ୍ତ ଏ ବସ୍ତିଥିଲା ଘୋଡ଼ାଚିହ୍ନ ଦଳର ପ୍ରାର୍ଥୀ ରାଧାମୋହନଙ୍କ ଦୁର୍ଗ । ଏହା ଭିତରକୁ ହାତୀଚିହ୍ନ ଦଳର ବିଲେଇ ଛୁଆଟିଏ ପଶିବା ସୁଦ୍ଧା ସମ୍ଭବ ନଥିଲା । କିନ୍ତୁ ସେଇ ରିଆକ୍ସନାରୀ ବିନୟ ହାତୀଚିହ୍ନ ଦଳର ଦଲାଲି କଲା ଦିନୁ, ବସ୍ତିଲୋକେ ଇତସ୍ତତଃ ହେବାପାଇଁ ଆରମ୍ଭ କଲେଣି ।

 

ବସ୍ତିନେତା ରାଜେନ୍ଦ୍ରର ସେ ବିରୋଧୀ...ରାଜେନ୍ଦ୍ର ଘୋଡ଼ାଚିହ୍ନ ଦଳରେ କାରପଟଦାରୀ କରୁଥିବା ହେତୁ ବିନୟ ନେଇଛି ହାତୀଚିହ୍ନ ଦଳର ଦାୟିତ୍ଵ । ଏ ରାଜନୈତିକ ସମୀକରଣ ଅତି ସହଜ ଓ ସୁସ୍ପଷ୍ଟ । ଲଜେଞ୍ଜ ବିସ୍କୁଟ୍ ଲାଞ୍ଚଦେଇ, ସେ ତିଆରି କରିଛି ଲଙ୍ଗଳା ପିଲାଙ୍କ ଦଳ, ସକାଳେ ସନ୍ଧ୍ୟାରେ ସ୍ଲୋଗାନ ଦେଇ ବୁଲିବା ପାଇଁ । “ଭୋଟ୍ ଦେବ କେଉଁଠି ? ହାତୀଚିହ୍ନ ଯେଉଁଠି ।” ଗୋଟାଏ ସ୍ଥାନରେ ଦୁଇଟା ଲଜେଞ୍ଜ ବା ଦୁଇଟା ବିସ୍କୁଟ୍ ପାଇଲେ ଘୋଡ଼ାଚିହ୍ନରେ ଭୋଟ ଦେବାପାଇଁ ସମାନ ଉତ୍ସାହରେ ସ୍ଲୋଗାନ୍ ଦେବାପାଇଁ ସେମାନଙ୍କର ମଧ୍ୟ ଆପତ୍ତି ନାହିଁ । ଗଣତନ୍ତ୍ରର ଦ୍ଵାହି ଦେଇ, ସମଗ୍ର ଉତ୍ତର–ପୁରୁଷକୁ, ସାମାନ୍ୟ ଲଜେଞ୍ଜ ବିସ୍କୁଟ ମୋହରରେ, ଏଇପରି ଶୈଶବରୁ କରାଯାଉଛି, ମିଥ୍ୟାଭାଷୀ ଟାଉଟର...

 

ବସ୍ତିରେ କେଉଁଠି ଶୁଭୁଥିଲା, ହାତୀଚିହ୍ନ ଦଳର ସ୍ଲୋଗାନ... “ଭୋଟ ଦେବ କେଉଁଠି ? ହାତୀ ଚିହ୍ନ ଯେଉଁଠି ।” ରାଜେନ୍ଦ୍ର ମୁହଁର ରେଖାସବୁ କଠିନ ହୋଇଉଠିବ ।

 

ନର୍ଦ୍ଦମାକଡ଼ରେ ରାଧାମୋହନ ନିର୍ବାଚନ ଅଫିସ ଖୋଲିଛି, ବସ୍ତି ଯୁବକମାନଙ୍କ କ୍ଲବ ଘରେ । ରାଧାମୋହନ ପ୍ରତିଶ୍ରୁତି ଦେଇଛନ୍ତି, ନିର୍ବାଚନରେ କିଣିଲେ, କ୍ଲବ ଘର ପକ୍କା ହେବ । ସେଥିପାଇଁ କ୍ଲବର ସଭ୍ୟମାନେ ହୋଇଛନ୍ତି ରାଧାମୋହନଙ୍କ ନିର୍ବାଚନ ପ୍ରଚାରକ ! ସନ୍ଧ୍ୟାବେଳେ ଅଫିସ ଘରେ ଦେଶୀ ମଦବୋତଲ ଘେରି ଜମିବ ଆସର ! ଗୋବର୍ଦ୍ଧନଙ୍କ ଆମାନତ ଉଡ଼ାଇଦେବା ପାଇଁ ଆସ୍ଫାଳନ ଓ ଘୋଷଣା ! ରାଜେନ୍ଦ୍ର କିନ୍ତୁ ରାଧାମୋହନଙ୍କ ନିର୍ବାଚନରେ କାରପଟଦାରୀ କରିବା ଦିନୁ ଦେଶୀ ପରିବର୍ତ୍ତେ ଧରିଛି ବିଲାତୀ ରମ୍ ? ସେ ତ ଆଉ ସାଧାରଣ କର୍ମୀ ନୁହେଁ... ସେ ବର୍ତ୍ତମାନ ଯୁବନେତା !

 

ଗତରାତିରୁ ଗୋଟାଏ ରମ୍‍ ବୋତଲ ଅଧାହୋଇ ପଡ଼ିଥିଲା ଡ୍ରୟର ଭିତରେ । ରାଜେନ୍ଦ୍ର ବୋତଲ ଭିତରୁ କେଇ ଢୋକ ଗଳାଧଃକରଣ କରି ବୋତଲଟା ଲୁଚାଇ ଦେଲା ଡ୍ରୟାର ଭିତରେ ! ତା’ପରେ ହାତପାପୁଲିରେ ମୁହଁ ପୋଛି ରମ୍‌ର ବାସନା ଦୂର କରିବା ପାଇଁ ଖଣ୍ଡେ ସିଗ୍ରେଟରେ ନିଆଁ ଲଗାଇଲା ! ଅବସ୍ଥା ଯଦି ଏଇପରି ଗତି କରେ, ତା’ ହେଲେ ଏ ବସ୍ତିର ଦୁଇଟା ବୁଥ୍‌ରେ ଅନ୍ତତଃ ରାଧାମୋହନ ବିଶେଷ ଭୋଟ ପାଇବାର ସେପରି କୌଣସି ଆଶା ନାହିଁ ! ତା’ ହେଲେ ନିର୍ବାଚନ ପରେ ରାଧାମୋହନଙ୍କଠାରୁ ଗୋଟିଏ ସ୍କୁଟର ମିଳିବାର ଯେଉଁ ପ୍ରତିଶ୍ରୁତି ଓ ସମ୍ଭାବନା ଥିଲା ସେ ସବୁ ବୃଥା ହୋଇଯିବ ସିନା ! ରାଜେନ୍ଦ୍ର ଆଖିରେ ଗୋ–ଗୋ ଗଗଲ୍ସ ପିନ୍ଧି ତଳର ରାସ୍ତାକୁ ଓହ୍ଲାଇ ଆସିଲା !

 

କଟା ଘା’ରେ ଲୁଣଛିଟା ପରି ଅବଶ୍ୟ ସାମନା କାନ୍ଥରେ ହାତୀଚିହ୍ନ ଦଳର ଗୋଟିଏ ବିରାଟ ପୋଷ୍ଟର ! ରାଜେନ୍ଦ୍ର ଓଠରୁ ସିଗାରେଟ ଖଣ୍ଡେ ତଳେଫିଙ୍ଗି ପାଦଚଟିରେ ତାକୁ ମକଚି ଦେଲା, “ପ୍ରତିକ୍ରିୟାଶୀଳ” ବିନୟର ସବୁ ଷଡ଼ଯନ୍ତ୍ରକୁ ପାଦରେ ଦଳିଦେବା ପରି !

 

ରାଧାମୋହନଙ୍କ ପ୍ରତି ରାଜେନ୍ଦ୍ରର ଗୋଟିଏ ପ୍ରବଳ ଆନୁଗତ୍ୟ ଅଛି, ଅଥବା ସାମ୍ୟବାଦ ପ୍ରତି ଆସ୍ଥା କିମ୍ବା ସେଥିପାଇଁ ଅଛି ସଂକଳ୍ପ ତା ନୁହେଁ ନିର୍ବାଚନ ତା ପକ୍ଷରେ ରୋଜଗାରର ଗୋଟିଏ ମୌସୁମ !

 

ଗଣତନ୍ତ୍ର ନାମରେ ନିର୍ବାଚନ ହୋଇଛି ଏବେ ଏକ ଫଟକା ବଜାର ଓ ଭୋଟ ଏକ ପଣ୍ୟ ସାମଗ୍ରୀ ! ରାଜେନ୍ଦ୍ର ଓ ତା’ପରି ଅନ୍ୟମାନେ ସେଥିରେ ଠିକାଦାର–ଏଇ ଠିକାଦାରମାନଙ୍କର କର୍ମକୁଶଳତା ଉପରେ ନିର୍ଭର କରେ, ନିର୍ବାଚନରେ ପ୍ରାର୍ଥୀମାନଙ୍କର ଜୟପରାଜୟ, ପ୍ରଗତି ଓ ପ୍ରତିକ୍ରିୟାର ଚରମ ନିଷ୍ପତ୍ତି !

 

ସେଦିନ ରାଧାମୋହନ ପଚାରିଥିଲେ... “ତୁମ ବସ୍ତିରେ ଦୁଇଟା ବୁଥ୍ ସମ୍ଭାଳି ପାରିବ ତ ରାଜେନ୍ଦ୍ର ? ଶୁଣୁଛି ସେ ଅଞ୍ଚଳରେ ଗୋବର୍ଦ୍ଧନ ପାଇଁ ସମର୍ଥନ କ୍ରମେ ବୃଦ୍ଧି ପାଉଛି !”

 

ରାଜେନ୍ଦ୍ର ଉତ୍ତର ଦେଇଥିଲା...“ବସ୍ତିଲୋକେ ଦିନମଜୁରିଆ ଦରିଦ୍ର ତ ! ଦରଦାମ୍‍ ସେମାନଙ୍କୁ ବାଧୁଛି । ସେଥିପାଇଁ ଗୋବର୍ଦ୍ଧନ ପ୍ରତି ସେମାନେ ଢଳୁଛନ୍ତି । କିନ୍ତୁ...”

 

ରାଧାମୋହନ ପଚାରିଲେ... “ତା’ହେଲେ ?”

 

“ଆପଣ ତ ଜାଣନ୍ତି ସାର୍” ରାଜେନ୍ଦ୍ର ଉତ୍ତର ଦେଇଥିଲା, “ଟଙ୍କା ଫିଙ୍ଗିଲେ କ’ଣ ଭୋଟ ଅଭାବ ହେବ ?”

 

ରାଧାମୋହନଙ୍କ ଟଙ୍କାର ବା କି ଅଭାବ ? ବଜାରରେ ଚଲତି କଳାଟଙ୍କାର ପରିମାଣ ମୋଟେ ପଇଁତ୍ରିଶ ଶହ କୋଟି ଟଙ୍କା ସରକାରୀ ରିପୋର୍ଟ ଅନୁସାରେ ! ସେଇ କଳାଟଙ୍କା ବର୍ତ୍ତମାନ ରାଜନୈତିକ କ୍ଷମତା ଆହରଣର ଅସ୍ତ୍ର, ସେଇ କଳାଟଙ୍କା ବଳରେ ଚାଲିଛି “ସାମ୍ୟବାଦ” ଓ “ପ୍ରଗତି”ର ଜୟ ବା ଜୟକାର ! ରାଧାମୋହନଙ୍କ ଦଳରେ ଟଙ୍କାର ତ ଅଭାବ ନାହିଁ ! ରାଜେନ୍ଦ୍ରର ପରାମର୍ଶ ଯଥାର୍ଥ ! ଦରିଦ୍ରର ନିଜସ୍ଵ ମତାମତ କ’ଣ ଥାଇପାରେ ? ଟଙ୍କା ହିଁ ତା’ ପକ୍ଷରେ ଦରିଦ୍ର–ନାରାୟଣ ! ଟଙ୍କା ବଳରେ ତା’ର ଭୋଟ କିଣିବାଟା କେଉଁ ବଡ଼ କଥା ?

 

ରାଧାମୋହନ ବିଡ଼ାଏ ନୋଟ ରାଜେନ୍ଦ୍ର ଆଡ଼େ ଫିଙ୍ଗିଦେଇ କହିଲେ... “ଏ ହଜାର ଟଙ୍କା ଅଗ୍ରୀମ, କାର୍ଯ୍ୟ ଆରମ୍ଭ କରିଦିଅ ! ତୁମର ସେ ଦୁଇଟା ବୁଥ୍‌ରେ ଫଳ ଭଲ ହେଲେ ପାଇବ ଗୋଟିଏ ସ୍କୁଟର ଠିକାଦାରୀ ମଧ୍ୟ ଯୋଗାଡ଼ କରିଦେବି ମନ୍ତ୍ରୀଙ୍କୁ ଧରି !”

 

ରାଜକନ୍ୟା ଆଉ ଅର୍ଦ୍ଧେକ ରାଜ୍ୟଲାଭ ପରି ବ୍ୟାପାର !

 

ନିର୍ବାଚନ ଅଫିସ ସାମନା ରାସ୍ତାରେ ଠିଆହୋଇ ରାଜେନ୍ଦ୍ର... ନିଜକୁ ନିଜେ ପଚାରୁଥିଲା… “ଗୋବର୍ଦ୍ଧନ ଟଙ୍କାର କି ମୁକାବିଲା କରିବ ? ଇଡ଼ିୟଟ୍‍ ଭାବିଛି ଲେକ୍‌ଚର ଖାଲି ଦେଇଦେଲେ ଭୋଟ ମିଳିଗଲା ! ତା’ହେଲେ ତ କଲେଜ ଲେକ୍‌ଚରରମାନେ ହୋଇ ସାରନ୍ତେଣି ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ !”

 

ରାଜେନ୍ଦ୍ର ଅନ୍ୟମନସ୍କ ଭାବରେ ଚାଲି ଚାଲି, ଗୋଟିଏ ଝାଟିମାଟି ଘର ଆଗରେ ଠିଆହୋଇଗଲା । ଝାଟିମାଟି ଘରକାନ୍ଥରେ ଗୋବର୍ଦ୍ଧନର ହାତୀଚିହ୍ନ ପୋଷ୍ଟରର ବିପୁଳ ପ୍ରଦର୍ଶନୀ-!

 

“ଧନେଶ୍ଵର–ଧନୀବାବୁ” ଘର ବାହାରେ ଠିଆହୋଇ ରାଜେନ୍ଦ୍ର ଡାକିଲା ।

 

କିଛିକ୍ଷଣପରେ ପ୍ରାଗୈତିହାସିକ ଗହ୍ଵର ପରି ଦେଖାଯାଉଥିବା ସେଇ ଘର ଭିତରୁ ଜଣେ ଅକାଳବୃଦ୍ଧବୟସୀ ମଣିଷ ପଦାକୁ ବାହାରି ଆସିଲା । ତା’ର ସେ ନିଜର ଗୋଟିଏ ନାମ ଅଛି, ସତ୍ତା ଅଛି, ସଂଜ୍ଞା ଅଛି ଓ ଅନ୍ୟମାନେ ବିଶେଷତଃ ଟେରିକଟ୍ କନାର ଚିପାନଳୀ ଆଉ ଛିଟକନାର ହାୱାଇ ପିନ୍ଧି ଏଇ “ବାବୁ” ଅଥବା “ନେତା” ପରି ଲୋକେ ଯେ ତା’ର ଖବର ରଖନ୍ତି, ଧନେଶ୍ଵର ପକ୍ଷରେ ତାହା ଥିଲା ଏକ ବିସ୍ମୟର ବସ୍ତୁ । ତଥାପି ସେ ନିଜର ସନ୍ଦେହ ମୋଚନ ପାଇଁ ପଚାରିଲା... “ବାବୁ କେମିତି ମୋ ନାଁ ଜାଣିଲେ ଆଁ ?”

 

–“ଆରେ ତୁମର ନାମ ଆପଣଙ୍କର ନାମ ଯେ ଭୋଟର ତାଲିକାରେ ରହିଛି”– ରାଜେନ୍ଦ୍ର ହସି ହସି ଉତ୍ତର ଦେଲା ।

 

ପକେଟରୁ ଖଣ୍ଡେ ଲମ୍ବା କାଗଜ କାଢ଼ି ରାଜେନ୍ଦ୍ର ମିଳାଇ ଦେଖିଲା, କ୍ରମିକ ନଂ ୨୨୭, ଘର ନଂ ୧୧, ଧନେଶ୍ଵର ପି: ଯଜ୍ଞେଶ୍ଵର, ବୟସ ୬୧ ।

 

ତା’ର ନାମ ସୁଦ୍ଧା ସରକାରୀ ରେକର୍ଡ଼ରେ ଛାପା ଅକ୍ଷରରେ ଲେଖା ରହିଛି ? ଏପରି ଭାଗ୍ୟ ତ ଧନେଶ୍ଵର ପକ୍ଷରେ ଥିଲା କଳ୍ପନାତୀତ । ଗଣତନ୍ତ୍ର ପାଇଁ ସିନା ଏ ଦୌଲତି ତା’ ନ ହେଲେ କିଏ ରଖିଥାନ୍ତା ଏ ଅରଖିତର ଖବର ?

 

ଧନେଶ୍ଵର ସନ୍ତର୍ପିତ କଣ୍ଠରେ କହିଲା “ଭୋଟ କଥା ଆମେ କ’ଣ ଜାଣିଚୁ ଆଜ୍ଞା ? ଚାଉଳ କିଲୋ ଟଙ୍କାଏ ଅଶୀ ! ଆଉ ଭୋଟ ଦେବୁ କାହାକୁ, କେଉଁଥିପାଇଁ ?”

 

ରାଜେନ୍ଦ୍ର ପାଟିରୁ କଳେ ସିଗାରେଟ ଧୂଆଁଛାଡ଼ି ଧୂଆଁର କୁଣ୍ଡଳୀ ଭିତରେ ଧନେଶ୍ଵର ଆଡ଼େ ନିରୀକ୍ଷଣ କରି ଚାହିଁଲା । ଏ କଥା ଧନେଶ୍ଵରର ନୁହେଁ ଧନେଶ୍ଵର ପରି ଲୋକେ ଯେ ପ୍ରତିବାଦ କରିପାରନ୍ତି ପ୍ରତିରୋଧ କରିପାରନ୍ତି, ଏ ଧାରଣା ରାଜେନ୍ଦ୍ରର ନଥିଲା । ସେଇ ରିଆକ୍ସନାରୀ ବିନୟ, ଏମାନଙ୍କୁ ପ୍ରଭାବିତ କରିନଥିଲେ ଧନେଶ୍ଵର ଯେ ଏପରି କଥା ମୁହଁ ଉପରେ କହିପାରନ୍ତା, ରାଜେନ୍ଦ୍ର ବିଶ୍ଵାସ କରିପାରୁ ନଥିଲା ।

 

ରାଜେନ୍ଦ୍ର ପଚାରିଲା... ‘‘ସେଇଥିପାଇଁ ଘର କାନ୍ଥରେ ଏତେ ହାତୀଚିହ୍ନ ପୋଷ୍ଟର ଲଗାଇଛ ପରା ।”

 

ଧନେଶ୍ଵର ଉତ୍ତର ଦେଲା “ଆମପାଇଁ ହାତୀ ଘୋଡ଼ା ସବୁ ସମାନ ବାବୁ । ମୁଁ କି ଜାଣେ କିଏ କାହାର କାନ୍ଥରେ ଲଗାଇଛି :”

 

କଥା କଟାକଟି ନିରର୍ଥକ । ରାଜେନ୍ଦ୍ର ଅସଲ କଥା ଉଠାଇ ପଚାରିଲା... “ତୁମ କାନ୍ଥରେ ପୋଷ୍ଟର ଲଗାଇବା ପାଇଁ ବିନୟବାବୁଙ୍କଠାରୁ କିଛି ପାଇଛ ନା ମୋଫତ୍ ? ସେମାନେ ତ ଦୀପ ତେଜି ହାତ ଚିକ୍କଣ କରୁଛନ୍ତି ବେଶ୍ ।”

 

କିନ୍ତୁ ନିଜ କାନ୍ଥରେ ପୋଷ୍ଟର ଲଗାଇବା ପାଇଁ, କିଏ ଯେ କେବେ ଟଙ୍କା ଦିଏ, ଏ ଧାରଣା ଧନେଶ୍ଵରର ନ ଥିଲା । ଧନେଶ୍ଵରର ପିଲାମାନେ ଘର ସଜାଇବା ପାଇଁ କେଉଁଠୁ ଏ ପୋଷ୍ଟର ସବୁ ଆଣି କାନ୍ଥରେ ଲଗାଇଥିଲେ, ତାହା ମଧ୍ୟ ଧନେଶ୍ଵରକୁ ଜଣା ନଥିଲା । ହାତୀ ପୋଷ୍ଟର ଘୋଡ଼ାଚିହ୍ନ ପୋଷ୍ଟର ଆଣି ଲଗାଇଥିଲେ ମଧ୍ୟ ଧନେଶ୍ଵରର କୌଣସି ଆପତ୍ତି ନଥିଲା ।

 

ଧନେଶ୍ଵର କହିଲା... “ଆମ ମୁଣ୍ଡତ ସବୁଦିନେ ନୁଖୁରା । କିଏ ଦୀପ ତେଜି ହାତ ଚିକ୍କଣ କଲେ ଆମର କି ଯାଏ ଆସେ ?”

 

ରାଜେନ୍ଦ୍ର ପକେଟରୁ ଦୁଇଖଣ୍ଡ ଦଶଟଙ୍କିଆ ନୋଟ କାଢ଼ି ଧନେଶ୍ଵରକୁ ଧରାଇଦେଇ କହିଲା “ତୁମ ପିଣ୍ଡାରେ ଘୋଡ଼ା ଚିହ୍ନ ଦଳର ଅଫିସ ଖୋଲିବ । ଭଡ଼ା ବାବଦକୁ ଏଇ କୋଡ଼ିଏ ଟଙ୍କା ଅଗ୍ରୀମ । ତୁମ ସାଇରେ ଘୋଡ଼ାଦଳ ପାଇଁ ବେଶୀ ଭୋଟ ପଡ଼ିଲେ ଆଉରି ଏତିକି ପାଇବ ! ହେଲା ତ ।”

 

ଏକାଥରେ ହାତରେ ଦୁଇଖଣ୍ଡ ନୂଆ ଦଶଟଙ୍କିଆ ନୋଟ ଧରିବାର ସୌଭାଗ୍ୟ, ଧନେଶ୍ଵର ପକ୍ଷରେ ଏଇ ପ୍ରଥମ । ସେ କହିଲା... “ହଁ ମ, ଘୋଡ଼ାଚିହ୍ନ ଛାଡ଼ି ଆମେ କ’ଣ ଆଉ କେଉଁଠି ଦେଉଚୁ ? ସେଇ ଗୋବର୍ଦ୍ଧନବାବୁ ଆସି ସାଇଲୋକଙ୍କୁ ମତାଇଛି ସିନା ।”

 

ରାଜେନ୍ଦ୍ର ଅଫିସ ଆଡ଼େ ଫେରି ଆସିଲା ।

 

ଖଣ୍ଡେ ଭୋଟର ଦାମ୍‍ କେତେ ? ପାଞ୍ଚ ? ଦଶ ? କୋଡ଼ିଏ ?... ରାଧାମୋହନ ଅଭୟ ଦେଉଛନ୍ତି, ଚିନ୍ତା ନାହିଁ ।

 

ଗୋବର୍ଦ୍ଧନିଆ ଲେକ୍‍ଚରବାଜୀ କରି ବୁଲୁଥାଉ । ଇଡ଼ିଏଟ୍ ଭବିଛୁ ଭୋଟ ଅଛି ବକ୍ତୃତା-? ହାତ ତାଳିରେ, ଯେଉଁ ହାତ ବିପକ୍ଷ ଦଳର ଭାଷଣ ଶୁଣି କରତାଳି ଦିଏ ସେହି ହାତ ମଧ୍ୟ ଭୋଟ ବାକ୍ସର ସପକ୍ଷରେ ଭୋଟ ପକାଏ ।

 

“ଏ, ବିନୟ ଗୋଟିଏ ଗଳିଭିତରୁ ବିନୟ ବାହାରି ଆସିବାବେଳେ ରାଜେନ୍ଦ୍ର ତାକୁ ଦେଖି ଡାକିଲା ।

 

ବିନୟ ହାତରେ ବିଡ଼ାଏ ପୋଷ୍ଟର ପାମ୍ପଲେଟ୍ ଆଉ ଚିରୁକୁଟି ଧରି ବାହାରିଥିଲା ଗୋବର୍ଦ୍ଧନର ପ୍ରଚାର ପାଇଁ ।

 

ବିନୟ କୌଣସି ପ୍ରତ୍ୟୁତ୍ତର ନଦେଇ ଚାଲିଯାଉଥିଲା, ରାଜେନ୍ଦ୍ର ତା’ର ଗୋଟାଏ ହାତ ଟାଣିଧରି କହିଲା “ଭୋଟ ବେଳେ ତ ଭୋଟ ହେବ । ଏତିକିବେଳୁ ଏମିତି ଧଇଁସଇଁ ହୋଇ ଧାଉଁଛୁ କାହିଁକି ? ଆ... ଆମ ଅଫିସ ଭିତରକୁ ।”

 

ରାଜେନ୍ଦ୍ର ଟାଣି ଟାଣି ବିନୟକୁ ଅଫିସ ଭିତରକୁ ଆଣି ଗୋଟାଏ ଚଉକି ଉପରେ ବସାଇଦେଲା । ତା’ପରେ ଡ୍ରୟାରରୁ ରମ୍ ବୋତଲ କାଢ଼ି ଦୁଇଟି ଗ୍ଲାସରେ ଦୁହିଙ୍କ ପାଇଁ ରମ୍ ଢାଳୁ ଢାଳୁ କହିଲା... “ତୁ ସେ ରିଆକ୍ସନାରୀ ଦଳରେ ଦଲାଲି କରୁଛୁ କାହିଁକି ?”

 

ଏ ଖରାବେଳଟାରେ ରମ୍ ପିଇବା ପାଇଁ ବିନୟର ପ୍ରବୃତ୍ତି ନଥିଲା । ତଥାପି ରମ୍‌ର ଆକର୍ଷଣ ଏଡ଼ାଇବା ତା ପକ୍ଷରେ ମଧ୍ୟ ସମ୍ଭବ ନୁହଁ । ରାଜେନ୍ଦ୍ର ଓ ବିନୟ ମଧ୍ୟର ପ୍ରଚ୍ଛନ୍ନ ବିରୋଧ ସତ୍ତ୍ୱେ, ଏକଦା ଦୁହେଁ ଥିଲେ ଅଭିନ୍ନ ସୁହୃଦ । ମାମଲତ୍‌କାରୀରେ ପ୍ରତିଦ୍ୱନ୍ଦିତା ମଧ୍ୟରେ ଦୁହେଁ ଦୁହିଁଙ୍କର ଶତ୍ରୁ ହୋଇଥିଲେ ହେଁ ଅତୀତର ସୌହାର୍ଯ୍ୟ ପୂରାପୂରି ଲୋପପାଇ ନଥିଲା । ରମ୍ ଗ୍ଲାସ୍‌ରେ ପୁନରୁଜ୍ଜୀବିତ ହେଉଥିଲା, ସେମାନଙ୍କ ଅତୀତର ସେଇ ବନ୍ଧୁତ୍ଵ, ନିତାନ୍ତ ଆକସ୍ମିକ ଭାବରେ ।

 

ରାଜେନ୍ଦ୍ର ରମ୍ ଗ୍ଲାସରୁ ଗୋଟିଏ ଢୋକ ପିଇ କହିଲା... “ତୋ ପରି ଜଣେ ପ୍ରୋଗ୍ରେସିଭ ଯୁବକ ଗୋବର୍ଦ୍ଧନର ସେଇ ରିଆକ୍ସନାରୀ ଦଳରେ ପ୍ରଚାର କରିବା ସୁନ୍ଦର ଦିଶୁନାହିଁ । କିନ୍ତୁ, ରାଧାମୋହନବାବୁ ଶାସକ ଦଳର ପ୍ରାର୍ଥୀ, ତାଙ୍କ ବିରୁଦ୍ଧରେ ଯାଇଁ ତୁ ନିଜର ଭବିଷ୍ୟତକୁ ମାଟି କରୁଛୁ ସିନା ।”

 

ବିନୟ ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇ କହିଲା... “ପ୍ରଗତି ଆଉ ପ୍ରତିକ୍ରିୟାର ସଂଜ୍ଞା କ’ଣ ରାଜେନ୍ଦ୍ର ? ରାଜନୀତିର ଅଭିଧାନରେ ଏ ଦୁଇଟା ଶବ୍ଦ ଆପେକ୍ଷିକ । ମୁଁ ଯାହା ବିଶ୍ଵାସ କରେ ତାହା ପ୍ରଗତି, ତୁମେ ଯାହା ବିଶ୍ଵାସ କର ତାହା ପ୍ରତିକ୍ରିୟା... । ଫରଗେଟ୍ ପଲିଟିକ୍ସ !”

 

ବିନୟର ଶୂନ୍ୟ ଗ୍ଲାସରେ ରାଜେନ୍ଦ୍ର ରମ୍ ବୋତଲଟାକୁ ଓଜାଡ଼ି ଖାଲି କରିଦେଲା ।

 

ବିନୟ ପକ୍ଷରେ ମଧ୍ୟ ରାଜନୀତି ଗୋଟାଏ ଉତ୍ତେଜନା, ନିର୍ବାଚନ ସାମୟିକ ଉପାର୍ଜନ ଗୋଟିଏ ଉପାୟ । ରାଜନୀତି କ୍ରମେ ଆଦର୍ଶ ଓ ସ୍ଵପ୍ନ ବର୍ଜିତ ହୋଇ କ୍ଷମତା ଆହରଣର ଯନ୍ତ୍ରରେ ଯେତିକି ପରିଣତି ହେଉଛି, ରାଜେନ୍ଦ୍ର ବା ବିନୟ ପରି କାରପଟଦାରମାନେ ସେତିକି ନିର୍ବାଚନ ରାଜନୀତିର କର୍ଣ୍ଣଧାରରେ ପରିଣତ ହୋଇଛନ୍ତି । ରାଧାମୋହନ, ଗୋବର୍ଦ୍ଧନ, ହାତୀ ଓ ଘୋଡ଼ା ସେଥିରେ କେବଳ ନିମିତ୍ତ ମାତ୍ର !

 

ରାଜେନ୍ଦ୍ର ପକେଟରୁ ଖଣ୍ଡେ ଶହେଟଙ୍କିଆ ନୋଟ କାଢ଼ି ଟେବୁଲ୍ ଉପରେ ରଖିଲା । ଏହାର ଇଙ୍ଗିତ ବିନୟ ପକ୍ଷରେ ଅସ୍ପଷ୍ଟ ନଥିଲା । ବିନୟ ସେଇ ଶହେ ଟଙ୍କିଆ ନୋଟ୍ ଆଡ଼େ ଥରେ ଆଖିପକାଇ ଅନାସକ୍ତ ଭାବେ କହିଲା... “ଉଠେ ଏଥର ଥାଙ୍କସ୍ ଫର ଏଭ୍ରିଥିଙ୍ଗ୍‌ ।”

 

ବିନୟର ହାତଟାଣି ତାକୁ ଚଉକି ଉପରେ ବସାଇଦେଇ ରାଜେନ୍ଦ୍ର କହିଲା... “ପ୍ରତ୍ୟେକର ଗୋଟାଏ ମୂଲ୍ୟ ଅଛି, ଜାଣିଛୁ ବିନୟ ?”

 

ରାଜେନ୍ଦ୍ର ପକେଟରୁ ଆହୁରି ଦଶଖଣ୍ଡ ଶହେ ଟଙ୍କିଆ ନୋଟ୍ କାଢ଼ି ଟେବୁଲ ଉପରେ ଥାକକରି ରଖିଲା ।

 

ବିନୟ ନିଜର ଆଖିକୁ ହଠାତ୍ ବିଶ୍ଵାସ କରିପାରୁ ନଥିଲା । ତା’ର ବେକାର ଜୀବନରେ ଏକାଥରେ ହଜାରେ ଟଙ୍କା ଦେଖିବା ଥିଲା ସଂପୂର୍ଣ୍ଣ ସ୍ଵପ୍ନାତୀତ ।

 

ରାଜେନ୍ଦ୍ର ବିନୟ ହାତରୁ ପୋଷ୍ଟର ଓ ହ୍ୟାଣ୍ଡବିଲ୍ ପ୍ରଭୃତିର ବିଡ଼ା କାଢ଼ି ରଖି, ହଜାରେ ଟଙ୍କାର ନୋଟ ବିଡ଼ା ଧରାଇଦେଲା ।

 

ପରଦିନ ବସ୍ତିରେ ଥିଲା ଗୋବର୍ଦ୍ଧନଙ୍କର ନିର୍ବାଚନ ସଭା । କିନ୍ତୁ ସେଥିପାଇଁ ଆୟୋଜନର ନାମଗନ୍ଧ ନ ଥିଲା ! ଗୋବର୍ଦ୍ଧନଙ୍କ ନିର୍ବାଚନ ଅଫିସ୍‌ରେ ତାଲା । କାନ୍ଥ ଦେହରେ ଘୋଡ଼ାଚିହ୍ନର ରାଶି ରାଶି ପୋଷ୍ଟର, ବିନୟ ନିଖୋଜ । ଗୋବର୍ଦ୍ଧନଙ୍କ ଜୀପ୍‌କୁ ଧରି ଦଳେ ଲଙ୍ଗଳା ପିଲାଙ୍କ ଚିତ୍କାର... “ଭୋଟ୍ ଦେବ କେଉଁଠି ଘୋଡ଼ା ଚିହ୍ନ ଯେଉଁଠି !” ଲଙ୍ଗଳା ପିଲାଙ୍କ ସେଇ ଦଳର ପୁରୋଭାଗରେ ସେଇ ବୃଦ୍ଧ ଧନେଶ୍ଵର । ସେ ମଧ୍ୟ ଆଜି ପିଲା । ଦୁଇଖଣ୍ଡ ନୂଆ ଦଶଟଙ୍କିଆ ନୋଟର ସଞ୍ଜିବନୀ ଶକ୍ତିତ କମ୍ ନୁହେଁ !

 

ଗୋବର୍ଦ୍ଧନ ଗୋଟିଏ ଦୀର୍ଘଶ୍ଵାସ ପକାଇ ଜୀପ୍ ଫେରାଇଲେ ।

 

ତାଙ୍କ ପଛରେ ଲଙ୍ଗଳା ପିଲାଙ୍କ ଚିତ୍କାର ଶୁଭୁଥିଲା...

 

“ଭୋଟ ଦେବ କେଉଁଠି, ଘୋଡ଼ାଚିହ୍ନ ଯେଉଁଠି ।”

☆☆☆

 

ବୃତ୍ତ : କେନ୍ଦ୍ରହୀନ

 

ଜେଲଖାନା ନିସ୍ତବ୍ଧ… କବରସ୍ଥାନ ପରି । ପାଗଳର ସେଲ୍‌ଆଡ଼ୁ ହରିଧ୍ଵନି କିମ୍ବା ରଘୁପତି ରାଘବ ରାଜାରାମ ସଂକୀର୍ତ୍ତନ ସୁଦ୍ଧା ଆଉ ଶୁଣାଯାଉ ନଥିଲା । ଅଥଚ ଅଳ୍ପ ପୂର୍ବେ ତା’ର ହରିବୋଲ–ବୋଲ ହରିବୋଲ ଧ୍ୱନିରେ ୱାର୍ଡ଼ଟା ସାରା ଫାଟି ପଡ଼ୁଥିଲା । ୱାର୍ଡ଼ଟି ହରିଭକ୍ତ, ବୈଷ୍ଣବ–ସେଥିପାଇଁ ପାଗଳର ହରିନାମ ସଂକୀର୍ତ୍ତନରେ ସେ ବାଧା ଦେଉ ନଥିଲେ । ତା ନ ହେଲେ ତାହା ତ ହରିନାମ କୀର୍ତ୍ତନ ନଥିଲା ତାହା ଥିଲା ଯେପରି ଅଶ୍ରାବ୍ୟ ଏକ ପ୍ରମତ୍ତ ଚିତ୍କାର । “ପାଗଳ ତୁମେ ଏପରି ଉତ୍କଟ ହରିଧ୍ଵନି କର କାହିଁକି ?” ପାଗଳ ଥରେ ଉତ୍ତର ଦେଇଥିଲା–“ମୁଁ ବଞ୍ଚିଛି ବୋଲି ଘୋଷଣା କରିବା ପାଇଁ ।” ସେହିଦିନୁ ଆମ ଦୁହିଁଙ୍କ ବନ୍ଧୁତ୍ଵ । ତଥାପି ବେଳେ ବେଳେ ଅସହ୍ୟ ହୋଇଉଠେ ପାଗଳର ହରିଧ୍ଵନି । ସେ ପାଗଳ ! ଗୋଟାଏ ନିର୍ଘାତ ପାଗଳ ! ହଁ ବଞ୍ଚିବା ପାଇଁ ଚିତ୍କାର ଆବଶ୍ୟକ ! ଚିତ୍କାର ହିଁ ମୁକ୍ତି ।

 

ମେଣ୍ଟାଲ ହାସ୍‍ପାତାଳରେ ନ ରଖି ପାଗଳଟାକୁ ଏଠି ୱାର୍ଡ଼ରେ, ସେଲ୍ ଭିତରେ ରଖି ଆମମାନଙ୍କୁ ଏପରି ଅତିଷ୍ଠ କରିବାର ମତଲବ କ’ଣ ? ଏ ବି କ’ଣ ଆମ ପ୍ରତି ଆଉ ଏକ ଶାସ୍ତି-? ଦିନେ ବିରକ୍ତିରେ ମୁଁ ପଚାରିଥିଲି ଜେଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କୁ, ସେଦିନ ସେ ଆମ ସେଲ୍‌ ସବୁ ବୁଲି ତଦାରଖ କରୁଥିଲେ । କଏଦୀମାନଙ୍କର ସୁବିଧା ଅସୁବିଧା ପଚାରି ବୁଝୁଥିଲେ ।

 

ସୁପରିଣ୍ଟେଣ୍ଡେଣ୍ଟ ଉତ୍ତର ଦେଇଥିଲେ......କିନ୍ତୁ “ମେଣ୍ଟାଲ୍‍ ହସ୍‌ପିଟାଲ ଡାକ୍ତରମାନେ ତାକୁ ପରୀକ୍ଷା କରି ଦେଖି ସାରିଛନ୍ତି । ସେ ପାଗଳ ନୁହେଁ କିମ୍ବା ତା’ର କୌଣସି ମାନସିକ ବିକୃତି ନାହିଁ । କଥାବାର୍ତ୍ତାରେ ସେ ଅତି ସାଧାରଣ । ଆଚରଣରେ ମଧ୍ୟ । ସାଇକିଆଟ୍ରିକ୍ ୱାର୍ଡ଼ରେ ତାକୁ ରଖିବା ପାଇଁ ସେମାନେ ମନା କରିଦେଲେ । ସେମାନେ କହିଲେ ସେ ଜଣେ ହରିଭକ୍ତ ।”

 

“ତା’ହେଲେ ଆପଣମାନେ ତାକୁ କୌଣସି ମଠ ବା ମନ୍ଦିରକୁ ନ ପଠାଇ ଏଠି ଜେଲ୍‌ରେ ରଖିଛନ୍ତି କାହିଁକି ?”

 

ସୁପରିଣ୍ଟେଣ୍ଡେଣ୍ଟ ବାଟନ୍‌ଟା ହାତରେ ନଚାଇ ନଚାଇ ଗୋଟାଏ ଦୀର୍ଘଶ୍ଵାସ ପକାଇ ନୀରବ ରହିଲେ । ଓଠରେ ତାଙ୍କର ତୀକ୍ଷ୍‌ଣ ହସର ଗୋଟାଏ କ୍ଷୀଣରେଖା ଉକୁଟି ଉଠି ମିଳାଇଗଲା ।

 

ପାଗଳ ପ୍ରତି ମୁଁ ଆରମ୍ଭରୁ ଥିଲି ବୀତସ୍ପୃହ । କିନ୍ତୁ କ୍ରମେ ତାହା ସହିତ ମୋର ବନ୍ଧୁତ୍ଵ ଜମି ଉଠିଲା । ଯେଉଁଦିନ ମୁଁ ବୁଝିଲି, ସେ ମୋର ଶୂନ୍ୟଗର୍ଭ ସ୍ଥିତିର ଭିତ୍ତିଭୂମି । ମୋର ପରିଧିହୀନ ବୃତ୍ତର କେନ୍ଦ୍ରବିନ୍ଦୁ । ଯେଉଁ ସମୟରେ ସେ ବୋଲ୍ ହରିବୋଲ୍ ଚିତ୍କାର କରେ, ଘାଗଡ଼ା ଗଳାରେ ରଘୁପତି ରାଘବ ରାଜାରାମ ସଂକୀର୍ତ୍ତନ ବୋଲେ, ସେତିକି ସମୟ ମୁଁ ଅନୁଭବ କରେ ଅତଳ ଶୂନ୍ୟତା ଭିତରେ ମୋର ଗୋଟାଏ ସ୍ଥିତି ଅଛି । ମୋଟ କଥା ମୁଁ ଉପଲବ୍ଧି କରେ ମୁଁ ବଞ୍ଚିଛି ।

 

କିନ୍ତୁ ଆଜି ପାଗଳର ଆକସ୍ମିକ ନୀରବତା ମୋର ନିଜର ସ୍ଥିତି ପ୍ରତି ମୋତେ ସନ୍ଦିଗ୍ଧ କରି ଦେଇଥିଲା । ମୁଁ ବଞ୍ଚିଛି ନା ଏକ ମୁର୍ଦ୍ଦାର, ସ୍ଥିର କରିପାରୁନଥିଲି । ମୋତେ ଯେପରି ଘେରି ହୋଇଥିବା ସେଲ୍‌ଟା ଲାଗୁଥିଲା, କବରର ଶିଉଳିବସା କାନ୍ଥ ପରି, ଆଉ ଛାତଟା ଯେପରି ସଫେଦ କଫିନ୍‍ ! ଇଲେକ୍ଟ୍ରିକ୍‌ ବଲ୍‍ବଟା ଜଳୁଥିଲା ବୃଶ୍ଚିକର ଦଂଶନ ପରି । ବଲ୍‍ବଟା ସେଇପରି ଜଳେ ଦିନରାତି । କର୍ତ୍ତାମାନଙ୍କ ଆଖିରେ ଏଇ ମଧ୍ୟାହ୍ନଟା ଯେପରି ଅନ୍ଧକାର, ବିନିଦ୍ର ମଧ୍ୟରାତ୍ରି !

 

“ଭାଇ ପାଗଳ”–

 

ସେଇ ନିପୀଡ଼ନ ନୀରବତାକୁ ହତ୍ୟା କରିବା ପାଇଁ ମୁଁ ସେଲ୍‌ର ଲୁହା ରେଲିଙ୍ଗ୍ ଉପରେ ମୁହଁ ଚାପି ଡାକିଲି.... “ଭାଇ ପାଗଳ”

 

ପାଗଳ ନିରୁତ୍ତର । ସେମାନେ କ’ଣ ନେଇଗଲେ ମେଣ୍ଟାଲ୍ ହସ୍‍ପିଟାଲକୁ ? ତା’ହେଲେ ତ ମୁଁ ଜାଣିପାରିଥାନ୍ତି । ଆଉଥରେ ଡାକିଲି–“ଭାଇ ପାଗଳ ।”

 

ପାଗଳ ମୌନବ୍ରତ ପାଳନ କରିଛି ନା କ’ଣ ? ସେଇ ଅସ୍ଵସ୍ତିକର ଶ୍ଵାସନିରୋଧକ ନୀରବତାରୁ ମୁକ୍ତପାଇଁ, ମୁଁ ଚାହୁଁଥିଲି ପାଗଳ ସହିତ ଆଳାପ ।

 

ପାଗଳ କିନ୍ତୁ ନିରୁତ୍ତର । ତାର ଆଶଙ୍କା ଏଇ କୟଦୀଟା ହୁଏତ ଗୋଟାଏ ଭୟଙ୍କର ଡାକୁ, ନୋହିଲେ ଖୁଣୀ । ଗଣ୍ଡା ଗଣ୍ଡା ମଣିଷ ଖୁଣରେ ତା’ର ହାତ ଲାଲ ହୋଇଛି । ତା’ ନ ହେଲେ କର୍ତ୍ତାମାନେ ତାକୁ ହାତକଡ଼ି ପିନ୍ଧାଇ ଗାରଦ ଭିତରେ ବନ୍ଦକରି ରଖିଥାନ୍ତେ କାହିଁକି, ଗୋଟାଏ ଜାନୁଆର ପରି ?

 

ପାଗଳର ଭାବନାର ସ୍ରୋତ ଅଟକିଗଲା । ପାଗଳର ଆଖି ଆଗରେ ଭାସି ଉଠିଲା ମୁସୋଲିନୀ, ହିଟଲର, ଷ୍ଟାଲିନ୍‍ଙ୍କ ଚେହେରା । ସେମାନଙ୍କ ପରି ଯେଉଁମାନଙ୍କ ହାତ ଶହ ଶହ ମଣିଷଙ୍କ ଖୁନ୍‌ରେ ଲାଲ୍ ହୋଇଥାଏ; ସେମାନେ ପାଇଥାନ୍ତି ମେଡାଲ, ଡେକୋରେସନ୍‍, ଉପାଧି, ପଦବୀ । ସେମାନଙ୍କୁ ପିନ୍ଧାଇ ଦିଆଯାଇଥାଏ ଅଭିନନ୍ଦନର ବରଣମାଳା । କିନ୍ତୁ ସେମାନଙ୍କ ହାତରେ ତ କେବେ ପଡ଼ିନଥାଏ ବନ୍ଧନର ଶୃଙ୍ଖଳ ! ସେମାନଙ୍କୁ ତ ଅଟକ ରଖାଯାଏ ନାହିଁ–ଗାରଦ ଭିତରେ ଆବଦ୍ଧ ପଶୁପରି ? ତା’ହେଲେ ଏ ନିରୀହ ପାଗଳଟିକୁ ସେମାନେ ସେପରି ବନ୍ଦକରି ରଖିଛନ୍ତି କାହିଁକି ?

 

ପାଗଳ ଏ ପ୍ରଶ୍ନର କୌଣସି ଉତ୍ତର ଖୋଜି ନପାଇ ଚିତ୍କାର କରି ଉଠିଲା.... “ହରିବୋଲ......ବୋଲ୍ ଭାଇ ହରିବୋଲ ।” ନିସ୍ତବ୍ଧ ୱାର୍ଡ଼ଟା ପୁଣି ପ୍ରତିଧ୍ଵନିତ ହୋଇଉଠିଲା ତା’ର ପ୍ରମତ୍ତ ହରିଧ୍ଵନିରେ । ମୁଁ ଆଶ୍ଵସ୍ତ ହେଲି ମୁଁ ମରିନାହିଁ । ମୁଁ ମୁର୍ଦ୍ଦାର ନୁହଁ । ମୁଁ ବଞ୍ଚିଛି ।

 

ପାଗଳର ମୌନବ୍ରତ ଭାଙ୍ଗିଛି । ମୁଁ ଡାକିଲି.... “ଭାଇ । ପାଗଳ....” ପାଗଳ ପଚାରିଲା କେତେ ମଣିଷଙ୍କୁ ଖୁନ୍ କରିଛ ତୁମେ ? କେତେଟା ଡକାୟତିରେ ସର୍ଦ୍ଦାରୀ କରିଛ ?”

 

“ନା ଭାଇ, କାହାକୁ ଖୁନ୍ କରିନାହିଁ ମୁଁ । ଗୋଟାଏ ଫଳକଟା ଛୁରି ଦେଖିଲେ ସୁଦ୍ଧା ଚମକି ପଡ଼ିବା ମଣିଷ ମୁଁ ।”

 

“ତମେ ନିଶ୍ଚୟ ଖୁଣୀ । ତା’ ନ ହେଲେ ସେମାନେ ତୁମକୁ ହାତକଡ଼ା ପିନ୍ଧାଇ ରଖିଥାନ୍ତେ କାହିଁକି, ଏକୁଟିଆ ସେଲ୍‌ରେ ଗୋଟାଏ ଜାନୁଆର ପରି ?”–ପାଗଳର ପ୍ରଶ୍ନ । ହାଃ......ହାଃ......ହାଃ–ମୁଁ ଅଟ୍ଟହାସ୍ୟ କରିଉଠିଲି । ଲୋକଟା ନିର୍ଘାତ୍ ପାଗଳ । ତା’ ନ ହେଲେ ସେ କ’ଣ ମୋତେ ରଖିଥାନ୍ତା ଖୁଣୀ, ଡାକୁ ତାଲିକାରେ ? କିନ୍ତୁ ସେହି ନିୟାମକ ଅନୁସାରେ କର୍ତ୍ତାମାନେ ତା’ହେଲେ କ’ଣ ପାଗଳ ନୁହଁନ୍ତି ?

 

ମୁଁ ଉତ୍ତର ଦେଲି..... “ମୁଁ ଜଣେ ଲେଖକ । ଲେଖକମାନେ କ’ଣ କେବେ ଖୁନ୍ କରିପାରନ୍ତି ?” ପାଗଳ ଚିତ୍କାର କରିଉଠିଲା ପାଖ ସେଲ୍‌ରୁ.....

 

“ଲେଖକମାନେଇ ସବୁଠାରୁ ମାରାତ୍ମକ ଖୁନୀ । କଲମ ମୁନରେ ସେମାନେ ଇତିହାସରେ ବୁହାଇଛନ୍ତି ଅନେକ ରକ୍ତସ୍ରୋତ । କଲମ ଦାଢ଼ରେ ସେମାନେ ହତ୍ୟା କରନ୍ତି ଅନେକ ମଣିଷ ।”

 

ପାଗଳର ଆକ୍ଷେପ ମିଥ୍ୟା ନୁହେଁ । ଇତିହାସରେ କାଳେ, କାଳେ, ଯେତେ ମୁଣ୍ଡକାଟ ରକ୍ତପାତ ହୋଇଛି, ସେସବୁର ନେପଥ୍ୟରେ ରହିଛନ୍ତି ଜଣେ, ଜଣେ ଲେଖକ । “କିନ୍ତୁ ଭାଇ ପାଗଳ, ମୁଁ ତ ଆଉ ଲେଖି ପାରୁନାହିଁ । ମୋର ଲେଖାର ସ୍ରୋତ କେଉଁଠି ଅଟକି ଯାଇଛି । କର୍ତ୍ତାମାନେ ମୋ କଲମ ମୁନକୁ ଛେଚି ଦନ୍ଥଡ଼ା କରିଦେଇଛନ୍ତି । ଗୋଟାଏ ଅକ୍ଷର ସୁଦ୍ଧା ଲେଖି ହେବନାହିଁ ସେଥିରେ ।”

 

“ତା’ହେଲେ ? ପାଗଳାର ପ୍ରଶ୍ନ ।

 

“ତା’ହେଲେ” ? ମୋର ବିଭ୍ରାନ୍ତ ଉତ୍ତର ।

 

ପାଗଳ ପୁଣି ଚିତ୍କାର କରିଉଠିଲା..... “ହରିବୋଲ......ବୋଲ ଭାଇ ହରିବୋଲ” ।

 

ମୁଁ ଯଦି ପାଗଳ ପରି ହରିଧ୍ଵନି କରିପାରନ୍ତି ।

 

ଆମ ସେଲ୍ ସାମନାରେ ଗୋଟିଏ ଛୋଟିଆ ଲନ୍ । କିନ୍ତୁ ତା’ର ଘାସ ସବୁ ଖରାରେ ଜଳି ଯାଇଛି । ସେଲ୍‌ର କୟଦୀମାନେ ଲନ୍‌ରେ ପାଣି ଢାଳି, ଲନ୍‌କୁ ସବୁଜ ରଖିବା କଥା । କିନ୍ତୁ ଆମେ ଦୁହେଁ ଆଶ୍ରମ କାରାଦଣ୍ଡ ପାଇଥିବାରୁ ଲନ୍‌ରେ ପାଣି ଢାଳିବାର ଦାୟିତ୍ଵ ଆମର ନଥିଲା । ଅଥଚ ଲନ୍‌ରେ ପାଣି ଢାଳି ସବୁଜ ଘାସ କଅଁଳାଇବାର କର୍ତ୍ତବ୍ୟ ମୋ ଉପରେ ପଡ଼ିଥିଲେ, ମୁଁ ବର୍ଣ୍ଣନାତୀତ ଭାବରେ ଆନନ୍ଦିତ ହୋଇଥାନ୍ତି– ସନ୍ଦେହ ନାହିଁ । ଲେଖକର ଅନ୍ତଃଦୃଷ୍ଟିରେ– ଘାସ କଅଁଳେଇବା ଭାର ବା କବିତା ଲେଖିବା ଭାର ମନ୍ଦ ନୁହେଁ । ଏକାଥରେ ଛଅଟାରେ ଗାରଦ ବନ୍ଦ ହେବାର ଘଣ୍ଟାକ ପୂର୍ବରୁ ଆମେ ପ୍ରତ୍ୟେହ ମୁକ୍ତି ପାଇଥାଉ, ସେଇ ଲନ୍‌ରେ ଘଣ୍ଟାଏ ବୁଲିବା ପାଇଁ । କିନ୍ତୁ ଅଧିକାଂଶ ଦିନ ପାଗଳ ତା ସେଲ୍‌ ଭିତରୁ ବାହାରେ ନାହିଁ । ଥରେ ତା’ର ସାନିଧ୍ୟ ପାଇଁ ବ୍ୟକୁଳ ହୋଇ ମୁଁ ପଚାରିଥିଲି–“ତୁମେ ବାହାରକୁ ବୁଲିବା ପାଇଁ ଆସ ନାହିଁ କାହିଁକି ଭାଇ ପାଗଳ-?” ପାଗଳ ଉତ୍ତର ଦେଇଥିଲା–“ଲୁହା ସିମେଣ୍ଟର ଗୋଟାଏ ଗାରଦ ଭିତରୁ ବାହାରି ଘୋଡ଼ା ଘାସର ଆଉ ଗୋଟାଏ ଗାରଦ ଭିତରେ ପଶିବା ସମୟ ଆଉ ଶକ୍ତିର ଅପଚୟ ମାତ୍ର-।” ମୁଁ କ୍ଵଚିତ୍ ଏକା ଏକା ପାଦଚାରଣ କରିଥାଏ ସେହି ଲନ୍‌ରେ ।

 

ସେଦିନ କିନ୍ତୁ ଆକସ୍ମିକ ଭାବରେ ଆମ ଦୁହିଁଙ୍କର ସାକ୍ଷାତ୍‍ ହୋଇଥିଲା ସେହି ଲନ୍‌ରେ-। ପାଗଳ ସେଦିନ ଲନ୍‌ରୁ ବାହାରି ବସିଥିଲା, ଲନ୍ ଶେଷରେ ଅଷ୍ଟାବକ୍ରୀ କାଠଚମ୍ପା ଗଛମୂଳେ ଗୋଟିଏ ସିମେଣ୍ଟ ବେଦି ଉପରେ । ତା’ ମୁଣ୍ଡର ଲମ୍ବାବାଳ ଝୁଲିପଡ଼ିଥିଲା କାନ୍ଧ ଉପରକୁ ଅବିନ୍ୟସ୍ତ ଭାବରେ । ମୁହଁରେ ଲମ୍ବ ଦାଢ଼ି । ସେ ଦିଶୁଥିଲା ଯୀଶୁଖ୍ରୀଷ୍ଟଙ୍କ ଚିତ୍ରପଟ ପରି, ଅଭାବ ଥିଲା କେବଳ ତାର ମୁଣ୍ଡ ଚାରିପଟେ ଆଲୋକର ଦ୍ୟୁତିରେଖା ।

 

ମୁଁ ସ୍ଵସ୍ତିର ଦୀର୍ଘଶ୍ଵାସ ପକାଇ ବସିଲି ଆସି ସେଇ ସିମେଣ୍ଟ ଚଉତରା ଉପରେ । ପାଗଳର ଓଠରେ ହସର ଗୋଟାଏ କ୍ଷୀଣରେଖା ଉକୁଟି ଉଠିଲା । ସେ ଆଗତୁରା ସମ୍ଭାଷଣ ଜଣାଇଲା.... “ଓ ! ତୁମେଇ ଖୁନୀ ସର୍ଦ୍ଦାର । ଆସ–ଆସ ।”

 

“ଖୁନୀ ନୁହେଁ । ଲେଖକ । ଭୂତପୂର୍ବ–ଲେଖକ, ଯଥାର୍ଥରେ କହିବାକୁ ଗଲେ” ମୁଁ ଉତ୍ତର ଦେଲି ଈଷତ୍ ବିରକ୍ତ କଣ୍ଠରେ ।

 

“ତା’ହେଲେ ସେମାନେ ତୁମକୁ ଆଣି ଏଇ ସେଲ୍ ଭିତରେ ବନ୍ଦକରି ରଖିଛନ୍ତି କାହିଁକି-?”

 

ମୁଁ ଆରମ୍ଭ କଲି ମୋର ଦୁର୍ଭାଗ୍ୟଜନକ ଅଭିଜ୍ଞତାର ଇତିବୃତ୍ତ... “ବୁଝିଲି ପାଗଳ, ଦିନେ ସେମାନେ ମୋର କଲମ ମୁନକୁ ଛେଚି ଦନ୍ଥଡ଼ା କରିଦେଲେ । ସେଥିରେ ବଙ୍କା ତେଢ଼ା କରି ଗୋଟାଏ ଗୋଟାଏ ଅକ୍ଷର ଲେଖା ଯାଇପାରେ । ମାତ୍ର ସେସବୁ ସୁନ୍ଦର ସୁନ୍ଦର ବାକ୍ୟ ବା ବାକ୍ୟାଂଶ ନୁହେଁ, ଯାହା ଦିନେ ଏ ଦେଶର ଜନତାକୁ ପାଗଳ କରିଥିଲା ।”

 

ତା’ପରେ ?

 

“ତା’ପରେ ଆଉ କ’ଣ ? ମୁଁ ଯେପରି ହୋଇଉଠିଲି ଗୋଟିଏ ବାଲୁଗର୍ଭ ମରୁନଦୀ । ଶୁଷ୍କତାର, ଶୂନ୍ୟତାର ସେ ଜ୍ଵାଳା ତୁମେ ବୁଝିପାରିବନି ପାଗଳ ।”

 

ମୁଁ ବେଶ୍ ଅନୁଭବ କରିପାରୁଛି ତମର ରିକ୍ତତା ଯେଉଁ ଅମୃତର ଧାରା ଜୀବନପାତ୍ରକୁ ପୂର୍ଣ୍ଣ କରିଥାଏ, ତାହା ଦିନେ ନିଃଶେଷ ହୋଇଗଲେ ଜୀବନଯାତ୍ରାଟା କିପରି ଲାଗେ ଗୋଟାଏ କବରର ଗହ୍ଵର ପରି, ସେ ଅଭିଜ୍ଞତା ବେଶ୍ ଅଛି ମୋର । ତାପରେ–?”

 

“ତା’ପରେ ସେଇ ଗ୍ଳାନିକର ରିକ୍ତତା, ସେଇ ଶୂନ୍ୟତାରୁ ମୁକ୍ତି ପାଇବା ପାଇଁ ମୁଁ କାନ୍ଥରେ, ବାଡ଼ରେ ଗୋଟିଏ ବ୍ରସ, ଆଉ ଆଲକାତରା ଧରି ଗାରେଇ ଚାଲିଲି.... “ମୁଁ ମରିନାହିଁ । ମୁଁ ବଞ୍ଚିଛି ।”

 

ଏଇ ସାମାନ୍ୟ ନିରୀହ ଉଦ୍‌ଘୋଷଣା । କିନ୍ତୁ ସେଥିରେ କି ଇନ୍ଦ୍ରଜାଲ ଥିଲା କେଜାଣି, ସହରରେ ଯିଏ ପାରିଲା, ସେ ମଧ୍ୟ କାନ୍ଥରେ ବାଡ଼ରେ ଗାରେଇ ଚାଲିଲା–“ମୁଁ ବଞ୍ଚିଛି” “ଆମେ ମରିନାହୁଁ ।” ସହରର କାନ୍ଥବାଡ଼ ଛାଇ ହୋଇଗଲା ଏଇ ସଞ୍ଜିବନୀ ଶ୍ଳୋକରେ ।

 

ତା’ପରେ ସେମାନେ ମୋତେ ଦିନେ ଧରି ନେଇଗଲେ ଥାନାକୁ ।

 

“ମୁଁ ବଞ୍ଚିବି’’ର ଅର୍ଥ କଣ ? –ପଚାରିଲେ ପୋଲିସ ଅଫିସର ।

 

“ମୁଁ ମରିନାହିଁ । ଏହାଛଡ଼ା ମୁଁ ବଞ୍ଚିଛିର ଆଉ କି ଅର୍ଥ ହୋଇପାରେ ?”

 

ପୋଲିସ ଅଫିସର ନାଟକୀୟ ଭଙ୍ଗୀରେ ଅଟ୍ଟହାସ କରି ଉଠିଲେ.... “ଓଃ ! ତା’ହେଲେ ତମେ ତଥାପି ବଞ୍ଚିଛ !” ତା’ପରେ ସେମାନେ ମୋତେ ହାତରେ କଡ଼ି ପିନ୍ଧାଇ ଘେନି ଆସିଲେ ଏଇ ସେଲ୍‌କୁ ଆଉ ତମେ ?”

 

ପାଗଳ କହି ଚାଲିଲା ତା’ର ଅଭିଜ୍ଞତାର କାହାଣୀ ।

 

“କିନ୍ତୁ ସେଇ କର୍ତ୍ତାମାନେ ପାଗଳ କହନ୍ତି କାହାକୁ ? ପାଗଳର ସଂଜ୍ଞା କ’ଣ ? –ପାଗଳର ପ୍ରଶ୍ନ ।

 

“ତୁମେଇ ତା’ର ଭଲ ଜବାବ ଦେଇପାରିବ”–ମୁଁ ଉତ୍ତର ଦେଲି, କିଂକର୍ତ୍ତବ୍ୟବିମୂଢ଼ କଣ୍ଠରେ । ପାଗଳ କହିଲା...“ତୁମ ସହିତ ଦୃଷ୍ଟିକୋଣରେ ପାର୍ଥକ୍ୟ ଘଟିଲେ, ତୁମେ ମୋତେ କହିବ ପାଗଳ । ଅର୍ଥାତ, ତୁମେ ଯାହାକୁ ଦିନ କୁହ ମୁଁ ଯଦି ତାକୁ କହେ ରାତି, ତା’ହେଲେ ତୁମେ ମୋତେ ପଠାଇଦେବ ମେଣ୍ଟାଲ୍ ହସପିଟାଲକୁ । ତୁମେ ଭୁଲି ଯିବ, ପାଗଳର ମଧ୍ୟ ଗୋଟାଏ ଦୃଷ୍ଟିକୋଣ ଅଛି !”

 

ପାଗଳର ଜୀବନରେ ଥରେ ସେହିପରି ଗୋଟିଏ ଘଟଣା ଘଟିଥିଲା । ସେ ଦିନେ ଖରାବେଳେ, ଗୋଟିଏ ନିଆଁହୁଳା ଧରି ବାହାରି ପଡ଼ିଥିଲା ସହରର ବଡ଼ ରାସ୍ତାରେ । ...ପାଗଳ ତା’ କାହାଣୀ କହି ଚାଲିଲା ।

 

ମୁଁ ମନେମନେ କଳ୍ପନା କରିଥିଲି, ଯୀଶୁଖ୍ରୀଷ୍ଟଙ୍କ ପରି ଦିଶୁଥିବା ଏଇ ପାଗଳ ହାତରେ ଧରି ଚାଲିଛି ଗୋଟିଏ ନିଆଁହୁଳା ନିର୍ଧୂମ୍ ଦିନ ପ୍ରହରରେ । ମୁଣ୍ଡ ଉପରେ ମଧ୍ୟାହ୍ନର ସୂର୍ଯ୍ୟ !

 

କିନ୍ତୁ ତୁମେ ନିଆଁ ହୁଳାଟାଏ ଧରି ଖରାବେଳେ ବାହାରିଲେ, ଲୋକେ ତୁମକୁ ପାଗଳ କହିବେ ନାହିଁ ତ ଆଉ କହିବେ କ’ଣ ?

 

ପାଗଳ ଉତ୍ତର ଦେଲା–“କିନ୍ତୁ ତୁମେ ଯାହାକୁ ମଧ୍ୟାହ୍ନ ବୋଲି କହୁଛ, ମୋ ଦୃଷ୍ଟିରେ ତାହା ଅନ୍ଧକାର ମଧ୍ୟରାତ୍ରି ହୋଇଥାଏ ?”

 

ମୁଁ ନୀରବ ରହିଲି । ପାଗଳର ପ୍ରଶ୍ନର କୌଣସି ସଦୁତ୍ତର ମୁଁ ଖୋଜିପାଉ ନଥିଲି ।

 

ରାସ୍ତାର ଟ୍ରାଫିକ୍ ପୋଲିସ୍ ପାଗଳକୁ ଅଟକାଇ ପ୍ରଶ୍ନ କଲା, ଖରାବେଳେ ଗୋଟାଏ ନିଆଁହୁଳା ଧରି ରାସ୍ତାରେ ବାହାରିବା ମତଲବ୍ କ’ଣ ? ତମେ ନିଶ୍ଚୟ ଚାଲିଛ କୌଣସିଠାରେ ନିଆଁ ଲଗାଇବା ପାଇଁ ! ବ୍ୟାଙ୍କ ନା ଇନସୁରାନ୍ସ କମ୍ପାନୀ ?”

 

ପାଗଳ କହିଲା... “ମୁଁ ଉତ୍ତର ଦେଲି ଖରାବେଳେ କ’ଣ ? ଇଏ ଯେ ରାତି ଅଧ-। ଚାରିଆଡ଼େ ମେଞ୍ଚା ମେଞ୍ଚା ଅନ୍ଧାର ! ମୁଁ ବାଟ ଖୋଜି ପାଉନାହିଁ । ସେଇଥିପାଇଁତ ଧରିଛି ନିଆଁହୁଳା-! ଆଚ୍ଛା ମୁଁ କିଛି ଅନ୍ୟାୟ କଥା କହିଲି ସର୍ଦ୍ଦାର ?

 

“ତା’ପରେ ?”

 

ପାଗଳର କଣ୍ଠରେ ଅଟ୍ଟହାସର ତୋଫାନ । ସେ ହସିହସି କହିଲା, “ମୋର ସେଇ ନିଆଁହୁଳାକୁ ନିଭାଇବା ପାଇଁ ପୋଲିସ ୱାର୍ୟାଲେସରେ ମଗାଇଲା ଅଧଡର୍ଜନ ଭଳି ଫାୟାର ବ୍ରିଗେଡ଼ । ନିଆଁକୁ ସେମାନେ ପଙ୍ଗପାଳ ପରି ଏତେ ଭୟ କରନ୍ତି ମୁଁ ଜାଣିଲି ସେଇ ପ୍ରଥମ ଦିନ !”

 

“ତା’ପରେ ସେମାନେ ମୋ’ ହାତରୁ ନିଆଁହୁଳା ଛଡ଼ାଇନେଇ ପାଣିହୋସ୍ ପକାଇ ନିଭାଇ, ମୋତେ ଧରି ନେଇଗଲେ ଗୋଟାଏ ମେଣ୍ଟାଲ୍ ହସ୍‍ପିଟାଲକୁ । ଏପରି ପାଗଳକୁ ବାହାରେ ଛାଡ଼ିବାଠାରୁ ବଳି ଆଉ କିଛି ମାରାତ୍ମକ କଥା ଥାଇପାରେ ବୋଲି ସେମାନେ ଭାବିପାରୁ ନଥିଲେ !”

 

ମେଣ୍ଟାଲ ହସ୍‍ପିଟାଲ ଡାକ୍ତରମାନେ ମୋତେ ପରୀକ୍ଷା କରି କିନ୍ତୁ କହିଲେ “ସଂପୂର୍ଣ୍ଣ ପ୍ରକୃତିସ୍ଥ ।”

 

ତା’ପରେ ମେଣ୍ଟାଲ ହସ୍‍ପିଟାଲରୁ ମୁଁ ଆସିଲି ଜେଲ୍‍ଖାନାକୁ ।

 

“ଅଭିଯୋଗ “? ....ମୁଁ ପଚାରିଲି ।

 

“ଅଭିଯୋଗ ବୋଧହୁଏ ମୁଁ ସହରଟାକୁ ପୋଡ଼ିଦେବା ପାଇଁ ଯାଉଥିଲି । ପୋଡ଼ି ଦେଇଥିଲେ ଗୋଟାଏ ଜଞ୍ଜାଳ ଯାଇଥାନ୍ତା ନା କ’ଣ କହୁଛ ସର୍ଦ୍ଦାର ?

 

ଜେଲ୍‍ଖାନା ଘଣ୍ଟାରେ ଛଅଟା ବାଜିଲା । ଜେଲ୍‍ଖାନା ହତା ଝଙ୍କାଳିଆ ଓସ୍ତଗଛ ଉଢ଼ାଳରେ ଅସ୍ତସୂର୍ଯ୍ୟ, ଯେପରି ପାଗଳ ହାତରେ ସେଇ ନିଆଁହୁଳା ।

 

ଘଣ୍ଟା ବାଜିବା ମାତ୍ରେ ୱାର୍ଡ଼ମାନଙ୍କର ଲୁହା ଫାଟକ ସବୁ ଝଣଝାଣ ହୋଇ ବନ୍ଦହେବା ଶବ୍ଦରେ ଜେଲଖାନାର ନୀରବ ମୂର୍ଚ୍ଛିତ ସନ୍ଧ୍ୟା ଆର୍ତ୍ତନାଦ କରିଉଠିଲା ।

 

ଆମେ ଉଠିଗଲୁ ନିଜନିଜ ସେଲ୍‌କୁ । ପୁଣି ସେଇ ମିଞ୍ଜିମିଞ୍ଜିଆ ଇଲେକ୍‌ଟ୍ରିକ୍‌ ବଲ୍‌ବ, କବରର ସେଇ ଶିଉଳି ବସା ଗହ୍ଵର । ଖଣ୍ଡେ ଅଙ୍ଗାରରେ ସେଇ କାନ୍ଥରେ କେତେଦିନ ଗାରେଇଥିଲି.... “ଜୀବନ ମୁକ୍ତ, ବନ୍ଧନ ମୃତ୍ୟୁ !” ଇଲେକ୍ଟ୍ରିକ୍‌ ଆଲୋକରେ ସେଇ ଲେଖାଟା ଦପ୍‍ଦପ୍ କରି ଉଠୁଥିଲା । ମୁଁ ଗୋଟାଏ ଜିଅନ୍ତା ମୁର୍ଦ୍ଦାର ! ବଞ୍ଚିଛି କି ନାହିଁ ପରୀକ୍ଷା କରିବା ପାଇଁ ମୁଁ ନଖରେ ମୋ’ ହାତ ଚିରିଲି । ସେଥିରୁ ବିନ୍ଦୁବିନ୍ଦୁ କଳାରକ୍ତ ତଳେ ଝରିପଡ଼ିଲା । କିନ୍ତୁ ଆଶ୍ଚର୍ଯ୍ୟ ! କୌଣସି ଯନ୍ତ୍ରଣା ନାହିଁ । ମୋର ଦେହଟା ଯେପରି ଅନୁଭୂତିହୀନ ଗୋଟାଏ ମାଂସପିଣ୍ଡ ।

 

ପାଖ ସେଲ୍‌ରୁ ପାଗଳ ହଠାତ୍ ଚିତ୍କାର କରି ଡାକିଲା... “ସର୍ଦ୍ଦାର !” ମୁଁ ପଚାରିଲି... “ଭାଇ ପାଗଳ । ମୁଁ ବଞ୍ଚିଛି ନା ମଲିଣି ?”

 

ପାଗଳ ଉତ୍ତର ଦେଲା... “ଜୀବନର ସାଧନା ମୃତ୍ୟୁ ଭିତରେ ସିଂହାସନ ଆଉ କାରାଗାର, ଗୋଟିଏ ସମୁଦ୍ର ଭିତରେ ଦୁଇଟା ପାଖ ମୁକୁଟ ଓ ହାତକଡ଼ି ! ସବୁ ଏକ !”

 

ତା’ପରେ “ହରିବୋଲ–ବୋଲ–ହରିବୋଲ” ଧ୍ଵନିରେ ଜେଲଖାନାର ମୂର୍ଚ୍ଛିତ ପରିବେଶ ପ୍ରତିଧ୍ଵନିତ ହୋଇ ଉଠିଲା । ମୁଁ ଆଶ୍ଵସ୍ତ ହେଲି ମୁଁ ମରିନାହିଁ ! ମୁଁ ତଥାପି ବଞ୍ଚିଛି ! (୧୯୭୫)

☆☆☆

 

ପ୍ରତିଧ୍ଵନି

 

“Alone in my room I could cry out, as though standing before a great crowd; My beloved downtrodden, luckless compatriots ! This is what we need, this is our road to freedom.”

 

[Jean Lacoutureଙ୍କ ଲିଖିତ ହୋ–ଚି–ମୀନ୍‌ଙ୍କ ଜୀବନୀରୁ]

 

କଲିଙ୍ଗ୍‍-ବେଲ୍‍ର ଟ୍ରିଙ୍ଗ୍ ଟ୍ରିଙ୍ଗ୍ ଚିତ୍କାର... ତା’ପରେ ବାଟନ୍‌ରେ ଠକ୍‍ ଠକ୍‍ ଆୱାଜ ବନ୍ଦ ଦରଜା ଉପରେ, ଝିଟିପିଟି ଟିକ୍‍ଟିକ୍ କରିବା ପରି…ଏ ଝିଟିପିଟି କିନ୍ତୁ ସେଇ ଆଦିମ ଡାଇନୋସାରମାନଙ୍କ ପରି...ଏଇ ଶବ୍ଦଟାକୁ ମୁଁ ଯେପରି ଏତେଦିନ ଅପେକ୍ଷା କରି ରହିଥିଲି ବିମୂଢ଼ ଅଥର୍ବତା ମଧ୍ୟରେ ! ତା’ପରେ କବାଟ ଉପରେ ବୁଟ୍‌ ଜୋତା ମିଶା ପାଦରେ ଗୋଇଠା । ବିଚାରା କବାଟଟା ସମ୍ଭାଳି ପାରିବତ ଏତେଗୁଡ଼ାଏ ବୁଟ୍ ଜୋତାର ମିଳିତ ଆକ୍ରମଣ ? କବାଟ ଭାଙ୍ଗିପଡ଼ିଲା-। ତା’ପରେ ବୁଟ୍‌ ଜୋତାର ମଚ୍ ମଚ୍ ଆୱାଜ !

 

ଚିତ୍କାର କରି ବିଛଣା ଉପରେ ଉଠି ବସିଲି । ଗୋଟାଏ ଲୁହା ସଣ୍ଡୁଆସି ମୋର ତୋଟିକୁ ଯେପରି ଏତେକ୍ଷଣ ଚିପି ଧରିଥିଲା । ମୋର ନିଶ୍ଵାସ ରୁନ୍ଧି ହୋଇ ଆସିଥିଲା । ଖୋଲା ଝରକା ବାଟେ ମୌସୁମୀଭିଜା ରାତିର ଥଣ୍ଡା ହାୱା ସତ୍ତ୍ୱେ ମୋର କପାଳରେ ବିନ୍ଦୁବିନ୍ଦୁ ଝାଳ । ନିଃଶ୍ଵାସ ତଥାପି ରୁଦ୍ଧ ହେବା ଭଳି ଲାଗୁଥିଲା । ନାଃ– ମୁଁ ଗୋଟାଏ ଦୁଃସ୍ଵପ୍ନ ଦେଖୁଥିଲି କେବଳ ! ଏହା ସତ୍ୟ ନୁହେଁ, ହୋଇ ନପାରେ ! ହୋଇ ବି ପାରେ !

 

ସ୍ଵସ୍ତିର ଗୋଟାଏ ଦୀର୍ଘଶ୍ଵାସ ପକାଇ, ବ୍ୟଗ୍ର ବ୍ୟାକୁଳ ହାତରେ, ଝରକା ପର୍ଦ୍ଦା ଘୁଞ୍ଚାଇଦେଲି । ମେଘବିବର୍ଣ୍ଣ ଆକାଶରେ ଗୋଟାଏ ଉଜ୍ଜ୍ଵଳ ନକ୍ଷତ୍ର ଦପ୍‍ଦପ୍ କରୁଥିଲା, ସାମ୍ନା ଫ୍ଲାଟଗୁଡ଼ାକର ଊର୍ଦ୍ଧ୍ଵରେ । ସେଇ ନକ୍ଷତ୍ର ଲୋକରୁ କିଏ ଯେପରି ସାଙ୍କେତିକ ବାର୍ତ୍ତା ପଠାଉଥିଲା, ଭୟ ନାହିଁ…ଭୟ ନାହିଁ.... ତୁମେ ତଥାପି ନିରାପଦ ! ମୋର ପ୍ରୟୋଜନ ଥିଲା ସେତେବେଳେ, ଦମକାଏ ରାତିର ଶିଶିରଭିଜା ହାୱା; ଆଉ ମୁକ୍ତିର ଏଇପରି ଗୋଟାଏ ଉଦାତ୍ତ ପ୍ରତିଶ୍ରୁତି ! ଆକଣ୍ଠ ପାନ କରିଗଲି ଶେଷରାତିର ପବନ । ଶିରିଶିରି ଶୀତଳ ପବନ ମୋର ଉତ୍ତପ୍ତ କପାଳ ଆଉ ଦେହ ଉପରେ ଖେଳିଗଲା ସ୍ନେହସ୍ପର୍ଶ ପରି !

 

ଦୁଇଓଠ ମଝିରେ ଖଣ୍ଡେ ସିଗାରେଟ ଚାପି ଧରିଲି ଜଳାଇବା ପାଇଁ ହାତ ପାପୁଲି ଟୋଲା କରି ଦିଆସିଲି କାଠି ଜଳାଇବା ମାତ୍ରେ କ୍ଷୀଣ ଅଗ୍ନିଶିଖା ପବନରେ ଥରିଥରି ନିଭିଗଲା । ମୋର ମନେ ପଡ଼ିଗଲା ସେମାନେ ଯଦି ଲକ୍ଷ୍ୟ କରିଥାନ୍ତି, ଏଇ ଅଧରାତିରେ ଖୋଲା ଝରକା ପାଖରେ ଠିଆହୋଇ ମୁଁ ଦିଆସିଲି ଜଳାଉଛି ! ସିଗାରେଟ ଟାଣୁଛି !

 

ବାହାରେ ରାସ୍ତା ଉପରେ ଓଭରକୋଟ ପିନ୍ଧି ଦୁଇଜଣ କନେଷ୍ଟବଲ୍ ବିଟ୍ ଦେଉଛନ୍ତି କୌଣସି ଗୋଏନ୍ଦା ଉପନ୍ୟାସ ପୃଷ୍ଠାର ଦୁଇଟା ରହସ୍ୟମୟ ଛାୟାମୂର୍ତ୍ତି ପରି ! ରାତିର ନିର୍ଜନତା ଭିତରେ ସେମାନଙ୍କର ବୁଟ୍ ଜୋତାର ମଚ୍‍ମାଚ୍‍ ଆୱାଜ ମୁଁ ବୋଧହୁଏ ଶୁଣିଥିଲି, ସ୍ଵପ୍ନ ଆଉ ଜାଗରଣର ସନ୍ଧିକ୍ଷଣରେ ! କିନ୍ତୁ ସେମାନେ ଯଦି ମୋତେ ଏବେ ଥାନାକୁ ଧରି ନେଇ ହାଜତରେ ପୂରାଇ ସେଠାରେ ପ୍ରଶ୍ନ କରନ୍ତି–ରାତି ଅଧରେ ମୁଁ କାହିଁକି ଠିଆ ହୋଇଥିଲି ଖୋଲା ଝରକା ପାଖରେ ? କି ଇସାରା ମୁଁ ଦେଉଥିଲି କାହାକୁ ? କୌଣସି ଅନୁଶାସନବଦ୍ଧ ମଣିଷ ରାତିଅଧରେ ବିଛଣାରେ ସୁଖନିଦ୍ରାରେ ନ ଶୋଇ, ଖୋଲା ଝରକା ପାଖରେ ଠିଆ ହୋଇ ଦିଆସିଲି କାଠି ଜଳାଏ ନା କ’ଣ ?

 

ଆମ ପଡ଼ାରେ ପ୍ରତି ରାତିରେ ଏବେ ପୁଲିସର କଡ଼ା ପହରା ଗୋଏନ୍ଦା, ସାଦା ପୋଷାକବାଲାମାନଙ୍କର ସତର୍କ ପଇନ୍ତରା ! ତା’ରି ଭିତରେ ସେମାନେ ତଥାପି ଆଲ୍‍କାତରାରେ କିପରି ଲେଖିଯାଉଛନ୍ତି କେଜାଣି ? ଦିନର ଆଲୋକରେ ସେଇ ସ୍ଲୋଗାନ ସବୁ ଚିତ୍କାର କରିଉଠୁଛି ଯେପରି ଲକ୍ଷ କଣ୍ଠରେ.... “ତାନାସାହୀ ହୁସିଆର ! ଏକଛତ୍ରବାଦ ସାବଧାନ ! ଫାସିଷ୍ଟବାଦ ମୁର୍ଦ୍ଦାବାଦ !” ଏଗୁଡ଼ାକ ଅତି ମାମୁଲି ଶବ୍ଦ । ଯେ କୌଣସି ରାଜନୈତିକ ଅଭିଧାନରେ ଖୋଜିଲେ ମିଳିବ ! ଏଇ ମାମୁଲି ଶବ୍ଦଗୁଡ଼କୁ ସେମାନେ ରାତିର ଦସ୍ୟୁ ପରି ପୁଲିସଠାରୁ ଆତ୍ମରକ୍ଷା କରି, କାନ୍ଥରେ ବାଡ଼ରେ ଲେଖି ବୁଲୁଛନ୍ତି କାହିଁକି ? ଆଉ ପୁଲିସବାଲା ସକାଳୁ ପୁଣି ଖୋଜିଖୋଜି ସେସବୁ ଆଞ୍ଚୁଡ଼ି ନିଭାଉଛନ୍ତି ବା କାହିଁକି ? ସେମାନେ ନିଶ୍ଚୟ ଭୟ କରୁନାହାନ୍ତି “ତାନାସାହୀ” ଆଉ “ହୁସିଆର” ପରି ଦୁଇଟା ମାମୁଲି ମୁହଁ ଘଷରା ଶବ୍ଦକୁ, ଅଚଳ ସୁକିଭଳି ପରି, ଯା’ର କୌଣସି ଦାମ୍‍ ନାହିଁ ଆଜି ! ସେମାନେ ମଧ୍ୟ ପରବାୟ କରୁନଥିବେ, ଯେଉଁମାନେ ରାତିରେ ଛପିଛପି କାନ୍ଥରେ ବାଡ଼ରେ ଆଲକାତରାରେ ଲେଖି ବୁଲୁଛନ୍ତି ଏଇ ସବୁ ସ୍ଲୋଗାନ ! ମୁଁ ଜାଣେ ସେମାନଙ୍କୁ ରାଜେଶ, ଆନନ୍ଦ, ନରେଶ... ବାଡ଼ୁଆ ବିବର୍ଣ୍ଣ ମୁହଁ । ଓଠତଳେ ନୂଆ ଗଜୁରିଥିବା ଦାଢ଼ି । ଗାଲମୁଛା କଲୀ ବେଶ ଲମ୍ବା ! ବୁଟ୍‍ମିଶା ଗୋଟାଏ ଗୋଟାଏ ଲାଥି ଥୋଇଲେ ସେମାନେ ମିଶିଯିବେ ମାଟିରେ । ସେମାନଙ୍କ ପାଇଁ ନଷ୍ଟ କରିବାକୁ ପଡ଼ିବ ନାହିଁ ବୁଲେଟ୍ ଗୁଳି । ସେମାନେ କିନ୍ତୁ ଭୟ କରନ୍ତି, ସେଇ ଦୁର୍ବଳ, ଅସ୍ଥିକଙ୍କାଳ ତଳେ ପ୍ରଚ୍ଛନ୍ନ ଥିବା ସେମାନଙ୍କ ଦୁର୍ବିନୀତ ପୌରୁଷକୁ ସେଇ ଚିରବିଦ୍ରୋହୀ ଆତ୍ମାକୁ ! ତାନାସାହୀ ଭୟ କରେ ନାହିଁ ମଣିଷକୁ...ମଣିଷ ପାଇଁ ଗୋଟାଏ ବୁଲେଟ୍‍ ତ ଯଥେଷ୍ଟ ! କିନ୍ତୁ ସେ ଭୟ କରେ ଅବିନାଶୀ ଆତ୍ମାକୁ । ତା’ର ମୁକ୍ତିପ୍ରାୟସୀ ସତ୍ତାକୁ । ତା’ର ମୃତ୍ୟୁ ନାହିଁ !

 

ସ୍ନାୟବିକ ଉତ୍ତେଜନା ଶାନ୍ତ କରିବା ପାଇଁ ଅବିନାଶୀ ଆତ୍ମାର ଉପଲବ୍ଧି ପରିବର୍ତ୍ତେ ମୋର ସେତେବେଳେ ପ୍ରୟୋଜନ ଥିଲା କିନ୍ତୁ ଖଣ୍ଡେ ସିଗାରେଟ ! ଆରାମରେ, ନିରୁଦ୍‌ବିଗ୍ନ ନୈଶ୍ଚିନ୍ତ୍ୟରେ ସିଗାରେଟ ଟାଣିବା ପାଇଁ ମୁଁ ଝରକା ପାଖରୁ ବାଥ୍‌ରୁମ୍‍ ଭିତରକୁ ପଳାଇ ଆସିଲି ।

 

କିନ୍ତୁ ବାଥ୍‌ରୁମ୍‍‌ର ସୁଇଚ୍ ଜାଳିବା ମାତ୍ରେ ଖଣ୍ଡେଅଖା ଭିତରେ ଢାଙ୍କି ହୋଇପଡ଼ିଥିବା ରାଜେଶର ଭଙ୍ଗା ସାଇକ୍ଳୋଷ୍ଟାଇଲ ମେସିନ୍‌ଟା ଗୋଟାଏ ଭୂତ ପରି, ମୋ ଉପରକୁ ଲମ୍ଫ ଦେଇଉଠିଲା ।

 

ଗୋଟାଏ କୁଲି ବସ୍ତିର ଝୁପୁଡ଼ିରୁ ରାଜେଶ ପ୍ରତିଦିନ ବାହାର କରୁଥିଲା “ଅଣ୍ଡରଗ୍ରାଉଣ୍ଡ୍ ବୁଲେଟିନ” । ରାତିରେ ଗୋପନରେ ରହସ୍ୟଜନକ ଭାବରେ ସେସବୁ ବଣ୍ଟା ହେଉଥିଲା ୟୁନିଭର୍ସିଟି କ୍ୟାମ୍ପସ, କଫିହାଉସ, ସରକାରୀ ଦପ୍ତର ଆଉ ପାର୍କମାନଙ୍କରେ । ଗୋବିଚାରୀ ଗୃହସ୍ଥମାନେ ସକାଳେ ନିଦ ମଳମଳ ଆଖିରେ ଉଠି ଲେଟର୍‍ବକ୍ସରୁ ଖବରକାଗଜ ସଂଗ୍ରହ କଲାବେଳେ, ପାଉଥିଲେ ସେଇ ସବୁ ବୁଲେଟିନ୍ । ସେଗୁଡ଼ାକ ଦେଖିବା ମାତ୍ରେ କାହାର କାହାର ଗାତ୍ରକମ୍ପ ହେଉଥିଲା । ଟିକିଟିକି ଚିରି ୱେଷ୍ଟ–ପେପର–ବାସ୍କେଟ ଭିତରକୁ ସେମାନେ ତାକୁ ଫିଙ୍ଗି ଦେଉଥିଲେ କିମ୍ବା ଜାଳି ଦେଉଥିଲେ । ଚିରା ଟୁକୁରା ସବୁ ରାସ୍ତାରେ ଡଷ୍ଟବିନ୍ ପର୍ଯ୍ୟନ୍ତ ନେବାପାଇଁ ସୁଦ୍ଧା ସେମାନଙ୍କ ସାହସ କୁଳାଉ ନଥିଲା । କେହି କେହି ସେ ସବୁ ପଢ଼ୁଥିଲେ କୌତୂହଳରେ । ତା’ପରେ ଦିଆସିଲି ଲଗାଇ ପୋଡ଼ି ଦେଉଥିଲେ ରୋଷେଇଶାଳ, ଚୁଲିରେ ।

 

ସେଇ ବୁଲେଟିନ ଥିଲା ରାଜେଶର ଏକକ–ସଂଗ୍ରାମ ଆଉ ସାଇକ୍ଳୋଷ୍ଟାଇଲ ମେସିନ୍‍ଟା ଅସ୍ତ୍ର ।

 

କିନ୍ତୁ ସାଇକ୍ଳୋଷ୍ଟାଇଲ ମେସିନ୍‍ଟା ଦିନେ ଅଚଳ ହୋଇଗଲା । ତାପରେ ପୁଣି ଝୁଗୀଝୁପୁଡ଼ିର ଗୋଟାଏ ବେକାର ମାତାଲ ସାଦାପୋଷାକବାଲାଙ୍କଠାରୁ ଲାଞ୍ଚ ଖାଇ, ସେମାନଙ୍କୁ ସନ୍ଧାନ ଦେଇ ରାଜେଶର ପତ୍ତା ! ହାୟ ଦୁର୍ଭାଗ୍ୟ ! ରାଜେଶ ଲଢ଼ୁଥିଲା ସେଇମାନଙ୍କର ସଂଗ୍ରାମ ! କିନ୍ତୁ ସେଇ ବେକାର ମାତାଲଟାର ସେ ଚେତନା ନଥିଲା !

 

ଭାଗ୍ୟକୁ ରାଜେଶ ସେତେବେଳେ ଝୁପୁଡ଼ିରେ ନଥିଲା । ଥିଲେ ତ, ସେମାନେ ବୁଲା କୁକୁର ପରି ତାକୁ ଧରି ଭର୍ତ୍ତି କରିଥାନ୍ତେ ପୋଲିସ ଭ୍ୟାନରେ ! ତା’ପରେ ଜୁଲୁମବାଦୀର ଅନ୍ଧକୂପ-! ସେଇ ବିଶ୍ଵାସଘାତକ ମାତାଲ ବେକାରଟାକୁ ଖୁନ୍ କରିବା ପାଇଁ ରାଜେଶ କେତେଥର ଦଳ ଗଢ଼ିଥିଲା । ବସ୍ତିମୁଣ୍ଡରେ ଦେଶୀ ମଦଭାଟିରୁ ମଦପିଇ ମାତାଲ ଅବସ୍ଥାରେ ଢଳିଢଳି ସେ ଫେରିଯାଏ ଗୋଟାଏ ନିର୍ଦ୍ଦିଷ୍ଟ ସମୟରେ ! ଲୋକଟା କିନ୍ତୁ ଏପରି ନଥିଲା । ଗୋଟାଏ ଛୋଟିଆ କାରଖାନାରେ ସେ ଥିଲା, ମେସିନ୍‍ମାନଙ୍କର ହେଲ୍‍ପର !

 

ଶ୍ରମିକ ୟୁନିୟନର ଚାନ୍ଦା ମଧ୍ୟ ହେଉଥିଲା ନିୟମିତ ଭାବରେ । କିନ୍ତୁ କାରଖାନାଟା ଦିନେ ହଠାତ୍‍ ବନ୍ଦ ହୋଇଗଲା । ସେ ଦିନୁ ସେ ବେକାର ! ତା’ର ବେକାରିର ଏକ ଦୁର୍ବୋଧ୍ୟ କୈଫିୟତ–ଡିପ୍ରେସନ ! ଏଣିକି ଚୋରାମଦ ଚାଲାଣ ଆଉ ମାତାଲାମୀ ଗୁଣ୍ଡାମି ହୋଇଗଲା ତାର ଏକମାତ୍ର ବୃତ୍ତି ଆଉ ଜୀବିକା । ଚୋରାମଦ କାରବାର ଉପରେ ପୋଲିସର ଆଖି ପଡ଼ିବା ଦିନୁ ସେ ବ୍ୟବସାୟଟା ମଧ୍ୟ ଧିମେଇ ଯାଇଥିଲା । କିନ୍ତୁ ଭାଗ ବଖରାର ବନ୍ଦୋବସ୍ତ ପରଠାରୁ ସେଥିରେ ଆଉ ଅସୁବିଧା ରହିଲା ନାହିଁ ସତ; କିନ୍ତୁ ବ୍ୟବସାୟଟା ପୂର୍ବପରି ଆଉ ତେଜିରେ ଚାଲୁ ନଥିଲା । ଅଗତ୍ୟା ମାତଲାମୀର ମାସୁଲ ଯୋଗାଡ଼ କରିବା ପାଇଁ ସାଦାପୋଷାକବାଲାଙ୍କଠାରୁ ଲାଞ୍ଚ ଖାଇ ସେମାନଙ୍କୁ ସେ ଦେଉଥିଲା ରାଜେଶର ପତ୍ତା । ଛୁରିଭୁଷି ତାକୁ ଖୁନ୍ କରିବା ପାଇଁ, ରାଜେଶ ପ୍ୟାଣ୍ଟ ପକେଟରେ ଗୋଟାଏ ଛୁରି ଓ ସାଇକେଲ ଚେନ୍ ଧରି ବୁଲୁଥିଲା କେତେଦିନ ! ଥରେ ମଧ୍ୟ ସେଇ ମାତାଲଟା ଢଳିଢଳି ବସ୍ତି ରାସ୍ତାରେ ଫେରୁଥିବା ବେଳେ ରାଜେଶ ସାମନାରେ ପଡ଼ିଯାଇଥିଲା । ରାଜେଶ ଦାନ୍ତରେ ଦାନ୍ତ ଚିପି ମନେମନେ ବିସ୍ଫୋରଣ କରି ଉଠିଥିଲା... ଏଥର କୋଉ ସାଦାପୋଷାକବାଲା ବୋପା ତୋ ପିଠିରେ ପଡ଼ିବ । ଦେଖିବି ! କିନ୍ତୁ ବତୀଖୁଣ୍ଟର ମଳିଚା ଆଲୁଅରେ ମାତାଲଟାର ଚେହେରା ଦେଖି ତା’ ମନରେ ଦୟା ହେଲା ! ଆଃ ! ଏ ବିଚାରାମାନଙ୍କୁ ସେମାନେ ଲାଞ୍ଚର ଅଫିମ ଦେଇ ପଙ୍ଗୁ ଜଡ଼ କରିଦେଇଛନ୍ତି ? ମାତାଲକୁ ଖୁନ୍‌ କରି ଲାଭ କ’ଣ ?

 

ମାତାଲଟାର ଚେତା ଥିଲା ଠିକ୍‍ ! ସେ ନିର୍ଭୟରେ ରାଜେଶକୁ କୁଣ୍ଢାଇ ମାତାଲ କଣ୍ଠରେ କହିଥିଲା : “ଭାଇଟା ପରା, ମାଫ୍‍ କର ମୋତେ ! ମାଫି ଦେବୁ ନାଇଁ ? ଦେବୁ କି ନାହିଁ କହ ! ହଁ–କ ।”

 

ମାତଲମାନଙ୍କ ମୁହଁ ପୁଣି ଦେଖାଯାଏ ଏପରି ନିରୀହ ନିଷ୍ପାପ ! ରାଜେଶ ସେଦିନ ତାକୁ ଛାଡ଼ିଦେଇଥିଲା ! କିନ୍ତୁ ମନେମନେ କହିଥିଲା “ଆଚ୍ଛା ଆଉ ଦିନେ ।”

 

ଭଙ୍ଗା ସାଇକ୍ଳୋଷ୍ଟାଇଲ ମେସିନ୍‍ଟାକୁ କେଉଁ ଦୋକାନକୁ ନେଇ ମରାମତି କରିବାର ମଧ୍ୟ ଉପାୟ ନଥିଲା । ସବୁ ଛାପାଖାନା ଆଉ ସାଇକ୍ଳୋଷ୍ଟାଇଲ ମେସିନ୍ ଦୋକାନ ଉପରେ ଏବେ ସାଦାପୋଷାକବାଲାଙ୍କର କଡ଼ା ପ୍ରହରା ! ଅବଶେଷରେ ଦିନେ ରାତିରେ, ଅଖା ଭିତରେ ସେଇ ମେସିନ୍‌ଟାକୁ ପୂରାଇ ଗୋଟିଏ ଟ୍ୟାକ୍ସିରେ ଲଦି ଅତର୍କିତ ଭାବରେ ରାଜେଶ ଆସି ପହଞ୍ଚିଲା ମୋ ଫ୍ଲାଟରେ । ଅଖାବସ୍ତାଟାକୁ ଦେଖି ମୁଁ ପ୍ରଥମେ ଅନୁମାନ କରୁଥିଲି, ସେଥିରେ ଅଛି ବୋଧହୁଏ ତାର ଅଣ୍ଡରଗ୍ରାଉଣ୍ଡ ପୋଷ୍ଟର ପାମ୍ପ୍‌ଲେଟ ବା ସେହିପରି କିଛି ।

 

ମୁଁ ଭୀରୁ କଣ୍ଠରେ କହିଲି... “ଏସବୁ ମାଲ ପାଇଁ ଏ ଫ୍ଲାଟ ନିରାପଦ ନୁହେଁ ଭାଇ !”

 

ମଧ୍ୟବିତ୍ତ ସୁଲଭ ନିରାପତ୍ତାବୋଧ ମୋତେ ଇତିହାସର ସେହି ଆହ୍ଵାନଗର୍ଭିତ ମୁହୂର୍ତ୍ତରେ ପଙ୍ଗୁ କରିଦେଇଥିଲା । ଆଃ ମୁଁ ଯେପରି ଏକ ବୃଦ୍ଧ ! ପେନସନ୍ ପ୍ରାପ୍ତ ପାର୍କ ବେଞ୍ଚରେ ୱାକିଙ୍ଗଷ୍ଟିକ ବେଣ୍ଟ ଉପେର ଥୋମଣି ଲଦି ଏକୁଟିଆ ଏଣିକି ତେଣିକି ଚାହିଁ ବସିବା ଛଡ଼ା ମୋର ଆଉ ଅନ୍ୟ କୌଣସି କର୍ମ ନାହିଁ !”

 

ରାଜେଶ କପାଳ ଉପରୁ କେରାଏ ବାଳ ଉପରକୁ ବାଁ ହାତରେ ଛାଟିଦେଇ କହିଲା... “ଭୟ କର ନାହିଁ । ଆ’ ଭିତରେ ଅଛି କେବଳ ଗୋଟାଏ ଭଙ୍ଗା ସାଇକ୍ଳୋଷ୍ଟାଇଲ ମେସିନ୍ ! ପାରିବ ତ ଏଇଟାକୁ ଶୀଘ୍ର ମରାମତି କରାଇ ନେବ । ନୋହିଲେ ବୁଲେଟିନ୍ ବନ୍ଦ !”

 

ମୁଁ ସ୍ଵସ୍ତିର ଗୋଟିଏ ଦୀର୍ଘନିଃଶ୍ଵାସ ପକାଇ କହିଲି “ତା’ହେଲେ ବାଥ୍‌ରୁମ୍‍ ଭିତରେ ଗୋଟିଏ କୋଣରେ ପକାଇ ଦେ ଅଖାଟାକୁ ! ବାଥ୍‌ରୁମ୍‍ଟାଇ ତ ଏବେ ନିରାପଦ ।”

 

ବାଥ୍‌ରୁମ୍‍ ଭିତରେ ଅଖାବସ୍ତାଟା ଧରାଧରି କରି ରଖିବାପରେ ରାଜେଶ ଚାଲିଯାଉଥିଲା, ମୁଁ କହିଲି... “ଦଣ୍ଡେ ବସିଯା ନା ରାଜେଶ ! ଆଉ ବାହାରର ଖବର କ’ଣ ?”

 

ବସିବା ପାଇଁ ରାଜେଶ୍‌ର ଆପତ୍ତି ନଥିଲା । ରାଜେଶ ସୋଫା ଉପରେ ବସିପଡ଼ି ଧୂଳିଆ ଚପଲପିନ୍ଧା ପାଦ ଦୁଇଟାକୁ ସେଣ୍ଟର୍ ପିସ୍ ଉପରେ ଆରାମରେ ଲମ୍ବାଇ ଖଣ୍ଡେ ସିଗାରେଟରେ ନିଆଁ ଲଗାଇଲା । ସେତିକିବେଳେ ତା’ ପ୍ୟାଣ୍ଟ ପକେଟରୁ ତଳେ ଖସିପଡ଼ିଥିଲା ଗୋଟାଏ ଛୁରା ! ଛୁରାଟାର ରକ୍ତମୁଖା ଚେହେରା ଦେଖି ମୁଁ ପ୍ରକୃତରେ ଭୟଭୀତ ହୋଇପଡ଼ିଥିଲି ।

 

–“ତମେ ମତେ ପ୍ରତିଶ୍ରୁତି ଦେଇଥିଲ ନା ରାଜେଶ ଏଇ ଛୁରା ପାଇପ୍‌ଗନ୍‌ ସବୁ ଏଣିକି ଛାଡ଼ିବ ବୋଲି । ଛୁରା ପାଇପ୍‌ଗନ୍‌ରେ ତୁମେ କ’ଣ ମୁକାବିଲା କରିପାରିବ, ବ୍ରେନ୍‍ଗନ୍, ମେସିନଗନ୍ ଷ୍ଟେନ୍‍ଗନ୍ ସହିତ ?”

 

ରାଜେଶ ଛୁରାଟାକୁ ହାତରେ ଅଳସ ଭାବରେ ଉଠାଇଧରି, କଳେ ସିଗ୍ରେଟ ଧୂଆଁର କୁଣ୍ଡଳୀ ଭିତରେ କହିଲା, “ମୁଁ ଚାହେଁ ସେଇ ମାତାଲଟାକୁ ଖୁନ୍ କରିବାପାଇଁ । ଥରେ ତାକୁ ହାତରେ ପାଇ ଛାଡ଼ିଦେଇଥିଲି । ସେଥିପାଇଁ ତଥାପି ମୋର ଅବଶୋଷ ଯାଇନାହିଁ ।”

 

“କେଉଁ ମାତାଲ” ପଚାରିଲି ବିସ୍ମିତ କଣ୍ଠରେ ।

 

‘ସାଦାପୋଷାକବଲାଙ୍କଠାରୁ ଲାଞ୍ଚଖାଇ ସେ ମୋର ପତ୍ତା ଦେଇଥିଲା ସେମାନଙ୍କୁ...ଝୋଗୀଝୁପଡ଼ିର ଗୋଟାଏ ବେକାର ହେଲ୍‌ପର୍...” ରାଜେଶ କଣ୍ଠରେ କ୍ରୁଦ୍ଧ ବିସ୍ଫୋରଣ ! ଘୃଣା ଆଉ ଜିଙ୍ଘାସାରେ ମୁହଁ ବିକୃତ କରି ରାଜେଶ କହିଲା... “ସେ ଗୋଟାଏ ଶ୍ରେଣୀଶତ୍ରୁ ବିଶ୍ଵାସଘାତକ, ସ୍ପାଇ, ଟ୍ରେଟର୍” । ରାଜନୈତିକ ଅଭିଧାନର ସବୁ ଶବ୍ଦ ସେ ଯେପରି ଶେଷ କରିଦେବାକୁ ଚାହୁଁଥିଲା ଏକା ନିଃଶ୍ଵାସରେ ।

 

ମୁଁ କହିଲି; “ସେ ବିଚାରାକୁ ଭୁଲ୍‍ ବୁଝ ନାହିଁ କିମ୍ବା ଖୁନ୍ କରନାହିଁ । ତୁମର ସଂଗ୍ରାମ ଶ୍ରେଣୀ ବିରୁଦ୍ଧରେ ! କିନ୍ତୁ ସେ ବିଚାରର ଲଢ଼ାଇ କ୍ଷୁଧା ସହିତ । ଶ୍ରେଣୀ-ଶୋଷଣ ଅପେକ୍ଷା କ୍ଷୁଧାର ଦଂଶନ ଉତ୍କଟତର ! ଶ୍ରେଣୀ–ସଂଗ୍ରାମରେ ସନ୍ଧି ଥାଇପାରେ; କିନ୍ତୁ କ୍ଷୁଧା ସହିତ ଲଢ଼ାଇରେ କୌଣସି ସାଲିସ୍‍ ନାହିଁ ! ତୁମେ ଛୁରାରେ ଖୁନ୍ କରିପାର ତାକୁ, କିନ୍ତୁ ତା’ର ବା ତା’ପରି ଅନ୍ୟମାନଙ୍କର ବିଚାରଧାରାକୁ ନୁହେଁ !

 

ସିଗ୍ରେଟ ଧୂଆଁର କୁଣ୍ଡଳୀ ଭିତରେ, ରାଜେଶ କେତେକ୍ଷଣ ଚିନ୍ତିତ ଭାବରେ ଉପର ଛାତକୁ ଚାହିଁଲା । ପଙ୍ଖାଟା ଛଟପଟ ହେଉଥିଲା ଗୋଟାଏ ଅନ୍ଧ ବାଦୁଡ଼ି ପରି । ରାଜେଶ ଛୁରିଟା ହଠାତ୍‌ ତଳେ ଫିଙ୍ଗିଦେଇ, ଆସ୍‌ଟ୍ରେରେ ସିଗାରେଟର ଦଗ୍ଧାଂଶକୁ ନିଭାଇ, ନୀରବରେ ଉଠି ଚାଲିଗଲା । ଗଲାବେଳେ, ବିଳିବିଳେଇବା ପରି କହିଲା “ଠିକ୍ କହିଚ ଭାଇ ! ଏଇ ଛୁରାଟାରେ ମୁଁ ଭୁଷିଦେଇପାରେ ତାକୁ, ତା’ର ହୃଦୟକୁ ନୁହେଁ ।”

 

ସେଇଦିନୁ ରାଜେଶର ଆଉ ଦେଖା ନାହିଁ । ଅଖାଭିତରେ ସେଇ ଭଙ୍ଗା ସାଇକ୍ଳୋଷ୍ଟାଇଲ ମେସିନ୍ ସହିତ ଛୁରାଟା ମଧ୍ୟ ପଡ଼ିଛି, କେଉଁ ଭବିଷ୍ୟତର ସମ୍ଭାବନାରେ କେଜାଣି-? ମୋର ଦେହ କିନ୍ତୁ ସେଇ ଅଖାଟାକୁ ଦେଖିବା ମାତ୍ରେ ଶୀତେଇ ଉଠୁଥିଲା, ଯେପରି ସଦ୍ୟ ଖୁନ୍ କରିଥିବା ଗୋଟିଏ ଲାସ୍‌କୁ ମୁଁ ଲୁଚାଇ ରଖିଛି ସେଇ ଅଖା ଭିତରେ, ବାଥ୍‌ରୁମ୍‍‌ କୋଣରେ !

 

ସେମାନେ ଯଦି ଅକସ୍ମାତ୍ ମୋ’ ଫ୍ଲାଟ ଚଢ଼ାଉ କରି ସିଜ୍ କରନ୍ତି, ଭଙ୍ଗା ସାଇକ୍ଳୋଷ୍ଟାଇଲ ମେସିନ ଆଉ ଛୁରା ? ମୁଁ କିପରି ବା ବୁଝାଇ ପାରିବି ସେମାନଙ୍କୁ ଏଇ ଭଙ୍ଗା ସାଇକ୍ଳୋଷ୍ଟାଇଲ ମେସିନ ଆଉ ଛୁରା... ଗୋଟାଏ ବିଦ୍ରୋହୀ ବଜ୍ରକଠୋର ଆତ୍ମା ଆଉ ନବନୀତ କୋମଳ ହୃଦୟର ସ୍ଵାକ୍ଷର ! ସେମାନେ ବୁଝିପାରିବେ ନାହିଁ, ବୁଝିବା ପାଇଁ ଚେଷ୍ଟା ସୁଦ୍ଧା କରିବେ ନାହିଁ.....ସେମାନଙ୍କୁ ଦୃଷ୍ଟିରେ ଏସବୁ ରାଷ୍ଟ୍ରଦ୍ରୋହୀ ଷଡ଼ଯନ୍ତ୍ରର ମାରାତ୍ମକ ନିଶାଣ ।

 

ନିର୍ଲିପ୍ତ, ସ୍ଵଚ୍ଛନ୍ଦ ଭାବରେ ମୁଁ ସିଗାରେଟ ଟାଣିପାରୁ ନଥିଲି । ପ୍ରତି ମୁହୂର୍ତ୍ତରେ ମୋର ଉତ୍ତପ୍ତ ମସ୍ତିଷ୍କ ଭିତରେ ବାଜି ଉଠୁଥିଲା, କଲିଙ୍ଗବେଲ୍‍ର କ୍ରିଙ୍ଗ୍‍ କ୍ରିଙ୍ଗ୍‍ ଶବ୍ଦ ଆଉ କବାଟରେ ଠକ୍ ଠକ୍ ଆୱାଜ ! ବାଥ୍‌ରୁମ୍‍ର ଆଲୁଅ ସୁଇଚ୍‍ ବନ୍ଦ କରି ମୁଁ ସେଇ ଝରକା ପାଖକୁ ଫେରିଆସିଲି । ମୋର ପାଦ ଦୁଇଟା ତଥାପି କମ୍ପୁଥିଲା ଅକାରଣ ଆତଙ୍କ ଆଉ ଉତ୍ତେଜନାରେ । ବିଛଣାକୁ ଫେରିଯିବା ପାଇଁ ମଧ୍ୟ ମୁଁ ମାନସିକ ସାହସ କିମ୍ବା ଆସ୍ଵସ୍ତି ଖୋଜି ପାଉନଥିଲି । ମେଘଢ଼ଙ୍କା ଆକାଶରେ ସେଇ ଉଜ୍ଜ୍ଵଳ ନକ୍ଷତ୍ରଟା ତଥାପି ଦପଦପ ହେଉଥିଲା ଏକଚକ୍ଷୁ କ୍ରୁଦ୍ଧ କାପାଳିକ ପରି ! ତା’ର ସ୍ପନ୍ଦନରେ ପ୍ରଚ୍ଛନ୍ନ ଥିଲା ମୋ’ ପ୍ରତି ଶତ ଆକ୍ଷେପ... କାପୁରୁଷ ! କାପୁରୁଷ !

 

ପୂର୍ବ ଆକାଶରେ କ୍ରମେ ଫୁଟି ଉଠିଲା ରାତି ଶେଷର ପାଂଶୁଳ ଆଲୋକ !

 

ରାସ୍ତା ସେପଟର ଯେଉଁ ଫ୍ଲାଟ ସବୁ ଇଲେକ୍ଟ୍ରିକ୍‌ ଆଲୋକରେ ଦେଖାଯାଉଥିଲା ଷ୍ଟିଲ୍ ଲାଇଫ ଚିତ୍ର ପରି, ଏବେ ପାହାନ୍ତି ଆଲୁଅ ଆଉ କୁହୁଡ଼ି ମଧ୍ୟରେ ସେ ସବୁ ଦିଶୁଥିଲା ସିଲୁଟ ଚିତ୍ର ପରି । ଅତ୍ୟାଚାରିତ ରାତିର ମୌନ ସ୍ତବ୍ଧତା ଭାଙ୍ଗି କେତେଟା ପକ୍ଷୀ କାକଳୀ ଆରମ୍ଭ କରି ଦେଇଥିଲେ... ଆଲୋକର ଜୟଗାନ ! ବୀଟ୍‍ କନେଷ୍ଟବଳମାନଙ୍କର ବୁଟ୍‌ଜୋତାର ଆୱାଜ ଆଉ ଶୁଣା ଯାଉନଥିଲା । ରାସ୍ତାର ଗୋଟାଏ ପୋଲିସ ଜିପ୍ ପଛରେ ଦୁଇଟା ଜେଲ୍ ଭ୍ୟାନ୍, ଭିଡ଼ିମୋଡ଼ି ନିଦ ଭାଙ୍ଗି ଉଠୁଥିବା ରାସ୍ତାଟାକୁ ଥରାଇ କମ୍ପାଇ ଚାଲିଗଲା ! ଜେଲ୍ ଭ୍ୟାନ୍‌ରେ ଅଖାବସ୍ତା ପରି ଲଦା ହୋଇଥିବେ ବୋଧହୁଏ ସ୍ଲୋଗାନ ଲେଖାଳି, ବୁଲେଟିନ ବଣ୍ଟାଳିଙ୍କ ଦଳ ! ରାଜେଶ୍ ଆନନ୍ଦ ସେମାନଙ୍କ ଭିତରେ ନାହାନ୍ତି ତ ?

 

ମୁଁ ବିଛଣାକୁ ଫେରି ଆସିଲି... କାପୁରୁଷର ନିଶ୍ଚିନ୍ତ ପୃଥିବୀ !

 

କେତେ ସମୟ ଧରି ଦୁଃସ୍ଵପ୍ନହୀନ ନିଦ୍ରାରେ ଶୋଇଥାନ୍ତି ଜାଣେନା... ଏବେ ରାତି ଅପେକ୍ଷା ଦିନରେ ମୁଁ ଶୋଇପାରେ ନିଶ୍ଚିନ୍ତରେ ନିଦ ଭାଙ୍ଗିଗଲା ଚା’ ଆଉ ଖବରକାଗଜ ଧରି ଭୃତ୍ୟର ଡାକରେ । ଖୋଲା ଝରକାବାଟେ ଯେଉଁ ଚେନାଏ ଖରା ଚଟାଣ ଉପରେ ବିଛେଇ ପଡ଼ିଥିଲା, ସେଥିରେ ଆଉ କୋମଳତା ନ ଥିଲା, ଥିଲା ବରଂ ମୁକାବିଲା କରିବାର କଠୋର ଆହ୍ଵାନ । ମୁଁ ସେଆଡ଼ୁ ଆଖି ଫେରାଇ, ଆରାମରେ ଚା’ କପ୍‌ରେ ଗୋଟାଏ ଚୁମ୍ୱକ ଦେଲି । ଦିନର ଆଲୋକରେ ସେମାନେ ଆଉ ଆସିବେ ନାହିଁ । ସେମାନଙ୍କ ଆକ୍ରମଣ ନିଶୁନ ରାତିରେ । ବାଟରେ ଠକ୍ ଠକ୍‌ ଆୱାଜ । ଆଦେଶ ଅତି ସଂକ୍ଷିପ୍ତ । ସେଥିରେ ବିସ୍ତାରଣ ନାହିଁ । “ତୁମେ ଗିରଫ” ! ପରୱାନା ଦେଖିବାର କିମ୍ବା ଦେଖାଇବାର ପ୍ରୟୋଜନ ନାହିଁ ! ‘ଅଭିଯୋଗ ?’ ‘ଅପରାଧ-?’ ସେମାନେ ଜାଣନ୍ତି ନାହିଁ । ସେମାନେ ଜାଣନ୍ତି କେବଳ, ନିରାପତ୍ତା–ରକ୍ଷା ଆଇନର ଗୋଟାଏ ଦଫା ନମ୍ବର । –“ତୁମେ ଗିରଫ ।”

 

ତା’ପରେ ଗୋଟାଏ ଅତଳ ହ୍ରଦରେ ତୁମେ ନିଃଶବ୍ଦରେ ମିଳାଇଗଲ ଗୋଟାଏ ବୁଦ୍ ବୁଦ୍‍ ପରି ! ତୁମର ପ୍ରତିବେଶୀ ଜାଣିଲେ ନାହିଁ ସନ୍ଧ୍ୟାରେ ସେମାନଙ୍କ ସହିତ ଆଳାପ ହୋଇଥିଲା ତମର–ରାତିରେ ହଠାତ୍ ଉଭାଇ ଗଲ କୁଆଡ଼େ ? ତୁମର ଆତ୍ମୀୟସ୍ଵଜନ ଜାଣିପାରିବେ ନାହିଁ, କେଉଁ ଜେଲରୁ କେଉଁ ଜେଲ ପୋଲିସ ଭ୍ୟାନ୍‌ରେ ପଶି ତୁମେ ଘୂରିବୁଲୁଛ ଗୋଟିଏ ନଷ୍ଟ ଉପଗ୍ରହ ପରି । “ତୁମେ ଗିରଫ”–ତୁମ ପାଇଁ ଦିନର ଆଲୋକ ଲିଭିଗଲା ଏଣିକି.... ଏହାପରେ କେବଳ ଗ୍ରନ୍ଥି ଆଉ ଅନ୍ଧକାର ! ସେ ଅନ୍ଧକାର ମଧ୍ୟରେ କିନ୍ତୁ ସକାଳ ପାଇଁ ପ୍ରତୀକ୍ଷା ନାହିଁ, ସେ ଅନ୍ଧକାରର ପ୍ରଭାତୀ ନାହିଁ । ତୁମର ସୃଷ୍ଟିଧର୍ମୀ ଜୀବନରେ ସେ ଗୋଟାଏ ଆକସ୍ମିକ ପୂର୍ଣ୍ଣଚ୍ଛେଦ...ତା’ପରେ ମୁକ୍ତହୀନ, ଗୋଟାଏ ନିର୍ବେଦ ଅତ୍ୟାଚାରିତ ସ୍ଥିତି ।

 

ଚା’ କପ୍‌ଟା ଶୀଘ୍ର ଶେଷ ହୋଇଗଲା ପରା । ଖବରକାଗଜଟା ଶେଷ କରିବା ପାଇଁ ଆଉ କେତେ ମିନିଟ୍ ବା ଲାଗିବ ? ପ୍ରତି ସ୍ତମ୍ଭରେ କେବଳ ଅନୁଶାସନ କର୍ତ୍ତାଙ୍କ ବାର୍ତ୍ତା–ଅର୍ଥନୈତିକ, ସାମାଜିକ, ନୈତିକ ଏପରିକି ସାଂସ୍କୃତିକ ପ୍ରଗତି ପାଇଁ ସୁପ୍ରଚୁର ଆୟୋଜନର ବିପୁଳ ଉଦ୍‌ଘୋଷଣ । କର୍ତ୍ତା, ଏକ ଏନ୍‌ସାଇକ୍ଳୋପେଡ଼ିଆ ନିଶ୍ଚୟ । ଚାଉଳ, ଗହମ, ତେଲର ବଜାର ଦରଠାରୁ ଇସ୍ପାତର ନୂତନ ଉତ୍ପାଦନ ପ୍ରଣାଳୀ, ସଙ୍ଗୀତକଳା, ଚିତ୍ରକଳାରେ ଆଧୁନିକତାର ଆଭିମୁଖ୍ୟ, ଏପରିକି ଯୌନତତ୍ତ୍ଵ–ସବୁ ତଥ୍ୟ ଓ ସମସ୍ୟା ସମ୍ପର୍କରେ ସୁଚିନ୍ତିତ ନିର୍ଦ୍ଦେଶ । ସେଇ ନିର୍ଦ୍ଦେଶ ସବୁ ନିର୍ବିଚାରରେ ପାଳନ କରିଯିବା ହିଁ ପ୍ରକୃତ ଦେଶଭକ୍ତି, ସୁସ୍ଥ ନାଗରିକତା ।... ସେସବୁ ଉଦ୍‌ଘୋଷଣ, ଭାଷଣ ସହିତ ମୁଁ ବେଶ୍ ପରିଚିତ । ମୁଁ କିନ୍ତୁ ଖବରକାଗଜରେ ଖୋଜୁଥିଲି, ସେମାନଙ୍କ ଗିରଫଦାରୀ ସମ୍ବାଦ–କେଉଁ ଅଭିଯୋଗରେ କେଉଁମାନେ କେତେବେଳେ ଗିରଫ ହେଲେ କେଉଁଠି ? ସାମ୍ବାଦିକର ସ୍ଵାଭାବିକ କୌତୂହଳ । ମାତ୍ର ସେପରି ସମ୍ବାଦର ସତ୍ତା ସୁଦ୍ଧା କେଉଁଠାରେ ନଥିଲା । ପ୍ରଥମେ ପ୍ରଥମେ ଏପରି ସମ୍ବାଦ ଯଦି ଅକସ୍ମାତ୍‍ ପ୍ରକାଶ ପାଉଥିଲା, ତାହା ଲୁଚିରହୁଥିଲା ସେନ୍ସର୍‌ର ଚଉଡ଼ା କଳାପଟି ତଳେ । ଏବେ କିନ୍ତୁ ସେଇ ଚଉଡ଼ା କଳାପଟି ସୁଦ୍ଧା ସେନସର୍‍ଡ୍ । ବସ୍ତୁତଃ ଆମ ଦୈନିକ ଖବରକାଗଜ ଅଫିସ ସିଲ୍‍ଡ଼ ହୋଇଗଲା, ଏଇ ଅପରାଧରେ । ଆମର ସମ୍ପାଦକୀୟ ସେଦିନ ଥିଲା, କଳା ପଟିଘେରା ଗୋଟାଏ ଶୂନ୍ୟସ୍ତମ୍ଭ । କିନ୍ତୁ ସେ ଶୂନ୍ୟତାର ସୁଦ୍ଧା ଭାଷା ଥିଲା !

 

ସମ୍ପାଦକୀୟ ସ୍ତମ୍ଭ ଶୂନ୍ୟ କାହିଁକି ? ଚାରିପଟେ ପୁଣି ଚଉଡ଼ା କଳାପଟି ? ଶୋକସମ୍ବାଦ ଛାପିବା ପାଇଁ ଯେଉଁ ପରି କଳାପଟି ବ୍ୟବହାର କରାଯାଏ ?” ପୋଲିସ ଅଫିସରଙ୍କ କଣ୍ଠରେ କଠୋର ପ୍ରଶ୍ନ । ସଙ୍ଗରେ ତାଙ୍କର ଦଳେ ପିସ୍ତଲଧାରୀ ପୋଲିସ ।

 

ପ୍ରୌଢ଼ ସମ୍ପାଦକ, ନୀରବ । ସିଏ କିପରି ବା ଉତ୍ତର ଦିଅନ୍ତେ ଇଏ ସ୍ଵାଧୀନତାର ମୃତ୍ୟୁ ସମ୍ବାଦ । ସେ ଅସହାୟ ଭାବରେ କପାଳ ଆଉ କେଶ ବିରଳ ମୁଣ୍ଡ ଉପରେ ହାତ ବୁଲାଉଥିଲେ କେବଳ ।

 

ତା’ପରଠାରୁ ଆମ ଖବରକାଗଜ ପ୍ରେସ୍ ଆଉ ଅଫିସରେ ତାଲା ।

 

କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି ଲକ୍–ଆଉଟ୍ । ବିଧିରକ୍ଷା ପାଇଁ ପ୍ରତିଦିନ ଆମକୁ ହାଜରା ଖାତାରେ ଗୋଟାଏ ଦସ୍ତଖତ ଦେଇ ଆସିବା ପାଇଁ ପଡ଼େ କେବଳ । ତା’ହେଲେ ଅଧାବେତନ ଅନ୍ତତଃ ମିଳିପାରିବ ଲକ୍–ଆଉଟ୍ ଥିବା ପର୍ଯ୍ୟନ୍ତ ।

 

ଖବରକାଗଜରେ ଅନ୍ୟ ସମ୍ବାଦ ନଥିଲା । ଅନ୍ୟ ବକ୍ତବ୍ୟ ନଥିଲା । ସିନେମା ଥିଏଟର ଆଉ କାବାରେ ବିଜ୍ଞାପନମାନ ତନ୍ନ–ତନ୍ନ ପଢ଼ିବା ପାଇଁ ଲାଗିଲି । ମାତ୍ର ସେ ସବୁ ଦଶ ମିନିଟ୍ ମଧ୍ୟରେ ଶେଷ ହୋଇଗଲା । ତା’ପରେ ଖବରକାଗଜଟା ତଳେ ଫିଙ୍ଗିଦେଇ ମୁଁ ବିଛଣା ଛାଡ଼ି ଉଠିଲି ପ୍ରେସ୍ ଯିବାପାଇଁ । ସେଠାରେ ଦୈନିକ ଉପସ୍ଥାନର ସ୍ଵାକ୍ଷରଟା ତ ଅନ୍ତତଃ ଦେବା ପାଇଁ ପଡ଼ିବ, ମାସିକ ଅର୍ଦ୍ଧେକ ବେତନ ପାଇଁ ।

 

ବସ୍–ଷ୍ଟପ୍‌ରେ ଲୋଚାକୋଚା ପେଣ୍ଟକୋଟ ପିନ୍ଧା ସେଇ ବୃଦ୍ଧ ଭଦ୍ରଲୋକଙ୍କ ସହିତ ଆଜି ମଧ୍ୟ ସାକ୍ଷାତ ହେଲା । ଭଦ୍ରଲୋକ ମୋରି ପରି ଏଇ ନ୬୧ମ୍ବର ବସ୍‌ରେ ଡେଲି ପାସେଞ୍ଜର-। ଆମ ପ୍ରେସ୍‍ ପାଖରେ ଗୋଟାଏ ସୌଦାଗରି ଫାର୍ମରେ ଆକାଉଣ୍ଟାଣ୍ଟ୍ ।

 

“ନମସ୍କାର, ଭଲ ଅଛନ୍ତି ? ଯାହା ଦିନକାଳ ପଡ଼ିଛି ।” ମୁଁ ଚାହୁଁଥିଲି ନୀରବତା-ମୌନତା-ସ୍ତବ୍ଧତାର ଅତ୍ୟାଚାରରୁ ମୁକ୍ତିପାଇଁ କାହା ସହିତ ଆଳାପ; ହେଉନା ପଛେ ଯେତେ ଅବାନ୍ତର । ମାତ୍ର ଭଦ୍ରଲୋକ ମୁହଁ ବୁଲାଇ ନେଲେ ଯେପରି ସେ ମୋତେ ଆଦୌ ଚିହ୍ନନ୍ତି ନାହିଁ । ମୁଁ ଆଉଥରେ ଗଳା ଝାଡ଼ି କହିଲି... “ନମସ୍କାର” ।

 

ଭଦ୍ରଲୋକ ମୋ’ଠାରୁ ଦୂରେଇ ଚାଲିଗଲେ ନିରାପଦ ଦୂରତ୍ଵକୁ । କି ଆଶ୍ଚର୍ଯ୍ୟ ! ଏଇପରି ସୌଜନ୍ୟ ବିନିମୟ ଆମ ଭିତରେ ତ ଥିଲା ଏକ ପ୍ରାତ୍ୟହିକ ବ୍ୟାପାର । ଗୁଡ଼୍‌ ମର୍ଣ୍ଣିଙ୍ଗ... ଆଉ ଜଣେ ଅର୍ଦ୍ଧପରିଚିତ ମଧ୍ୟବୟସ୍କା ଭଦ୍ରଲୋକଙ୍କୁ ମୁଁ ଜଣାଉଥିଲି ଅଯାଚିତ ସମ୍ଭାଷଣ । ଚଷମା ଲେନ୍ସ ତଳୁ ତାଙ୍କର ଆଖି ଦୁଇଟା କିନ୍ତୁ ମୋ’ ଆଡ଼େ ଚାହିଁ ଦପଦପ ହୋଇ ଉଠିଲା । ସେ ତୀକ୍ଷ୍‍ଣ ଦୃଷ୍ଟିରୁ ସେ ଯେପରି ମୋର ଗଭୀରତକ ଅନ୍ତଃସ୍ଥଳ ଆବିଷ୍କାର କରିବା ପାଇଁ ଚେଷ୍ଟା କରୁଥିଲେ । ତାଙ୍କର ଦୁଇ ଆଖିରେ ପ୍ରଚ୍ଛନ୍ନ ଜିଜ୍ଞାସା...ମୁଁ ପ୍ଳେନକ୍ଳୋଦ୍‍ସବାଲା ନୁହେଁ ତ ? ମୁଁ ଚେଷ୍ଟା କରୁନାହିଁ ତ ତାଙ୍କଠାରୁ କିଛି କଥା କାଢ଼ିବା ପାଇଁ ?

 

ନିଜର ଛାଇ ପ୍ରତି ସୁଦ୍ଧା ଆଜି ପ୍ରତ୍ୟେକର ଅବିଶ୍ଵାସ । ମୁଁ ଜାଣେ, ମୁଁ ବୁଝିପାରୁଛି, ତୁମମାନଙ୍କର କାପୁରୁଷତା । ସେଥିପାଇଁ କ୍ଷମା କରୁଛି, ତୁମମାନଙ୍କର ଏଇ ଅସୌଜନ୍ୟପୂର୍ଣ୍ଣ ଉଦାସୀନତା ।

 

ଅଗତ୍ୟା ମୁଁ ନିଜକୁ ନିଜେ ସ୍ଵଗତୋକ୍ତି କରିବା ପରି କହିଲି... କାଲି ରାତିର ମେଘ କଟିଯାଇଛି । ଆକାଶଟା କି ସ୍ଵଚ୍ଛ ! କି ସୁନୀଳ ! ଗୋଟାଏ ପାହାଡ଼ୀ ହ୍ରଦର ଛାତିପରି ।

 

ଏହି ନିରୀହ ପାଗଳବାର୍ତ୍ତା ପ୍ରତି ସୁଦ୍ଧା କେହି କର୍ଣ୍ଣପାତ କଲେ ନାହିଁ ! ମୁଁ ଗୋଟାଏ ପାଗଳ । ପ୍ରଳାପ କରୁଛି ଅବାନ୍ତର ଭାବରେ । ସେମାନେ ସମସ୍ତେ ଯେପରି କୌଣସି ଏକ ଶୋକସଭାର ମୂକ ମୌନ ସଭାଷଦ ।

 

୬୧ନମ୍ବର ବସ୍ ଆସୁଥିଲା ପୋଡ଼ା ଡିଜେଲ ଧୂଆଁ ଉଡ଼ାଇ । ତା’ ସହିତ ମିଶିଗଲା ସ୍ଵସ୍ତିର ଗୁଡ଼ାଏ ମିଳିତ ଦୀର୍ଘଶ୍ଵାସର କୋରସ୍ । ବସ୍ ଭିତରକୁ ଲମ୍ଫ ଦେବାପାଇଁ ସମସ୍ତେ ଚଞ୍ଚଳ ହୋଇଉଠିଲେ; ଯେପରି ମୋ ହାବୁଡ଼ରୁ ରକ୍ଷା ପାଇବାପାଇଁ । ମୁଁ କେଜାଣି ଗୋଟାଏ ସ୍ପାଇ, ହୋଇପାରେ ପ୍ଳେନକ୍ଳୋଦସବାଲା ! ମୋର ସାନ୍ନିଧ୍ୟ ବିପଜ୍ଜନକ । ଭୟଭୀତ, ଆତଙ୍କିତ, ଆଶଙ୍କିତ ସେମାନେ ! ସେମାନଙ୍କୁ ଘେରି ରଖିଛି ଆତଙ୍କ ଆଉ ଉଦ୍‌ବେଗର ଦୁଇଟା ଲୋମଶ ବାହୁ ।

 

ବସ୍ ଭିତରେ ଗୋଟାଏ ସିଟରେ ବସି ମୋର ମନେ ପଡ଼ିଗଲା ଶୈଶବର ସ୍ମୃତି...ଏଇ ଭୟ (ବର୍ଗାଭୂତ ନୋହିଲେ କୋକୁଆ ଭିତରେ, ଜାକିଜୁକି ହୋଇ ଶୋଇପଡ଼ୁଥିଲି ମୁଁ ଅନ୍ୟ ଶିଶୁମାନଙ୍କ ପରି ! ସେଇପରି ଭୟ ମଧ୍ୟରେ ଆଜି ମଧ୍ୟ ସଙ୍କୁଚିତ ହୋଇ ଶୋଇପଡ଼ିଛନ୍ତି ସମସ୍ତେ-। ସମସ୍ତେ ଆଜି ନିଦ୍ରିତ । ସେମାନଙ୍କ ସୁପ୍ତ ଚେତନା ଉପରେ ପ୍ରତିଷ୍ଠିତ ତାନାସାହୀର ଉଦ୍ଧତ ସିଂହାସନ ।)

 

ମୋ’ ପାଖକୁ ଲାଗି, ସହଯାତ୍ରୀ ଭଦ୍ରଲୋକ, ବସ୍‌ର ଝରକା ବାଟେ ଚାହିଁ ଦେଖୁଥିଲେ, ରାସ୍ତାକଡ଼ରେ ବୁଲଡ଼ୋଜର୍ ଲଗାଇ ଭଙ୍ଗାଯାଇଥିବା ଘରଗୁଡ଼ାକର ଭଗ୍ନସ୍ତୂପ । କୁଢ଼କୁଢ଼ ଇଟା ଆଉ ଗୋଡ଼ି । ସହରକୁ ସୁନ୍ଦର, ସୁରୁଚିସମ୍ପନ୍ନ କରିବା ପାଇଁ, ସେ ଘରଗୁଡ଼ାକୁ ଭଙ୍ଗାଯାଇଛି କର୍ତ୍ତାମାନଙ୍କ ହୁକୁମରେ । ଏଇ ଭଗ୍ନସ୍ତୂପ ଉପରେ ଗଢ଼ି ଉଠିବ ଧାଡ଼ି ଧାଡ଼ି ଆଧୁନିକ ଶୈଳୀର ଫ୍ଲାଟ୍...ଆଉ ସ୍କାଇସ୍କୋପର୍ । ଆଉ ଯେଉଁମାନେ ଥିଲେ ଏହାର ଏକଦା ଅଧିବାସୀ, ସେମାନେ ଆଶ୍ରୟ ଖୋଜିଲେ କୌଣସି ଝୋଗୀଝୁପ୍‍ଡ଼ିରେ ।

 

ମୁଁ କହିଲି.....“ଏଇ ଭଙ୍ଗା ଘରଗୁଡ଼ାକୁ ଦେଖିଲେ ମନେ ହେଉଛି ଆମ ସହର ଉପରେ ହୋଇଯାଇଛି ଯେପରି ଜାପାନୀ ବୋମା ଆକ୍ରମଣ ।”

 

ସହଯାତ୍ରୀ ଚାପା କଣ୍ଠରେ ଖିଙ୍କାରି ଉଠିଲେ.....“ସଟ୍ ଅପ୍ । ଚୁପ୍ ହୋଇ ବସିପାରୁ ନାହାନ୍ତି ଆପଣ ? ନିଜେ ପଡ଼ିବେ, ଆମକୁ ବି ନେଇ ପକାଇବେ ଚକ୍କରରେ ଆଗ ସିଟରେ ଦୁଇଟା ପ୍ଳେନକୋଦସ୍‍ବାଲା ।”

 

ବାସ୍ତବିକ, ବସ୍ ଭିତରେ ଯାତ୍ରୀମାନେ ନୀରବରେ ବସିଛନ୍ତି; କେହି ଖବରକାଗଜ ଉପରେ ମୁହଁଢାଙ୍କି, ଆଉ କେହି ବା ଶୂନ୍ୟ ଦୃଷ୍ଟିରେ ବାହାରକୁ ଚାହିଁ କୌଣସି ଶୋକସଭାରେ ବସିବା ପରି । ମୁଁ ମଧ୍ୟ ସେମାନଙ୍କ ପରି ମୂଲ୍ୟହୀନ ହୋଇ ବସିବା ପାଇଁ ଚେଷ୍ଟା କରୁଥିଲି । କିନ୍ତୁ ମୋତେ ଅଣନିଃଶ୍ଵାସୀ ଲାଗୁଥିଲା । କିଏ ଯେପରି ମୋର ତୋଟି ଚିପି ଧରୁଥିଲା ।

 

ଅବଶେଷରେ ଆମ ଖବରକାଗଜ ଅଫିସ୍ ପାଖରେ, ବସ୍‌ରୁ ଓହ୍ଲାଇପଡ଼ିଲି । ସେଇ ପଞ୍ଜୁରୀ ଭିତରୁ ବାହାରି, ମୁଁ ଯେପରି ମୁକ୍ତିର ନିଃଶ୍ଵାସ ମାରିଲି ।

 

ଖବରକାଗଜ ଅଫିସ ଗେଟରେ, ଆଟେଣ୍ଡାନସ୍ ରେଜିଷ୍ଟରରେ ଉପସ୍ଥାନ ଚିହ୍ନିତ କରି ମୁଁ ପଳାଇ ଆସିଲି କଫି ହାଉସକୁ । ମୂର୍ଚ୍ଛିତ, ପକ୍ଷାଘାତଗ୍ରସ୍ତ ଏଇ ମହାନଗରୀରେ କଫି ହାଉସଟା କେବଳ, ଯେପରି ଜୀବନ–ଚଞ୍ଚଳତାର ଏକମାତ୍ର ଓଏସିସ । କଫି ଆଉ ସିଗାରେଟ ଧୂଆଁର ହାଲୁକା ମେଘ ଭିତରେ କଫି–ହାଉସ ଚିରଦିନ ମୋ ଦୃଷ୍ଟିରେ ସୃଷ୍ଟି କରିଥାଏ ଏକ ରହସ୍ୟମୟ ସ୍ଵପ୍ନାଲୋକ । ଅନ୍ୟଦିନମାନଙ୍କରେ ଏଇ ସମୟଟିରେ ତିଳଧାରଣ ପାଇଁ ସୁଦ୍ଧା କଫି ହାଉସରେ ସ୍ଥାନ ନଥାଏ । ରାଜନୀତି, ସାହିତ୍ୟ, ସିନେମା, କ୍ରିକେଟ, ହୋମୋସେକ୍ସୁଆଲିଟି ପ୍ରତ୍ୟେକ ବିଷୟରେ ପ୍ରମତ୍ତ ବିତର୍କତା ପ୍ରଗଳ୍‍ଭର ମଧ୍ୟରେ କଫି–ହାଉସ୍ ଚିରଦିନ କୋଳାହଳ ମୁଖର-। ରିଭିଜନିଜିମ, ରାଇଟ୍‍–ରିଆକ୍ସନ, ଲେଫ୍ଟ ଆଡ଼ଭେଞ୍ଚରିଜିମ ଚୀ–ଗୁଭେରା, ମାଓ-ସେ-ତୁଙ୍ଗ, ନର୍ଦନଟନସାୟାର କ୍ରିକେଟ ମ୍ୟାଚରେ ଅଷ୍ଟ୍ରେଲିଆନ ବାଟସମାନଙ୍କର ବିପୁଳ କୃତିତ୍ଵ, ମହମଡ଼ାନ ସ୍ପୋଟିଙ୍ଗ୍‍ଠାରୁ କଲିକତା ମଇଦାନରେ ଜିମ୍‍ଖାନାର ପରାଜୟ, ହାରଲଡ଼ ରବିନଠାରୁ ହରମାନ ହେସ୍, ପାରସ୍ୟର ଉପନ୍ୟାସଠାରୁ ଉପନିଷଦ–କଫି ହାଉସ୍ ଚର୍ଚ୍ଚାରୁ କୌଣସି ତତ୍ତ୍ଵ, ତଥ୍ୟ ବର୍ଜିତ ନୁହେଁ ।

 

ଆଜି କିନ୍ତୁ ସେ ନୀରବ । ଅଧିକାଂଶ ଟେବୁଲ ଖାଲି । ସେଇ କୋଣଟାରେ ସବୁଦିନ ଜମିଯାଏ, ଲମ୍ବା ବାଳ ଆଉ ଚଉଡ଼ା କଲିବାଲାମାନଙ୍କର ମୈଫିଲ, ବେଲ୍‍ବଟମ ନୋହିଲେ ଜିନ ପରିହତା କେତେଜଣ ତରୁଣୀଙ୍କୁ କେନ୍ଦ୍ର କରି ହୋଇପାରନ୍ତି ବିଭିନ୍ନ କଲେଜର ଛାତ୍ରଛାତ୍ରୀ । ମାତ୍ର ଆଜି ସେମାନେ କେହି ସେଠାରେ ନଥିଲେ । ଲମ୍ବାବାଳ ଆଉ ଦାଢ଼ିବାଲା ଜଣେ ଯୁବକ ସେହି କୋଣରେ ଖଣ୍ଡେ ଖବରକାଗଜ ଉପରେ ମୁଣ୍ଡ ନୁଆଁଇ ବସିଥିଲା; ତା’ ସାମନାରେ ତା’ର ବନ୍ଧୁ ଉପରେ ଛାତକୁ ଚାହିଁ ନୀରବରେ ସିଗ୍ରେଟ ଟାଣୁଥିଲା । ସେମାନେ ମଧ୍ୟ ଅସ୍ଵାଭାବିକ ଭାବରେ ନିସ୍ତବ୍ଧ । ସେଇ ଯେଉଁ ପ୍ରଗଳ୍‍ଭ ଅଧ୍ୟାପକ, ହୋ–ଚୀ–ମୀନ ଦାଢ଼ି ଲମ୍ବାଇ ପାରିଷଦ ବେଷ୍ଟିତ ହୋଇ ଅନ୍ୟ କୋଣଟିରେ ଏଇ ସମୟରେ ଜମାଇଥାନ୍ତି ତାଙ୍କ ଦରବାର–ସେ ମଧ୍ୟ ଆଜି ସେଠାରେ ନଥିଲେ ।

 

ପ୍ରଫେସର ମାଲହୋତ୍ରା ଗଲେ କୁଆଡ଼େ ? ସିଏ ଆସିଥିଲେ ତାଙ୍କ ସହିତ ବିତର୍କ ଆଳାପ ଆଲୋଚନାରେ କିଛି ସମୟ କଟିଯାଇଥାନ୍ତା... ମୁଁ ନିଜକୁନିଜେ ପଚାରୁଥିଲି କାହାରିଠାରୁ କୌଣସି ଉତ୍ତରର ପ୍ରତୀକ୍ଷା ନରଖି ।

 

ୱେଟର ଆନ୍ଥୋନୀ ଫିସ୍‍ଫିସ୍ ଗଳାରେ ମୋ’ କାନ ପାଖରେ କହିଲା...“ପ୍ରଫେସର ସାହେବ ଗିରଫ ହୋଇ ଗଲେଣି ।”

 

“କିନ୍ତୁ କେଉଁ ଅପରାଧରେ ?” ପଚାରିଲା ବେଳକୁ ଆନ୍ଥୋନୀ ସେଠାରେ ଆଉ ନଥିଲା-। ଏଠାରେ ମଧ୍ୟ ପ୍ଳେନକ୍ଳୋଦସଙ୍କର କୋକୁଆ ।

 

ଚାରିଆଡ଼ର ମୂର୍ଚ୍ଛିତ ନିର୍ଜନତା, ନିସ୍ତବ୍ଧତା ଆଡ଼େ ଚାହିଁ ମୁଁ କଫି ଉପରେ ଗୋଟାଏ ଚୁମ୍ବକ ଦେଲି । ମାତ୍ର କଫିରେ ସ୍ଵାଦ ନଥିଲା । କୋଳାହଳ ବିନା କଫିର ସ୍ଵାଦ କାହିଁ ? ଶୂନ୍ୟଗର୍ଭ ଆଟାଚିଟା କାଖତଳେ ଚାପି ମୁଁ ପୁଣି ରାସ୍ତା ଉପରକୁ ବାହାରି ଆସଲି ।

 

କଫି–ହାଉସ୍‍ ସାମନାରେ ଠିଆ ହୋଇଥିଲା ୪୩ ନମ୍ବର ବସ୍ । ଏ ବସ୍ ଯିବ କମଳାନଗର ଡେଇଁ ସହରତଳିର ଶେଷ ସୀମାନ୍ତ ପର୍ଯ୍ୟନ୍ତ ଦୁଇଘଣ୍ଟାର ରାସ୍ତା । ମହାନଗରୀର ଛାତି ଉପରେ ମାଡ଼ିବସିଥିବା ମୌନ, ମୂକ ସମୟର ଅତ୍ୟାଚାରରୁ ମୁକ୍ତି ପାଇବା ପାଇଁ ମୁଁ ବସ୍ ଭିତରକୁ ଲମ୍ଫଦେଇ ଉଠିଲି । ବସ୍ ସେଇ ମାତ୍ର ଗଡ଼ିବା ପାଇଁ ଆରମ୍ଭ କରିଥିଲା ଡିଜେଲ ଧୂଆଁର ଘୂର୍ଣ୍ଣି ଭିତରେ । ଭିତରେ ଯାତ୍ରୀ ଭିଡ଼ ନଥିଲା । କେତେଟା ସିଟ୍ ଖାଲି । ଗୋଟିଏ ଫାଙ୍କା ସିଟ୍ ବାଛି ମୁଁ ବସିପଡ଼ିଲି । କମଳାନଗର ଝିଲ୍ ଏଇ ସହରର ଗୋଟାଏ ଟୁରିଷ୍ଟ ଆକର୍ଷଣ; ପକ୍ଷୀପ୍ରେମୀ ଛୁଟୁକୁଟ୍‍ରିର ନିମ୍ନ ମଧ୍ୟବିତ୍ତମାନଙ୍କ ପାଇଁ ରବିବାରିଆ ପିକ୍‍ନିକ୍‍ର ଆଡ଼୍‍ଡ଼ା । ଶୀତଦିନେ ବିଦେଶୀ ଟୁରିଷ୍ଟମାନେ ଭିଡ଼ ବାନ୍ଧିଥାନ୍ତି ସେଠି ବାଇନୋକୁଲାର୍ ଧରି । ଚଢ଼େଇ ଶିକାର ସେଠାରେ ନିଷିଦ୍ଧ ଥିଲେ ସୁଦ୍ଧା ଅନ୍ୟ ଦିନମାନଙ୍କରେ ଲୁଚାଚୋରା ଶିକାରୀମାନଙ୍କର ଭିଡ଼ । ବେଣା ଆଉ କାଶତଣ୍ଡୀ ବୁଦାମାନଙ୍କ ଉହାଡ଼ରେ ବନ୍ଧୁକ ଧରି ଲୁଚି ବସିଥାନ୍ତି ସେମାନେ ଶିକାର ଅପେକ୍ଷାର । ଆମ ଖବରକାଗଜରେ ଅନେକଥର ଲେଖାଯାଇଛି ସମ୍ପାଦକୀୟ ଆଲୋଚନା–କମଳାନଗର ଝିଲ୍‌ରେ ଲୁଚାଚୋରା ଚଢ଼େଇ ଶିକାରୀମାନଙ୍କୁ ଜବତ କରି ଏହାକୁ ଏକ ସାଙ୍କଚୁଆରୀରେ ପରିଣତ କରିବା ପାଇଁ; ଯେଉଁଠି ରହିବ ପକ୍ଷୀମାନଙ୍କର ସନ୍ତରଣ ପାଇଁ ଅବାଧ ସ୍ଵାଧୀନତା । କିନ୍ତୁ ମହାନଗରୀର ଶିକାରୀମାନଙ୍କର ରକ୍ତତୃଷ୍ଣା ନିବାରଣ ପାଇଁ, ଗୋଟାଏ କ୍ଷେତ୍ର, ଗୁଡ଼ାଏ ଶିକାର ତ ଆବଶ୍ୟକ । ସେଥିପାଇଁ କମଳାନଗର ଝିଲ୍‌ରେ ଚଢ଼େଇ ଶିକାର ଏବେସୁଦ୍ଧା ନିଷିଦ୍ଧ ହୋଇପାରିନାହିଁ । ଅନେକଥର ଭାବିଛି; କମଳାନଗର ଝିଲ୍ ଥରେ ଯାଇଁ ସ୍ଵଚକ୍ଷୁରେ ଦେଖି ଆସିବା ପାଇଁ । ମାତ୍ର ସେଥିପାଇଁ କେବେ ସୁଯୋଗ ପାଇନଥିଲି । ଆଜି କିନ୍ତୁ ଏଇ କର୍ମହୀନ, ପକ୍ଷାଘାତଗ୍ରସ୍ତ ଦିନମାନଙ୍କରେ ସେଥିପାଇଁ ମିଳିଥିଲା ପ୍ରଶସ୍ତ ଅବସର ।

 

କମଳାନଗର ବସ୍‍ଷ୍ଟପ୍‍ଠାରୁ ବାଁହାତି ଲମ୍ବିଯାଇଛି ଗୋଟାଏ ଧୂଳିଆ ରାସ୍ତା, ବାବୁରୀଗଛ ଆଉ ମକାକ୍ଷେତ ଭିତରେ ଝିଲ୍ ପର୍ଯ୍ୟନ୍ତ । ସେଇ ଧୂଳିଆ ରାସ୍ତାରେ ବେପରୁଆ ଭାବରେ ଧୂଳି ଉଡ଼ାଇ ଗଣ୍ଠିଏ ବହଳର ଧୂଳି ଭିତରେ ଚାଲିଲାବେଳେ ମୋର ମନେ ହେଉଥିଲା ମୁଁ ଯେପରି ଏବେ ମୁକ୍ତ, ସ୍ଵାଧୀନ, ଭୟ ଆଶଙ୍କାହୀନ ମୋର ପାଦରୁ ବେଡ଼ି, ହାତରୁ ଶୃଙ୍ଖଳ, ମୁହଁରୁ ତୁଣ୍ଡି ଖସିପଡ଼ିଛି । ବେସୁରା କଣ୍ଠରେ ଗୋଟିଏ ହିନ୍ଦୀ ସିନେମାଗୀତ ମୁଁ କିପରି ଯେ ପାଗଳ ପରି ଗାଇପାରିଲି କେଜାଣି ?

 

ସୌଭାଗ୍ୟକୁ ରାସ୍ତାଟା ଥିଲା ନିର୍ଜନ । ନୋହିଲେ ମୋର ବଙ୍କା ତେଢ଼ା ବେପରୁଆ ଚାଲି, ବେସୁରା ହିନ୍ଦୀ ଗୀତ ଶୁଣି ସେମାନେ ମୋତେ ଭାବିଥାନ୍ତେ ଏକ ନିର୍ଘାତ ପାଗଳ । କିନ୍ତୁ ପଞ୍ଜୁରୀ ଭିତରୁ ଗୋଟାଏ ଆବଦ୍ଧପକ୍ଷୀ ହଠାତ୍ ମୁକ୍ତି ପାଇଲେ, ତାର ଡେଣାରେ ଲାଗିଥାଏ ଉଡ଼ିବାର ନିଶା । ମୁକ୍ତିର ସେଇ ଅନାପେକ୍ଷିକ ମୁହୂର୍ତ୍ତରେ କିଏ କ’ଣ ଭାବିବ, ସେଥିପାଇଁ ମୋର ପରବାୟ ନ ଥିଲା; ଯେଉଁ ଅନାହତ ମୁକ୍ତି ମଧ୍ୟରୁ ଜାଗିଥିଲା ସୃଷ୍ଟିର ପ୍ରଥମ ପ୍ରଭାତ– ମୁଁ ସେତେବେଳେ ଥିଲି ଯେପରି ତା’ରି ବୈତାଳିକ । ନିଶୁନ ରାତିରେ କବାଟରେ ଠକ୍‍ ଠକ୍‍ ଆୱାଜର ଆତଙ୍କ ମୋତେ ଆଉ ଭୂତପରି ଗ୍ରାସ କରୁନଥିଲା । ହିନ୍ଦୀ ସିନେମା ଗୀତ ଛାଡ଼ି ମୁଁ ଧରିଲି ଗୋଟାଏ ଶାସ୍ତ୍ରୀୟ ସଙ୍ଗୀତ... ଚୁଡ଼ିୟାଁ ବାର ବାର କରକାଇ ।’ ଭାବ ସମ୍ପୃକ୍ତିରେ ଚିଡ଼ିଆ ବୋଧହୁଏ ମନେପକାଇ ଦେଇଥିଲା ‘ଚୁଡ଼ିୟା’ ।

 

କିନ୍ତୁ କମଳା ଝିଲ୍‌ରେ ସେଇ ପକ୍ଷୀକୁଳ କାହାନ୍ତି ? ନିର୍ମେଘ, ନୀଳ ଆକାଶରେ ଗୋଟାଏ ଚିଲର ଚକ୍କର ସୁଦ୍ଧା ନଥିଲା । ସେମାନେ ବି କ’ଣ ଭୟଭୀତ ? ସାମନାରେ କେବଳ ଦଳ ଆଉ ଶିଉଳିଭରା ଅଗଭୀର ଜଳରାଶିର ବିସ୍ତାର । ମଝିରେ ମଝିରେ ବେଣା ଆଉ କାଶତଣ୍ଡୀ ବୁଦା । ଗୋଟିଏ ବଗ ସୁଦ୍ଧା କେଉଁଠି, ସେଇ ବେଣା କିମ୍ୱା କାଶତଣ୍ଡୀ ବୁଦା ଉପରେ ଡେଣାଝାଡ଼ି ଭଙ୍ଗ କରୁନଥିଲା, ଝିଲ୍‌ର ଏକଟଣା ବିରକ୍ତି ! କମଳାନଗର ଝିଲ୍‌ର ଚିତ୍ର କିନ୍ତୁ ମୁଁ ଦେଖିଛି ଟୁରିଷ୍ଟ–ପାମ୍ପଲେଟ, ଫୋଲଡ଼ରମାନଙ୍କରେ ଦଳ ଦଳ ରଙ୍ଗୀନ ପକ୍ଷୀ ପଣି ଉପରେ ଓହ୍ଲାଇ ସନ୍ତରଣ କରନ୍ତି ପୁଣି ଉଡ଼ିଯା’ନ୍ତି ନୀଳ ଆକାଶରେ... କଣ୍ଠରେ ସେମାନଙ୍କ ମୁକ୍ତିର କାକଳି । ଆଜି କିନ୍ତୁ ସେଇ ପକ୍ଷୀମାନେ ଆତ୍ମଗୋପନ କରିଛନ୍ତି କେଉଁଠି ? କାହିଁକି ? ଏଠାରେ ମଧ୍ୟ କ’ଣ ସେଇ ଆତଙ୍କ ? ସେଇ କୋକୁଆ ? ଫ୍ଲାଟରେ, କଫି ହାଉସରେ, ବସ୍ ଭିତରେ ନୀରବତା ମୁଁ ବରଦାସ୍ତ କରିପାରୁଥିଲି–କିନ୍ତୁ କାକଳିମୁଖରିତ ଏଇ କମଳା ଝିଲ୍‌ରେ କଦାପି ନୁହେଁ । ମୋର ସହ୍ୟଶକ୍ତି ସମ୍ଭବତଃ ଚରମସୀମାରେ ପହଞ୍ଚିଥିଲା । କଫିନ୍‍ର ଢାଙ୍କୁଣୀ ପରି ଘନୀଭୂତ ନୀରବତାକୁ ଭଙ୍ଗ କରିବା ପାଇଁ ଗୋଟାଏ ବାଲିକୁଦ ଉପରକୁ ଉଠିଯାଇ ମୁଁ ପାଗଳପରି ଚିତ୍କାର କରିବାକୁ ଲାଗିଲି ହୋ ହୋ ହୋ...

 

ମୋର ଆହ୍ଵାନ, ସେଇ ନୀରବତା ମଧ୍ୟରେ ପ୍ରତିଧ୍ୱନିତ ହୋଇ ଚାରିଆଡ଼େ ଖେଳାଇ ହୋଇ ପ୍ରତିଧ୍ଵନିର ଗୋଟାଏ ଫେନିଳ ତରଙ୍ଗ । ମୋର କଣ୍ଠରେ ଏତେ ଶକ୍ତି ଯେ ପ୍ରଚ୍ଛନ୍ନ ରହିଥିଲା, ସେ ପର୍ଯ୍ୟନ୍ତ ମୁଁ ତାହା ଜାଣି ନଥିଲି ! ମୋର କଣ୍ଠଫଟା ଚିତ୍କାର ମଧ୍ୟରେ ଥିଲା ଯେପରି ଐନ୍ଦ୍ରଜାଲିକ ଶକ୍ତି ! ଆଃ ! ଏ ପକ୍ଷୀମାନେ ଏତେକ୍ଷଣ ଆତ୍ମଗୋପନ କରିଥିଲେ କେଉଁଠି ? ଚାହୁଁ ଚାହୁଁ ଝିଲ୍‌ର ଜଳରାଶି ହଂସରାଳୀ, ପାଣିକୁଆ, ଚିଲ ଆଉ ଡକ୍ ପ୍ରଭୃତି ପକ୍ଷୀମାନଙ୍କରେ ପୂର୍ଣ୍ଣ ହୋଇଗଲା । ସେମାନେ ଯେପରି, ସେଇ ସ୍ତବ୍ଧ ମୂର୍ଚ୍ଛିତ ନୀରବତା ମଧ୍ୟରେ ଏତେକ୍ଷଣ ଅପେକ୍ଷା କରୁଥିଲେ, ଏଇପରି ଉଦାତ୍ତ ଆହ୍ଵାନ । ଆଉରି ଉତ୍ସାହିତ ହୋଇ ମୁଁ ପାଗଳ ପରି ଚିତ୍କାର କରି ଚାଲିଥିଲି...ହୋ ହୋ ହୋ

 

ପକ୍ଷୀ ଶିକାରୀମାନେ ମଧ୍ୟ ବନ୍ଧୁକ ଧରି କେଉଁଠି ଛପି ରହିଥିଲେ ।

 

ପକ୍ଷୀମାନେ ଡେଣାଝାଡ଼ି ଝାଙ୍କ ଝାଙ୍କ ହୋଇ ଉପରକୁ ଉଡ଼ିବାବେଳେ ସେମାନଙ୍କ ବନ୍ଧୁକ ସବୁ ଗୁଡ଼ୁମ୍ ଗୁଡ଼ୁମ୍ ଆୱାଜ କରି ଫୁଟିଉଠିଲା । ପାଣି ଭିତରେ କେତେଟା ମୃତାହତ ପକ୍ଷୀ ଖସିପଡ଼ିଲେ । ମାତ୍ର ସେଥିପ୍ରତି ପକ୍ଷୀମାନଙ୍କର ଭ୍ରୂକ୍ଷେପ ନଥିଲା । ମୁଁ ଯେତିକି ଚିତ୍କାର କରୁଥିଲି...ହୋ ! ହୋ ! ହେ ସେତିକି ସେମାନେ ଝାଙ୍କ ଝାଙ୍କ ହୋଇ ଝିଲ୍ ଭିତରକୁ ଓହ୍ଲାଇ ଆସୁଥିଲେ, ବନ୍ଧୁକ ଗୁଳିକୁ ଭ୍ରୂକ୍ଷେପ ନକରି ଝିଲ୍‌ରେ ସନ୍ତରଣ କରୁଥିଲେ, ପୁଣି ଉଡ଼ିଯାଉଥିଲେ ଉପରକୁ ।

 

ଶିକାରୀମାନଙ୍କର ବନ୍ଧୁକର ଗୁଳି ସବୁ ସମ୍ଭବତଃ ଶେଷ ହୋଇଗଲା ! ଏଇ ରକ୍ତବୀର୍ଯ୍ୟମାନଙ୍କ ପାଖରେ ହାର୍ ମାନି ସେମାନଙ୍କର ବନ୍ଧୁକ ସବୁ ନୀରବ ହୋଇଆସିଥିଲା । କିନ୍ତୁ ପକ୍ଷୀମାନଙ୍କର କଣ୍ଠରେ କାକଳି ହୋଇଥିଲା, ଅଶାନ୍ତରୁ ଅଶାନ୍ତତର ! ମୃତ୍ୟୁ ପ୍ରତି, ସେମାନଙ୍କର ଆଉ ଭୟ ନଥିଲା...କେବଳ ବନ୍ଧନ ଆଉ ନୀରବତା ପ୍ରତି । ସେଇ ବନ୍ଧନ ଭୟକୁ ପକ୍ଷୀମାନେ ଉପେକ୍ଷା କରି ଝାଙ୍କ ଝାଙ୍କ ହୋଇ ଉଠୁଥିଲେ ଆକାଶରେ । ସେମାନଙ୍କ କାକଳିରେ ସେଇ ନିର୍ଜନ ଭୂମି ମୁଖରିତ ହୋଇ ଉଠୁଥିଲା ।

 

ଡେଣାରେ ଡେଣାରେ ସେମାନଙ୍କର ଅସ୍ତସୂର୍ଯ୍ୟର ଆଲୋକ ବୋଳିଦେଇ ଯାଇଥିଲା ଯେପରି ତାଜା ଖୁନ୍‌ର ରଙ୍ଗ.....

Image